ଅନାଦି ଓ ଆଦିକନ୍ଦ ଦୁଇଜଣ ଭାରି ସାଙ୍ଗ । ବହୁ ସମୟରେ ସେମାନେ ଯାଇ ତାଙ୍କ ଗାଆଁ'ର ଶେଷ ମୁଣ୍ଡ ବରଗଛ ମୂଳେ ବସି ଗପସପ ହୁଅନ୍ତି । ଦିନେ ଦିନେ ସେମାନେ ଭୋଜିଭାତ ବି ଘରେ କରନ୍ତି । ଦୁଇ ପରିବାର ଏକତ୍ର ଗୋଟିଏ ଜାଗାରେ ବସି ମଜାରେ ଖାଆନ୍ତି ।
ତାଙ୍କ ବାଡି ପାଖକୁ ଲାଗି ଅନ୍ୟଲୋକର ବାଡିଟିଏ ଥାଏ । ଅନାଦି ଓ ଆଦିକନ୍ଦ ଦୁଇଜଣ ମିଶି ଗୋଡିଏ ବାଡି କିଣିଥିଲେ । ସେଠାରେ ପନିପରିବା ଚାଷ କରୁଥିଲେ । ସେମାନେ ଦୁହେଁ ଅଳସୁଆ ସକାଶେ ତା'ଙ୍କ ବାଡିରେ ଭଲ ପନିପରିବା ଆଦୌ ହେଉନଥିଲା । କିନ୍ତୁ ଅନ୍ୟ ଲୋକର ବାଡିରେ ସେ ବର୍ଷ ବଡ ବଡ କଖାରୁ ଗୁଡିଏ ହୋଇଥାଏ । ଏସବୁ ଦେଖି ସେମାନେ ଦୁହେଁ ସ୍ଥିର କଲେ ରାତିରେ ଚୋରୀ କରିବା । ରାତି ଗୋଟାଏ ପାଖାପାଖି । ଏଣେ ସେ ଗାଆଁସାରା ଲୋକ ସମସ୍ତେ ଶୋଇପଡିଲେଣି । ଠିକ୍ ଏତିକିବେଳେ ଦୁହେଁ ଚୋରୀ କରିବା ପାଇଁ ସ୍ଥିର କଲେ । ବାଡ ଭାଙ୍ଗି ଭିତରେ ପଶିଲେ ଏବଂ କଖାରୁ ଛିଣ୍ଡାଇବା ବେଳକୁ ଗୋଟିଏ ଅଦୃଶ୍ୟ ଶକ୍ତି ତାଙ୍କ ପିଠିରେ ଦୁଲଦାଲ୍ କରି ବିଧା ଥୋଇଦେଲା । ମାଡ ଖାଇ ସେ ଦୁହେଁ ସେଠାରୁ ଦୌଡି ପଳାଇବେ କ’ଣ, ଓଲଟି ସେହିଠାରେ ହିଁ ଚେତା ବୁଡି ଶୋଇଗଲେ । ସକାଳୁ ବାଡିଟି ଯାହାର ସେ ମାଲିକ ଆସି ଏ ଅବସ୍ଥା ଦେଖିଲା । ତଥାପି ବି ସେ ଅନାଦି ଓ ଆଦିକନ୍ଦକୁ ଚୋର ବୋଲି ବିଶ୍ୱାସ କରିପାରିଲା ନାହିଁ । ତହୁଁ ମାଲିକ ପାଣିଛାଟି ସେ ଦୁଇ ଜଣଙ୍କୁ ଚେତା କରାଇ ସବୁକଥା ପଚାରିଲା । ସେମାନେ ଯାହା ଯାହା ଘଟିଥିଲା ସବୁ କହିଗଲେ । ବାଡି ମାଲିକଟି ଭଲ ଲୋକ ଥିଲା । ତେଣୁ ସେ କହିଲା –
“ଭାଇରେ ଭାଇ,
ପରଜିନିଷରେ ହାତ ମାରିବ ନାହିଁ,
ଚୋରି କଲେ ଟଙ୍କାଟିଏ,
ନିଜର ଯିବ ନିଶ୍ଚେ କୋଟିଏ ।
ଯାହାତ କଲ ଭୁଲ୍ କଲ,
ସେଇଥିପାଇଁ ବି ତୁମେ ମାଡ ଖାଇଲ ।
ଯାହାର କେହି ଦେଖିବାକୁ ନାହିଁ,
ଅଦୃଶ୍ୟ ଶକ୍ତି ତାକୁ ଦେଖୁଥାଇ ।
ମୋର ସେହି ଅଦୃଶ୍ୟ ଶକ୍ତି,
ତାକୁ ମୁଁ କରେ ଅଶେଷ ଭକ୍ତି ।
ଏହା ଶୁଣି ଅନାଦି କହିଲା, ତାହେଲେ ତୁ କ’ଣ ଅଦୃଶ୍ୟ ଶକ୍ତିର ସତା ଜାଣିପାରୁ ? ତହୁଁ ସେ ବାଡି ମାଲିକଟି ନିଜ ଦୁଇ ହାତ ଯୋଡି କହିଲେ, ସେ ଶକ୍ତିଟି କାହାକୁ ଦେଖା ଦିଅନ୍ତି ନାହିଁ, କିନ୍ତୁ ସର୍ବଦା ମୋର ଭକ୍ତି ଯୋଗୁଁ ସେ ମୋତେ ସହାୟ ହୋଇ ଥାଆନ୍ତି । ତୁମେ ମାନେ ରାତିରେ ମୋ କଖାରୁଗୁଡିକ ନେଇ ଫେରାର୍ ହୋଇ ଯାଇଥାଆନ୍ତ । ମାତ୍ର ତା'ଉପରେ ମୋର ଅଗାଧ ବିଶ୍ୱାସ । ସେ କିପରି ମୋର ଏତେ କ୍ଷତି ସହିବ ?
ଆଦିକନ୍ଦ କହିଲା, ଆଚ୍ଛା ତୁ ତା ହେଲେ ଅଦୃଶ୍ୟ ଶକ୍ତିର ଜଣେ ଭକ୍ତ । ଆମକୁ କ’ଣ ସେ ଅଦୃଶ୍ୟ ଶକ୍ତି ସାହାଯ୍ୟ ଦେବେ ନାହିଁ । ଆମେ ଆମ ଉପକାର ପାଇଁ ତାକୁ ଡାକିଲେ ସେ କ’ଣ ଶୁଣିବେ ନାହିଁ ? ବାଡି ମାଲିକ ଏହିପରି କେତେକ ଉପଦେଶ ଦେଇ ସେମାନଙ୍କୁ ସେଠାରୁ ବିଦାକଲା ।
ଦିନେ ଅନାଦି ଓ ଆଦିକନ୍ଦ ବାଟରେ ଯାଉଥାନ୍ତି । ବିରାଟ ଏକ ଆଖୁ କିଆରୀ ସେମାନେ ବାଟରେ ଦେଖିଲେ । ହଠାତ୍ ସେମାନଙ୍କର ମନହେଲା, ତା ଭିତରେ ପଶି ଆଖୁ ଭାଙ୍ଗିବେ । କିଆରୀ ଭିତରେ ପଶି ସେ ଦୁଇ ସାଙ୍ଗ ଅତି ବିକଳିଆ ଭାବରେ ଆଖୁ ଭାଙ୍ଗୁଥାଆନ୍ତି । ଏତିକିବେଳେ ହଠାତ୍ ଗୋଟିଏ ପବନ ତାଙ୍କ ଦେହକୁ ସେଠାରୁ ତଡି ଦେଲା । ସେହିକ୍ଷଣି ଦୁହେଁ ଦୁଲଦାଲ ହୋଇ ସେହିଠାରେ ହିଁ ପଡିଗଲେ । ଏପରି ଘଟଣାରେ ସେମାନେ ଡରିଯାଇ ପଚାରିଲେ –
“କିଏରେ ପବନ ତୁହି, ଫୋପାଡିଲୁ ଆମକୁ,
ଆମେ ଦେଖିପାରୁ ନାହୁଁ ଏ ଅଦୃଶ୍ୟ ଶକ୍ତିକୁ ।
ଆମେ ତ ନିଗାଧ ମୁର୍ଖ ଜାଣିନାହୁଁ ଧରମ,
ଦେଖାଦେଇ କହ ଆମେ କରିବୁ କି କରମ ।”
ଠିକ୍ ଏହି ସମୟରେ ହଠାତ୍ ଗୋଟିଏ ମୁହଁ ତାଙ୍କ ଆଡକୁ ଛାଇ ପରି ମାଡି ଆସିଲା । ଏ ଦୁହିଁଙ୍କ ବେକକୁ ସେ ତା ଦୁଇ ହାତରେ ଧରି କହିଲା, ମୁଁ ହେଉଛି, ସେଇ ଅଦୃଶ୍ୟ ପରୀ । ତୁମମାନଙ୍କ ଏପରି ଖରାପ କର୍ମ ଦେଖି ଦେଖି ମୁଁ ବହୁତ କ୍ଷୁବ୍ଧ ହୋଇଗଲିଣି । ତେଣୁ ତୁମର ଏ ପର୍ଯ୍ୟନ୍ତ ବିଶ୍ୱାସ ହେଉନି ଯେ, ଗୋଟିଏ ଅଦୃଶ୍ୟ ଶକ୍ତି ଅଛି ବୋଲି । ମୁଁ ଅଦୃଶ୍ୟ ଶକ୍ତି ଦ୍ୱାରା ଲୋକଙ୍କର ଉପକାର କରେ । ଯିଏ ମୋତେ ପ୍ରକୃତରେ ଭକ୍ତି ଓ ବିଶ୍ୱାସ କରେ କେବଳ ତାକୁ ହିଁ ମୁଁ ସାହାଯ୍ୟ କରେ । ହେଲେ ତୁମମାନଙ୍କ ପରି ଅବିଶ୍ୱାସୀ ଚୋରମାନଙ୍କୁ କେବେବି ନୁହେଁ । ସେତିକିବେଳେ ଆଖୁ କିଆରୀର ମାଲିକ ମାଡିଆସି ଏ ଚୋର ଦୁହିଁଙ୍କୁ ଢେର ଶୋଧିଲା । ଏଥର ସେହି ଦୁଇଜଣ ସାଙ୍ଗ ନିଜର ଭୁଲ୍ ହୋଇଛି ବୋଲି କହି ଆଗକୁ ଚାଲିଥାଆନ୍ତି । ହଠାତ୍ ଦୁଇ ଚାରି ଜଣ ଚୋର ତାଙ୍କ ପାଖରେ କ’ଣ ଅଛି ବୋଲି ଭାବି ତାଙ୍କୁ ଖୁବ୍ ମାଡ ମାରିଲେ । ଛୁରୀ ବି ଦେଖାଇଲେ । ଏଣେ ସେ ଦୁଇଜଣ ତ ନିରସ୍ତ୍ର ତେଣୁ ସେମାନେ ସାହାଯ୍ୟ ପାଇଁ ଡାକ ଛାଡିଲେ, ହେ ଅଦୃଶ୍ୟ ଶକ୍ତି... ହେ ଅଦୃଶ୍ୟ ଶକ୍ତି ପରୀ ରାଣୀ... ସାହା ହୁଅ । ହଠାତ୍ କେହି କୁଆଡେ ନାହିଁ । ସେ ଚୋରମାନଙ୍କ ଉପରେ ଗୋପାଳି ଉପରେ ଗୋପାଳି କୁଢେଇ ହୋଇ ପଡିଲା । ମାଡ ଖାଇ ଚୋରମାନେ ଛୋଟେଇ ଛୋଟେଇ କୁଆଡେ ପଳାଇଲେ ।
ସେହି ମୁହୂର୍ତ୍ତରୁ ଅନାଦି ଓ ଆଦିକନ୍ଦଙ୍କର ନ୍ୟାୟ ବିଶ୍ୱାସ ମନରେ ଜାତ ହେଲା । ସେମାନେ ଆଉ ଭୁଲ୍ କାମ ନ କରି ଅଦୃଶ୍ୟ ଶକ୍ତି ପରୀଙ୍କ ଉପରେ ଅଗାଧ ବିଶ୍ୱାସ ରଖି ଭଲ କାମ କରିବା ପାଇଁ ଶପଥ ନେଲେ । ଏଥର ତାଙ୍କର ପ୍ରକୃତି ସମ୍ପୂର୍ଣ୍ଣ ଭାବରେ ବଦଳିଗଲା । ତା'ପରେ ଯାଇ ସେମାନେ ଭଲ ମଣିଷ ହୋଇ ପାରିଲେ ।