କ୍ଷୁଦ୍ରଗଳ୍ପ - ଚୋରାବାଲି - ଅମିୟ ବେଜ୍

0

ଦୁଃଖ ନକରିବାର ଅର୍ଥ ଆଦୌନୁହଁ ଯେ ଖୁସି ହୋଇପଡିବା । ଏକ ମଝାମଝି ଅବସ୍ଥା ବି ହୋଇପାରେ ଯେଉଁଠି ଖୁସି ଅବା ଦୁଃଖ ଜଣାପଡୁନଥାଏ । ସେଇପରି ମଝାମଝି ର ସମ୍ପର୍କ ମୋର ନାନୀ ସହ । ମୋ'ଠାରୁ ପାଖାପାଖି ଦୁଇବର୍ଷ ବଡ଼, ନାନୀ ର କୌଣସି ପୋଷାକ ମୋତେ ଭଲ ଲାଗିଗଲେ, ମୁଁ ପିନ୍ଧିବା ପାଇଁ ସାହସ କରିପାରେନି । ଏଥିରେ ବୋଉର ବି ଥାଏ ସମର୍ଥନ । 

ନାନୀ ସୁନ୍ଦରୀ । ମୁଁ ପାଠୋଈ ଝିଅ । ନାନୀ ତା ଶସ୍ତା କଲେଜର ବିୟୁଟି କୁଇନ୍ । ମୁଁ ମୋ ବିଜ୍ଞାନ କଲେଜରେ ପ୍ରଥମ ଶ୍ରେଣୀରେ ପ୍ରଥମ । ବୋଉ ଜୋର୍ କରି କହିବ, ବଡ଼ର ପାଠ ନହେଲେ ବି ଭାଗ୍ୟ ଜୋର୍ । ରାଣୀ ହୋଇ ରହିବ । ବାପା କହିବେ – ମୋଘରେ ଏବେଠୁଁ ବନ୍ଧୁ ବାନ୍ଧିବାକୁ ଲୋକେ ବିକଳ ।

ନାନୀକୁ ପ୍ରେମ ହେଇନି । ଏକଥା ମୋତେ ଜଣା । ତା' ପସନ୍ଦର ପୁଅଟିଏ ଆମ ଏଇ ଅନୁର୍ବର ମାଟିରେ ଉଧେଇବା ଅସମ୍ଭବ । ତାକୁ ପ୍ରେମ କରିବାକୁ ଅବା ପକାଇବାକୁ ଏ ପରିପାର୍ଶ୍ଵ, ଏ ପରିବେଶ ଅକ୍ଷମ । ଏସବୁ ଏମିତି କଳନା କରିବା ମୋପାଇଁ ଆତ୍ମଘାତୀ ହେଲେହେଁ, ନାନୀର ସୁନ୍ଦରତାକୁ ବାଖ୍ୟା କରିବାକୁ ମୋ'ପାଖରେ ଅନ୍ୟ ଶବ୍ଦର ଅଭାବ । 

ଅବଶ୍ୟ ମୁଁ ଵହୁ ବଡ଼ ହେବାପରେ ଉପଲବ୍ଧି ହେଲା, ଘୃଣାବୋଧରେ ବି ପ୍ରେମ ମିଶ୍ରିତ ।

ଦେଖୁଦେଖୁ ସଭିଙ୍କ ବାରଣ ଓ ଆଶଙ୍କା ଭିତରେ ନାନୀର ବାହାଘର ସମ୍ପନ୍ନ ହୋଇଯାଇଥିଲା । ରଜାଘର, ରଜାପୁଅ ସହ । ନା ଭାବରେ, କେବଳ ଲାଭରେ । ଅସରନ୍ତି ଐଶ୍ୱର୍ଯ୍ୟ, ନୌକର, ଚାକର, ଆଭିଜାତ୍ୟର ଗହଳରେ ।

ମୁଁ ବାପାଙ୍କୁ ପଚାରିଲି –

– ନାନୀର ଏତେ ଅଳ୍ପ ବୟସରୁ, ବଡ଼ଘର, ବଡ଼ବର ଇତ୍ୟାଦି ସବୁଦିନେ ଆମପାଇଁ ଭାରି ପଡିଯିବନି ତ ବାପା ?

ବାପା ଆଖି ବଡ଼ କଲେ । ମୋ ପିଠି ଥାପୁଡାଇଲେ ଓ ନୀରବ ରହିଲେ । ବାପାମାନଙ୍କ ନୀରବତା ଭାରି ଅସହ୍ୟ ।

ପୃଥିବୀର ସବୁ ବଡ଼ନାନୀଙ୍କ ପରି ବାହାଘର ପରେ ମୋ ନାନୀ ମଧ୍ୟ ମୋ'ପ୍ରତି ସଦୟ ହେଲା । ସବୁତକ ଦାମୀ ପୋଷାକକୁ ମୋ ଉଦ୍ଦେଶ୍ୟରେ ଘରେ ଛାଡି ଯାଇଥିଲା । ଏଥିନେଇ ମୁଁ ଅବଶ୍ୟ ଧନୀ ସାଜିଗଲି । ନାନୀର ଭଲପାଇବା ମୋ'ପ୍ରତି କ୍ରମଶଃ ସ୍ପଷ୍ଟ ହେଉଥିଲା । ଜଣାଶୁଣା ସମସ୍ତେ କହିବାକୁ ଲାଗିଲେ, କୁଆଡେ ମୁଁ ମଧ୍ୟ ନାନୀ ପରି ଧୀରେ ଧୀରେ ସୁନ୍ଦରୀ ସାଜୁଛି । ଏକଥା ନେଇ ମୁଁ ଖୁସି ନଥିଲି । ଅବଶ୍ୟ ବୋଉ ତା' ବଡ଼ ଝିଅକୁ ଝୁରିବା କମାଉନଥିଲା ।

କେଉଁ ଏକ ଅସମର୍ଥିତ ଉପପାଦ୍ୟ ଏୟା ଯେ, ପ୍ରେମରେ ପଡିଲେ ଝିଅମାନେ ସୁନ୍ଦରୀ ଦିଶନ୍ତି । ଯଦି ଏକଥାଟିର ମୌଳିକତା ଅଛି, ତେବେ ଏମିତି କୁହାଯାଇପାରେ ମଧ୍ୟ ସୁନ୍ଦରୀ ସାଜିବାକୁ ଝିଅ ସବୁ ବାରଵାର ପ୍ରେମରେ ପଡୁଥାନ୍ତି ।

ନାନୀ ଦିନେ ମୋତେ ନିରିଖେଇ ଦେଖୁଥିଲା । ମୋ ଦେହ ହାତ ମୁଣ୍ଡକୁ ପରୀକ୍ଷା କଲା ଓ ଘୋଷଣା କଲା 'ତୁ ନିଶ୍ଚିତ ପ୍ରେମରେ ପଡିଛୁ ରିପୁ' । ମୁଁ ହତବମ୍ବ ହୋଇଗଲି ନାନୀର ଏ ପ୍ରଶ୍ନରେ । ସମ୍ଭବତଃ ନାନୀ ବାହାଘର ପରେପରେ ସିଏ ପ୍ରେମ ସମ୍ବନ୍ଧରେ ଢେର୍ ଅନୁଭବ ଅର୍ଜି ସାରିଲାଣି । 

ନିଜ ବ୍ୟକ୍ତିଗତ ସତ୍ୟକୁ ପ୍ରକାଶ୍ୟରେ ପ୍ରକାଶ କରିବା ଏକ ଆତ୍ମଘାତୀ କାର୍ଯ୍ୟ ହେବା ସତ୍ତ୍ୱେ ମୁଁ ଚିନ୍ତା କରୁଥିଲି, ଅନ୍ତତଃ ନାନୀ ମୋ ବିଷୟରେ ଅଳ୍ପ କିଛି ଜାଣିପାରୁ । ମୁଁ ଉତ୍ତର ଦେଲି –

– ହଁ, ବୟସରେ ଯଥେଷ୍ଟ ବଡ଼ ଜଣେ ଗୁରୁଜନଙ୍କୁ । 

ନାନୀ ମୁଣ୍ଡରେ ଚଡ଼କ ପଡିଲା ପରି ଚମକିଯାଇ କହିଲା – ଚଣ୍ଡାଳୁଣୀ, ଏସବୁ ଅବୈଧ । ଅସମ୍ପର୍କ ।

ନାନୀ ସେଇ ସମୟରେ ଆମଘରେ ରହୁଥିଲା । ଆସନ୍ନପ୍ରସବା ଥିବାରୁ, ବୋଉ ତା'କୁ ଏଠାକୁ ନେଇଆସିଛି । ମୋର ଲମ୍ଵାଛୁଟି ଯୋଗୁଁ, ନାନୀ ର ଦାୟିତ୍ୱ ମୋ ଉପରେ ନ୍ୟସ୍ତ କରାଯାଇଥିଲା । ମୁଁ ଉତ୍ସାହିତ ଥିଲି । ଆମେ ଆମର ବିସ୍ତୀର୍ଣ୍ଣ ବାରିପଟରେ ପଦଚାରଣ କରୁକରୁ ଝଡି ପଡିଥିବା ପାଚିଲା ଅକ୍ଷତ ଆମ୍ବ ସବୁକୁ ଗୋଟିଏ ଜରିବ୍ୟାଗରେ ଭରୁଥିଲୁ । ନାନୀକୁ ଅଧିକ ନଇଁବା  ବାରଣ ଥିଲା । ମୁଁ ତାକୁ ଗୋଟିଏ ପଥର ଉପରେ ବସିଯିବାକୁ କହିଲି । 

ନାନୀ କହିଲା –

– ରିପୁନା, ପ୍ରେମ କଣ ଜାଣିବା ପୂର୍ବରୁ ମୋର ବାହାଘର ସରିଗଲା । ତେବେ ଭଲପାଇବା କଥା ମୋତେ ବେଶ୍ ଜଣା । ନିଜ ଠାରୁ ବୟସରେ ଢେର୍ ବଡ଼ ତୋ' ଭାଇନାଙ୍କୁ ମୁଁ ସମ୍ମାନ କରେ । ପ୍ରତିବଦଳରେ ସିଏ ମୋ ଗର୍ଭ ରେ ନିଜ ସନ୍ତାନକୁ ସ୍ଥାପିତ କରିଛନ୍ତି । ଏସବୁକୁ ସୁନାସଂସାର କହିହେବ । ପ୍ରେମଭୋଗ ନୁହେଁ । ତୋ' ଭାଇନା ଜଣେ ପ୍ରେମିକ କମ,  ଅଭିଭାବକ ବେଶି । ପୁଣି ସିଏ ପ୍ରେମିକ ହୁଅନ୍ତେ କିପରି ? ହେଇବି ପାରେ ମୁଁ ଏସବୁ ପାଇଁ ଯୋଗ୍ୟ ନୁହେଁ  ।

– ନାନୀ ! ତୋ ଛାତିରେ ଏତେଯେ' ବେଦନା ?

– ନାଃ  ରିପୁନା, ନାରୀ ଠୁଁ ସତର୍କ, ନାରୀ ଠୁଁ ସମର୍ଥ ଆଉ କେହିନୁହଁ । ଖୋଜିଲେ ମିଳେ । ଇଚ୍ଛିଲେ ପାଇଯାଏ । 

– ନାନୀ ?

– ଆଛା ତୁ କଣ  ବୟସରେ ଏତେବଡ଼ ମଣିଷ ଟା'କୁ ବାହା ହେବାର ମନ ରଖିଛୁ ?

– ସେକଥା ତ ଭାବିନଥିଲି ନାନୀ । ତେବେ ସବୁ ପ୍ରେମ କଣ ବିବାହ ଜନିତ ?

ବୋଉ ଘରୁ ରଡି ଛାଡିଲା । ଆମେ ଆମ୍ବତକ ଧରି ବାରିରୁ ଚାଲିଆସିଲୁ । 

ନାନୀ କୁ ବୋଉ କହିଲା –

– ଆସନ୍ତା ରବିବାର ରିପୁନୁ କୁ ଦେଖିବାକୁ ବନ୍ଧୁ ଆସିବେ । ତାକୁ ପ୍ରସ୍ତୁତ କରା ।

ନାନୀ ଆଶ୍ଚର୍ଯ୍ୟ ହେଲା । ମୋତେ ଚାହିଁଲା । ମୁଁ ଘର ଭିତରକୁ କିଛି ନକହି ଚାଲିଗଲି ।

ସେଦିନ ରାତିରେ ମୁଁ ୟା'ଙ୍କୁ ଫୋନରେ କହିଲି ନାନୀର କଥା । ସମ୍ପର୍କରେ ବୟସ ବ୍ୟବଧାନର ସାଙ୍ଘାତିକ ଭୂମିକା ଥିବା କଥା । ନାନୀ ଭାଇନାଙ୍କୁ କେବଳ ଜଣେ ଅଭିଭାବକ ତୁଲ୍ୟ ସମ୍ମାନ ଦେଉଥିବାର କଥା । 

ସିଏ ସବୁବେଳ ପରି ହସିଲେ କେବଳ । ମୁଁ ତାଙ୍କୁ କହିଲି – 

– ତୁମେ ମଧ୍ୟ ଜଣେ ଅଭିଭାବକ ଭିନ୍ନ ଅଧିକ କିଛି ଭୂମିକା ନିଭାଅନି । ମୋତେ ନେଇ ଫି' କଥାରେ ଚିନ୍ତିତ ହେବା, ମୋ ଛୋଟବଡ଼ ଦାୟିତ୍ୱ ତୁଲାଇବା, ଅହରହ ଦିବାନିଶି ମୋ କାର୍ଯ୍ୟ କଳାପ ଉପରେ ନଜର ରଖିବା, ଉଚିତ ମାର୍ଗଦର୍ଶନ କରାଇବା, ମୋତେ ନିୟନ୍ତ୍ରଣ କରିବା, ପ୍ରତିଷ୍ଠା ପଛରେ ପଶ୍ଚାତଧାବନ କରିବାକୁ ପ୍ରବର୍ତ୍ତାଇବା ଇତ୍ୟାଦି ଗଠନମୂଳକ କଥା ଛଡା ଆଉ କଣ କରଯେ' ତୁମେ ?

– ଆଉ କଣ କରନ୍ତି କି ରିପୁ ?

– ନଷ୍ଟ । ନଷ୍ଟ କରାଅ ମୋତେ । ନିଜ ପ୍ରିୟମଣିଷ ଠାରୁ ଖିନଭିନ୍ ହେବାକୁ କିଏବା ବରି ନଥାଏ କୁହ ? ନଚେତ୍ ତୁମେ ପ୍ରେମିକ ନୁହଁ । 

ସେ ଆହୁରି ହସିଲେ । କହିଲେ –

– ବଦମାସ ହେଇଯାଉଛ ଆଜିକାଲି ରିପୁ ତୁମେ । ମନେରଖିଥିବ ଯେ' ଗଢେ ସିଏ ପ୍ରେମିକ । ବିଗାଡିବାକୁ ତ ଅନେକ ଈତର ଟାକି ବସିଛନ୍ତି । 

– ଶୁଣ, ଯାହା ମୁଖ୍ୟ କଥା ସେଇଟି ହେଲା, ମୋ ପାଇଁ ପ୍ରସ୍ତାବ ଆସିଛି । ରବିବାର ସେମାନେ ଆସୁଛନ୍ତି । ଏଣେ ନାନୀ ମୋତେ ସୁନ୍ଦରୀ ସଜାଇବାକୁ ବ୍ୟସ୍ତ ହୋଇପଡିଛି....

– ସେୟା ହେବ । ଯାହା ନିୟତିର ଇଛା ରହିବ ।

ମୁଁ ଫୋନ କାଟିଦେଲି । ମିଛରେ ହେଉପଛେ, ଚିନ୍ତା ପ୍ରକଟ କରୁନଥିବା ମଣିଷ ଟିଏ ଆଦୌ ପ୍ରେମିକ ନୁହେଁ । କାଲି ସକାଳୁ ମୁଁ ନାନୀକୁ ନିଶ୍ଚିତ କୈଫିୟତ ଦେବି, ପ୍ରେମ ସମ୍ପର୍କରେ ଯାହା ମୁଁ ତାକୁ ସବୁ କହିଛି, ସେସବୁ ଡାହାମିଛ ଥିଲା ଓ ବାପାଙ୍କ ପ୍ରସ୍ତାବ ରେ ହଁ' ମାରି ବାହା ହୋଇଯିବି । 

ବାସ୍ ।

××× ସବୁପରେ, ଯିବାବେଳେ ସେମାନେ ଦୁଃଖ ପ୍ରକାଶ କରି କହିଲେ, ଫଟୋରେ ଦିଶିଥିବା ଝିଅ ଆଉ ସତ ସତରେ ଭିତରେ ଢେର୍ ପ୍ରଭେଦ ଅଛି । ପୁଅ ବିଦେଶରେ ଥିବାରୁ ବୋହୁଟି ଅତ୍ୟନ୍ତ ସୁଶ୍ରୀ ହେବା ବାଞ୍ଛାନୀୟ । ସେମାନେ କ୍ଷମା ମାଗି ଫେରିଯାଇଥିଲେ । 

ବାପା ସେଇଦିନ ସଂଜରେ ଶୁଣାଇ ଶୁଣାଇ ଘୋଷଣା କଲେ –

– ନିଜର ରୂପରଂଗ ସୁଧାର ନଚେତ୍ ନିଜକୁ ସେଯାଏଁ ସମର୍ଥ କରାଅ ଯେ, ଯେପରି ଆମ ସମ୍ମାନ ତଳେ ନପଡିଯାଉ । 

ହଠାତ ବାପାଙ୍କ ମୋତେ ଅସୁନ୍ଦରୀ ଘୋଷଣା କରିଦେବା ଆମ ସମସ୍ତ ପରିବାର ପ୍ରତି ଲାଞ୍ଛନା ସଦୃଶ୍ୟ ଥିଲା । ଆମଘରେ ସିଏ ଥିଲେ ଏକମାତ୍ର ପୁରୁଷ ଓ ବାକି ତିନିଜଣ ଆମେ ନାରୀ । ନାନୀ ଜଲଦି କାନ୍ଦି ପକାଏ , ବୋଉ ପରି । ମୋର ସହଜରେ ଲୁହ ବାହାରେନି ।  

ମୁଁ ପରଦିନ ଛୁଟି ବାତିଲ୍ ହୋଇଯାଇଛି କହି ଜିଦ୍ କରି ଚାଲିଆସିଲି । ନାନୀର ପିଲାଜନ୍ମ ଆହୁରି ବାକି ଥିଲା ।

ୟା'ଙ୍କୁ ଆସି ପଚାରିଲି –

– ଶୁଣ, ମୁଁ କଣ ସତରେ ସୁନ୍ଦରୀ ନୁହେଁ ?

ସିଏ ଉତ୍ତର ଦେଲେ –

– କାହାକୁ ଲାଗୁ ବା ନଲାଗୁ, ମୁଁ ତୁମକୁ ବିଶ୍ୱାସ କରେ ରିପୁ । ତୁମେ ଏତେ ବ୍ୟସ୍ତ ହୋଇପଡ଼ କାହିଁକି ? ଏଇ ସୁନ୍ଦର ଅସୁନ୍ଦର ପରି ଗୌଣ ବିଷୟକୁ ନେଇ ସମ୍ପର୍କ ପ୍ରଭାବିତ ହୋଇନପାରେ । ମନେରଖିବ ରୂପଚର୍ଯ୍ୟା ତ ରୂପଜିବୀ ମଧ୍ୟ କରୁଥାଏ । ଗୁଣଚର୍ଯ୍ୟା କରିଥିବା ସଫଳ ନାରୀଟିଏକୁ ନିରିଖେଇ ଦେଖ ଥରେ, ତା ପାଖରୁ ପଲକ ହଟି ନପାରେ । ମୋ ପ୍ରେମ ତୁମେ ।  ତୁମେ ସଫଳ ହେବ । ନିଶ୍ଚିନ୍ତରେ ରୁହ । ମୁଁ ତୁମସହ ସଦା ରହିଛି । ରହିଥିବି ।

ମୋତେ ପୁଣିଥରେ ଇୟେ ପ୍ରେମିକ କମ, ଅଭିଭାବକ ଅଧିକ ଲାଗୁଥିଲେ ଯାହା ।

ନାନୀ ର ପୁଅଟିଏ ହେଲା । ସେଇସବୁ ବେଳେ ମୋ ଦାୟିତ୍ୱ ବଢିଗଲା । ମୁଁ ଅଧା ମା' ସାଜି ସାରିଥିଲି । ପିଲାଟିକୁ ଦେଖିବାକୁ ପ୍ରତି ଛୁଟିରେ ନାନୀ ଘରକୁ ଛୁଟୁଥିଲି । ଲିଟୁନ୍ ର ଝାଡାପରିସ୍ରା ସଫା କରୁଥିଲି । ତା' ଦେହରେ ପାଉଡର୍ ଛିଞ୍ଚି ତାକୁ ଘଣ୍ଟାଘଣ୍ଟା ଆଘ୍ରାଣ କରୁଥିଲି । ମୋତେ ଖୁବ୍ ଭଲଲାଗୁଥିଲା । ଭାଇନାଙ୍କୁ ନାନୀ କହୁଥିଲା – 

ମୁଁ ଗୋଟେ ଛୁଆ ରଂଙ୍କୁଣୀ ।

ଏସବୁ ଵିଭିନ୍ନ ବେଳାରେ ଦିନେ ନାନୀର ଶାଶୁମା' ମୋରି ଆଗରେ ସର୍ବସମ୍ମୁଖରେ ଇଛା ଜାହିର୍ କଲେ–

 "ରିପୁନା ପରି ଗୁଣବନ୍ତ ଝିଅ ଟିଏ ଆମେ ସାନବୋହୁ କରିବାକୁ  ଖୋଜିବା ବନ୍ଦ କରି ନେଲେ ଅଡୁଆ କଣ ଅଛି ? ରିପୁନା ତ ଆମ ପାଖରେ....। "

ମୁଁ ସ୍ତବ୍ଧ ହୋଇଗଲି । କୋଳରୁ ଲିଟୁନ୍ କୁ ନାନୀକୁ ଦେଇ ଉଠିଗଲି । ନାନୀ କାମସାରି ଶୋଇବା ଘରକୁ ଆସିବା ମାତ୍ରେ କହିଲି –

– ଆସନ୍ତାକାଲି ଫେରିଯିବି ନାନୀ । ହୁଏତ ତୁମ ଘରକୁ ଆଉ ଆସି ନପାରେ ମୁଁ ।

ନାନୀ କୋଳେଇ ନେଲା ମୋତେ । କହିଲା –

– ପାଗଳ ହୋଇଗଲୁକି ତୁ ? ମୁଁ ଥାଉଥାଉ ଏ ଘରକୁ ତୋତେ କିଏ ବୋହୁ କରିଆଣିବ ଦେଖିବି । ତୁ ଅଚିନ୍ତାରେ ଯା ।

ପରଦିନ ଵସ୍ ଚଢାଇଲାବେଳେ ମୁନ୍ନାଭାଇ ମୋ ହାତ ଧରି କହିଲେ –

– ମା' ର କଥା ଧରିବନି ରିପୁନା ।

ମୁଁ ହାତ ଛଡାଇ ନେଲି । କହିଲି –

– ମୁନ୍ନାଭାଇ, ନାନୀର ଦିଅର ହିସାବରେ ତୁମପ୍ରତି ସମ୍ମାନ ଦେବାରେ ମୁଁ ଊଣା କରିନପାରେ । ତୁମେ ଯାଅ ।

ମୁଁ ଯେବେ ୟା'ଙ୍କୁ ଆସି ନାନୀ ଘରର ଦୁର୍ଘଟଣା ସବୁ ବଖାଣିଲି, ୟେ ସବୁଥର ପରି ହସିଲେ ।

– ତୁମେ ନିଶ୍ଚିତ ସୁନ୍ଦରୀ ହୋଇଯାଇଛ ରିପୁ । ସମର୍ଥ ହେବା ବାକି ରହିଲା ଯାହା । ତୁମର ବିବାହ ହେବା ଥୟ ଏବେ ।

ଏଭଳି ନିରସ ମଣିଷ ଙ୍କୁ ସ୍ଥଳବିଶେଷରେ ପ୍ରେମିକ କାହିଁକି ଯେ ମାନି ନିଆଯାଏ ? 

ଏସବୁ ଛୋଟବଡ଼ ଦୁର୍ଘଟଣା ମୋ'ସହ ପ୍ରାୟ ଘଟି ଚାଲିଥିଲା । ମୁଁ ଅଭିମାନ ଭାଙ୍ଗି ନାନୀ ଘରକୁ ଯା'ଆସ କରିଲିଣି ଖୁବ୍ । ଇୟେ ମୋତେ ସମର୍ଥ କରାଇବା ପଛରେ ନିଜର ଅନେକ ସମୟ ବ୍ୟୟ କରିଚାଲିଥିଲେ । ନାନୀ ମୋତେ ସୁନ୍ଦରୀ କରାଉଥିଲା । ବାପା ପ୍ରସ୍ତାବ ଖୋଜିବାରେ ବ୍ୟସ୍ତ ଥିଲେ । ବୋଉ କେବଳ ଠାକୁରଙ୍କୁ ଭରସା ରଖିଥିଲା । ଲିଟୁନ୍ ର ଦୋରୋଟି କଥା ଶୁଣି ଦୁଃଖ ଭୁଲି ହେଉଥିଲା । 

ଏସବୁ ଘଟଣାବହୁଳ ଜୀବନକୁ ସମ୍ଭବତଃ ସୁନାସଂସାର କୁହାଯାଏ ।

×××× ମୁନ୍ନାଭାଇ ଙ୍କ ଡାକ୍ତରୀ ପିଜି ପଢା ସରିଲାଣି । ତାଙ୍କ  ପାଇଁ ଝିଅ ଖୋଜିବାର ସମସ୍ତ ଦାୟିତ୍ୱ ଥିଲା ନାନୀ ଉପରେ । ସିଏ ସେଥିରେ ସଫଳ ହେଲା ।

ଏମିତି ଦିନେ, ମୁଁ - ବାପା - ବୋଉ ଭାର ବେଭାର ଧରି ମୁନ୍ନାଭାଇ ଙ୍କ ବାହାଘର ରେ ଯୋଗଦେବାକୁ ନାନୀ ଘର ଉପଲକ୍ଷେ ଯାତ୍ରାରମ୍ଭ କରିଥିଲୁ । 

ମୂଳରୁ କହିଛି, ସେମାନଙ୍କ ରଜାଘର । ଆମର ଯାହା ଉତ୍ସବ ସେମାନଙ୍କ ସେଇଟି ମହୋତ୍ସବ । ଆମେ ପୁଣି ଗୁରୁତ୍ୱପୂର୍ଣ୍ଣ ବନ୍ଧୁ । ବାପା କହୁଥିଲେ ଏପରି ଆୟୋଜନ ଏଇ ଖଣ୍ଡମଣ୍ଡଳରେ କେହି କରିନଥିବେ । 

ନାନୀ ସଜ ହେଲାଣି । ମୋତେ ଦଶଥର ସଜାଇ ସାରିଛି । ମୋତେ ଦେଖି ନଜର ଲାଗିଯିବ ବୋଲି କଳାଟିପା ଲୁଚାଇ ଲଗାଇଛି । ଅତିଥି-ଅଭ୍ୟାଗତଙ୍କ ଭିଡ଼ ଖଚାଖଚ୍ । ବର ହୋଇ ବସିଛନ୍ତି ମଂଚରେ ମୁନ୍ନାଭାଇ । ସାଙ୍ଗରେ ତାଙ୍କ ସଦ୍ୟ ବିବାହିତା ଅନିନ୍ଦ୍ୟ ସୁନ୍ଦରୀ । 

ନାଚ-ଗୀତ-ଆସର ରେ କମ୍ପୁଛି ଗଗନ । ନାନୀ ପଚାରୁଛି ମୋତେ –

– ରିପୁନା ?

– କହ ନାନୀ ?

– ଭାରି ସୁନ୍ଦର ଦିଶୁଛି ନା ମୁନ୍ନା ର ସ୍ତ୍ରୀ ?

– ହଁଅଅଅଅଁ ନାନୀ, ତୁ ବାଛି ଆଣିଛୁ ଯେଣୁ ।

– ମୋ ଠୁଁ ବି ଅଧିକ ?

ମୁଁ ଚମକି ପଡୁଛି । ଇୟେ କିପ୍ରକାର ପ୍ରଶ୍ନ ନାନୀ ର ? ପୁଣି ପଚାରିଲା ନାନୀ –

– କହ ରିପୁନା, କିଏ ଅଧିକ ? ମୁଁ ନା ସିଏ ?

ମୁଁ କହିଲି – ନାନୀ, ତୁ ତ ଆମର ଚିରକାଳ ସୁନ୍ଦରୀ । ସିଏ ନୂଆବୋହୁ । ଅଧିକ ସାଜସଜା । ଟିକିଏ ଅଧିକ ତ ଲାଗିବ ନିଶ୍ଚିତ ।

ନାନୀ ଆଖିରେ ଜୁଆର ପରି ଲୁହ । ସମ୍ଭାଳି ନପାରି ସେ ଧାଇଁଲା ନିଜ ଶୋଇବା ଘରକୁ । ଆଉ ଫେରିଲାନି । ଭାଇନା ଆସି ମଝିରେ ଖୋଜୁଥିଲେ । ଲିଟୁନ୍ ମୋ ପାଖରେ ସୁନାପିଲାଟିଏ ସାଜି ଖେଳୁଛି । ବୋଉ ପଚାରୁଛି –

– ନାନୀ ?

– କେଜାଣି ? ଯାଇ ଘର ଭିତରେ ଖୋଜେ ।

××××

ୟା'ଙ୍କୁ ଫୋନ୍ କଲି । କହିଲି –

– ଶୁଣ ପ୍ରିୟବର । ନାରୀ ଠୁଁ ସତର୍କ, ନାରୀ ଠୁଁ ସମର୍ଥ ଆଉ କେହିନୁହଁ । ଖୋଜିଲେ ମିଳେ । ଇଚ୍ଛିଲେ ପାଇଯାଏ ।

ଇୟେ କିଛି ସୁଦ୍ଧା ବୁଝିନପାରି ପଚାରି ହେଉଥିଲେ – 

– କଣ ହେଇଛି ? ସ୍ପଷ୍ଟ କର ।

ମୁଁ କହିଲି –

– ପ୍ରେମରେ ମୂଲ୍ୟବୋଧ ବୋଲି ଆଦୌକିଛି ନଥାଏ । ବାସ୍ ପ୍ରେମ.....

ଘଟଗାଁ , କେନ୍ଦୁଝର

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ