ମୁଁ ମଣିଷ ନୁହେଁ, କିନ୍ତୁ ମଣିଷକୁ ଭଲପାଏ ବୋଲି ଜୀବନ ସାରା ମଣିଷପାଖରେ ରହେ । ଭଗବାନଙ୍କ ସୃଷ୍ଟିରେ ମୁଁ ପଶୁଟିଏ । ସବୁ ପଶୁମାନଙ୍କ ପରି ମୋର ଚାରୋଟି ଗୋଡ ଥିଲେ ମଧ୍ୟ ଆଗ ଗୋଡ ଦୁଇଟିକୁ ହାତଭଳି ବ୍ୟବହାର କରିପାରେ । ଏ ଭାଗ୍ୟ ସବୁ ପଶୁଙ୍କୁ ମିଳିନି । ବଣମଣିଷ, ବାନର, ବାଘ, ସିଂହ, ଭାଲୁ, ଠେକୁଆ, କୁକୁର, ବିଲେଇ ଆଦି ମୁଷ୍ଟିମେୟ ପ୍ରଜାତିର ପଶୁମାନେ ଆଗ ଗୋଡ ଦୁଇଟିକୁ ହାତଭଳି ବ୍ୟବହାର କରିପାରନ୍ତି । ମୁଁ ବିଲେଇଟିଏ ହୋଇଥିବାରୁ ସେ ସୌଭାଗ୍ୟର ଅଂଶୀଦାର ହୋଇପାରିଛି ।
ଏଇ ଆଗଗୋଡ ବା ହାତକୁ ନେଇ ମୋ ଜୀବନରେ ଯେଉଁ ଘଟଣା ଘଟିଲା, ତାହା ଦୁନିଆର କୌଣସି ପ୍ରାଣୀ ସହିତ ନଘଟୁ । କୋଉ ଜନ୍ମରେ କି ପାପ କରିଥିଲି କେଜାଣି ! ସେଥିପାଇଁ ଆଜି ସିନା ମୋର ଏ ଦୁର୍ଦ୍ଦଶା, ପୁଣି କିଛି ପୁଣ୍ୟ ବି କରିଥିଲି ବୋଧେ, ଯୋଉଥିପାଇଁ ମୋ ଜୀବନର ଏ ଦୁର୍ଘଟଣା ଘଟିଲା ସେହି ପରିବାରରେ, ଯିଏ କି ମୋପାଇଁ ଦେବତା ପାଲଟିଗଲେ ।
ମୋ ମାଆ ଆମ ଚାରି ଭାଇ ଭଉଣୀଙ୍କୁ ଏଇ ପରିବାରରେ ଜନ୍ମ ଦେଲା । ମାଆଠୁ ଶୁଣିଛି, ମାଆ ଜନ୍ମ ଦେବାକୁ ତାଙ୍କରି ଘରେ ସୁବିଧା ଜାଗାଟିଏ ଖୋଜିଲାବେଳେ ଏ ପରିବାରର ମାଲିକ କୁଆଡେ ମାଆକୁ ଦୂର୍ ଦୂର୍ କରୁଥିଲେ । କିନ୍ତୁ ଖାଉନ୍ଦାଣୀ ଭାରି ଦୟାବତୀ । ଖାଉନ୍ଦଙ୍କୁ ପାଟିକଲେ- କେମିତି ମଣିଷ ମ ତମେ ! ବିଚାରୀର ଦୁଃଖ ସମୟରେ ତମେ ପୁଣି କାଠଗଣ୍ଡି ଲଦୁଛ ? ନାରୀ ହିଁ ନାରୀର ମନକଥା ବୁଝିପାରେ । ଖାଉନ୍ଦ ଜବାବ୍ ଦେଲେ- ତମେ କ'ଣ ଜାଣିଛ ଆଗରୁ ଏଇ ଯୋଉ ତିନି ଥର ଏଠି ଛୁଆ ଜନ୍ମ କରିଛି, କୋଉ ଗୋଟିକୁ ବି ତ ବଞ୍ଚେଇପାରିନି, ଆଉ ଖାଲି ଜନ୍ମ କରିଦେଲେ କ'ଣ ହେବ ? ତା' ଛଡା ଏ ଛୁଆମାନଙ୍କର ମୃତ୍ୟୁଦୋଷ ଏ ଘର ମାଲିକ ହିସାବରେ ମୁଁ ମୁଣ୍ଡଉଚି, ଜାଣିଛ ଟି ? ଖାଉନ୍ଦ କଥାଟା କହି ଦେଲେ ସିନା, କାଳେ ଖାଉନ୍ଦାଣୀ ମନ ଦୁଃଖ କରିବେ ବୋଲି କି କ'ଣ, ଆଉ କିଛି ପ୍ରତିକ୍ରିୟା ପ୍ରକାଶ କଲେନି । ମାଆ କିନ୍ତୁ ଆଉ ଖାଉନ୍ଦଙ୍କ ଘରେ ଆମକୁ ଜନ୍ମ ନକରି ବାଡିପଛ କାଠଭାଡି ତଳେ ଜନ୍ମ ଦେଲା ।
ଆମେ ଜନ୍ମ ହେଲୁ । କୁଆଡେ ଆମ ଜାତିରେ ବିଧି ଅଛି, ଆମେ ଜନ୍ମ ହେବାର ସାତଦିନରେ ମାଆ ଆମକୁ ସାତଘର ବୁଲାଏ । ଏଥର କିନ୍ତୁ ମାଆ ସେ ସବୁ ବିଧି ପାଳିଲାନି । ଆମେ ଧୀରେ ଧୀରେ ବଢିବାକୁ ଲାଗିଲୁ । ଖାଉନ୍ଦର ଘରକୁ ବି ବୁଲିଆସୁ । କେହି ବି ଆମକୁ ଛେଇ ଛେଇ ଦୂର୍ ଦୂର୍ କରନ୍ତିନି । ଖାଉନ୍ଦାଣୀ ଘରେ କହିଦେଇଥାନ୍ତି କି କ'ଣ, ଦେଖିଲେ ଆମ ମୁହଁ ଆଗରେ ମୁଢି ମୁଠେ କି ବିସ୍କୁଟ ଖଣ୍ଡେ ପକେଇ ଦିଅନ୍ତି । ମାତ୍ର ଆମେ ତ ବାହାର ଜିନିଷ ଖାଇ ଶିଖିନଥିଲୁ । ଆମେ କେବଳ ଶୁଂଘିଦେଉ । କେବଳ ଏତିକି ବୁଝୁ ଯେ ଆମପ୍ରତି ଶତ୍ରୁତା ଭାବ ଏ ଘରେ ନାହିଁ । ଖାଉନ୍ଦଙ୍କ ନାତି ଟୋକା ଟିକିଏ ଦୁଷ୍ଟ । ସେ ବେଳେବେଳେ ଆମ ସହିତ ଗେଲରେ ଗେଲରେ ଟିକିଏ ଦୁଷ୍ଟାମି କରେ । କଅଁଳିଆ ଦେହକୁ ଆମର ଖୁବ ବାଧେ । ଅବଶ୍ୟ ଏଥିପାଇଁ ତା ଜେଜେ ଆଉ ଜେଜୀ ପାଟି କରନ୍ତି ।
ସମୟ ଗଡି ଚାଲିଲା । ଏ ଭିତରେ ଆମେ ଦୁଇମାସର ହୋଇଗଲୁଣି । ଖାଉନ୍ଦଙ୍କ ଘରକୁ ଲାଗି ଆଉ ଗୋଟିଏ ଘର । ଏଇ ଦୁଇ ଘର ଆମ୍ଭମାନଙ୍କର ଚରାଭୂଇଁ ପାଲଟିଗଲା । କେବଳ ଖାଉନ୍ଦାଣୀକୁ ଛାଡି ଆମକୁ କେହି ସ୍ନେହ ଆଦର କରୁ ନଥିଲେ । ଅବଶ୍ୟ କେହି ଦୂର୍ ଦୂର୍ କରୁ ନଥିଲେ । ଖାଉନ୍ଦଙ୍କ ଘର ଆଗରେ ଗୋଟିଏ ବୋଲେରୋ ଠିଆ ହୁଏ । ତା'ରି ତଳେ ଆମେ ଚାରି ଭାଇ ଭଉଣୀ ମନ ଆନନ୍ଦରେ ଖେଳୁ ଓ ନିରାପଦରେ ବିଶ୍ରାମ ନେଉ ।
ଦିନକର କଥା । ଆମେ ଚାରି ଭାଇ ଭଉଣୀ ସେଦିନ ସନ୍ଧ୍ୟାରେ ବୋଲେରୋ ପାଖରେ ଖେଳୁଥିଲୁ । ମା' ଆସି ଆମକୁ କ୍ଷୀର ପିଆଇ ଚାଲିଗଲା । ଆମେ ସେଇଠି ଶୋଇଗଲୁ । ଅନ୍ୟମାନେ ଗାଡିତଳେ ଶୋଇଲେ, ମୁଁ ଉଷୁମ ଦେଖି ଗାଡିର ତଳପଟୁ ଚଢି ଇଞ୍ଜିନ ଫିତାପାଖରେ ଶୋଇଥାଏ । ସେତେବେଳକୁ ଅଧରାତି ହେବ । ଖାଉନ୍ଦଙ୍କ ବଡପୁଅ ପୁରୀ ଯିବାକୁ ବାହାରିଲେ । ସେ ଗାଡିଭିତରକୁ ଆସି ଷ୍ଟାର୍ଟ କଲେ । ମୁଁ ଜାଣିପାରିଲି । ଇଞ୍ଜିନ୍ ଷ୍ଟାର୍ଟ ହେବାରୁ ହଠାତ୍ ଛିଟିକିହୋଇ ମୁଁ ପଡିଲି ତଳେ । ଗାଡିର ଫିତା ଖୋଲିଗଲା । ଫିତା ପାଖକୁ ଲାଗି ଶୋଇଥିଲି ବୋଲି ମୋର ଏ ଦୁର୍ଦ୍ଦଶା ହେଲା ବୋଧେ । ଖାଉନ୍ଦ ଆଉ ତାଙ୍କ ବଡପୁଅ ଲାଗିଗଲେ ଫିତା ଲଗାଇବାରେ । ଠିକ୍ ଅଧରାତିରେ ଘରୁ ବାହାରନ୍ତି ନାହିଁ ବୋଲି ଖାଉନ୍ଦ ତାଙ୍କ ପୁଅକୁ ବୁଝାଉଥିଲେ, କିନ୍ତୁ ଗ୍ରାହକ ତ ସାଙ୍ଗେ ସାଙ୍ଗେ ଆସିବାକୁ କହୁଚି, ମୁଁ କେମିତି ବିଳମ୍ବ କରିବି ବୋଲି ପୁଅ କହୁଥାନ୍ତି । ଏଣେ ଫିତା ଖୋଲିଯିବା ଘଟଣାରେ ଖାଉନ୍ଦ ଏଥର କଥା ଯୋଡିଲେ- ଦେଖ୍, ମୁଁ ମନା କରୁଥିଲି, ତୁ ମାନୁନଥିଲୁ । କେମିତି ଅମଙ୍ଗଳ ସାଙ୍ଗେ ସାଙ୍ଗେ ଘଟିଲା, ଦେଖିଲୁ ତ ? ଆଉ ଜମା ଯାଆନା । ପାର୍ଟିକୁ ମନା କରିଦେ' । ସେମାନେ ଅନ୍ୟ ଗାଡି କରି ଯାଆନ୍ତୁ । ବିଲେଇ ଜରିଆରେ କାଳିଆ ଠାକୁର ସୂଚନା ଦେଲେ । ୟାକୁ ଅମାନ୍ୟ କଲେ ନିଶ୍ଚୟ ବିପଦ । ଫିତା ଲଗାଉଥିବା ବେଳେ କିନ୍ତୁ ବଡପୁଅ ନିଜ ଯିଦ୍ ରେ ଅଟଳ ସେ ଯିବେ । ସେ ଭାବୁଥିଲେ ଫିତାଟି ଲଗେଇଦେବେ । ତାଙ୍କ ଯିଦ୍ ଦେଖି କେମିତି ଯାଉଚୁ ଯାଆ କହି ଶେଷକୁ ଖାଉନ୍ଦ ବିରକ୍ତ ହୋଇ ଗାଡିର ଚାବି ନେଇ ଘର ଭିତରକୁ ଚାଲିଗଲେ । ପୁଅ ଫିତା ଲଗାଇବାରେ ବିଫଳ ଚେଷ୍ଟାରେ ଲାଗିପଡିଥାନ୍ତି ।
ମୋ କଥା ସାନପୁଅଙ୍କ ମୁଣ୍ଡରେ ପଶିଲା । ସେ ମୋତେ ଖୋଜିଲେ । ମୁଁ ଛିଟିକି ହୋଇ ପଡିଥାଏ ଗୋଟିଏ କୋଣରେ । ଖୋଜାଖୋଜି କରି ମୋତେ ପାଇଲେ । ମୋ ଦୁଇ ଗୋଡ ରକ୍ତରେ ଜୁଡୁବୁଡୁ ଦେଖି ତାଙ୍କର ଦୟାର୍ଦ୍ର ହୃଦୟ ଦୁଃଖରେ ତରଳିଗଲା । ଅତି ଯତ୍ନରେ ମୋତେ ଉଠାଇ ଘର ଭିତରକୁ ଆଣିଲେ । ବ୍ୟସ୍ତ ହୋଇଉଠିଲେ ମୋ ପାଇଁ କିଛି କରିବାପାଇଁ । କିନ୍ତୁ କ'ଣ ବା କରିବେ ? ସେତେବେଳକୁ ତ ରାତି ଗୋଟାଏ । କିଛି କ୍ଷୀର ଆଣି ମୋ ମୁହଁରେ ଦେଲେ । କିନ୍ତୁ ମୁଁ ତ ମାଆଠାରୁ ହିଁ କେବଳ ଖାଉଥିଲି । ବାହାର ଜିନିଷ ଖାଇ ଜାଣିନଥିଲି । ତେଣୁ ସେ ବିଫଳ ହେଲେ ।
ତା' ପରଦିନ ଖାଉନ୍ଦ ଘରକୁ କିଏ ଜଣେ ବାହାର ଲୋକ ଆସିଲେ । ସେ ମୋର ଗୋଡ ଦୁଇଟିରେ ଔଷଧ ଲଗାଇଲେ । ପଟି ଭିଡିଲେ । ଇଞ୍ଜେକ୍ସନ୍ ଦେଲେ । ଖାଉନ୍ଦଙ୍କ ସାନପୁଅ କ୍ଷୀର ଉଷୁମ କରି ଛୋଟ ଚାମଚରେ ମୋତେ ପିଆଇବାକୁ ଚେଷ୍ଟା କଲେ । ଜବର୍ ଦସ୍ତ ଭାବରେ ମୋ ପେଟକୁ କିଛି ଗଲା । ଔଷଧ ଯୋଗୁଁ ମୋତେ କିଛିଟା ଆରାମ ଲାଗିଲେ ବି ଭୋକରେ ନିଦ ହେଉନଥାଏ ।
ଏଇମିତି କଷ୍ଟକର ଜୀବନର ଧାରା ମୋର ଲାଗିରହିଲା ଅନେକ ଦିନ ପର୍ଯ୍ୟନ୍ତ । ମୋର ଏ ଦୟନୀୟ ଅବସ୍ଥା ଦେଖି ଖାଉନ୍ଦଙ୍କ ସାନପୁଅ ଛଡା ନିଜେ ଖାଉନ୍ଦ ବି ଏଥର ମୋର ଯତ୍ନ ନେବାରେ ଲାଗିଗଲେ । ବଜାରରୁ ଔଷଧ ଆଣିବା, ଡେଟଲ୍ ପାଣିରେ ଧୁଆଧୋଇ କରି ଡ୍ରେସିଂ କରିବା, ଔଷଧ ଦେବା ଓ ଲଗାଇବା, ନିଜେ କରି ନପାରିଲେ ଅନ୍ୟ ଦ୍ଵାରା କରେଇବା ଆଦି ଦାୟିତ୍ୱ ନେଲେ । ଘରର ଅନ୍ୟମାନଙ୍କୁ ବୁଝାଇଲେ, "ଦେଖ, ପୁରାଣଶାସ୍ତ୍ରରେ ଲେଖା ଅଛି ଯେ ଘରର କେତେକ ବିପଦ ଘରର ଗଛପତ୍ର, ପାଳିତ ପଶୁପକ୍ଷୀ ଆଦି ମାଲିକଙ୍କ ଅନ୍ନରେ ପ୍ରତିପାଳିତ ଜୀବଜନ୍ତୁଙ୍କ ଉପରେ ବି ପଡିଥାଏ । ଠିକ୍ ସେହି କଥା ଘଟିଲା ସେଦିନ । ବଡପୁଅ ଉପରେ ଘଟିବାକୁ ଥିବା ବିପଦ ମୁଣ୍ଡେଇନେଲା ଏ ବିଲେଇ । ରାମାୟଣରେ ବିଭୀଷଣ ଉପରେ ଶକ୍ତି ପ୍ରୟୋଗ କଲା ରାବଣ । ଶ୍ରୀରାମଙ୍କ ଶରଣାଶ୍ରିତ ଥିବାରୁ ତାଙ୍କୁ ରକ୍ଷା କରିବାକୁ ଯାଇ ଛାତି ପାତିଦେଲେ ଲକ୍ଷ୍ମଣ । ଠିକ୍ ସେମିତି ଆମ ଘରର ବିପଦକୁ ନିଜ ମୁଣ୍ଡ ଉପରକୁ ନେଇଛି ଏ ବିଲେଇ । କୋଉ ଜନ୍ମରେ ପୁଅ ପାଖରେ ବୋଧେ ଋଣିଆ ଥିଲା । ଏ ଜନ୍ମରେ ନିଜର ଆଗ ଗୋଡ ଦୁଇଟିକୁ ବଳି ପକାଇ ସେ ଋଣ ଶୁଣିଲା । ତା ଦାୟିତ୍ୱ ସେ ସାରିଦେଇଛି, ଏଥର ଆମ ଦାୟିତ୍ୱ । ଯଦି ତାର ସେବା ଯତ୍ନରେ ଆମେ ଆଖି ବୁଜିଦେବା, ତେବେ ଏ ସବୁର ହିସାବ କରୁଥିବା ଅଦୃଶ୍ୟ ଶକ୍ତି ଆମକୁ କ୍ଷମା ଦେବେନାହିଁ ।" ଏଇ କଥାଟା ପରିବାରର ସମସ୍ତଙ୍କ ମନକୁ ଭେଦିଗଲା । ଏଥର ସମସ୍ତେ ମୋ ପ୍ରତି ଦୟାଶୀଳ ହୋଇଗଲେ । ମୋର ଖାଇବା ପିଇବାଠାରୁ ଆରମ୍ଭ କରି ଔଷଧ ଲଗାଇବା, ସ୍ନେହ ଦେଖାଇବା ଭଳି ସମସ୍ତ ଯତ୍ନ ପ୍ରତି ସଚେତନ ହୋଇଗଲେ ।
ମୋତେ ସମ୍ପୂର୍ଣ୍ଣ ଭଲ ହେବାକୁ ଲାଗିଲା ଛଅ ମାସ । ଭଲ କହିଲେ ଘା ଶୁଣିବା କଥା କହୁଚି । ଆଗ ଗୋଡ ଦୁଇଟି ତ ଗଲା । ବାଁ ଗୋଡ ସମ୍ପୂର୍ଣ୍ଣ ଅଚଳ, ଛୋଟ ହୋଇଗଲା । ଡାହାଣ ଗୋଡ ଯଦିଓ ଅଚଳ, ତେବେ କିଛିଟା କାମରେ ଲାଗୁଛି । ବେଶୀ ବାଟ ଯିବା ମୋ ପକ୍ଷରେ ଅସମ୍ଭବ । ମୁଁ ମଧ୍ୟ ବାଡିରେ ଅଳ୍ପ ବୁଲେ, ତାହା ପୁଣି ଖାଉନ୍ଦ କିମ୍ବା ଖାଉନ୍ଦାଣୀ ବାଡି ପଟରେ କିଛି କାମପାଇଁ ଯାଇଥିବା ସମୟତକ । ବାହାର କୁକୁର ବିଲେଇଙ୍କର ଭୟ ମୋ ପାଇଁ ।
ଏ ଘରେ ମୋର ଖାଇବା ପିଇବାରେ ଅଭାବ ନାହିଁ । ଦିନବେଳେ କ୍ଷୀରଗୋଳା ଭାତ, ରାତିରେ କ୍ଷୀରଚକଟା ରୋଟି, ସକାଳେ ଓ ସନ୍ଧ୍ୟାରେ ମୁଢି, କେବେକେବେ ବରା, ଆଳୁଚପ୍, ସିଙ୍ଗଡା । ପ୍ରତି ରବିବାର, ବୁଧବାର, ଶୁକ୍ରବାର ଆଇଁଷ । ପ୍ରଥମେ ପ୍ରଥମେ ମୋର ଖାଦ୍ୟାଭ୍ୟାସ କରେଇବାକୁ ତ ସବୁଦିନେ ଆଇଁଷ ଦେଲେ । ଆଇଁଷ ବାରି ଛଡା ଅନ୍ୟ ଦିନମାନଙ୍କରେ ହାଟ ବଜାରରୁ ଶୁଖୁଆ କିଣି ଭାତରେ ମିଶାଇ ଦେଲେ । ମୋର ଭାତ ଖାଇବା ଅଭ୍ୟାସରେ ପଡିଗଲା ପରେ ଏବେ ଅବଶ୍ୟ ଆଉ ଶୁଖୁଆ କିଣୁନାହାଁନ୍ତି ।
ଗୋଟିଏ ଭୁଆବିଲେଇ ମୋତେ ବାରମ୍ବାର ଆକ୍ରମଣ କରୁଛି । ସେଥିପାଇଁ ମୋ ଖାଉନ୍ଦଙ୍କ ପରିବାର ଭାରି ଚିନ୍ତିତ । ରାତିରେ ମୁଁ ସୁରକ୍ଷିତ ରହିବାକୁ ମୋତେ ଗୋଟିଏ ପୁରୁଣା କାଠର ଛୋଟ ବହି ଆଲମୀରା ଭିତରେ ରଖିଦେଉଛନ୍ତି ।
ଜୀବନରେ ଦୁଃଖ ଆସିଲା ସତ, ହେଲେ ତାକୁ ସହିବାକୁ ଯୋଉ ପରିବେଶଟି ଦରକାର, ତାହା ଭଗବାନ୍ ମୋ ଭାଗ୍ୟରେ ଖଞ୍ଜିଦେଲେ । ଭଗବାନଙ୍କୁ କୋଟିକୋଟି ଧନ୍ୟବାଦ । ମୋ ଖାଉନ୍ଦ ଖାଉନ୍ଦାଣୀଙ୍କୁ ଭଗବାନ ଭଲରେ ରଖିଥାନ୍ତୁ ଆଉ ତାଙ୍କ ପରିବାର ଭଲରେ ଥାଆନ୍ତୁ, ଏହି କାମନା କରୁଛି ।
ତାପସ କୁଟୀର, ବଇଣ୍ଡା, ଅନୁଗୋଳ