ଅଛି ବୋଲି ତ
ଶବ୍ଦର ସହକାର ତଳେ
ବିମୁଗ୍ଧ ପୃଥିବୀ ଲେଖୁଛି
ଅମୃତ ଲଗ୍ନର କବିତା
ବଂଶୀର ପ୍ରତିଟି ଛିଦ୍ରରୁ
ଗୁଞ୍ଜରିତ ହେଉଅଛି
ସମ୍ମୋହନ ବାର୍ତ୍ତା
ଗୋଠ ଫେରନ୍ତା ଗାଈଆଳ
ଉଡନ୍ତା ମେଘକୁ ଚାହିଁ
ଭୁଲି ଯାଏ ପାଦତଳ ବ୍ୟଥା ।
ଟିକିଏ ଭଲ ପାଇବାକୁ ଆଳକରି ସିନା
ନିଦାଘ ବଜାଏ ଏଠି
ଖରାର ଖଞ୍ଜଣି
କୃଷ୍ଣଚୂଡ଼ା ମୂଳେ
ପ୍ରୀତିର ମହ୍ଲାର ଅଳସ ଭାଙ୍ଗେ
ଯମୁନାର କୂଳେ ।
ବର୍ଷା ସ୍ନାତା ମାଟି ଗାଏ
ଶ୍ୟାମଳ ସାୟରୀ
ସ୍ମୃତିର ଉପତ୍ୟକାରେ
ଫୁଟୁଥାଏ ତାରା ଫୁଲ
ନିତି ଅସୁମାରୀ ।
ଅଜଣା ଆବେଗ ନଥିଲେ ହୁଏ ତ
ସମୁଦ୍ର ମଗ୍ନା ନଦୀ
ଫେରନ୍ତା ଓଲଟା
ପକ୍ଷୀମାନେ ନୀଡ଼ ହୁଡ଼ି
ଉଡୁଥା'ନ୍ତେ ଦୂର ଦିଗବଳୟ କଡ଼େ
ଦେବଦାସୀଙ୍କ ପାଦରୁ ନୂପୁର
ପଡ଼ୁଥାନ୍ତା ଛିଡ଼ି
ବାଲିର ରଥକୁ ଭିଡି ନେଇଥାନ୍ତା
ଉତ୍ତୁଙ୍ଗ ଲହରୀ ।
ଅଦୃଶ୍ୟ ଆକର୍ଷଣ ପାଇଁ ତ
ଏଠି ଏତେ କଥା
ରାତ୍ରିର ଗଳାରେ ଝୁଲେ
ଜହ୍ନର ମୁକୁତା
ରଙ୍ଗିଣୀ ଫୁଲରେ ଭରା
ଅନାହତ ଜୀବନର
ମୁଗ୍ଧ ନଈ ପଠା
ବଉଦର ମୁକୁଟ ପିନ୍ଧି
ହସଇ ପାହାଡ଼
ଦାରୁଟିଏ ବନି ଯାଏ
ଜୀବନ୍ତ ଦେବତା ।
ନୂଆଗାଁ, ଶିଙ୍ଗାଖୁଣ୍ଟା, ସୋର, ବାଲେଶ୍ଵର
ଦୂରଭାଷ - ୮୧୧୭୮୦୫୯୫୯