ଏ ଦୁନିଆ ଏକ ରଙ୍ଗମଞ୍ଚ - କଳ୍ପନା ରାଉତ

0

ଏ ଦୁନିଆ ଏକ ରଙ୍ଗମଞ୍ଚ ହେଲେ
ଆମେ କଳାକାର ଭାଇ,
ନାଟକ ଲେଖୁଛି ନିଷ୍ଠୁର ନିୟତି
ତା'ର ସୂତ୍ରଧର ହୋଇ ॥୦॥

ଦଇବ ଯେମିତି ନଚାଏ ଆମକୁ
ସେମିତି ନାଚୁଛୁ ଆମେ,
ନିୟତିର କିଛି ଈଶାରାକୁ ଭୁଲି
କେବେ ପଡ଼ିଥାଉ ଭ୍ରମେ ।
ଶକ୍ତ ପ୍ରହାରରେ ଆତ୍ମା କାନ୍ଦି ଉଠେ
ନୟନୁ ଲୁହ ଝରାଇ,
ଏ ଦୁନିଆ ଏକ ରଙ୍ଗମଞ୍ଚ ହେଲେ
ଆମେ କଳାକାର ଭାଇ ॥୧॥

ସ୍ଵାର୍ଥ କ୍ରୋଧ ଲୋଭ ଗର୍ବ ଅହଙ୍କାର
କାମନା ବାସନା ମୋହ,
ଜନ୍ମରୁ ଜଡ଼ିତ ବିଷ ବଳୟରେ
ରକ୍ତ ମାଂସର ଏ ଦେହ ।
ମିଠା କଥା କହି ମିତ୍ରକୁ ମାରୁଛି
ମିଛ ଅଭିନୟେ ସେହି,
ଏ ଦୁନିଆ ଏକ ରଙ୍ଗମଞ୍ଚ ହେଲେ
ଆମେ କଳାକାର ଭାଇ ॥୨॥

ଅଚିହ୍ନା ଲାଗୁଛି ଅଳିକ ସଂସାର
ଜୀବନ ଯେ ଅନିଶ୍ଚିତ,
ଅଧା ରହିଯିବ ଅଭିନୟ ଆମ
ମୃତ୍ୟୁ ଏଠି ଧ୍ରୁବ ସତ୍ୟ ।
ଅଦୃଶ୍ୟ ଶକ୍ତିର ଇଙ୍ଗିତେ ଜୀବନ
ଦିନେ ଯିବ ସ୍ଥିର ହୋଇ,
ଏ ଦୁନିଆ ଏକ ରଙ୍ଗମଞ୍ଚ ହେଲେ
ଆମେ କଳାକାର ଭାଇ ॥୩॥

ରଙ୍ଗମଖା ମୁଖ ବେରଙ୍ଗ ଦିଶିବ
ଅଭିନୟ ଗଲେ ସରି,
ଚିହ୍ନା ମୁହଁ ଯାକ ଅଚିହ୍ନା ଲାଗିବ
ସ୍ମୃତି ଯିବ ଅପସରି ।
ଧରମ ଅର୍ଜିତ କରମ କେବଳ
ସାଥେ ଯିବ ସାଥି ହୋଇ,
ଏ ଦୁନିଆ ଏକ ରଙ୍ଗମଞ୍ଚ ହେଲେ
ଆମେ କଳାକାର ଭାଇ ॥୪॥

ଦୁନିଆଁ ରୂପକ ମିଛ ରଙ୍ଗମଞ୍ଚେ
ସତ ଅଭିନୟ କରି,
ବାହୁଡିବୁ ମନ ଅମର ଭୁବନେ
ଛିଣ୍ଡାଇ ମାୟାର ଡୋରି ।
ଅଭିନୟ ତୋର ଜୀବନ୍ତ ହୋଇବ
ସେତେବେଳେ ଜାଣ ତୁହି,
ଏ ଦୁନିଆ ଏକ ରଙ୍ଗମଞ୍ଚ ହେଲେ
ଆମେ କଳାକାର ଭାଇ ॥୫॥

ବ୍ରହ୍ମପୁରା, ବାଙ୍କୀ, କଟକ

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ