ବାଇକ - ଶିବ ପ୍ରସାଦ ନାୟକ

1

- କାର୍ତ୍ତିକ ମାସ... ପୁଅ, ଚାଲୁନୁ ଟିକେ ପୁରୀ ଯାଇ କାଳିଆକୁ ଦର୍ଶନ କରି ଆସିବା...
ସନ୍ଧ୍ୟାରେ ଘରକୁ ପଶୁ ପଶୁ ବାପା ମୋର ଏମିତି କିଛି ଗୁଡିଏ କଥା ମୋତେ କହିଲେ । ମୁଁ କହିଲି ହଉ ଠିକ ଅଛି ଆସନ୍ତା କାଲି ସୋମବାର, ଆମେ ବାପ ପୁଅ ମିଶି ବାଇକ ରେ ପୁରୀ ଯିବା । ମୋ କଥା ଶୁଣି ବାପାଙ୍କ ଆନନ୍ଦ କହିଲେ ନସରେ ।

ସକାଳୁ ସକାଳୁ ବାପା ଗାଧୁଆ ପାଧୁଆ ସାରି ଠାକୁର ପୂଜା କରିଲେଣି । ଆଉ କିଛି ସମୟପରେ ଆମେ ମିଶି ପୁରୀ ଯିବୁ ଜଗନ୍ନାଥ ଦର୍ଶନ କରିବାକୁ । ମୁଁ ମଧ୍ୟ ମୋର ନିତ୍ୟକର୍ମ ସାରି ପ୍ରସ୍ତୁତ ହୋଇଗଲି ପୁରୀ ଅଭିମୁଖେ ଯାତ୍ରା କରିବା ପାଇଁ । ମୋର ହୋଣ୍ଡା ସାଇନ ବାଇକଟିକୁ ଟିକେ ପୋଛାପୋଛି କରିବା ପରେ ମୋ ବାପା ମୋ ବାଇକରେ ଫୁଲପାଣି ଦେଇ ପୂଜା କରିଦେଲେ । ଏମିତିରେ ସବୁଦିନ ମୋର ଦୁଇଟି ଯାକ ବାଇକକୁ ମୋ ବାପା ସଦାବେଳେ ସକାଳୁ ଫୁଲପାଣି ଦେଇ ପୂଜା କରିଥାନ୍ତି । ଯେତେବେଳେ ମୋ ବାଇକ ଦୁଇଟି ସକାଳୁ ସକାଳୁ ମୋ ବାପା ପୂଜା କରନ୍ତି, ମନେ ମନେ ବହୁତ ଗର୍ବ ଅନୁଭବ କରନ୍ତି ।

ଆଉ ଡେରି ନକରି ବାହାରି ପଡିଲୁ ପୁରୀ ଅଭିମୁଖେ । ମୋ ବାପା ମୋ ପଛରେ ବାଇକରେ ବସିଥାନ୍ତି । ପ୍ରାୟତଃ ଆମେ ଚନ୍ଦନପୁର ପାଖାପାଖି ହୋଇ ଗଲୁଣି । ମୋତେ ଏମିତି କିଛି ଅନୁଭବ ହେଲାକି, ମୋ ବାପା ଗୁମୁରି ଗୁମୁରି କାନ୍ଦୁଛନ୍ତି । ବାଇକର ଗତିକୁ ଧୀର କରି ରଖିବାକୁ ଚେଷ୍ଟା କଲି । ତାପରେ ବାଇକଟିକୁ ଷ୍ଟାର୍ଟ ବନ୍ଦ କରି ଠିଆ ହୋଇଗଲି । ବାପା ପଚାରିଲେ...

- ପୁଅ ଏଠି କାହିଁକି ଗାଡି ରଖିଲୁ ?

ମୁଁ କିଛି ନ କହି ମୋ ଆଖି ଦୁଇଟି ବାପାଙ୍କର ମୁହଁକୁ ଦେଖିବାକୁ ଚେଷ୍ଟା କରୁଥିଲା । ମୁଁ ଯେତେବେଳେ ମୋ ବାପାଙ୍କ ମୁହଁକୁ ଦେଖୁଥିଲି, ଠିକ ସେହି ସମୟରେ ମୋ ବାପାଙ୍କ ଆଖିରୁ ଲୁହ ଗୁଡିକ ଅମାନିଆ ହୋଇ ତଳେ ପଡିଯାଉଥିଲା । ବାପାଙ୍କର ଏଇ କାନ୍ଦ କାନ୍ଦ ମୁହଁଟି ଦେଖିବାକୁ ଆଦୌ ଭଲ ଲାଗୁ ନଥିଲା ମତେ । ମୁଁ ବାଧ୍ୟହୋଇ ବାପାଙ୍କୁ କାନ୍ଦିବାର କାରଣଟି ପଚାରିବାକୁ ଉଦ୍ୟତ ହୁଅନ୍ତେ... ବାପା ମୋତେ କହିଲେ,

- ନାଇଁରେ... ତୋ ପିଲାଦିନ କଥା ଟିକେ ମନେ ପଡିଗଲା ତ... ଆପେ ଆପେ ମୋ ଆଖିରୁ ଟିକେ ଲୁହ ଜକେଇ ଆସିଲା...

ମୋ ପିଲାଦିନ କଥା ମନେ ପକାଇ ମୋ ବାପା କାନ୍ଦୁଛନ୍ତି... ! ମତେ କାହିଁ ଏସବୁ ଟିକେ ଅବୁଝା ଲାଗୁଥିଲା । ମୁଁ ବାପାଙ୍କୁ ପଚାରିଲି, "ବାପା ମୁଁ ଏମିତି କଣ କରିଥିଲି ଯେ.. ଆପଣ ମୋ ପିଲାଦିନ କଥା ମନେ ପକାଇ କାନ୍ଦୁଛନ୍ତି ? ମତେ ସତ କୁହ ବାପା... କଣ ଏମିତି ଘଟିଥିଲା କି ମୋ ପିଲାଦିନେ ??"

ଆଖିରୁ ଲୁହ ପୋଛି ଦୀର୍ଘ ନିଶ୍ୱାସ ଛାଡି ସେଇ ସ୍ମୃତି ଭିତରେ ସାଉଁଟୁଥିବା ଘଟଣାଟି ବାପା ଗପି ଚାଲିଲେ...

ତୁ ସେତେବେଳେ ସପ୍ତମ ଶ୍ରେଣୀରେ ପଢୁଥିଲୁ, ଆଉ ଆମ ପରିବାର ବି ବହୁତ ଅଭାବ ଅନାଟନ ମଧ୍ୟରେ ଗତି କରୁଥାଏ । ଏମିତିକି ଖୁସିରେ ଦୁଇ ଓଳି ମଧ୍ୟ ପେଟପୁରା ଖାଇବାକୁ ମିଳୁ ନ ଥାଏ । ମୁଁ ପାଞ୍ଜି ବସ୍ତାନିଟିକୁ ଧରି ପାଦରେ ଚାଲି ଚାଲି ଗାଁ ସାରା ବୁଲୁଥାଏ । ମୋ ଜେଜମାନଙ୍କ ଦୁଆରୁ ଯାହା ଦି ପଇସା ରୋଜଗାର କରେ, ସେଥିରେ ଦୁଃଖେ ସୁଖେ ଆମେ ଚଳିଯାଉ । ଏସବୁ ଦେଖି ତୋ କକେଇ... ମାନେ... ମୋ ସାନଭାଇ ଗୋଟିଏ ଏଭୋନ ସାଇକେଲଟିଏ ମୋ ଯିବା ଆସିବା ପାଇଁ ଦେଇଥିଲା । ସେହି ସାଇକେଲଟିକୁ ମୁଁ ବହୁତ ଯତ୍ନର ସହ ରଖିଥାଏ । କାରଣ ସାଇକେଲଟିଏ କିଣିବା ମୋ ପକ୍ଷରେ ବହୁତ କଷ୍ଟ ସାଧ୍ୟ ଥିଲା । ତେଣୁ ମୋ ସାନଭାଇ ମୋତେ ଦେଉଥିବା ସାଇକେଲଟିକୁ ମୁଁ ଖୁବ ଯତ୍ନ ସହକାରେ ରଖୁଥିଲି । ଦିନକର କଥା... ତୁ ସେଇ ସାଇକେଲଟିକୁ ନେଇ ଆମ ଗାଁ ଗୋପୀ ବଳିଆରସିଂହ ପୋଖରୀକୁ ଗାଧୋଇବାକୁ ଯାଇଥିଲୁ । ହେଲେ ଏତେ ସମୟ ହେଲା ଗଲୁଣି, ତୁ ଗାଧୋଇ ନଫେରିବାରୁ, ମୁଁ ବିରକ୍ତ ହୋଇ ସେଇ ପୋଖରୀକୂଳକୁ ତୋ ପାଖକୁ ଗଲି । ଦେଖିଲି, ତୁ ସେଠି ବସି କାନ୍ଦୁଛୁ । ମୁଁ ସେତେବେଳେ ତୋ ଉପରେ ଭୀଷଣ ଜୋରରେ ରାଗିଥାଏ । ଏତେ ସମୟ ଡେରି ହୋଇଥିବା ଯୋଗୁଁ, ତତେ କାନ୍ଦିବାର କାରଣ ପଚାରିଲି । ତୁ ଡରି ଯାଇ ମୋତେ ଉତ୍ତର ଦେଲୁ ଯେ, "ବାପା.. ସାଇକେଲ ଚାବିଟି କୁଆଡେ ହଜି ଗଲା... ଖୋଜି ଖୋଜି ପାଉନି... ।" ମୁଁ ତୋ ମୁହଁରୁ ଏକଥା ଶୁଣି ଆହୁରି ଭୀଷଣ ଜୋରରେ ରାଗିଯାଇ ତତେ ବାଡ଼େଇବା ଆରମ୍ଭ କରିଦେଇଥିଲି । କାରଣ ସାଇକେଲରେ ନୂଆ ଚାବିଟିଏ କିଣି ଲଗେଇବାର କ୍ଷମତା ମୋର ନଥିଲା । ତେଣୁ ରାଗରେ ତତେ ବହୁତ ପିଟିଲି । ତୁ ସେତେବେଳେ ବିକଳ ହୋଇ କେବଳ ଏତିକି କହୁଥିଲୁ ଯେ, "ବାପା ମୋତେ ଆଉ ମାର ନାହିଁ... ମୁଁ ଆଉ ସେ ସାଇକେଲ ଚଲେଇବି ନାହିଁ... ମୋତେ ଛାଡିଦିଅ ବାପା... ।" 

ତଥାପି ମୋର ରାଗର ମାତ୍ରା କମି ନଥାଏ । ତୁ ବିକଳ ରେ ସେ ବିଲ ଗହିର ଆଡେ ଦଉଡି ଚାଲି ଯାଉଥିଲୁ । ତଥାପି ମୁଁ ତୋ ପଛରେ ଗୋଡେଇ ଗୋଡେଇ ତତେ ବାଡେଇ ଚାଲିଥାଏ । ଶେଷରେ ମୋ ମାଡ଼ରେ ତୁ ଚର ଚର କରି ମୁତି ପକେଇଲୁ । ତଥାପି ମୋ ରାଗ ଶାନ୍ତ ହେଉ ନଥାଏ । ହଠାତ ଦେଖିଲି, ତୁ ଗୋଟିଏ ଜାଗାରେ ନିଶ୍ଚଳ ହୋଇ ପଡିଗଲୁ । ଆଉ କିଛି କଥାବାର୍ତ୍ତା ବି କରିଲୁନି । ଏ ସବୁ ଦେଖି ମୁଁ ଆଉ କେମିତି ସହିଥାନ୍ତି । ତତେ କାନ୍ଧରେ ବସେଇ ଘରକୁ ନେଇଆସିଲି । ସେତେବେଳେ ତୁ ଚେତାଶୂନ୍ୟ ହୋଇପଡିଥିଲୁ । ବୋଉ ଆଉ ମୁଁ ମିଶି ତତେ ଚେତା ଫେରେଇଲୁ । ଚେତା ଆସିବା ପରେ, ତୁ ଉଠି ବସିଲୁ ଆଉ ଆଖି ମିଟି ମିଟି କରି ଆମକୁ ଅନେଇଲୁ, ଆଉ କହିଲୁ ବାପା ମୋତେ ଆଉ ମାର ନାହିଁ । ମୁଁ ଆଉ କେବେ ସେ ସାଇକେଲ ଧରିବିନି, କି ଚଲେଇବି ନାହିଁ । ଆଉ ସେବେଠାରୁ ସେଇ ସାଇକେଲ ପ୍ରତି ତୋର ଖୁବ ଘୃଣା ଭାବ ଚାଲିଆସିଲା । ତୁ ଆଉ କେବେ ବି ସେ ସାଇକେଲକୁ ଛୁଇଁଲୁ ନାହିଁ । ହେଲେ, ଆଜି ତୋ ପରିଶ୍ରମ ବଳରେ ଯେଉଁ ବାଇକ କିଣିଛୁ... ମୁଁ ତୋ ପଛରେ ବସି ଆଜି ସବୁଆଡେ ଯାଇପାରୁଛି ତ.... ତୋର ସେଇ ପିଲାଦିନ କଥା ଗୁଡିକ ହଠାତ ମନେ ପଡିଗଲା... ହୃଦୟଟା ବେଦନାକ୍ତ ହେଇଗଲା... ଆଖିର ଲୁହ ଗୁଡାକ ଆଉ ଅଟକେଇ ପାରିଲିନି... ।

ବାପାଙ୍କ ମୁହଁରୁ ଏକଥା ଶୁଣି ଖୁସିରେ ମୋ ଆଖି ବି ଲୁହରେ ଜକେଇ ଆସିଲା । ବାପା ପୁଣି କହି ଚାଲିଲେ, "ମୁଁ ଚାହୁଁଥିଲି, ତୁ ମଣିଷ ଭଳି ମଣିଷଟିଏ ହୁଅ । ମୋ ଭଳି ଅଭାବ ଅନାଟନର ସଂସାର ଭିତରେ ତୁ ହନ୍ତସନ୍ତ ନହୁଅ । ମୋ ସ୍ଵପ୍ନକୁ ଆଜି ତୁ ସାକାର କରିପାରିଛୁ । ନିଜ ଗୋଡରେ ନିଜେ ଠିଆ ହୋଇ ଗୋଟିଏ ନୁହେଁ ଦୁଇ ଦୁଇଟା ବାଇକ କିଣିପାରିଛୁ । ନିଜେ ଖୁସିରେ ରହି ଆମକୁ ବି ଖୁସିରେ ରଖିପାରିଛୁ । ତୋ ଭଳି ପୁଅଟିଏ ପାଇ ମୁଁ ଧନ୍ୟ ହେଇ ଯାଇଛିରେ ଶିବ । ତୋ ଭଳି ପୁଅଟିଏ ସଂସାରରେ ସବୁ ବାପା ମାଆ ମାନଙ୍କୁ ମିଳୁଥାଉ ।

ବାପାଙ୍କଠୁ ଏସବୁ କଥା ଶୁଣି ଆନନ୍ଦରେ ମୋ ଆଖି ଲୁହରେ ଛଳ ଛଳ ହୋଇ ଯାଉଥାଏ । ବାପା ତାଙ୍କ କାନ୍ଧରେ ପକାଇଥିବା ସମ୍ବଲପୁରୀ ଗାମୁଛାଟିରେ ମୋ ଆକ୍ଷିର ଲୁହକୁ ପୋଛି ପକାଉଥାନ୍ତି । ଆଉ ଡେରି ନକରି ଜଗନ୍ନାଥ ଦର୍ଶନ ନିମନ୍ତେ ବାହାରି ପଡିଲୁ... ।

ମଙ୍ଗଳାଯୋଡି, ଟାଙ୍ଗି, ଖୋର୍ଦ୍ଧା

Post a Comment

1Comments
Post a Comment

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ