
ସାଇତିଛି ଖଣି ତଳେ ।
ଝରଣା ଝରାଇ ତୃଷା ମେଣ୍ଟାଉଛି
ପ୍ରଣତି ଢାଳେ ତା' ତଳେ ।।
ଯା ରେଣୁ ତିଳକ ପୁଣ୍ୟ ଓ ପବିତ୍ର
ଦେବତା ଲିପନ୍ତି ଦେହେ ।
ସେ ଅଙ୍କ ପଣତେ ଶେଷ ସୁଖ ନିଦ୍ରା
ଯିବ ନିଶ୍ଚେ ବିଧି କହେ ।।
ନାନା ଜାତି ଫୁଲ ଫୁଟାଇ ରଖିଛି
ଧରି ଦୁବ ତରୁ ଡାଳେ ।
ଫଳ ମୂଳ ଶାକ ଔଷଧ ସୁଖାଦ୍ୟ
ତା' ଦୟାରେ ସବୁ ମିଳେ ।।
ଉଚ୍ଚ ପରବତ ଛାତିରେ ଧରି ସେ
ଜଙ୍ଗଲକୁ ସାଇତିଛି ।
ପ୍ରଶସ୍ତ ବୁକୁରେ କ୍ଷେତ ପୁରପଲ୍ଲୀ
ଜଗତ ଧରି ପାଳୁଛି ।।
ବିଜୁଳି ଖସିଲେ ଆକାଶ ତଳକୁ
ମାଟି ଛୁଇଁ ଶାନ୍ତ ଯାଏ ।
ତରଳ ଲାଭାଟି କିଛି ଦୂରଯାଇ
ତା' ପରଶେ ଥଣ୍ଡା ହୁଏ ।।
ମାଟିର ଦେବତା ସନ୍ତୁଷ୍ଟ ହୁଅନ୍ତି
ଶ୍ରମ ଝାଳ ଦାନ କଲେ ।
ସେ ଜନ ମର୍ତ୍ତ୍ୟର ବଡ଼ ଶତ୍ରୁ ଅଟେ
ମାଟିକୁ ବିଗାଡି ଚାଲେ ।।
ମାଟିର ମଣିଷ ମାଟିରେ ଖଟିଲେ
ହସଇ ନିଜର ପୁର ।
ମାଟିରେ ଲୋଟିଲେ ମାଟି ହୁଏ ପ୍ରାଣ
ଜୀବ ହୁଏ ନାରଖାର ।।
ଅମାପ ଶକ୍ତିର ଆଧାର ଅଟଇ
ପ୍ରକୃତି ରାଣୀ ମାଟି ।
ଜନନୀ ହୃଦୟ ସାଇତି ସଜାଇ
ମମତା ଦେଉଛି ବାଣ୍ଟି ।।
ପାତର ଅନ୍ତର ନୀତି ରଖିନାହିଁ
ଉଣା କରିନାହିଁ କିଛି ।
ମାଟି ଋଣ ସୁଝ କର୍ମ କର ବୀର
ଯେ ପର୍ଯ୍ୟନ୍ତ ପ୍ରାଣ ଅଛି ।।
ଚିକିଟୀ ଗଡ଼, ଗଞ୍ଜାମ