ମୋତେ ତୁମେ କହିପାର ବଣୁଆଁ ଗାଉଁଲି
କହିପାର ଅସଜଡ଼ା ଜୀବନ ଜୀଉଁଛି
ଡହ ଡହ ବୈଶାଖର ଅସହ୍ୟ ତାତିରେ
ମଧୁ ପ୍ରେମ ପୁରବୀର ସଂଗୀତ ଗାଉଛି
ମୁଁ ଆଉ କ'ଣ ଯେ କରିବି ?
କୋଉଠି କେବେ ଜନ୍ମ ହୋଇ ବିକଶିବି ବୋଲି
ମୋ ଆୟତ୍ତରେ ଅଛି ଯେ ମୁଁ ନିର୍ଣ୍ଣୟ କରିବି ?
ଦୁଃଖ ସହି ସୁଖ ସଦା ବିତରିବି ବୋଲି
କେବେ ବୋଧେ କଥା ଦେଇ କଥା ରଖିନାହିଁ
ସେଥିପାଇଁ ଜନ୍ମ ମୋର ଝାଡ଼ ଜଙ୍ଗଲରେ
ପୂର୍ବ କୃତ ପାପରାଶି ଧୋଇବାର ପାଇଁ
ଜନ୍ମ - ମୃତ୍ୟୁ ଚକ୍ରର ଜୀବନ
ପଣ ନେଇ ଆସିଛି ଏ ଦୁନିଆ ଦୁଆରେ
ସାଧିବାକୁ ଜଗତ କଲ୍ୟାଣ ॥
ବୈଶାଖର ଉଦୁଉଦିଆ ଦି'ପହରଟାରେ
ତୁମେ ଥାଅ ଶୀତ ତାପ ନିୟନ୍ତ୍ରିତ ଗୃହେ
ସହି ସହି ଅସରନ୍ତି ଗ୍ରୀଷ୍ମର ଜ୍ୱଳନ
କ୍ଷୁଧା ତୃଷା ବିଜଡିତ (ଜୀବନର) କବିତା ମୁଁ ଗାଏ
ବରଷାର ପହିଲି ଛୁଆଁରେ
ମୋ ତନୁଶ୍ରୀ ପରେ ଲାବଣ୍ୟ ଲହଡି ଭାଙ୍ଗଇ
ପୁଷ୍ପବତୀ ହୁଏ ଏ ବେଳରେ ॥
ପହିଲି ଜ୍ୟେଷ୍ଠର ବର୍ଷା ଦରଭିଜା ମାଟିର ସୁଗନ୍ଧ
ମୋ ଅସଜଡ଼ା ତନୁ ବଲ୍ଲରୀରେ
ଗୁମ୍ଫିତ ପୁଷ୍ପ ସମୂହ ମଧୁର ମହକ
ଆନମନା ପାନ୍ଥ, କବି କଳ୍ପ ରାଜ୍ୟେ ଘୂରେ
ସୁବାସର ସାମ୍ରାଜ୍ୟ ବିସ୍ତାରେ
କୀଟରୁ ମଣିଷ ଯାଏ ସଭିଙ୍କ ଭିତରେ
ଉଦ୍ଦୀପନା ସଂଚରଣ କରେ ॥
ଲଳିତ ମୋହନ ରୂପ ନାହିଁ ମୋର ସିନା
ବାସେ ମୋର ମତୁଆଲା ହୁଏ ପାନ୍ଥ ପଥେ
ଆଦରରେ ଆଲିଙ୍ଗନ କରେ ମୋତେ ଯେବେ
ସାର୍ଥକ ହେଲା ଜୀବନ ଅନୁଭବେ ସତେ
ରୂପ କିବା ଲୋଡ଼ା କହ କହ
ଦୁଃଖର ଗରଳ ପିଇ ସୁଗୁଣ ସୁବାସେ
ଜିଣି ଯଦି ନପାର ହୃଦୟ ॥
(ବି. ଦ୍ର. - ଜଙ୍ଗଲି ଫୁଲ କୁରେହିଁ,
ଏହାର ଅନ୍ୟ ନାମ କୁଟଜ, କୁର୍ଚି,
ଇଂରାଜୀରେ ଏହାର ବୈଜ୍ଞାନିକ ନାମ
Holarrhena antidysenterica,
ଏହାର ସୁବାସ ବହୁତ ମନମୋହକ ।)
ତାପସ କୁଟୀର, ବଇଣ୍ଡା, ଅନୁଗୋଳ
ଦୂରଭାଷ - ୯୪୩୮୪୮୧୧୩୬