ପୁରାଣ କଥା - ଭକ୍ତ ପ୍ରହଲ୍ଲାଦ

0
ହିରଣ୍ୟକଶିପୁ ପ୍ରହ୍ଲାଦଙ୍କୁ ହରି ଚେତନାରୁ ବିରତ କରିବା ଲାଗି ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟଙ୍କ ପୁତ୍ର ଷଣ୍ଢ ତଥା ଅମର୍କଙ୍କ ଆଶ୍ରମକୁ ଶିକ୍ଷାଦୀକ୍ଷା ନିମିତ୍ତ ପଠାଇଲେ । ପ୍ରହ୍ଲାଦଙ୍କୁ ଦୈତ୍ୟୋଚିତ ଶିକ୍ଷାଦେବା ନିମନ୍ତେ ଦୁଇ ଆଚାର୍ଯ୍ୟଙ୍କୁ କଠୋର ନିର୍ଦେଶ ଦିଆ ଯାଇଥିଲା । ଆଚାର୍ଯ୍ୟ ଯାହା କିଛି ଶିକ୍ଷା ଦେଉଥିଲେ ପ୍ରହ୍ଲାଦ ତାହା ଗ୍ରହଣ କରୁଥିଲେ, କିନ୍ତୁ ସେଥିରେ ତାଙ୍କର ମନ ଲାଗୁନଥିଲା । ଆଚାର୍ଯ୍ୟ ଦ୍ୱୟ ଅନ୍ୟତ୍ର କାର୍ଯ୍ୟ ବ୍ୟସ୍ତ ଥିଲାବେଳେ ପ୍ରହ୍ଲାଦ ଦୁଇ ସହପାଠୀ ବାଳକଙ୍କୁ ଏକତ୍ର କରି ସେମାନଙ୍କୁ ସଂଯମ, ସଦାଚାର, ଜୀବେଦୟାର ମହତ୍ୱ, ହରିଭଜନ ସମ୍ପର୍କରେ ବୁଝାଉଥିଲେ । ଦିନେ ବାଳକଦ୍ୱୟ ପ୍ରହ୍ଲାଦଙ୍କୁ ପଚାରିଲେ, ତୁମେ ରାକ୍ଷସକୁଳରେ ଜନ୍ମ ହୋଇ ମଧ୍ୟ ଏସବୁ କେଉଁଠାରୁ ଶିକ୍ଷାଲାଭ କଲ ? ପ୍ରହ୍ଲାଦ ଉତ୍ତର ଦେଲେ, ମୋର ଅଜା ହିରଣ୍ୟାକ୍ଷଙ୍କ ମୃତ୍ୟୁ ପରେ ପିତା ହିରଣ୍ୟକଶିପୁ ଅମର ବର ଲାଭ ପାଇଁ ମନ୍ଦରାଞ୍ଚଳ ପର୍ବତକୁ ତପସ୍ୟା ପାଇଁ ଗଲେ । ଏହାପରେ ଦେବତାମାନେ ତାଙ୍କ ରାଜ୍ୟ ଉପରେ ଆକ୍ରମଣ କଲେ । ଶେଷରେ ଦୈତ୍ୟକୁଳ ଯୁଦ୍ଧରେ ହାର ମାନିଲେ । ଦେବରାଜ ଇନ୍ଦ୍ର ମୋର ମାତା କୟାଧୁଙ୍କୁ ବନ୍ଦୀକରି ଅମରାବତୀ ନେଇଗଲେ । ପଥ ମଧ୍ୟରେ ମହର୍ଷି ନାରଦ ଦେଖାହେଲେ । ନାରଦ ଇନ୍ଦ୍ରଙ୍କୁ ମୋର ମାତାଙ୍କୁ ଅପହରଣ କରିନେଉଥିବା ଦେଖି ଏହାର କାରଣ ପଚାରିଲେ । କ୍ରୋଧିତ ହୋଇ ଇନ୍ଦ୍ର କହିଲେ, ‘କୟାଧୁଙ୍କ ଗର୍ଭରେ ହିରଣ୍ୟକଶିପୁର ସନ୍ତାନ ରହିଛି । ସେ ଜନ୍ମଦେବା ମାତ୍ରେ ତାକୁ ହତ୍ୟା କରିବି ।’ ଏହାଶୁଣି ନାରଦ କହିଲେ, ‘ଏହା ଭୁଲ୍ ଦେବରାଜ ! ତାଙ୍କ ଗର୍ଭରେ ଭଗବାନଙ୍କର ଜଣେ ମହାନ ଭକ୍ତ ରହିଛନ୍ତି । ତୁମର ଏଭଳି ଶକ୍ତି ନାହିଁ ଯେ, ତାଙ୍କ ଗର୍ଭସ୍ଥ ସନ୍ତାନର କିଛି କ୍ଷତି ପହଁଚାଇବ ।’

ନାରଦଙ୍କଠାରୁ ଏହା ଶୁଣି ଦେବରାଜ ଇନ୍ଦ୍ର ପ୍ରମାଦ ଗଣିବାକୁ ଲାଗିଲେ । ହାତଯୋଡି ସେ ନାରଦଙ୍କୁ କହିଲେ, "ଦେବର୍ଷି ! ଏହି ଭୁଲ୍ ନିମନ୍ତେ ମୋତେ କ୍ଷମା କରନ୍ତୁ । ମୁଁ ଜାଣିନଥିଲି ତାଙ୍କର ଗର୍ଭରେ ଭଗବାନଙ୍କର ଭକ୍ତ ଅଛନ୍ତି ବୋଲି ।" ତାପରେ ଇନ୍ଦ୍ର ମୋର ମାତାଙ୍କୁ ମୁକ୍ତ କରିଦେଲେ । ନାରଦ ମୋର ଅସହାୟା ମାତାଙ୍କୁ ତାଙ୍କ ଆଶ୍ରମକୁ ନେଇଗଲେ ଓ ପିତା ତପସ୍ୟାରୁ ଫେରିବା ପର୍ଯ୍ୟନ୍ତ ତାଙ୍କ ଆଶ୍ରମରେ ରହିବାକୁ ପ୍ରସ୍ତାବ ଦେଲେ । ବାଳକ ପ୍ରହ୍ଲାଦଙ୍କ ମୁହଁରୁ ଏହି କାହାଣୀକୁ ସହପାଠୀଦ୍ୱୟ ଧ୍ୟାନର ସହ ଶୁଣୁଥିଲେ । ପ୍ରହ୍ଲାଦ ପୁନଶ୍ଚ କହିଲେ, ଦେବର୍ଷି ଆଶ୍ରମକୁ ଦିନକୁ ଥରେ ମାତ୍ର ଆସୁଥିଲେ । ମୋର ମାତାଙ୍କର ସେଠାରେ କୌଣସି ଅସୁବିଧା ହେଉନଥିଲା । ଆଶ୍ରମକୁ ଆସିବା ସମୟରେ ପ୍ରତ୍ୟହ ଦେବର୍ଷି ମାଆଙ୍କୁ ନାନା ଧର୍ମ ଉପଦେଶ ଶୁଣାଉଥିଲେ । ଦେବର୍ଷିଙ୍କର ଅସଲ ଉଦ୍ଧେଶ୍ୟ ଥିଲା ମୋତେ ଉପଦେଶ ଦେବା । ମାତାଙ୍କ ଗର୍ଭରେ ଥାଇ ମୁଁ ସେହି ଉପଦେଶ ସବୁ ଶୁଣିଥିଲି । ଏହା ଭିତରେ ଦୀର୍ଘଦିନ ଅତିବାହିତ ହୋଇଯାଇଛି । ଗୃହଜଞ୍ଜାଳ ତଥା ଅନ୍ୟାନ୍ୟ କାରଣରୁ ମା’ ନାରଦ ଦେଇଥିବା ଉପଦେଶ ସବୁକୁ ଭୁଲିଯାଇଛନ୍ତି, ମୁଁ କିନ୍ତୁ ତାହା ଆଦୌଁ ଭୁଲି ନାହିଁ । ପ୍ରହ୍ଲାଦଙ୍କ ମୁହଁରୁ ଏକଥା ଶୁଣି ସହପାଠୀ ଦ୍ୱୟ ବିସ୍ମିତ ହୋଇଯାଇଥିଲେ । ପ୍ରହ୍ଲାଦ ଯେ ଶ୍ରେଷ୍ଠ ହରିଭକ୍ତ ହେବେ ତୁଳସୀ ଦୁଇପତ୍ରରୁ ବାସିଲାପରି ଏହା ମାତୃଗର୍ଭରୁ ହିଁ ଜଣା ପଡିଥିଲା । ନାରଦ ହିଁ ତାଙ୍କୁ ଜଣେ ଶ୍ରେଷ୍ଠ ହରିଭକ୍ତ ଭାବରେ ଗଢି ତୋଳିଥିଲେ । ଲଙ୍କାରେ ହରିଶବ୍ଦ ଭଳି ଦୈତ୍ୟରାଜ ହିରଣ୍ୟକଶିପୁର ପୁତ୍ର ପ୍ରହ୍ଲାଦ ଯେ ଦେବସୁଲଭ ଗୁଣରାଜି ନେଇ ଜନ୍ମ ହୋଇଥିଲେ ତାହା ନାରଦଙ୍କ ଧର୍ମୋପଦେଶ କାରଣରୁ ହିଁ ସମ୍ଭବ ହୋଇଥିଲା ।

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ