ଅଟକି ଯାଉଥିବା ସମୟ - ସର୍ବାଣୀ ଦାସ

0

କିଛି ଅଛି କିଛି ପୁଣି ନାହିଁ
ସମୟ ଧାରରେ ପାଦ ଗଣୁଛି ଜୀବନ

କେଉଁଠି ଅଟକି ଯାଉଛି ସରୁ ନ ଥିବା ଗୋଟେ ମୁହୂର୍ତ୍ତ
ଲକ୍ଷେ ବାରଣ ସତ୍ତ୍ୱେ
ଆକ୍ତାମାକ୍ତା କରୁଛି ମୋ ନିଶ୍ୱାସକୁ

ଗୀତ ଭଳି ଦୂରରୁ ଶୁଭୁଛି ଶୂନ୍ୟତା
ନିଶାଚର ପକ୍ଷୀଟି ଭଳି
ସାରାରାତି ବସିଛି ମୁଁ ଅନ୍ଧାରୀ ଗୁହାରେ

ନିଦ ନାହିଁ, ସ୍ୱପ୍ନ ନାହିଁ, ଇଚ୍ଛା ନାହିଁ କି ଆଶା ମଧ୍ୟ ନାହିଁ
କେଜାଣି କାହା ପ୍ରତୀକ୍ଷାରେ ଜୀଇଁଛି ଜୀବନ

ହସ କାନ୍ଦର ମୁହୂର୍ତ୍ତ ଟି ପରି
ଛାୟାରେ ମୁଁ ଖୋଜିଛି ନିଜକୁ
ଓ ନିଜ ପାଦତଳ ମାଟିକୁ

କାରଣ, ଏଯାଏଁ ଅଛି ମୋ 
ମୁଣ୍ଡ ଉପରେ ଆକାଶର ଛତା

କାଲି ଭଳି ତ ହସୁଛି ମୁଁ
ଜାଣିନି କାହିଁକି, କେତେବେଳେ କେମିତି 
ବଦଳିଗଲି ମୁଁ

କାନଭାସରେ ଚିତ୍ର ଆଙ୍କୁ ଆଙ୍କୁ ମୁଁ ନିଜେଇତ 
ପାଲଟିଗଲି ଏକ ସ୍ଥିର ଚିତ୍ର

କେବଳ ଯା ପାଖେ ରହିଗଲା ମୋ' ଛଳଛଳ ହୃଦୟ
ଶିଖାଇଛି ଯିଏ ମୋତେ
ସତରେ କାନ୍ଦିବା ଆଉ 
ମିଛରେ ହସିବାର ଅଭିନୟ ।

ପଥୁରିଆ ସାହି, ପଣ୍ଡିତ ମଠ ନିକଟ, ପୁରୀ


Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ