ଦିଅ ଯା' ପାଉଣା ଦେବ - ବି. ନିରୁପମା

0

ସେତେବେଳୁ ଏଠି ଦର ଛିଣ୍ଡଉଚ
ପରିବା କିଣିବ ବୋଲି,
ହଇକିଏ ବାବୁ ନବ କି ନ ନବ
କହି ଦଉନାହଁ ଖୋଲି !!

ଜାଣିଛ ତ ତୁମେ ସଂସାର ଚଳଣି
ସବୁ ଦରଦାମ ଚଢ଼ା,
ତୋଳି କରି ସଜ ପରିବା ଆଣିଛି
ନାହିଁ ଜମା ପଚା ସଢ଼ା ॥

ତିରିଲା ସହିତ ଭୋକ ଶୋଷ ଭୁଲି
ମାଟି ସଙ୍ଗେ ହେଲି ମାଟି,
ହଳ କରି ଘାସ ବାଛି କୋଡ଼ି ଖୋସି
ପାଣି ଦେଲି ପୁଣି ଛାଟି ॥

କେତେଦିନ ପରେ ପରିବା ଫଳିଲା
ଉସତ ହୋଇଲା ମନ, 
ନ ଖାଇ ହାଟକୁ ନେଇ ଆସିଅଛି
ପାଇବାକୁ କିଛି ଧନ ॥

ହାକିମ ଭଳିଆ ଦିଶୁଅଛ ତୁମେ
ମୂଲଚାଲ କିଆଁ କର, 
ଏଇ କିଛି ଟଙ୍କା ଅଧିକ ଦେଲେ କି
ହୋଇବ ଗରିବ ନର  ॥

ସେଇ ପଇସାରେ ଭଲ ଚିଜ କିଛି
ନେବି ମୋ ପିଲାଙ୍କ ପାଇଁ,
ସଅଳ ଏତକ ବିକିଦେଲେ ସିନା
ଯିବି ତାଙ୍କ ପାଶେ ଧାଇଁ ॥

ପରିଶ୍ରମ କଥା ହେଜ କରି ମୋର
ଦିଅ ଯା' ପାଉଣା ଦେବ,
ଠାକୁରେ ଚାହିଁଲେ ଆର ବରଷକୁ
ଆହୁରି ପରିବା ହେବ ॥

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ