କେହି ନାହିଁ ମୋର କେହି ନାହିଁ
ନିସ୍ଵ ହେୟ ଅବହେଳିତ ମୁଁ
ମରିଯାଇଛି ମୁଁ ମରିନାହିଁ ॥
ଲାଞ୍ଛିତ ଆଜି ସମାଜ ବକ୍ଷେ
ଆଉ କଷ୍ଟ ପ୍ରଭୁ ଦିଅନାହିଁ
ବଡ ହେବାକୁ ମୁଁ ଚାହେଁନାହିଁ ପ୍ରଭୁ
ମରୀଚିକା ପଛେ ନିଅନାହିଁ ॥
ଶୁଷ୍କ ଆଜି ଏ ସ୍ତବ୍ଧ ପରାଣେ
ଛଳନା ପରଖ ଦିଅନାହିଁ
ତୁମ ପଦ ବିନୁ ଅନ୍ୟ ଚାହେଁନି
ଈର୍ଷା ଅସୂୟା ଦିଅନାହିଁ ॥
ସରଳ ମୋର ଏ ତରଳ ପରାଣେ
ଗରଳ କେବେ ହିଁ ଦିଅନାହିଁ
ଉଷାର ନବୀନ ଆଲୋକ ଦେଖାଅ
ଅନ୍ୟ ଚାହେଁନି ଚାହେଁନାହିଁ ॥
ସ୍ନେହ ପ୍ରେମ ଭକ୍ତି ସମ୍ମାନ ଭିତ୍ତି
ଦିଅନାହିଁ କିଛି ଚାହେଁନାହିଁ
ଛଦ୍ମ ଆଜି ଏ ଦୁନିଆ ବକ୍ଷେ
ନିଅନାହିଁ ପ୍ରଭୁ ନିଅନାହିଁ ॥
ଭକ୍ଷକ ହୁଅନି ଚପଳମତି ମୁଁ
ଅନ୍ଧାର ଆଉ ଦିଅନାହିଁ
କରୁଣା କଣିକା ଦିଅ ପ୍ରଭୁ ମତେ
ଅନ୍ୟ କିଛି ମୁଁ ଚାହେଁନାହିଁ ॥
ଟାଙ୍ଗି, ଖୋରଧା