ନୀଳାମ୍ବୁ ପରୀ ରୂପସୀ ଚିଲିକା - ଧ୍ରୁବ ଚରଣ ବେହେରା

0

ନୀଳ ପରିପାଟୀ ସୁଷମା ବିଧୁର
ଝଲସଇ ବକ୍ଷେ ଯା'ର 
ଅତି ନିରିମଳ ଉପମାରେ ଭରା 
ତା' ସୁନ୍ଦର ପ୍ରୀତି ପୁର   ।।

ଦେଖିଲେ ଲାଗଇ ସରଗ କବାଟ
ଖୋଲି ଆସିଅଛି ଧାଇଁ 
ସ୍ୱର୍ଣ୍ଣିମ ପ୍ରଭାତେ ଦିଶେ ଝଲମଲ 
ଅପୂର୍ବତା ସ୍ମୃତି କଇଁ   ।।

କିଏ ସେ ବିଧାତା ନବ କିଶଳୟେ
ଗଢିଲା ସୁନ୍ଦରୀ କରି 
ମଳୟ ପରଶେ ନାଚେ କିବା ରଙ୍ଗେ 
ପ୍ରେୟସୀ ସ୍ୱପ୍ନ ମାଧୁରୀ  ।।

ତପନ ଛୁଆଁରେ ଯୌବନା ତା' ଘେରେ
ଚହଲେ ବିଶାଳ ବପୁ 
କେଡେ ଆନମନା ତା' ରୂପ ଛଳନା
କାବ୍ୟ ମାପେ ଭାବିବାକୁ  ।।

ବୀର କଳିଙ୍ଗର  ସପନ ଦେଶର
ସତେ କି ରାଜକୁମାରୀ
ବେଶ ବିନ୍ୟାସର  ମୃଣାଳ ରୂପସୀ
ଚିଲିକା ବିଶ୍ୱସୁନ୍ଦରୀ  ।।

ପ୍ରକୃତି ପ୍ରତିଭା  ଭବ୍ୟ ଚାରୁ ଶୋଭା 
କୋଳେ ଯାର ବିମଣ୍ଡିତ 
ମରାଳ ରାଗିଣୀ କରେ ଆନମନା
ପ୍ରଣୟେ  ରାଗେ ସଙ୍ଗୀତ  ।।

ଛଳ ଛଳ ତା'ର ଉଛୁଳେ ଯୌବନ 
ସମୀର ଛୁଆଁ କୁ ପାଇ
ଦିବ୍ୟ ପ୍ରତିମାର ରାଜ ନନ୍ଦିନୀଟେ 
ଶାନ୍ତେ ଥାଏ ଉଭା ହୋଇ  ।।

ଚାରୂ କଳା ଭରି  ପ୍ରେୟସୀ ଚାତୁରୀ
ତରଣୀ ମାଳାରେ  ହସେ 
ଅନନ୍ୟ ବେଳାରେ ମୁଖରିତ କୋଳେ
ଜନ ଗଣ ମନ ବସେ  ।।

ଦିଗନ୍ତ ରାଜିର ସବୁଜିମା ରାଜି 
ମଧ୍ୟର ମଧ୍ୟମା ରାଣୀ
ନବ ତରଙ୍ଗିଣୀ  ଦୀର୍ଘିକା ରମଣୀ
ଉତ୍କଳ ପ୍ରତିଭା ମଣି  ।।

ଲେଖଇ ଭାବୁକ ଭାବନାରେ କଳି 
କଳ୍ପନାର ଶବ୍ଦ  ତୀରେ 
କନକ ଗୋରୀର  ଯାଦୁଗରୀ ବେଶ
ଜନ ମାନସକୁ ହରେ  ।।

ରୂପର ରୂପସୀ  ସଦ୍ୟ  ସେ ପ୍ରେୟସୀ
ବାଣ୍ଟଇ ପ୍ରେମ ପୀୟୁଷ
ରମ୍ୟ ଚିଲିକା ସେ ଚାରୁ ଯାଦୁଗରୀ
ଦେଖିବ କି ଥରେ ଆସ  ।।

ନୀଳ ପଣତରେ  ଓଢଣୀ ତଳରେ
ମୁରୁକି ହସେ  ଯେ  ଚାହିଁ 
ଆହା  ବିମୋହିତ ପ୍ରକୃତି ପସରା 
ରୂପସୀର  ନାମ ନେଇ   ।।

ଦେଖି ଦେଲେ ଥରେ  ପ୍ରୀତି ଆଇନାରେ
ଚକ୍ଷୁ ଯାଏ  ପ୍ରେମେ ଲାଖି
କେଉଁ କାରିଗର ସୃଷ୍ଟିରୁ ସମ୍ଭୁତା 
କବିତା ପ୍ରେମର ଶଶୀ  ।।

ଅନନ୍ୟ କଳାରେ ବିମଣ୍ଡିତା ଶୋଭା 
ସଦା ବକ୍ଷେ ବିରାଜିତା
ରମ୍ୟ ଅପସରୀ ଜୀବନ୍ତ ସୁନ୍ଦରୀ
ନୀଳାମ୍ବୁ  ପରୀ ଚିଲିକା ।।


Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ