
ସିଏ ଆଉ ଚାଖଣ୍ଡେ ଘୁଞ୍ଚିଗଲା ଝିଅଟିର ବସିଥିବା ଆଡ଼କୁ । ତରକି ଯାଇ ତା' ଆଡ଼କୁ ଚାହିଁଲା ଝିଅ । ଏଥର ସମାନ ଚାଖଣ୍ଡ ମାପର ଡାହାଣକୁ ପିଚା ଉଠାଇ ନେଲା ଝିଅଟି । ସେ' ହସିଲା ସାମାନ୍ୟ ଏଥିରେ । ସମାଜରେ ପୁଅ-ଝିଅଙ୍କ ଭିତରର ସ୍ଥିରୀକୃତ ବ୍ୟବଧାନଟି ଅଲିଖିତ । ଯାହାକୁ ସନ୍ତର୍ପଣରେ ମାନିନେଇଥାନ୍ତି ଦୁନିଆଯାକର ଝିଅପିଲା । ପୁଅଙ୍କ ପ୍ରତି ଏପରି ସ୍ୱାଭାବିକ ଭୟଟିକେ ରହିଥାଉ । ନରହିଲେ ଅସନ୍ତୁଳିତ ହୋଇଯିବ ଜୀବନଧାରଣର ମାନ-ମାପଦଣ୍ଡ ।
ଏଥର ସେ' ପାଣି ବୋତଲ ବ୍ୟାଗରୁ କାଢି ପ୍ରଥମେ ଅଳ୍ପକିଛି ପିଇଲା । ପ୍ଲାଷ୍ଟିକ ବୋତଲଟିକୁ ନିରିଖେଇ ଦେଖିଲା, ସରିଆସିଲାଣି । ତଥାପି ଝିଅ ଆଡ଼କୁ ବୋତଲଟି ବଢ଼ାଇ କହିଲା-
– ସାରିବନି..
ଉଦାସୀ ଝିଅଟି ମୁହଁରେ ହସ ଚହଟିଲା । ପ୍ରଥମଥର ପାଇଁ ଉତ୍ତର ଫେରାଇଲା ―
– ନାଃ, ଥାଉ..
ସେ' ବାଧ୍ୟ କଲା ଝିଅଟିକୁ । କହିଲା -
– ପିଅ । ସରିଗଲେ ଚଳିବ ।
ଝିଅଟି ହସହସ ଓଠକୁ ବନ୍ଦକରି ଗମ୍ଭୀର ହେଲା । କହିଲା -
– ଅଜଣା ଅଦ୍ରବ୍ୟ ଉପରେ ଅଧିକାର ନଥାଏ । ମୋତେ ଶୋଷ ଲାଗୁନି । ଥାଉ ।
ସେ' ଠିପି ବନ୍ଦ କଲା ଓ ବୋତଲଟିକୁ ବ୍ୟାଗରେ ପୁରାଇଲା । ଏଇବେଳେ ଝିଅଟି କହିଲା -
– ଦିଅ ! ମନକଷ୍ଟ କରନି...
ସତକୁ ସତ ଝିଅଟି ବୋତଲଟିକୁ ସାରିଦେଲା ଓ ରେଳ ଧାରଣା ଉପରକୁ ଖାଲି ବୋତଲ ଫୋପାଡ଼ି ଦେଲା । ଝିଅ ପିଲାର ବଳ ବୋଲି, ବେଶି ଦୂର ଯାଇପାରିଲାନି ବୋତଲଟି ।
ସେ ମଜାକଲା -
– ବୋତଲଟିକୁ ଏମିତି ଫୋପାଡିବା ଠିକ୍ ନୁହେଁ । ବଦଭ୍ୟାସ । ପ୍ଲାଷ୍ଟିକ୍ ମାଟିରେ ମିଶେନି ।
ତୁରନ୍ତ ଝିଅଟି ପ୍ରଶ୍ନ କଲା ―
– ଆଉ ମଣିଷ ?
― ଦେହ ତ ମାଟିର ଏକ ଅଂଶ । ତତକ୍ଷଣାତ୍ ମିଳେଇ ଯାଏ ।
ସେମାନେ ଏବେ କିଛି କ୍ଷଣ ଚୁପ୍ ବସିଥିଲେ । ବୋଧେ ଦେହର ମାଟିରେ ମିଶିଯିବା ସତ୍ୟକୁ ଅନୁସୃଜନ କରୁଥିଲେ । ନୀରବତା ଭାଙ୍ଗି ସେ' କହିଲା -
– ମୋବାଇଲ ଆପ୍ କହୁଛି ଡାଉନ୍ ଗାଡି ଷ୍ଟେସନ ଛାଡିଦେଲାଣି । ଏଇ ପାଖଦେଇ ଯିବାକୁ ଆଉ ଦଶବାର ମିନିଟ୍ ଲାଗିଯିବ । ଏଥର ତୁମେ ପ୍ରସ୍ତୁତ ହୋଇଯାଅ । ଭିତର ଧାରଣାର ଲୁହା ଉପରେ ଠିକ୍ ବେକ ମଝିକୁ ଥୋଇଦେବ । ଭିତର ଧାରଣା ଏଥିପାଇଁ ଯେ', ଯଦି ତୁମେ ଭୟ ବି ପାଇଯିବ, ତଥାପି ଫେରି ଆସିବାର ଯୁ' ନଥିବ ତୁମଠାରେ । ମୁହୂର୍ତ୍ତକର ଭୟ ମାତ୍ର ।
ଜାଣ ! ମୁଁ ଏଇଠି ବସିଥିବି ଆଉ ତୁମ ଉପରଦେଇ ଡାଉନ ଗାଡି ଚାଲିଯିବାକୁ ଦେଢ଼ ମିନିଟ ଲାଗିଯିବ । ପିଲାବେଳର ଯେଉଁ ରେଳ ଗଣିତ ? ବତୀଖୁଣ୍ଟକୁ ଅତିକ୍ରମ କରିବାକୁ, ଘଣ୍ଟାପ୍ରତି ସତୁରି କିଲୋମିଟର ବେଗର ସାତଶହ ମିଟର ଲମ୍ବାର ଗାଡିକୁ କେତେ ସମୟ ଲାଗିବ ? ମୁଁ ସେଇ ହିସାବରୁ କହୁଛି । ତୁମ ବେକକୁ ବତୀଖୁଣ୍ଟ ଧରିନେଲେ, ପାଖାପାଖି ଦେଢ଼ ମିନିଟ୍ । ତାପରେ ତୁମେ ସଫଳ....
– ଭୁଲ୍ ଉତ୍ତର । ବୋଧେ ଗଣିତରେ ତୁମେ ଭଲ ନଥିଲ ।
ସେ' ଆଶ୍ଚର୍ଯ୍ୟ ଭଙ୍ଗୀଟିଏ କରି କହିଲା ―
– ସତକଥା...
― ତୁମେ ମୋ' ମୃତ୍ୟର ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ । କାରଣ ଜାଣିବାକୁ ଚାହିଁବନି ?
― ନାଃ ! ମୃତ୍ୟ ଏକ ସତ୍ୟ । ଗୋଟାଏ ସତ୍ୟର ହଜାରେ କାରଣ ଥାଇପାରେ । ମୁଁ ଜାଣି, କି' ଲାଭ ପାଇବି ? ଏ ଅଞ୍ଚଳର ଏଇ ନିର୍ଜନ ଜାଗାଟି ଗୋଟେ ଡେଥଜୋନ୍ ବୋଲି କୁପରିଚିତ । ଜନବସତି ଠୁଁ ଢେର୍ ଦୁରସ୍ଥାନକୁ କେବଳ ମୃତ୍ୟୁମୁଖି ମାନେ ହିଁ ପହଞ୍ଚ ହୁଅନ୍ତି । ଏ ଜାଗାରେ ସଂଗଠିତ ହୋଇଥିବା ଅନେକ ମୃତ୍ୟୁର ଭିନ୍ନ ଭିନ୍ନ କାରଣ ଅଛି । ତୁମେ ଜଣେ ସୁନ୍ଦରୀ ଯୁବତୀ । ତୁମପାଇଁ କାରଣଟିଏ ପୂର୍ବ ପ୍ରସ୍ତୁତ ସବୁବେଳେ । ସତ୍ୟ ପ୍ରକାଶ କରିବାକୁ ତୁମେ ନଥିବ । ତୁମ ଅନୁପସ୍ଥିତିରେ, ତୁମ ସହୋଦର ମାନେ ତୁମ ନିର୍ଦୋଷତାର କାରଣଟିଏ ବାଢିବେ ଆଉ ତୁମ ଶତ୍ରୁମାନେ ଅପଵାଦ ଦେବେ ।
ଅଥଚ ତୁମେ ନଥିବ । ସେଇ ଏକମାତ୍ର ସୁଖକଥା । ଯାଅ ଆଉ ମାତ୍ର ସାତ ମିନିଟ ବାକି । ପ୍ରସ୍ତୁତ ହୋଇଯାଅ...
― ନିଷ୍ଠୁର.. ଅବିବେକୀ...
― ହା ହା ହା ! ଶୁଣ ! ତୁମେ ଏବେ ଦୁଇ ମିନିଟ ପାଇଁ ମୋତେ ଗାଳି କରିପାର । ଶିଖିଥିବା ସବୁଯାକ ଅଶ୍ରାବ୍ୟ ଗାଳି । ଧରିନିଅ ମୁଁ ତୁମ ମୃତ୍ୟୁର କାରଣ । ଠିକ୍ ଜୀବନ ହାରିବା ପୂର୍ବରୁ, ତୁମେ ମୋ' ଉପରେ ସବୁଯାକ ଅଭିସମ୍ପାତ ଅଜାଡି ଦେଉଛ । ଗାଳି କର ମୋତେ । କିଛି ଅଵସୋସ ନେଇ ଚାଲିଯାଅନି । ଅସନ୍ତୁଷ୍ଟ ହୋଇ ରହିବ ଭାରି ।
― ହେଃ, ଅଜଣା ମଣିଷ, ତୁମେ କେବଳ ଗଣିତରେ ଦୁର୍ବଳ ନୁହଁ, ବିଚାରବୋଧରେ ମଧ୍ୟ । ଶୁଣ ! ପ୍ରତି ବିପର୍ଯ୍ୟୟରେ ଅନ୍ୟଜଣଙ୍କର ଦୋଷ ନଥାଏ । କେବେକେବେ ମଣିଷ ନିଜ ଦୋଷରେ ପ୍ରଚଣ୍ଡ ଦୋଷୀ ମଧ୍ୟ । ମୋ ଜୀବନରେ ନେଇଥିବା ପ୍ରତି ନିଷ୍ପତ୍ତିର କାରଣ ମୁଁ ଯେବେ, ପର ଜଣେ ଦୋଷୀ ହେବ କିପରି ? କାହା ଉପରେ ଦୋଷ ଲଦିଦେଇ ଦେଲେ ବି ବେକ ଉପରେ ଲାଉବୋଝ ହାଲୁକା ହୁଏନି ଯୁବକ । ଦୋଷ ସବୁବେଳେ ଆଙ୍ଗୁଠି ବୁଲାଇ ପ୍ରଶ୍ନଟିଏ କରେ ନିଜର ନିର୍ଦୋଷପଣିଆକୁ ।
ଥାଉଃ ! ତୁମପରି ଜଣେ ନିର୍ବୋଧକୁ କାରଣ କହି ନିଜର ଆହୁରି କ୍ଷତି ଘଟାଇବା ବୁଦ୍ଧିର କାମ ନୁହେଁ । ବରଂ ଅସମାହିତ ଦ୍ୱନ୍ଦ୍ୱ ଟିକେ ରହିଥାଉ ପର ଆପଣାଙ୍କ ମନ ଭିତରେ । ରେଳ ଧାରଣାରୁ ରକ୍ତ ଲିଭିବା ଯାଏଁ ବରଂ ସଭିଏଁ ଗଢୁଥିବେ ନିଜ ନିଜର ଗପ । ତେବେ ପ୍ରତି ଗପର ଆୟୁଷ କ୍ଷଣିକ ।
ଆଚ୍ଛା ! ମୁଁ ତୁମକୁ ଶେଷ ଧନ୍ୟବାଦଟିଏ ଦେଇପାରେ ଏବେ...
― ଧନ୍ୟବାଦ ? କିନ୍ତୁ କାହିଁକି ?
― ମୃତ୍ୟୁଯାଏଁ ସହଚର୍ଯ୍ୟ ପାଇଁ ଏବଂ ଅଧାବୋତଲର ପାଣି ପାଇଁ ।
― ଓଃ ! ଛୋଟକଥା ଏସବୁ । ମୁଁ ତ ଭାବୁଛି ଗାଡିଟିଏ ଚାଲିଯିବା ପରକଥା ସବୁ । ପାଖାପାଖି ସାତଖଣ୍ଡ ହୋଇଯିବ ତୁମେ । ଏପର୍ଯ୍ୟନ୍ତ ଏପରି ଆତ୍ମହତ୍ୟାରେ ଶରୀରର ଅଂଶବିଶେଷ ଏତିକି ଯାଏଁ ବିଭକ୍ତ ହୋଇପାରିଛି ବୋଲି ତଥ୍ୟ କୁହେ । ବେକ ଉପରୁ ମୁଣ୍ଡ, ଛାତିର ଦୁଇ ଫାଳ, ଅଣ୍ଟା ତଳରୁ ଜଙ୍ଘ, ଗୋଟିଏ ପାଖର ହାତ, ସେଇ ହାତରୁ ପାପୁଲି ଓ ଜଙ୍ଘ ତଳର ଗୋଡ଼ । ଅଥଚ ସବୁଯାକ ଠୁଳାଇ ଯୋଡ଼ିଦେଲେ, ଲେଉଟି ଯିବନି ଜୀବନ ।
― ଡରାଉଛ ମୋତେ ?
― ନା ମୃତ୍ୟୁମୁଖି ମାନେ ଆଦୌ ଭୟାଳୁ ନୁହଁନ୍ତି । ତଥାପି କିନ୍ତୁ ପ୍ରତି ଜୀବନର ଗୋଟେ ବିକଳ୍ପ ଅଛି ମଧ୍ୟ ।
― ବିକଳ୍ପ ?
― ଜଣେ ନିର୍ବୋଧ ଅଜଣା ମଣିଷ ହୁଏତ ତୁମକୁ ଏକଥା ବୁଝାଇନପାରେ ।
― ତଥାପି କୁହତ ?
― ତୁମ ଯମଦୂତର ସାଇରନ୍ ଶୁଭିଲାଣି । ପହଞ୍ଚିଯିବ ଶୀଘ୍ର । ଯାଅ ତୁମେ...
― ନାଃ ଜୀବନର ବିକଳ୍ପ ଶୁଣାଇଦିଅ । ଏତେବେଳ ଯାଏଁ ତ ଖାଲି ଶୁଣୁଛି ତୁମକୁ । ଶୁଣାଇଦିଅ ଶେଷକଥା । ବଞ୍ଚିବାର ବିକଳ୍ପ କ'ଣ ?
― ଶୁଣ ଯୁବତୀ । ଯାହା ଆମଠାରେ ନଥାଏ, ତା'କୁ ଖୋଜିବାରେ ଆମେ ସାରୁଥାନ୍ତି ସମୟ । ଆଉ ଯାହା ଥାଏ, ତାକୁ ନେଇ କରୁଥାନ୍ତି କେବଳ ଅବସୋସ ।
ଏଇ ଦୁଇ ଲାଇନ୍ ର ରେଳଧାରଣା ଦୁଇଟିକୁ ଲକ୍ଷ୍ୟକର । ଦୁଇଟିଯାକର ଲକ୍ଷ୍ୟସ୍ଥଳ ନିର୍ଦ୍ଧିଷ୍ଟ । ଜଣେ ଆରକର ବିକଳ୍ପ । କୌଣସି ମତେ ଗାଡିକୁ ତା ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାରେ ଦୁହେଁ ପ୍ରତିଶୃତିବଦ୍ଧ । ଦୈବାତ୍ ଗୋଟିଏ ଧାରଣାର ଯାନ୍ତ୍ରିକ ତ୍ରୁଟି ଦେଖାଗଲେ, ଖୋଲିଯାଏ ଅନ୍ୟ ଧାରଣାର ବାଟ । ଜୀବନ ବି ସେଇପରି । ଖୋଜିବା ଆଉ ପାଇବାରେ ଯାହା ନଥାଏ ମଣିଷର ସତ୍ ସାହସ । କିନ୍ତୁ... ଥାଏ ପ୍ରତି ଜୀବନର ବଂଚିରହିବାକୁ ଏକ ବିକଳ୍ପ ।
ଦେଖ ! ତୁମ ଅପେକ୍ଷିତ ଡାଉନ୍ ଲାଇନରେ ହୁଏତ ଗାଡିଟି ଆସି ନପାରେ ଏବେ । ତା ପାଇଁ ଖୋଲିଯାଉଥିବ ଅପ୍ ଲାଇନର ତ୍ରୁଟିଶୁନ୍ୟ ବାଟ । ଅଥଚ ତୁମେ ଡାଉନରେ ହିଁ ବେକ ଥୋଇ ଚାହିଁ ରହିଥିବ କେବଳ । ଜୀବନର ଅପ୍ ଲାଇନ ଖୋଜିବାକୁ କେବେ ଦେଇଛ କି ସମୟ ?
...ଧାଏଁ କିନା ପିଛୁଳାକେ ଚାଲିଗଲା ଏକ୍ସପ୍ରେସ୍ । ଦୀର୍ଘଶ୍ଵାସ ଛାଡି ଝିଅଟି ଦୋଷଦେଇ କହିଲା -
― ଚାଲିଗଲା
― ହଁ ! ଦୁଃଖିତ, ମୁଁ ଏତେ ଲମ୍ବା ଭାଷିବାର ନଥିଲା ।
― ନାଃ ! ମୁଁ ବି ତ ଶୁଣିବାର ଆଗ୍ରହ କରିଥିଲି ।
― ତେବେ ପରବର୍ତ୍ତୀ ଗାଡି ଏବେ ନାହିଁ । ଅଧାରାତିଯାଏଁ ତୁମେ ଅପେକ୍ଷା ନକରି ଯାଇପାର ।
― ଅପ୍ ଲାଇନ୍ ବିକଳ୍ପର ସନ୍ଧାନରେ ?
― ଚେଷ୍ଟାକରି ଦେଖ । ନଚେତ୍ ପ୍ରତିଦିନ ଏଇବେଳେ ଏଇ ଜାଗାରେ ଗାଡିଟିଏ ଆସିବାଟା ତ ଥୟ....
******
"ପୁଣିଥରେ ମୁଣ୍ଡ ନେଲା ଡେଥଜୋନ୍ । ରେଳଧରଣାରେ ଅଚିହ୍ନା ଯୁବକର ଖଣ୍ଡବିଖଣ୍ଡିତ ମୃତଦେହ । ପୋଲିସକୁ ମିଳୁଛି ମାତ୍ର ଦୁଇ ଧାଡ଼ିର ସୁଇସାଇଡ଼ ନୋଟ୍ । “ଧୀରେଧୀରେ ସରିଆସେ ଏ ଅମୂଲ୍ୟ ଜୀବନ । ଯାହାପାଖେ ବଳି ନଥାଏ ସାମାନ୍ୟତମ ବିକଳ୍ପ ” ବାରମ୍ବାର ଟିଭି ପରଦାରେ ଏ ବିଭତ୍ସ ପ୍ରସାରିତ ହେଉଥିଲା ସକାଳୁ । ଲୋକଭିଡ଼ ବଢୁଥିଲା ଡେଥଜୋନ୍ ପାଖରେ । ସାତଖଣ୍ଡ ହୋଇଯାଉଥିଲା ଏବେ ଝିଅଟିର ଦେହାଂଶ । ବେକ ଉପରୁ ମୁଣ୍ଡ, ଛାତି ର ଦୁଇ ଫାଳ, ଅଣ୍ଟା ତଳରୁ ଜଙ୍ଘ, ଗୋଟିଏ ପାଖର ହାତ, ସେଇ ହାତରୁ ପାପୁଲି ଓ ଜଙ୍ଘ ତଳର ଗୋଡ଼...
ଦୋଷ ଏତିକି ଯେ', ପିଲାଟିର ବୋତଲରୁ ପିଇଦେଇଥିଲା ସେ ପାଣିତକ । ଦୋଷ ଆଉରି ବି, ଫେରିଆସିବା ପୂର୍ବରୁ, ଥରୁଟିଏ ପଚାରିପାରି ନଥିଲା ପିଲାଟିକୁ ―
“ହେ, ଅଜଣା ଯୁବକ ! ଜନବସତି ଠୁଁ ଢେର୍ ଦୁରସ୍ଥାନକୁ କେବଳ ମୃତ୍ୟୁମୁଖି ମାନେ ହିଁ ପହଞ୍ଚ ହୁଅନ୍ତି ଯଦି ଏ ନିକାଞ୍ଚନ ସ୍ଥାନରେ ଏଇବେଳେ ତୁମର ଏଠି କି ଅଛି କାମ....?”