ଜାତକ କଥା - ତଥାଗତ ଓ ପୂର୍ଣ୍ଣମାସୀ

0
ଜଣେ ବ୍ୟବସାୟୀଙ୍କର ଏକମାତ୍ର ଝିଅଟିଏ ଥିଲା । ସେ ଝିଅଟିର ନାମ ପୂର୍ଣ୍ଣମାସୀ । ନିଜ ଇଚ୍ଛା ଅନୁଯାୟୀ ବିବାହ କରିବାରୁ ପିତାମାତା ତାଙ୍କୁ ଘରୁ ତଡି ଦେଇଥିଲେ । ସମୟ କ୍ରମେ ସେ ବିବାହ କରି ଦୁଇଟି ପୁତ୍ର ସନ୍ତାନର ଜନନୀ ହେଲେ । ହଠାତ୍ ଦିନେ ପୂର୍ଣ୍ଣମାସୀଙ୍କର ମନକୁ ଆସିଲା... “ଏହା ଭିତରେ ଅନେକ ବର୍ଷ ବିତିଗଲାଣି । ଦୀର୍ଘ ଦିନପରେ ହୁଏତ ବାପା ମା’ଏହି ଦୁଇ ନାତିଙ୍କୁ ଦେଖିଲାପରେ ପୂର୍ବର ରାଗ ଭୁଲିଯିବେ ।”

ପିତାମାତାଙ୍କୁ ଦେଖିବା ପାଇଁ ବ୍ୟାକୁଳ ହେଉଥିବା ପୂର୍ଣ୍ଣମାସୀ ସ୍ୱାମୀଙ୍କୁ ଏକଥା କହି ତାଙ୍କୁ ରାଜି କରାଇ ଦୁଇ ପୁତ୍ରଙ୍କ ସହିତ ପିତୃଗୃହକୁ ଯାତ୍ରା କଲେ । ଘୋର ଜଙ୍ଗଲ ମଧ୍ୟରେ ଯାଉଥିବା ସମୟରେ ସବା ପଛରେ ଯାଉଥିବା ପୂର୍ଣ୍ଣମାସୀଙ୍କର ସ୍ୱାମୀଙ୍କୁ ଏକ ବିଷଧର ସର୍ପ କାମୁଡି ଦେଲା । ଜଙ୍ଗଲ ମଧ୍ୟରେ ଚିକିତ୍ସା ନହେବା କାରଣରୁ ସେ ବିଷଜ୍ୱାଳାରେ ଛଟପଟ ହୋଇ ପ୍ରାଣତ୍ୟାଗ କଲେ ।

ସ୍ୱାମୀଙ୍କର ମୃତ୍ୟୁ ହୋଇଯିବା ପରେ ପୂର୍ଣ୍ଣମାସୀ ସ୍ୱାମୀଙ୍କର ଶବପାଖରେ ବଡ ପାଟିରେ କ୍ରନ୍ଦନ କରିବାକୁ ଲାଗିଲେ । ସବୁ ଦୁଃଖକୁ ହୃଦୟରେ ଚାପି ରଖି ପୁତ୍ର ଦୁଇଟି ସହ ପିତୃ ଗୃହକୁ ଯାତ୍ରା କଲେ । ଜଙ୍ଗଲ ମଧ୍ୟଦେଇ ଯାଉଥିବା ସମୟରେ ସେ ଆଉ ଏକ ବିପର୍ଯ୍ୟୟର ସମ୍ମୁଖୀନ ହେଲେ । ହଠାତ୍ ବାର୍ହା ଭଳି ଏକ ଭୟଙ୍କର ଜଙ୍ଗଲୀ ପଶୁ ପୂର୍ଣ୍ଣମାସୀଙ୍କ ପାଖରେ ଥିବା ତାଙ୍କର ସାନ ପୁଅକୁ ଝାମ୍ପିନେଇ ପଳାଇଗଲା । ପୂର୍ଣ୍ଣମାସୀ ବିଚଳିତ ନହୋଇ ଧୈର୍ଯ୍ୟ ଧରି ଆଗକୁ ଚାଲିବାକୁ ଲାଗିଲେ ।

ଦୁର୍ଭାଗ୍ୟ କିନ୍ତୁ ପୂର୍ଣ୍ଣମାସୀଙ୍କର ପିଛା ଛାଡିନଥିଲା । ବାଟରେ ଏକ ଖରସ୍ରୋତା ନଦୀ ପଡିଲା । ନଦୀ ପାରହେବା ସମୟରେ ନଦୀର ପ୍ରଖର ସ୍ରୋତରେ ବଡ ପୁଅଟି ଭାସିଗଲା । ବିଚାରୀ ପୂର୍ଣ୍ଣମାସୀ ଏକୁଟିଆ ହୋଇଗଲେ । ଦୁଃଖିନୀର ଭାଗ୍ୟରେ ସୁଖ ବା କୁଆଡୁ ଆସିବ ?

ସେ ପିତୃଗୃହ ଶ୍ରୀବସ୍ତିରେ ଥିବା ପିତାଙ୍କ ଗୃହରେ ପହଁଚି ଜାଣିବାକୁ ପାଇଲେ ଯେ, କିଛି ଦିନ ପୂର୍ବେ ଘରର ଛାତ ଭୂଷୁଡି ପଡିବାରୁ ତାଙ୍କର ପିତାମାତା ଓ ଭାଇ-ଭାଉଜଙ୍କ ସହିତ ସମଗ୍ର ପରିବାର ମୃତ୍ୟୁ ମୁଖରେ ପଡିଛନ୍ତି । ଏବେ ପୂର୍ଣ୍ଣମାସୀ ସମସ୍ତଙ୍କୁ ହରାଇ ନିଜକୁ ଅସହାୟ ମନେକଲେ । ଚାରିଦିଗ ତାଙ୍କୁ ଅନ୍ଧକାର ଦିଶିଲା । ଏଭଳି ଦୁଃଖରେ ଭାଙ୍ଗି ପଡିଥିବା ବେଳେ ଜଣେ କେହି ପୂର୍ଣ୍ଣମାସୀଙ୍କୁ କହିଲା ଯେ, ତଥାଗତ ବୁଦ୍ଧ ଶ୍ରୀବସ୍ତି ଆସିଛନ୍ତି । ବହୁ ଆଶା ନେଇ ପୂର୍ଣ୍ଣମାସୀ ବୁଦ୍ଧଙ୍କ ନିକଟକୁ ଯାଇ ତାଙ୍କର ଅପାସୋରା ଦୁଃଖ କାହାଣୀ ଶୁଣାଇବା ପାଇଁ ସ୍ଥିର କଲେ । ବୁଦ୍ଧଙ୍କର ଅଲୌକିକ ଶକ୍ତି ସମ୍ପର୍କରେ ପୂର୍ଣ୍ଣମାସୀ ପୂର୍ବରୁ ଶୁଣିଥିଲେ । ସେ ବୁଦ୍ଧଦେବଙ୍କ ଆଗରେ ସମସ୍ତ ବୃତାନ୍ତ ବର୍ଣ୍ଣନା କଲେ । ବୁଦ୍ଧଦେବ ସମସ୍ତ ଘଟଣା ଶୁଣି ଶାନ୍ତ ଭାବରେ କହିଲେ... “ପୂର୍ଣ୍ଣମାସୀ ଏହି ସଂସାର ନଶ୍ୱର । ଏଠି କେହି କାହାର ନୁହଁନ୍ତି । ସମସ୍ତେ ମାୟା ମୋହରେ ଆବଦ୍ଧ । ସାଂସାରିକ ସମ୍ପର୍କ କ୍ଷଣିକ ମାତ୍ର । କ୍ଷଣିକ ମାୟା ମୋହକୁ ହତ୍ୟା କରିବା ସର୍ବାଦୌ ଆବଶ୍ୟକ । ମନୁଷ୍ୟ ଜୀବନ ଦୁଃଖ ଯନ୍ତ୍ରଣାମୟ । କୌଣସି ପରିସ୍ଥିତିରେ ପରାଜୟ ସ୍ୱୀକାର ନକରି ଏସବୁର ସମ୍ମୁଖୀନ ହେବା ଉଚିତ୍ ।”

ତଥାଗତ ବୁଦ୍ଧଙ୍କର ଏହି ଉପଦେଶର ମହତ୍ୱ ପୂର୍ଣ୍ଣମାସୀ ବୁଝିପାରିଲେ । ସାଂସାରିକ ଜୀବନର ସମସ୍ତ ଦୁଃଖ, ଅବସାଦ ଓ ଗ୍ଳାନିକୁ ଦୂରେଇ ଦେଇ ସେ ବୌଦ୍ଧ ଭିକ୍ଷୁଣୀ ଭାବରେ ଅବଶିଷ୍ଟ ଜୀବନ ବିତାଇ ଦେଲେ ।

 

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ