ଭଗ୍ନ ବୀଣାର ସ୍ୱର - ବୀରକିଶୋର ନାୟକ

0
ଭଗ୍ନ ବୀଣାର ବେସୁରା ରାଗିଣୀ
ଛନ୍ଦ ହରାଇ ବାଜେ,
ନାହିଁ ମଧୁରତା, ନାହିଁ ଆକର୍ଷଣ
ଶୁଭେ ଯନ୍ତ୍ରଣାର ବିକଟ କ୍ରନ୍ଦନ
ହୃଦୟ ବିକଳେ ଖୋଜେ,
ସ୍ବପ୍ନ ସବୁ ତ ଉଜୁଡି ଗଲାଣି
ଆଖିର ଲୁହ ହଜେ ।

କିଏ ଛଡାଇଲା ସକଳ ସୁଖ
ଦୁଃଖ ଭରିଲା ପ୍ରାଣେ,
ହାତେ ଧରାଇଲା ଭିକ୍ଷାର ଥାଳ
ବଞ୍ଚିବାର ରାହା ସକଳ ସମ୍ବଳ
ବଞ୍ଚିଛି ଶୂନ୍ୟେ ଶୂନ୍ୟେ,
ଯୁଆଡେ ଚାହେଁ ଦିଶେନା ଆଲୋକ
ଅନ୍ଧାର ଭରେ ମନେ ।

ଇଏ କି ଜୀବନ ହତାଶେ ଭରା
ମରୁଭୂମିର କାୟା,
ଦିବସର କ୍ଲାନ୍ତି ଲିଭେନା ନିଶିରେ
ପୁଣି ଚେଇଁଉଠେ ନିତି ପ୍ରଭାତରେ
ବଞ୍ଚିବାପାଇଁ ମାୟା,
ଦେଖେ ନିଜ ରକ୍ତେ ଅଶ୍ରୁର ଧାରା
ମୃତ୍ୟୁ କରାଳ ଛାୟା ।

ମାନବିକତାର ଦୁନ୍ଦୁଭି ବାଜେ
ମିଥ୍ୟାର ମୁଖାତଳେ,
ଆଶ୍ୱାସନାର ବାଣୀ ଶୁଣା ଯାଏ କେତେ
ନିଃସ୍ୱତା ଲୁଣ୍ଠନ ନେପଥ୍ୟେ ହୁଏ ସେତେ
କରେ ସେ ବାହୁବଳେ,
ତପ୍ତମନ ବିପ୍ଲବେ ଶାନ୍ତି ଖୋଜେ
ନିଃସ୍ୱ ଏକତା ତଳେ ।

ବୀରକିଶୋର ନାୟକ

ଖଣ୍ଡବନ୍ଧ, ଢେଙ୍କାନାଳ

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ