ଦାର୍ଢ୍ୟତା ଭକ୍ତି - ଅଙ୍କନା ମାଧନା - ଘନଶ୍ୟାମ ସାହୁ

0

ଦୁଇ ଭାଇ ବ୍ୟସ୍ତ ବିବ୍ରତ ହୋଇ ଗୃହ ମଧ୍ୟରୁ ରାଜରାସ୍ତା  ଆଡ଼କୁ ଏବଂ ରାଜରାସ୍ତାରୁ ଗୃହ ମଧ୍ୟକୁ ଯିବା ଆସିବା କରୁଥିଲେ । କାହାର ଆସିବା ପଥକୁ ଅନାଇଁ ରହିଥିଲେ ଚାତକ ପରି । "ଆଜି ଆମ ଭାଗ୍ୟରେ ଭୋଜନ କରିବା ଠାକୁର ଚାହାନ୍ତି ନାହିଁ ବୋଧହୁଏ ।" ଜଣେ ଭାଇ ଅନ୍ୟ ଜଣକୁ କହିଲେ । ଚତୁଃପାର୍ଶ୍ଵରେ ବଡ଼ ବଡ଼ ପ୍ରକୋଷ୍ଠ ଥାଇ ଭିତରେ ସୁଦୃଶ୍ୟ ଚନ୍ଦ୍ରାତପ ଦ୍ଵାରା ବିମଣ୍ଡିତ ଏକ ବଡ଼ ଅଗଣା । ସଂକୀର୍ତ୍ତନର ସ୍ୱର ଚତୁର୍ଦ୍ଦିଗ ପ୍ରକମ୍ପିତ କରୁଥିଲା । କିଛି ଉତ୍ସବ ଚାଲିଥିଲା ନିଶ୍ଚୟ । ବନ୍ଧୁ ବାନ୍ଧବ, ପୁର ନରନାରୀଙ୍କ କୋଳାହଳରେ ଗୃହ ଫାଟି ପଡୁଥିଲା ଯେପରି । ରୋଷଶାଳାରେ ଅନ୍ନ, ବହୁବିଧ ବ୍ୟଞ୍ଜନ, କ୍ଷୀରି, ପୁରି, ଖେଚୁଡ଼ି, କାନିକା, ଆମ୍ବିଳ ଇତ୍ୟାଦି ସହିତ ବିଭିନ୍ନ ମିଷ୍ଟାନ୍ନ ସବୁ ଅନବରତ ଭାବେ ପ୍ରସ୍ତୁତ କରାଯାଉଥିଲା । କୈ।ଣସି  ଖାଦ୍ୟ ପଦାର୍ଥର ଯେମିତି କିଛି ବି ଅଭାବ ପରିଲକ୍ଷିତ ନହୁଏ ସେଥିପାଇଁ ବିଶେଷ ଧ୍ୟାନ ଦେଇଥିଲେ ଦୁଇ ଭାଇ । ବ୍ରାହ୍ମଣ ମାନଙ୍କର ଚର୍ଚ୍ଚାରେ ଯେପରି ସାମାନ୍ୟ ମଧ୍ୟ ତୃଟି ପରିଲକ୍ଷିତ ନହୁଏ, ସେଥିପାଇଁ ଦୁଇ ଭାଇ ସତର୍କ ହୋଇ ନିଜେ ସେମାନଙ୍କ ଦାୟିତ୍ଵ ନେଇଥିଲେ । ବ୍ରାହ୍ମଣ ଭୋଜନ ସହ ଦାନ ଏବଂ ଦକ୍ଷିଣା ପ୍ରଦାନ କରି ଦୁଇ ଭାଇ ସେମାନଙ୍କର ଆଶୀର୍ବାଦ ଭିକ୍ଷା କରୁଥିଲେ । ସାଧୁ, ସନ୍ଥ, ବ୍ରାହ୍ମଣ, ଅତିଥି ସମସ୍ତେ ତୃପ୍ତ ହୋଇ ଆଶୀର୍ବାଦ କରି ସନ୍ତୁଷ୍ଟ ମନରେ ବିଦାୟନେଲେ ହିଁ କିଛି ପୁଣ୍ୟ ଫଳ ପ୍ରାପ୍ତ ହେବ, ଏ କଥା ଦୁଇଭାଇ ସଠିକ୍ ଭାବେ ଜାଣିଥିଲେ । ବହୁ ଦୂରରୁ ସାଧୁ, ସନ୍ଥ, ବ୍ରାହ୍ମଣ, ଅତିଥି ସବୁ ସେ ଦୁଇ ଭାଇଙ୍କ ଦାନଶୀଳତାର ସୁଖ୍ୟାତି ଶୁଣି ତାଙ୍କ ଭବନରେ ଆତିଥ୍ୟ ଗ୍ରହଣ କରୁଥିଲେ । କେତେକ ବିଶେଷ ତିଥିରେ ଗୃହରେ ଉତ୍ସବ ପାଳନ କରାଯାଉଥିଲା ଏବଂ ଅତିଥି ଅଭ୍ୟାଗତ ମାନଙ୍କୁ ବହୁ ଦ୍ରବ୍ୟ ସହ କିଛି ମୋହର ମଧ୍ୟ ଦାନ କରାଯାଉଥିଲା । ଅନେକ ବ୍ରାହ୍ମଣ ଯେପରି ଅଂଶଗ୍ରହଣ କରିବେ ସେଥିପାଇଁ ଦୁଇ ଭାଇ ସବୁ ସ୍ଥାନକୁ ଖବର ପଠାଉଥିଲେ । ଆଜିର ଉତ୍ସବ ଦିନରେ ଆଶ୍ଚର୍ଯ୍ୟ ଜନକ ଭାବେ ବ୍ରାହ୍ମଣ ମାନଙ୍କ ସଂଖ୍ୟା କମ୍ ଥିବାରୁ ଚିନ୍ତିତ ହୋଇ ଦୁଇ ଭାଇ ରାଜପଥ ଆଡ଼କୁ ବାରମ୍ବାର ଚାହିଁ ରହୁଥିଲେ । ଏହିପରି କିଛି ସମୟ ଅତିବାହିତ ହୋଇଯାଇଥିଲା ।

ବହୁ ଦୂରରୁ ରାଜପଥରେ କେହି ଜଣେ ତେଜସ୍ଵୀ ବ୍ରାହ୍ମଣ ଆସୁଥିବା ଦେଖି ପାରିଲେ ସେହି ଉତ୍ସବ ନିକଟରେ ଥିବା କିଛି ଜନତା । ଆଜାନୁଲମ୍ବିତ ବାହୁ ଯୁଗଳ, ହସ୍ତରେ ଦଣ୍ଡ କମଣ୍ଡଳୁ, ସ୍କନ୍ଧରେ ଶୁଭ୍ର ଉପନୀତ, ଶ୍ୱେତ ବସ୍ତ୍ର ସହ ଉତ୍ତରୀୟ ଶୋଭା ପାଉଥିଲା ଶରୀରରେ । ମସ୍ତକରେ ପକ୍ୱ କେଶ ସହ ଶୁକ୍ଳ ଶ୍ମଶ୍ରୁଗୁଚ୍ଛରୁ ତାଙ୍କ ବାର୍ଦ୍ଧକ୍ୟ ଅବସ୍ଥା ସ୍ପଷ୍ଟ ବାରି ହେଉଥିଲେ ମଧ୍ୟ ଚାଲିରେ କିନ୍ତୁ ଥିଲା ଅପୂର୍ବ ଚଞ୍ଚଳତା । ମୁଖମଣ୍ଡଳର ଜ୍ୟୋତି ତାଙ୍କୁ ଜଣେ ଜ୍ଞାନୀ ବ୍ୟକ୍ତି ବୋଲି ସୂଚାଇ ଦେଉଥିଲା । ନିକଟକୁ ପହଞ୍ଚିଲା ପରେ ଉପସ୍ଥିତ ଜନସାଧାରଣଙ୍କୁ ଅଙ୍କନା ଏବଂ ମାଧନା ଦୁଇ ଭାଇ କେଉଁଠି ଅଛନ୍ତି ବୋଲି ପଚାରିଲେ ଆଗନ୍ତୁକ ବ୍ରାହ୍ମଣ । ଦୁଇ ଭାଇଙ୍କ ଖ୍ୟାତି ଶୁଣି ସେ ବହୁ ଦୂରରୁ ଆସିଥିବା କଥା କହିଲେ । ଜନତାଙ୍କ ମଧ୍ୟରୁ କେହି ଜଣେ ଗୃହ ଭିତରକୁ ଯାଇ ନବାଗତ ଅତିଥିଙ୍କ ଉପସ୍ଥିତିର ବାର୍ତ୍ତା ସେ ଦୁଇ ଭାଇଙ୍କ ପାଖରେ ପହଞ୍ଚେଇ ଦେଲେ । ବସିବା ସ୍ଥାନରୁ ତତ୍ କ୍ଷଣାତ ଉଠି ସେମାନେ ଅତିଥିଙ୍କୁ ପାଛୋଟି ଆଣିବା ପାଇଁ ତାଙ୍କ ପାଖରେ ପହଞ୍ଚିଲେ ।

ଦକ୍ଷିଣର ଗଙ୍ଗା କୁହାଯାଉଥିବା ଗୋଦାବରୀ ନଦୀ ତୀରରେ ଅବସ୍ଥିତ ପୁଣ୍ୟ ଭୂମି କଳିଙ୍ଗ ନଗରର ଶାସକ ଥିଲେ ସେ ଦୁଇ ଭାଇ ଅଙ୍କନା ଏବଂ ମାଧନା । ବିପ୍ରକୁଳରେ ଜନ୍ମଗ୍ରହଣ କରିଥିବା ଏହି ଦୁଇ ଭାଇ ଦେଖିବାକୁ ଯେପରି କନ୍ଦର୍ପ ପରି ସୁନ୍ଦର ଥିଲେ ଠିକ୍ ସେହିପରି ନାନା ଦିବ୍ୟଗୁଣର ଅଧିକାରୀ ଥିଲେ ସେମାନେ । ଅଗାଧ ପାଣ୍ଡିତ୍ୟ ସହିତ ଅତ୍ୟନ୍ତ ଧର୍ମପରାୟଣ ଥିଲେ ସେ ଦୁଇ ଭାଇ । ଦାନଶୀଳତାରେ ତାଙ୍କର ପଟାନ୍ତର ନଥିଲା । କାଶୀ, ଦ୍ଵାରକା, କାଞ୍ଚି, ଶ୍ରୀକ୍ଷେତ୍ର, ମଥୁରା, ବୃନ୍ଦାବନ ଇତ୍ୟାଦି ତୀର୍ଥ ସ୍ଥାନରେ ସାଧୁସନ୍ଥଙ୍କ ଭୋଜନ ନିମନ୍ତେ ସେ ଅନବରତ ଅର୍ଥ ଦାନ କରୁଥିଲେ । ତାଙ୍କ ଦାନଶୀଳତା ତଥା ସାଧୁ, ସନ୍ଥ, ବ୍ରାହ୍ମଣ, ଅତିଥିଙ୍କ ପ୍ରତି ତାଙ୍କର ପ୍ରଗାଢ଼ ଭକ୍ତି ହେତୁ ପ୍ରତିଦିନ ତାଙ୍କ ଗୃହରେ ବହୁ ଦୂରରୁ ସାଧୁ ସନ୍ଥ ମାନେ ଆସି ପହଞ୍ଚୁଥିଲେ । କେତେକ ବିଶେଷ ତିଥିରେ ତାଙ୍କ ଗୃହରେ ଉତ୍ସବ ପାଳନ କରାଯାଇ ନାମ ସଙ୍କୀର୍ତ୍ତନ ତଥା ଯଜ୍ଞ ଆଦିର ଆୟୋଜନ କରାଯାଉଥିଲା । ଏକ ଅଜବ ନିୟମ କରିଥିଲେ ସେ ଦୁଇ ଭାଇ । ଦୈନିକ ଆଠଜଣ ବ୍ରାହ୍ମଣ ମାନଙ୍କୁ ଭୋଜନ ସହ ଦାନ ଦକ୍ଷିଣା ପ୍ରଦାନ କରିବା ପରେ ଯାଇ ଦୁଇ ଭାଇ ଭୋଜନ କରୁଥିଲେ । ଆଶ୍ଚର୍ଯ୍ୟର କଥା ଏହି ଯେ ସେ ଦୁଇ ଭାଇଙ୍କ ମଧ୍ୟରେ ସମ୍ପର୍କ ଏତେ ନିବିଡ ଥିଲା ଯେ କେହି ଅନ୍ୟ ଜଣଙ୍କ କଥା ଏଡ଼ାଇ ପାରୁ ନଥିଲେ । ସେମାନେ ଏକ ଆତ୍ମା ରୂପେ ଚଳୁଥିଲେ । ଦିନକୁ ଦିନ ତାଙ୍କ ସୁଖ୍ୟାତି ଚତୁର୍ଦ୍ଦିଗକୁ ପ୍ରସାରିତ ହେବାକୁ ଲାଗିଲା । ଉତ୍ସବ ପାଳନ କରାଯାଉଥିବା ଦିନ ବ୍ରାହ୍ମଣ ଭୋଜନ ସହ ଦାନ ଦକ୍ଷିଣା ଆଦି ପ୍ରଦାନ କରାଯାଉଥିଲା ।

ଏକ ଉତ୍ସବ ଦିନରେ ବ୍ରାହ୍ମଣ ଅତିଥିଙ୍କ ସଂଖ୍ୟା କମ୍ ଥିବାରୁ ଚିନ୍ତିତ ହୋଇ ପଡ଼ିଥିଲେ ଦୁଇ ଭାଇ । ଏବେ ଜଣେ ତେଜସ୍ଵୀ ବ୍ରାହ୍ମଣ ଅତିଥିଙ୍କୁ ପାଇ ନିଜକୁ ଧନ୍ୟ ମନେ କଲେ ଏବଂ ପ୍ରାଣ ପଣେ ଚେଷ୍ଟା କଲେ ଯେପରି ସମସ୍ତ ଅତିଥି ଅଭ୍ୟାଗତ ଉତ୍ସବ ଶେଷରେ ସନ୍ତୋଷ ଚିତ୍ତରେ ସ୍ୱ ସ୍ୱ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିବେ । କେଜାଣି କାହିଁକି ଏହି ନବାଗତ ଅତିଥିଙ୍କ ସହ ସାକ୍ଷାତରେ ଦୁଇ ଭାଇ ହୃଦୟରେ ଅପୂର୍ବ ପୁଲକ ଅନୁଭବ କରୁଥିଲେ । ଅତିଥିଙ୍କ ପାଦ ଧୋଇ ଭକ୍ତି ସହକାରେ ପାଛୋଟି ନେଲେ ଭିତରକୁ । ଆସନରେ ବସାଇ କୁଶଳ ସମ୍ଭାଷଣ କଲେ ଦୁଇ ଭାଇ । ଉତ୍ସବରେ ଉପସ୍ଥିତ ହୋଇଥିବାରୁ ଅତିଥିଙ୍କୁ ଧନ୍ୟବାଦ ଦେବା ସହିତ କୃତଜ୍ଞତା ଜ୍ଞାପନ କଲେ । ନବାଗତ ଅତିଥି ଦୁଇ ଭାଇଙ୍କ ବ୍ୟବହାର ରେ ମୁଗ୍ଧ ହୋଇ କହିଲେ, "ଆମ୍ଭେ ଆଜନ୍ମ ବ୍ରହ୍ମଚାରୀ ଅଟୁ । କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ନରହି ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯାଇଥାଉ । ପଥ ମଧ୍ୟରେ ଆମର ବେଳା ଭୋଜନ କରି ନେଇଥାଉ । ଯେଉଁ ବ୍ୟକ୍ତି ଅତିଥିଙ୍କୁ ଦେବତା ଜ୍ଞାନ କରିଥାଏ, ନିତି ଧର୍ମକାର୍ଯ୍ୟରେ ରତ ଥାଏ, ଯେଉଁ ପରିବାରରେ ସାଧୁ ସନ୍ଥ ମାନେ ଆସି ଧର୍ମ ଚର୍ଚ୍ଚା କରିବା ସହିତ ଉପଯୁକ୍ତ ମର୍ଯ୍ୟାଦା ପାଇ ଥାଆନ୍ତି ତଥା ଭଜନ କୀର୍ତ୍ତନ ହୋଇଥାଏ ସେହି ଗୃହରେ ହିଁ ଆମ୍ଭେ ଭୋଜନ କରିଥାଉ ଅନ୍ୟଥା କେବଳ ଫଳମୂଳ, କିଛି ନହେଲେ ଜଳପାନ କରି ରହିଥାଉ । ତୁମ ଦୁଇ ଭାଇଙ୍କ ବ୍ୟବହାର ମୁଁ ପ୍ରୀତ । ତୁମ ଯଶ ଖ୍ୟାତି ବୃଦ୍ଧି ହେଉ । ତୁମର କଲ୍ୟାଣ ହେଉ ।" ଏହା କହି ବ୍ରାହ୍ମଣ ଅତିଥି ଚାଲି ଯିବାକୁ ଉଦ୍ୟତ ହେଲେ । ଏହା ଦେଖି ଦୁଇ ଭାଇ ତାଙ୍କ ଗୋଡ଼ ତଳେ ପଡି କହିଲେ, "ହେ ମହାତ୍ମା, ଆମର ଏହି ଉତ୍ସବରେ ଯୋଗଦେଇ ଏଠାରେ ପ୍ରସ୍ତୁତ ହୋଇଥିବା ଭୋଜନକୁ ଦୟାକରି ଗ୍ରହଣ କରନ୍ତୁ । ଆପଣ ଏଠାରେ ଭୋଜନ ଗ୍ରହଣ ନକରି ଗଲେ ଆମେ ନିଶ୍ଚିତ ନର୍କଗାମୀ ହେବୁ । ତେଣୁ ଆମ ପ୍ରତି କୃପା କରନ୍ତୁ ।" ବ୍ରାହ୍ମଣ ଅତିଥି କହିଲେ, "ଆମ୍ଭେ ତୁମ୍ଭର କୃତଜ୍ଞତା ପୂର୍ଣ୍ଣ ବ୍ୟବହାରରେ ସନ୍ତୁଷ୍ଟ ହୋଇଛୁ । ଏଠାରେ ଉତ୍ସବ ପାଳନ କରାଯାଉଥିବା କାରଣରୁ ଯାହା କିଛି ଭୋଜନ ପ୍ରସ୍ତୁତ ହୋଇଛି ଆମ୍ଭେ ଭୋଜନ କଲେ କାଳେ ଏଠାରେ ଉପସ୍ଥିତ ଲୋକମାନଙ୍କୁ ତାହା ନିଅଣ୍ଟ ହେବ ସେଥିପାଇଁ ଆଗକୁ ଅଗ୍ରସର ହେଉଛୁ ।" ଏହା ଶୁଣି ଉପସ୍ଥିତ ଜନତା ନିଜ ନିଜ ହସ ରୋକି ପାରି ନଥିଲେ । କାରଣ ଖାଦ୍ୟ ଏତେ ପରିମାଣର ଥିଲା ଯେ, ଯେତେ ଖାଇଲେ ମଧ୍ୟ ବଳକା ରହିଯିବାର ଥିଲା । ସେ ଯାହା ହେଉ ଦୁଇ ଭାଇଙ୍କ ଅନୁନୟ ବିନୟରେ ବ୍ରାହ୍ମଣ ଅତିଥିଙ୍କୁ  ଭୋଜନ କରିବା ପାଇଁ ରାଜି କରାଇଲେ । ଅତିଥିଶାଳାରେ ବ୍ରାହ୍ମଣଙ୍କ ବିଶ୍ରାମର ବ୍ୟବସ୍ଥା କରାଗଲା ।

ଅଙ୍କନା ଏବଂ ମାଧନା ସ୍ୱତନ୍ତ୍ର ଭାବରେ ରୋଷଶାଳାକୁ ଯାଇ କ୍ଷୀରି, ଖେଚୁଡ଼ି, ସରୁ ଚାଉଳର ଅନ୍ନ, ବହୁବିଧ ବ୍ୟଞ୍ଜନ ତଥା ନାନା ପ୍ରକାର ପିଠାପଣା ସହିତ ସୁସ୍ୱାଦୁ ପାନୀୟର ବ୍ୟବସ୍ଥା କରାଇଲେ । ବଡ଼ ବଡ଼ ପାତ୍ରରେ ଅନେକ ପ୍ରକାରର ଖାଦ୍ୟ ପଦାର୍ଥରେ ରୋଷଶାଳ ପରିପୂର୍ଣ୍ଣ ହେଲା ପରେ ଅତିଥିଙ୍କୁ ଏକ ପରିଷ୍କାର ପ୍ରସସ୍ଥ ଆସ୍ଥାନରେ ବସାଇ ଭୋଜନ ସାମଗ୍ରୀ ପରିବେଷଣ କରାଗଲା । ଦୁଇ ଭାଇ ତାଙ୍କ ପାଖରେ ଉପସ୍ଥିତ ହୋଇ ତଦାରଖ କରିବା ସହିତ ଚାମର ଧରି ଧୀରେ ଧୀରେ ବିଞ୍ଚିବାକୁ ଲାଗିଲେ । ଜନତା ଉତ୍ସୁକତାର ସହ ଅତିଥିଙ୍କୁ ଚାହିଁ ରହିଲେ । ଥରକୁ ଥର ଯେତେ ଖାଦ୍ୟ ଦ୍ରବ୍ୟ ଦିଆ ଯାଉଥିଲା ତାକୁ ଅନାୟାସରେ ଉଦରସ୍ଥ କରୁଥିଲେ ଅତିଥି । ଏହା ଦେଖି ସମସ୍ତେ ବିସ୍ମୟାଭିଭୁତ ହୋଇ ଚାହିଁରହିଲେ । ବାରମ୍ବାର ଖାଦ୍ୟ ପରିବେଷଣ କରୁ କରୁ ଧୀରେ ଧୀରେ ଅର୍ଦ୍ଧାଧିକ ଖାଦ୍ୟ ପଦାର୍ଥ ଶେଷ ହେବାର ସୂଚନା ପାଇ ବ୍ରାହ୍ମଣ ଅତିଥି ଯେ ଜଣେ ଅସାଧାରଣ ବ୍ୟକ୍ତି କିମ୍ବା କୌଣସି ଛଦ୍ମବେଶୀ ଦେବତା ଏହା ନିଶ୍ଚିତ ହୋଇ ତାଙ୍କ ଗୋଡ଼ ତଳେ ଲୋଟି ପଡ଼ିଲେ ଅଙ୍କନା ଏବଂ ମାଧନା । "ଆମ ଅପରାଧ ପାଇଁ କ୍ଷମା କରନ୍ତୁ ପ୍ରଭୁ । ଆପଣ ସ୍ୱୟଂ ଭଗବାନ ନିଶ୍ଚୟ । ଆପଣ ଅନନ୍ତ, ଅସୀମ ଏବଂ ସର୍ବବ୍ୟାପୀ । ଆମେ ଆପଣଙ୍କୁ ଚିହ୍ନି ନପାରି ଆପଣଙ୍କର ଉଦର ପୂର୍ଣ୍ଣ କରି ପାରିବୁ ବୋଲି ବୃଥା ଆସ୍ଫାଳନ କଲୁ । ଆମେ କରିଥିବା ଅପରାଧ ପାଇଁ ଉଦାର ହୃଦୟରେ କ୍ଷମା ପ୍ରଦାନ କରି କୃପା କରି ତୃପ୍ତ ହୋଇ ଯାଆନ୍ତୁ ପ୍ରଭୁ ।" ହଠାତ୍ ଏକ ଉଜ୍ଜ୍ୱଳ ଜ୍ୟୋତିରେ ଚତୁର୍ଦ୍ଦିଗ ଆଲୋକିତ ହୋଇ ଉଠିଲା । ବ୍ରାହ୍ମଣ ଅତିଥିଙ୍କ ବଦଳରେ ହସ ହସ ମୁଦ୍ରାରେ ସ୍ୱୟଂ ଭଗବାନ ଆବିର୍ଭୁତ ହୋଇ ଦୁଇ ଭାଇଙ୍କୁ ଅଭୟବର ପ୍ରଦାନ ପୂର୍ବକ କେଉଁ ଆଡେ ଉଭେଇ ଗଲେ । ଉପସ୍ଥିତ ଜନସାଧାରଣ ପ୍ରଭୁଙ୍କ ଜୟଗାନ କରିବା ସହିତ ସେ ଦୁଇ ଭାଇଙ୍କ ସେବା ଭକ୍ତି ପାଇଁ ଉଚ୍ଚାରଣ କରୁଥିଲେ, "ଧନ୍ୟ ଆମର ରାଜା ଅଙ୍କନା ଏବଂ ମାଧନା ।"

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ