ତୁମେ ସଖା ସବୁଠାରେ ଥାଅ - ରମେଶ ଚନ୍ଦ୍ର ମିଶ୍ର

0

ସମୀରଣ ସଞ୍ଚରଣେ, ଭ୍ରମରର ଗୁଞ୍ଜନରେ,
ଝରଣାର କୁଳୁକୁଳୁ ତାନ,
ସାଗରର ଗର୍ଜ୍ଜନରେ, ଶିଶୁଟିର କ୍ରନ୍ଦନରେ,
ସବୁଠାରେ ତୁମ ମଧୁସ୍ଵନ
ତୁମେ ସଖା ସବୁଠାରେ ଥାଅ
ଜନନୀର ମିଠା ହସ,
ଶିଶୁର ଦରୋଟି ଭାଷ ସଂଗୋପନେ ଆଢୁଆଳେ ଥାଇ
ମହାନନ୍ଦେ ମଧୁ ସିଞ୍ଚୁଥାଅ ।

ସରିତର ଜଳଧାରା, ସାଗରର ଉର୍ମିମାଳା,
କାନନର ସବୁଜିମା ଦେହେ,
କୁସୁମର ସୁରଭିରେ, ଜନନୀର ପୟୋଧରେ,
ଉଦିତ ଅରୁଣ ନଭେ ଶୋହେ
ତୁମେ ସଖା ସବୁଠାରେ ଥାଅ
ପିତା ମାତା ଭ୍ରାତା ଭଗ୍ନୀ, 
ପ୍ରିୟା ପ୍ରତିବେଶୀ ପୁଣି
ସେନେହ ସରାଗବୋଳା ପ୍ରୀତି ରଙ୍ଗ ସହ 
ମହାନନ୍ଦେ ମଧୁ ସିଞ୍ଚୁଥାଅ ।
ତୁମେ ସଖା ସବୁଠାରେ ଥାଅ ।।

ଆକାଶର ନୀଳିମାରେ, ଜହ୍ନର ଜୋଛନା ଧାରେ 
ଲୁଚିଥାଅ ମେଘ ଆଢୁଆଳେ 
ଇନ୍ଦ୍ରଧନୁ ସାତରଙ୍ଗେ ଲୁଚକାଳି ଖେଳ ରଙ୍ଗେ
ବିହଙ୍ଗମ ମୃଦୁ କଳରୋଳେ
ତୁମେ ସଖା ସବୁଠାରେ ଥାଅ
ଦୀନ ଦୁଃଖୀ ନାମଗାନେ ଶିଶୁର ସରଳ ମନେ
ନିଜକୁ ହଜାଇଦେଇ ଭାବର ସାଗରେ
ଚୁପିଚୁପି ଗୀତ ଗାଉଥାଅ । 
ତୁମେ ସଖା ସବୁଠାରେ ଥାଅ ।।

ତୁମକୁ ଦେଖିବାପାଇଁ ଚର୍ମ ଚକ୍ଷୁ ଲୋଡା ନାହିଁ 
ଲୋଡା ଖାଲି ଆକୁଳ ଆବେଗ
ହୃଦୟର ବିଶାଳତା ସମର୍ପଣରେ ନିରୁତା
ପ୍ରେମପୂର୍ଣ୍ଣ ସିନ୍ଧୁଏ ଉଦ୍ ବେଗ
ତୁମେ ସଖା ସବୁଠାରେ ଥାଅ
ଚେତନ ବା ନିଶ୍ଚେତନ ଜୀବ ଜଡ ସ୍ଥିତିହୀନ
କିବା ପୂର୍ଣ୍ଣ  କିବା ଶୂନ୍ୟ ପ୍ରତିଟି ବିନ୍ଦୁରେ
ଆପଣାର ଲୀଳା ରଚୁଥାଅ
ତୁମେ ସଖା ସବୁଠାରେ ଥାଅ ।

ପର୍ବତର ଶିର ପରେ ଗଭୀର ସାଗର ତଳେ
ସବୁଠାରେ ତୁମେ ଉପସ୍ଥିତ 
ହସର ତରଳ ଧାରେ କ୍ରନ୍ଦନର କାରୁଣ୍ୟରେ
ସୁଖେ ଦୁଃଖେ ସମଭାବେ ବ୍ୟାପ୍ତ
ତୁମେ ସଖା ସବୁଠାରେ ଥାଅ
ତୁମ ନାମ ଗାନ ସ୍ଥଳେ ଆପଣାକୁ ଭୁଲି ଭୋଳେ
ଭକତର ଦୁଃଖ ନେଇ ଚପଳା ଚମକେ 
ଦୟାମୟ ବାହୁ ମେଲିଦିଅ ।
ତୁମେ ସଖା ସବୁଠାରେ ଥାଅ ।

ତାପସ କୁଟୀର, ବଇଣ୍ଡା, ଅନୁଗୋଳ

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ