ଦରଜି ମଉସା - ଶିବ ପ୍ରସାଦ ନାୟକ

1

ସପ୍ତମ ଶ୍ରେଣୀ ପାସ କଲାପରେ ବାପା ମତେ କହିଲେ ପୁଅରେ ଆଉ ପଢ଼ାପଢ଼ି ପ୍ରତି ଧ୍ୟାନ ନଦେଇ ନିଜ ବୃତ୍ତିକୁ ଆଦରି ନେ... ଜୀବନ ଟି ସୁଖମୟ ହେବ । ମୁଁ ବୁଝିଗଲି ଯେ, ବାପା ମତେ ଆଉ ଅଧିକ ପାଠ ପଢେଇବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି । ଅବଶ୍ୟ ବାପାଙ୍କ କଥାଟି ପୂରା ଠିକ । କାରଣ ବାପା ଆଗରୁ କହି ସାରିଛନ୍ତି, "ନାଇଁରେ ପୁଅ ମୋର ତତେ ଆଉ ଅଧିକ ପଢେଇଲା ଭଳିଆ କ୍ଷମତା ନାହିଁ । କାହିଁକି ଅବା ଦୁଃଖ କରିବି ! ମୁଁ ତ ନିଜେ ଦେଖୁଛି, ମୋ ବାପାଙ୍କର ଅଭାବ ଅନଟନ ଦୁନିଆରେ ପ୍ରତିଦିନ ପେଟକୁ ଦୁଇମୁଠା ଦାନା ଯୋଗାଡ କରିବା ତାଙ୍କ ପକ୍ଷେ ବହୁତ କଷ୍ଟ ହେଉଛି । ଆଉ ମୋର ଅଧିକ ପାଠପଢାକୁ କିଏ ବା ଦେଖୁଛି ! ନିଜ ମନକୁ ବୁଝେଇ ନେଲି । ଆଜିଠାରୁ ମତେ ବାପାଙ୍କ ପରି ପାଞ୍ଜି ବ୍ୟାଗଟିକୁ କାନ୍ଧରେ ପକାଇ ଏଥର ରୋଜଗାର ଅନ୍ଵେଷଣରେ ଯିବାକୁ ପଡିବ । ମୋ ବୋଉ ଆରପଟ ଘରେ ରହି ଆମ ବାପ-ପୁଅଙ୍କ କଥା ସବୁ ଶୁଣୁଥିଲା । ହଠାତ ବାପାଙ୍କ ପାଖକୁ ଆସି କହିଲା, "କଣ ହେଲା... ମୋ ପୁଅଟି ଭଲ ପାଠ ପଢୁଛି, ଭବିଷ୍ୟତରେ ଚାକିରି କରି ରୋଜଗାର କଲେ ସିନା ଆମ ଦୁଃଖ ଯିବ । ଶୁଣ... ମୋ ପୁଅକୁ ମୁଁ ଅଧିକ ପାଠ ପଢେଇବି । ମୋର ଯାହା ସବୁ ସୁନା ଗହଣା ଓ ବାସନ କୁସନ ଅଛି ସେ ସବୁ ବିକ୍ରି କରିଦେବି... ଅସୁବିଧା କଣ ? ବୋଉ କଥାରେ ବାପା ରାଜି ହୋଇଗଲେ ।

- "ହଉ... ତମେ ଯଦି ତାକୁ ଅଧିକ ପାଠ ପଢେଇବାକୁ ଚାହୁଁଛ ତେବେ ଠିକ ଅଛି, ଆମ ପୁଅ ତାହେଲେ ଆଗକୁ ପାଠପଢୁ ।"

ବାପା ବୋଉଙ୍କର ଏହି ନିଷ୍ପତ୍ତିରେ ମୁଁ ବି ଖୁସି ହୋଇଗଲି । ଅଷ୍ଟମ ଶ୍ରେଣୀରେ ନାଁ ଲେଖା ହୋଇଗଲା । ହାଇସ୍କୁଲରେ ପଢିବାକୁ ହେଲେ, ଭଲ ଡ୍ରେସ ଦରକାର, ଆଉ ଚପଲ ହଳେ ବି ଦରକାର । ବୋଉ ବାପାଙ୍କୁ କହିଲା ଶୁଣ, "ମୋର କଂସା ଥାଳି ଆଉ ପିତଳ ଗ୍ଲାସ, ଏ ଦୁଇଟି ବିକ୍ରି କରିଦିଅ... ଯାହା ପଇସା ହେବ, ସେଥିରେ ଆମ ଶିବ ପାଇଁ ସ୍କୁଲ ଡ୍ରେସ ଆଉ ଜୋତା କିଣି ଦେଲେ ସେ ପଢିବାକୁ ସ୍କୁଲ ଯିବ ।" ଆଉ ସେଇଆ ହିଁ ହେଲା । ଜିନିଷ ବିକା ହେଲା ଏବଂ ମୋ ପାଇଁ ସ୍କୁଲ ଡ୍ରେସ ଓ  ଜୋତା କିଣା ହୋଇଗଲା ।

ହାଇସ୍କୁଲରେ ମୋର ଅଷ୍ଟମଶ୍ରେଣୀରୁ ପାଠପଢା ଆରମ୍ଭ... । ମନରେ ମୋର ଅନେକ ଅନେକ ଖୁସି । ହେଲେ ଗୋଟିଏ ହଳ ପ୍ୟାଣ୍ଟ ସାର୍ଟ । ପ୍ରତିଦିନ ସ୍କୁଲରୁ ଫେରି ତାକୁ ଯତ୍ନର ସହିତ ସାଇତିକି ରଖିଦିଏ ଆସନ୍ତାକାଲି ସ୍କୁଲ ପିନ୍ଧିକି ଯିବାପାଇଁ । ସମୟ କ୍ରମେ ଅଷ୍ଟମ ପାସ କରି ନବମ ହୋଇଗଲାଣି । ବେଞ୍ଚ ଉପରେ ବସି ବସି ସେ କଳା ପେଣ୍ଟର ପଛପଟ ଦୁଇଟି ଜାଗା ଚିରି ବି ଗଲାଣି । ଭାରି ଲାଜ ଲାଗୁଛି ଏ ଚିରା ପ୍ୟାଣ୍ଟଟିକୁ ପିନ୍ଧି ସ୍କୁଲକୁ ଯିବାକୁ । ହେଲେ ଆଉ କିଛି ବିକଳ୍ପ ନାହିଁ । କାରଣ ସେଇ ଖଣ୍ଡକ ପ୍ୟାଣ୍ଟ ହିଁ ମୋର ସମ୍ବଳ । ସ୍କୁଲରୁ ଫେରି ଗାମୁଛାଟେ ପିନ୍ଧି ବାପାଙ୍କୁ ଦେଇଦେଲି ଦରଜି ପାଖକୁ ଯାଇ ପ୍ୟାଣ୍ଟରେ ଦୁଇଟି ନଥା ପକେଇ ଆଣିବାକୁ । ନଚେତ କାଲି ଆଉ ସ୍କୁଲ ଯାଇପାରିବିନି । ମୋ କଥା ଶୁଣି ମୋର ସେହି କଳା ପ୍ୟାଣ୍ଟଟିକୁ ହାତରେ ଧରି ବାପା ଚାଲିଲେ ଆମ ଗାଁ ପାଖ ଚାନ୍ଦପୁର ବଜାରକୁ । ସେଠାରେ ଦରଜିକୁ ପ୍ୟାଣ୍ଟଟିକୁ ଦେଇ କହିଲେ... "ଭାଇ ମୋ ପୁଅର ଏଇ ଗୋଟିଏ ବୋଲି ପ୍ୟାଣ୍ଟ । ବେଞ୍ଚରେ ବସି ବସି ପ୍ୟାଣ୍ଟର ପଛ ପଟ ଦୁଇଟି ଜାଗା ଚିରି ଯାଇଛି । ଦୁଇଟି ନଥା ପକାଇ ଟିକେ ସିଲେଇ କରିଦିଅ ।" ଦରଜି ସେହି ପ୍ୟାଣ୍ଟ ପଛପଟେ ଦୁଇଟି ନଥା ପକାଇ ବାପାଙ୍କୁ ଫେରେଇଦେଲେ । ବାପାଙ୍କ ମନ ବି ବହୁତ ଖୁସି ଯେ, ଯାହାହେଉ ମୋ ପୁଅର ପ୍ୟାଣ୍ଟଟି ଦରଜି ସିଲେଇ କରିଦେଲେ ।

ଘରକୁ ଫେରି ବାପା ନଥା ପକେଇ ଆଣିଥିବା ପ୍ୟାଣ୍ଟଟିକୁ ମୋ ହାତକୁ ବଢେଇ ଦେଲେ । ଯାହାହେଉ କାଲି ସ୍କୁଲ ଯିବାପାଇଁ ଆଉକିଛି ଅସୁବିଧା ନାହିଁ । ସକାଳ ପାହି ସ୍କୁଲ ସମୟ ହେଲା । ପ୍ୟାଣ୍ଟ ସାର୍ଟ ପିନ୍ଧି ବହି ବସ୍ତାନୀ  ଧରି ସ୍କୁଲ ବାହାରି ପଡିଲି । ସବୁଦିନ ବି ଏଇ ରାସ୍ତାରେ ଯାଏ ଏଇ ରାସ୍ତାରେ ଆସେ । ହେଲେ ଆଜି କିଛି ଅଲଗା ଅନୁଭବ ଆସୁଥାଏ ମନରେ । ମୁଁ ଯିବା ବାଟରେ ମୋତେ ଦେଖି ବାଟରେ ଠିଆ ହୋଇଥିବା କିଛି ଲୋକ ପରସ୍ପର ଭିତରେ କିଛି ଚୁପ ଚୁପ କଥା ହୋଇ ମୋ ଆଡକୁ ଅନେଇ ମୁରୁକି ମୁରୁକି ହସୁଛନ୍ତି । ଭାରି ଅଡୁଆ ଅଡୁଆ ଲାଗିଲା ସେ ମୁହୂର୍ତ୍ତ ଟି । ତଥାପି ମନକୁ ବୁଝେଇ ସ୍କୁଲମୁହାଁ ହେଲି... । ସ୍କୁଲ ହତା ଭିତରକୁ ପଶୁ ପଶୁ କାନରେ ପଡ଼ିଲା, ସାଙ୍ଗ ମାନଙ୍କର କିଛି ତାଛଲ୍ୟଭରା କଥା ଦୁଇପଦ... "ଆରେ ଦେଖରେ ଶିବ ପ୍ୟାଣ୍ଟକୁ ଟିକେ ଦେଖ ।" ସାଙ୍ଗ ମାନଙ୍କର ଏସବୁ କଥା ଶୁଣି, ଖୁବ ଲଜ୍ଜା ଅନୁଭବ ହେଉଥିଲା ନିଜକୁ । ତଥାପି ଏସବୁକୁ ଭ୍ରୂକ୍ଷେପ ନକରି ଶ୍ରେଣୀ ଗୃହକୁ ପ୍ରବେଶ କଲି । ଆଜିର ଏସବୁ ଘଟଣା ଗୁଡିକ ଟେଲିଭିଜନ ସିରିୟଲ ପରି ମୋ ଆଖି ଆଗରେ ନାଚି ଯାଉଥାଏ । ପାଠ ପଢିବାରେ ମନ ଲାଗୁନଥାଏ । ଅନେକ ମାନସିକ ଯନ୍ତ୍ରଣାକୁ ସ୍ଥଗିତ କରି ପାଠପଢାରେ ମନ ଦେଲି । ଛୁଟି ବେଲ ବାଜିଲା... ଅର୍ଥାତ ଏବେ ସମୟ ଚାରିଟା ହୋଇଗଲା । ଯେମିତି ଘଣ୍ଟି ବାଜିବା ଶବ୍ଦଟି କାନରେ ପଡ଼ିଲା, ବହି ବସ୍ତାନୀ ଧରି ଆମ୍ବ ତୋଟା ପଟେ ପଡି ସିଧା ବାରିପଟେ ଆସି ଘରେ ହାଜର ।

ସେତେବେଳକୁ ମୋ ବୋଉ କୂଅରୁ ପାଣି ଆଣୁଥିଲା । ମୋର ଅସ୍ତବ୍ୟସ୍ତ ଅବସ୍ଥା ସହ ଦେହରୁ ଝାଳ ବୋହି ଯାଉଥିବାର ଦେଖି, ତା ପଣତକାନିରେ ମୋ ଦେହର ଝାଳ ପୋଛୁ ପୋଛୁ କହିଲା... "କଣ ହେଲାରେ ଧନ ! ତତେ କଣ କିଏ କହିଲା କି ? ଏମିତି ଧଇଁ ସଇଁ ହୋଇ ସ୍କୁଲରୁ ଆସିଲୁ ଯେ...?? କଣ ହେଇଛି ମତେ କହିଲୁ ???" ଏସବୁ ପଚାରିବା ମୋ ବୋଉ ମୋ ଦେହରୁ ସବୁତକ ଝାଳ ପୋଛି ସାରିଲାଣି । ମୋ ବୋଉକୁ ମୁଁ କହିଚାଲିଲି... ଆଜି ଘରଠାରୁ ସ୍କୁଲ ପର୍ଯ୍ୟନ୍ତ ସମସ୍ତ ଘଟଣାବଳୀ । ମୋ କଥା ସବୁ ଶୁଣି ବୋଉ ଟିକେ ଭାବିକି ମୋତେ କହିଲା... "ଆ ମୋ କୋଳରେ ଶୁଆଇ ଦେଇ ତତେ ସବୁ ବୁଝେଇ ଦେବି... ।" ବୋଉର ଏସବୁ କଥା ମତେ ଟିକେ ଅଡ଼ୁଆ ଅଡୁଆ ଲାଗୁଥାଏ । କାରଣ ମୋ ବୋଉ ସେତେ ଶିକ୍ଷିତ ନୁହେଁ । ହେଲେ ମୁଁ ଘରେ ପାଠ ପଢିଲା ବେଳେ ସେ ସେମିତି ମୋ ପାଖରେ ବସିଥିବ । ଇଏ ହେଉଛି ମୋ ବୋଉ । ତା କୋଳରେ ମୋ ମୁଣ୍ଡକୁ ଆଉଜେଇ ନେଇ ଆଉଁସି ଆଉଁସି କହିଲା... "ଶୁଣୁ ତୁ ଆଜି ସ୍କୁଲକୁ ଗଲାବେଳେ ଯେଉଁ ଲୋକମାନେ ମୁରୁକି ମୁରୁକି ହସୁଥିଲେ ଆଉ ପରସ୍ପର ମଧ୍ୟରେ ଚୁପ ଚୁପ କଥା ହେଉଥିଲେ..., ତା'ର କାରଣ ହେଉଛି, ତୁ ପିନ୍ଧିଥିବା ପ୍ୟାଣ୍ଟ ।"

- "ପ୍ୟାଣ୍ଟର ଦୋଷ କୋଉଠି ରହିଲା ଯେ..."  ମୁଁ ପଚାରିଲି ବୋଉକୁ ।

ବୋଉ ପୁଣି କହିବା ଆରମ୍ଭ କରିଦେଲା... "ତୋର ସେହି କଳା ପ୍ୟାଣ୍ଟଟିରେ ଦରଜି ଧଳା କନାରେ ଦୁଇଟି ନଥା ପକେଇ ସିଲେଇ କରି ଦେଇଛନ୍ତି ତ...  ତେଣୁ ତୁ ପିନ୍ଧିଥିବା ପ୍ୟାଣ୍ଟର ପଛପଟଟି ଦୂରକୁ ସ୍ୱୟଂ ଜଗନ୍ନାଥଙ୍କ ଚକାଆଖି ପରି ଦେଖାଯାଉଛି... । ଯେଉଁମାନେ ତୋ ପ୍ୟାଣ୍ଟକୁ ଦେଖି ଚୁପ ଚୁପ କଥା ହେଉଥିଲେ ଆଉ ମୁରୁକି ମୁରୁକି ହସୁଥିଲେ... ସେମାନେ ପରସ୍ପର କୁହାକୁହି ହେଉଥିଲେ କି, "ସତରେ ! ଶିବ ଟି କେଡେ ଭାଗ୍ୟବାନ ପିଲା !! ସ୍ୱୟଂ ଜଗନ୍ନାଥ ତା ସାଙ୍ଗରେ ଅଛନ୍ତି ।" ଏଇ ସବୁ ଭାବିକି ସେମାନେ ଖୁସିରେ ମୁରୁକି ମୁରୁକି ହସୁଥିଲେ... ଆଉ ସ୍କୁଲରେ ବି ତୋ ସାଙ୍ଗ ମାନେ ଠିକ ସେୟା ହିଁ ଭାବୁଥିଲେ... ବୁଝିଲୁ... ସେମାନେ ସମସ୍ତେ ତୋର ଶୁଭ ଚିନ୍ତକ ବୋଲି ତୁ ଭାବେ ।"

ବୋଉ ମତେ ଏମିତି ବୁଝେଇ ଚାଲିଥିଲା ଯେ, ମୁଁ ତା କଥା କେବଳ ଆନନ୍ଦର ସହ ଶୁଣୁଥିଲି । ମନେ ମନେ ମୋ ବାପା ବୋଉଙ୍କ ସହ ମୋ ପ୍ୟାଣ୍ଟରେ ନଥା ପକେଇଥିବା ସେହି ଦରଜି ମଉସାଙ୍କୁ ବି ପ୍ରଣାମ କଲି । ଦରଜି ମଉସାଙ୍କୁ ମନେ ମନେ ବହୁତ ବହୁତ ଧନ୍ୟବାଦ ଦେଉଥିଲି । କାରଣ ମୁଁ ଭାବୁଥିଲି ତାଙ୍କରି ଆଶୀର୍ବାଦରେ ମୁଁ ଆଜି ଜଗନ୍ନାଥଙ୍କ ନିକଟତର ହୋଇ ପାରିଛି ।

ମଙ୍ଗଳାଯୋଡି, ଟାଙ୍ଗି, ଖୋର୍ଦ୍ଧା

Post a Comment

1Comments
  1. ରଙ୍ଗନାଥ ରଥFebruary 13, 2023 at 2:31 AM

    ଶିଶୁ ମନସ୍ତତ୍ତ୍ଵ ଉପରେ ଆଧାରିତ ଏକ ସୁନ୍ଦର ଗଳ୍ପ। ଲେଖାଟି ସାବଲୀଳ ହେଲେ ମଧ୍ୟ ଅତ୍ୟନ୍ତ ଭାବଗର୍ଭକ। ମାଆ ଉପରେ ସନ୍ତାନର ଅନାବିଳ ଭରସା ଏବଂ ତଥାକଥିତ ନିରକ୍ଷରା ମାଆ ଶିଶୁର ସମସ୍ୟା ସମାଧାନ ନିମନ୍ତେ ମନକୁ ଛୁଇଁଲାଭଳି ସକାରାତ୍ମକ ଓ ଆଧ୍ୟାତ୍ମିକ ଭାବ ଉଦ୍ରେକ କରିଛି। ଲେଖକଙ୍କୁ ଧନ୍ୟବାଦ।
    ପୁରା = ପୂରା, ଅନାଟନ ଦୁନିଆଁରେ = ଅନଟନ ଦୁନିଆରେ, ଚାକିରୀ = ଚାକିରି,
    ଗୁପ ଚୁପ = ଚୁପ ଚୁପ, ତାଛଲ୍ୟ ଭରା =ତାଚ୍ଛଲ୍ୟଭରା, ଲଜ୍ଜ୍ୟା = ଲଜ୍ଜା, ଭ୍ରୁକ୍ଷେପ = ଭ୍ରୂକ୍ଷେପ
    କାନରେ ପଢିଲା = କାନରେ ପଡ଼ିଲା, ଏମିଟି = ଏମିତି, ନିକଟତ୍ତର =ନିକଟତର

    ReplyDelete
Post a Comment

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ