
ମିଶ୍ରବାବୁ ଟିକେ ଆମିଷ ପ୍ରିୟ ମଣିଷ, ହେଲେ କାର୍ତ୍ତିକ ମାସ ଯୋଗୁଁ ଦୀର୍ଘ ମାସେ ହେଲା ପାଟିରେ ଆମିଷ ଝୋଳ ଟିକେ ବାଜି ନଥିଲା । ଯେତେ ଇଚ୍ଛାଥିଲେ କଣ ହେବ ପତ୍ନୀ ରତ୍ନମଣି ଦେବୀଙ୍କ ତାଗିତ ଆଉ ନାଲିଆଖି ଘରେ ଆମିଷ ହେବନି ମାନେ ହେବନି । ସେ ଯାହାବି ହେଉ ଜେନତେନ ପ୍ରକାରେ ମାସଟା କଟିଗଲା । ଗତ ରବିବାର ଦିନ ମିଶ୍ରବାବୁ ଆମିଷ ବଜାରକୁ ଯାଇଥିଲେ ମାଂସ ଟିକେ ଆଣିବାକୁ, ହେଲେ ମାଂସ ଦୋକାନରେ ଭିଡ଼ ଦେଖି ଠିଆ ହେଇ ଫେରିଲେ ସିନା ତାଙ୍କ ନମ୍ବର ଆସିଲାନି । ଶେଷରେ ପୋହଳା ମାଛ ନେଇ ଘରକୁ ଫେରିଲେ । ମାଛ କଥା ଶୁଣି ରତ୍ନମଣି ଦେବୀ ମିଶ୍ରବାବୁଙ୍କ ଚଉଦ ପୁରୁଷ ଓଗାଳିଦେଲେ । ଶେଷରେ ଗରଗର ହେଇ ପୋହଳା ମାଛ ତରକାରୀ ହେଲା, କିନ୍ତୁ ଖାଇ ବସିଲା ବେଳକୁ ପୁଣି ରତ୍ନମଣି ଦେବୀଙ୍କ ବିଭିନ୍ନ ପ୍ରକାର ପ୍ରବଚନରେ ଦୁଇ ପ୍ରହର ଖାଇବାଟି ଶାନ୍ତିରେ ହେଇ ପାରିଲାନି, କାନମୁଣ୍ଡ ଆଉଁସି ଚୁପକିନା ଖାଇକି ଉଠିଲେ ।
ଏବେ କିନ୍ତୁ ଗତ ବୁଧବାର ଠାରୁ ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ଖବର ଟିଭିରେ ଦେଖି ଦେଖି ଶୁଣି ଶୁଣି ମିଶ୍ରବାବୁଙ୍କ ଅଣ୍ଡାଭିଖାଇବା ପାଇଁ ଭାରି ଇଚ୍ଛାଟା ପ୍ରବଳ ମାତ୍ରାରେ ବଢିଯାଇଛି ଦୁଇଦିନ ହେଲା । ଆଜି ରବିବାର ତେଣୁ ମିଶ୍ରବାବୁ ବଜାର ଯାଇ ଅଣ୍ଡା ଡଜନେଟେ ନେଇ ଆସିଲେ, ଆଉ ଘରକୁ ଆସି ରତ୍ନମଣି ଦେବୀଙ୍କୁ କହିଲେ ଅଣ୍ଡା ଝୋଳ ଟିକେ କର ଆଜି ଅଣ୍ଡା ଝୋଳ ଖାଇବାକୁ ଭାରି ଇଛା ହେଉଛି । ରତ୍ନମଣି ଦେବୀ ଗାରେଡେଇ ଚାହିଁ ହୁଁ କହି ରୋଷେଇ ଘରକୁ ପଶିଗଲେ, ମିଶ୍ରବାବୁ ବି ଖୁସି ଥାନ୍ତି ସେପଟେ ଟିଭିରେ ଅଣ୍ଡା ଉପରେ ବାରମ୍ବାର ତର୍କ ବିତର୍କ ଆଉ ନିଜର ଖାଇବାର ପ୍ରବଳ ଇଚ୍ଛାକୁ ନେଇ । ତାପରେ ଚଷମାଟିକୁ ଆଖିରେ ଲଗେଇ ଖବରକାଗଜ ଟିକୁ ତନ୍ନତନ୍ନ କରି ପଢ଼ିବାରେ ଲାଗିଥାନ୍ତି । ଏହି ସମୟରେ ମିଶ୍ରବାବୁଙ୍କ ଶାଳୀ ଆସି ପହଞ୍ଚିଗଲେ । ଶାଳୀଙ୍କ ମଲ୍ଲିଫୁଲିଆ ହସ ଆଉ ନମସ୍କାରରେ ମିଶ୍ରବାବୁ ବି ଗାର୍ଡେର୍ଣ୍ଣ ଗାର୍ଡେର୍ଣ୍ଣ ହେଇଗଲେ । କିଛି ସମୟ ଭାବର ଆଦାନ ପ୍ରଦାନ ପରେ ଶାଳୀ ମହାଶୟା ଘର ଭିତରକୁ ଗଲେ । ମିଶ୍ରବାବୁଙ୍କ ମନଟା ବି ବେଶ ହାଲୁକା ହେଇଗଲା ।
କିଛି ସମୟ ପରେ ଘରଣୀ ଖାଇବାକୁ ଡ଼ାକିଲେ । ଖାଇବା ଡାଇନିଂ ଟେବୁଲରେ ବସି ମୋବାଇଲ କେଞ୍ଚିବାରେ ଲାଗିଲେ । ଖାଇବା ବଢ଼ା ସରିଲା ପରେ ମିଶ୍ରବାବୁ, ସ୍ତ୍ରୀ ରତ୍ନମଣି ଦେବୀ ଆଉ ଶାଳୀ ହାରାମଣି ତିନିହେଁ ମିଶି ଖାଇବାରେ ଲାଗିଲେ । ମିଶ୍ରବାବୁ ଅଣ୍ଡା ଝୋଳ ହାପୁରି ହାପୁରି ଆତ୍ମ ସନ୍ତୋଷରେ ଖାଉଥାନ୍ତି । ଏପଟେ ଅଣ୍ଡା ତରକାରି ଦେଖି ଶାଳୀ କହିଲେ ସେପଟେ ବିଜେପିର ଅଣ୍ଡା ମାଡ଼ରୁ ମାଗଣା ଅଣ୍ଡା ମିଳିଲାକି ଭାଇନା ? ରବିବାରଟାରେ ମଟନ ନ ଆଣି ଏ ଶସ୍ତା ମାଗଣା ଅଣ୍ଡା ଆଣିଛ ଯେ । ଏକଥା ଶୁଣି ରତ୍ନମଣି ଦେବୀଙ୍କ ଅକଲ ଗୁଡୁମ ହେଇଗଲା ତାଙ୍କୁ ଆଉ ସମ୍ଭାଳେ କିଏ । ଛି ଛାକର, ବଡ଼ ବଡ଼ ଆଖିରେ ଅନେଇ ଗାଳି ବର୍ଷା କରି ଚାଲିଲେ, ମିଶ୍ରବାବୁ ଆଉ ଖାଉବେ କଣ ଖାଇବା ଛାଡ଼ି ଉଠି ହାତ ବି ଭଲସେ ନ ଧୋଇ ଘରୁ ବାହାରି ଯାଇଛନ୍ତି ଯେ ଏଯାଏଁ ଦେଖାନାହିଁ ।
ଆଚାର୍ଯ୍ୟ ବିହାର, ଭୁବନେଶ୍ୱର