ସମ୍ପର୍କ - ସିଦ୍ଧେଶ୍ଵର ତ୍ରିପାଠୀ

0

ସ୍ୱିଟି  ଭାରି ଭଲ ଝିଅଟିଏ । ରୂପ ଆଉ ଗୁଣରେ ସବୁଥିରେ ଆଗରେ । ଏଇ ଏବେ ଏବେ କମ୍ପୁଟର ସାଇନ୍ସରେ ଇଂଜିନିୟରିଂ ପାସ କରି  ଦିଲ୍ଲୀରେ ଗୋଟେ ଭଲ କମ୍ପାନୀରେ ଚାକିରୀ ପାଇଛି ।  ମୋଟା ଅଙ୍କର ଦରମା ଆଉ ବିଳାସମୟ ଜୀବନ.. ସବୁ କିଛି ଠିକ ଠାକ ଚାଲିଛି ।  ଏପଟେ ଭୁବନେଶ୍ୱରରେ ମମି ଡାଡି  ଆଉ ସାନ ଭାଇ ସୁସିଲ । ମମି ଅଧ୍ୟାପିକା ଆଉ ଡାଡି ଆଡଭୋକେଟ ସାନ ଭାଇଟା ରାଜଧାନୀ କଲେଜରେ ବିଏସି ଫାଷ୍ଟ ଇଅରରେ ପଢୁଛି । 

ଛବିରେ ରଙ୍ଗ ମାଖିଲେ ଚମକିଲା ପରି ସ୍ୱିଟିର ଯୌବନ ମଖା ଦେହଟା ଏବେ ଭାରି ଚମକୁଚି । ଚିକି ମିକି ତାରା ମେଳରେ ଜହ୍ନ ଯେମିତି ବାରିହୋଇ ଯାଏ, ସେମିତି  ବହୁ ଭିଡ଼ ଭିତରେ ଚମକି ଉଠୁଛି ସେ । ଫୁଟି ବାସିଲେ ଫୁଲଟିଏ ଭଅଁରକୁ ଖୋଜିଥାଏ । ଆଉ ଭଅଁର ବି ଆକର୍ଷିତ ହୋଇଥାଏ ଫୁଲ ଆଡକୁ ।  ଦୁହେଁ ଯେବେ ଏକାକାର ହୋଇ ଯାଆନ୍ତି । ସବୁ ଲାଜ ଆପେ ଆପେ କେବେଠୁ ଦୁରେଇ ଯାଇ ଥାଏ ଦୁଇଟି ଦେହ ଆଉ ମନ ଭିତରୁ ।  ସବୁ ସମୟ ଶ୍ରାବଣ ଆଉ ଫଗୁଣ ପରି ମନେ ହୁଏ । ଆଉ ଅଜଣା ଚରିତ୍ରର ଓଠର ଉଷ୍ମତାରେ ଦେହ ଶିହରୀ ଉଠେ, ଯନ୍ତ୍ରଣା ବି ଭାରି ମିଠା ଲାଗେ ଏଇ ସମୟରେ । ହ୍ଵାଟ୍ସଆପ, ଫେସବୁକ ଆଉ ଇଂଷ୍ଟାଗ୍ରାମ.. ସବୁଥିରେ ଉଛୁଳି ଉଠେ ସ୍ୱିଟି । ସେଇ ଉଛୁଳା ଯୌବନର ନଈରେ ପହଁରୁ ଥିବା ଚରିତ୍ରଟି ଆଉ କେହି ନୁହେଁ  ସ୍ୱିଟିର ଆପାର୍ଟମେଣ୍ଟ ରେ ରହୁଥିବା ମନୋଜ । ସେବି ଗୋଟେ ପ୍ରାଇଭେଟ କମ୍ପାନୀରେ ଜବ କରେ । ସମୟ ସାଥିରେ ଦୁହିଁଙ୍କ ମିଳାମିଶା ବହୁତ ଆଗକୁ ବଢ଼ିଗଲାଣି । ଦୁହେଁ ଏବେ ଗୋଟିଏ ରୁମରେ ରହୁଛନ୍ତି । 

ପ୍ରଥମେ ଇଶାରା ଦେଇଥିଲା ସ୍ୱିଟି ଆଉ ସେଇ ଇଶାରାକୁ ଠିକ ହୃଦୟଙ୍ଗମ କରି ପାରିଥିଲା ମନୋଜ । ସେବେଠୁ ସବୁ ଏକାକାର..  ଦୁହେଁ ଏକ ହୋଇ ସାରିଛନ୍ତି । ସକାଳରୁ ସଞ୍ଜ ଆଉ ସଞ୍ଜରୁ ରାତି  ଖାଲି ଡିଉଟି ସମୟ ତକ ଛାଡିଦେଲେ ବାକି ସବୁ ମୁହୂର୍ତ୍ତ ଗୁଡା ଭାରି ମିଠା ମିଠା । 

କଥା ବହୁତ ଆଗେଇ ଯାଇଥିଲା  ଦୁହେଁ ବିବାହ ନକରି ବି ମାଆ ବାପା ହୋଇ ସାରିଥିଲେ । ଦୁହିଁଙ୍କ ପରିବାର କିନ୍ତୁ ଏସବୁ ବିଷୟରେ କିଛି ଜାଣି ପାରିନଥିଲେ । କୁନିଝିଅ ଆଲଫା ଏବେ ଯୋଡି ହୋଇଯାଇଥାଏ ଦୁହିଁଙ୍କ ଜୀବନରେ ।

ସମୟ ସାଥିରେ ଋତୁ ବଦଳିଲା ପରି ଏ ସମାଜ ରେ ଅନେକ କିଛି ବଦଳିଯାଏ । ବଦଳିଯାଏ ମଣିଷର ପ୍ରକୃତି ପରିବେଶ ଆଉ ଦିଶାହୀନ ହୋଇଯାଏ ଅନେକ ଜୀବନ   ।

ସ୍ୱିଟି ଏବେ ଓଡିଶା ଫେରିଛି ତା ଘରକୁ ପୁଣି କୁଆଁରୀ ରୂପରେ । ଘରେ ତା'ର ବାହାଘର ଠିକ କଲେଣି । ଏଇ ପନ୍ଦରଦିନ ଭିତରେ ମନୋଜ କିନ୍ତୁ କମ୍ପାନୀରୁ ଛୁଟି ନେଇ ଝିଅର ଯତ୍ନ ନେବାରେ କେବେବି ହେଳା କରିନି ।

ସାତଦିନରେ ଫେରି ଆସିବି.. ଆସିଲେ ଆମେ କୋର୍ଟ ମ୍ୟାରେଜ କରିନେବା ତାପରେ ଝିଅକୁ ନେଇ ତୁମ ଘର ଆଉ ଆମଘରକୁ ଯିବା । ସାତଦିନଟା ପନ୍ଦରଦିନ ହେଲାଣି ସ୍ୱିଟି ର ମୋବାଇଲ ସୁଇଚ ଅଫ । ବାଧ୍ୟ ହୋଇ ଓଡିଶା ଫେରିଲା ମନୋଜ । ଘରେ ଦୁଇବର୍ଷର କୁନିଝିଅ ଆଲଫାକୁ ଦେଖି ବାପା ବୋଉ ଆଶ୍ଚର୍ଯ୍ୟ । ସବୁ ଘଟଣା ଶୁଣିସାରିଲା ପରେ ଦୁହିଁଙ୍କ ମନ ଭାରି ଦୁଃଖ । ନାତୁଣୀର ନୀରିହ ଆଖି ଦି'ଟା  ଜେଜେ ଜେଜେମା ଙ୍କୁ ସ୍ନେହରେ ବାନ୍ଧି ଧରିବାକୁ ଯଥେଷ୍ଟ ।

ମନୋଜ ଠିକଣା ଖୋଜି ଝିଅକୁ ଧରି ସ୍ୱିଟିର ଘରେ ପହଁଚିଲା । ତା'ର ସମସ୍ତ ପରିବାରକୁ ସବୁ କଥା ଗୋଟି ଗୋଟି କରି କହିଦେଲା ।  ସ୍ୱିଟି କିନ୍ତୁ ନୀରବ... । ମୁଁ ଜୀବନ ସାରା ନ୍ୟାୟ ପାଇଁ ଲଢେଇ କରୁଛି ବୋଲି ଡିଣ୍ଡିମ ପିଟୁଥିବା ଓକିଲ ବାବୁ ଆଜି ଅନ୍ୟାୟର ପକ୍ଷରେ । ଅନେକ ଛାତ୍ର ଛାତ୍ରୀଙ୍କୁ ସଂସ୍କାର ଶିଖାଉଥିବା ଅଧ୍ୟାପିକା ଆଜି ବିଦେଶରେ ଚାକିରୀ କରୁଥିବା ନୂଆ ବରପାତ୍ର ମୋହରେ ଅନ୍ଧ । ସେ ପିଲାକୁ ନେଇ ତୋ ଘରକୁ ଚାଲିଯା... କେତେ ଟଙ୍କା ନେବୁ କହ ? 

କୁନିଝିଅ ଆଲଫା ର କାନ୍ଦ କାହାର ହୃଦୟକୁ ଭେଦି ପାରୁନଥିଲା । ସାମୁହିକ ସ୍ୱରର ନିର୍ଯ୍ୟାସ ଥିଲା ଏଠିକି ଆଉ କେବେ ଆସିବନି । ଆଉ ଥାନା କୋର୍ଟ କଚେରୀ ମିଡ଼ିଆ କଥା  ସ୍ୱପ୍ନରେ ବି ଭାବିବୁନି । ନହେଲେ ତମ ବାପ ଝିଅଙ୍କୁ ବାଟରୁ ହଟେଇବାକୁ ଏ ରାଜଧାନୀରେ ଗୁଣ୍ଡା ମାନଙ୍କର ଅଭାବ ନାହିଁ । 

ମନୋଜ ପାଦତଳୁ ମାଟି ଖସି ପଡୁଥିଲା.. ସତେ ଯେମିତି ଆକାଶଟା ଛିଡି ପଡୁଥିଲା ତା ମୁଣ୍ଡ ଉପରେ । ସ୍ୱିଟି ଆଉ ଅତୀତର ପ୍ରେମ ଉପହାର ଦେଉଥିବା ସ୍ୱିଟି ହୋଇ ନଥିଲା । ବିବାହ ନକରିବି ବିଶ୍ୱାସର ସୁହାଗ ସିନ୍ଦୁର ଆଉ ଝଟକୁ ନଥିଲା ତା ସିଂଥିରେ । ଅନ୍ତଫାଡ଼ି ଜନ୍ମ ଦେଇଥିବା ନିଜ ଜୀବନଠୁ ବେଶୀ ଭଲ ପାଉଥିବା ଝିଅର କାନ୍ଦ କୋଳେଇ ନେବାର ଇଶାରା  ଆଜି ଏ ସମାଜକୁ ଉପହାସ କରୁଥିଲା ସତରେ । ମୁଁ ସିନା ପର ହୋଇଗଲି ଆଉ ଆମ ଆଲଫା ମନୋଜର ଏଇ ଶେଷ ପଦକ କଥା ଶୁଣି ଚିହିଁକି ଉଠିଥିଲା ସ୍ୱିଟି..., ନିଅ ତାକୁ କୋଉ ଅନାଥ ଆଶ୍ରମରେ ଛାଡ଼ିଦେଵ ନହେଲେ ନଈ କି ପୋଖରୀକୁ ଫିଙ୍ଗି ଦବ । 

ଆଲଫା କୁ ସାଥିରେ ଧରି ଘରକୁ ଫେରୁଥିଲା ମନୋଜ... ସମୟ ସାଥିରେ ବଦଳି ସାରିଥିଲା ଅନେକ ସମ୍ପର୍କର ସଂଜ୍ଞା, ପ୍ରକୃତି ଆଉ ପରିସର... ।

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ