ଇଛିଲେ ଅନନ୍ତ - ବସନ୍ତ କୁମାର ପଣ୍ଡା

0
ଇଚ୍ଛିଲେ ଅନନ୍ତ ଏ ବ୍ରହ୍ମ ସମ୍ଭୁତ
ରଶ୍ମି ସଞ୍ଚରିଲା ଗର୍ଭେ
ଗୁପ୍ତ କକ୍ଷେ ଲୁପ୍ତ ଅନ୍ଧକାରେ ସୁପ୍ତ
ଜ୍ୟୋତି ପ୍ରକାଶିଲା ପୂର୍ବେ ॥ 

ସଂଯୋଗୀ ସାମର୍ଥ୍ୟ ଚିନ୍ତି ପରମାର୍ଥ
ଥୋଇଲେ ଦେହେ ଜୀବନ
ଜଗତ କଲ୍ୟାଣେ କର୍ତ୍ତବ୍ୟ ସାଧନେ
ଭରିଦେଲେ ବୁଦ୍ଧି ଜ୍ଞାନ ॥ 

କଳୁଷ ରହିତ ବିଶୋଧିତ ଚିତ୍ତ
ମାୟା ବିହୀନ ହୃଦୟ
ସରଳ ବିମଳ ମାନସ ନିର୍ମଳ
ଭୁବନେ ହେଲା ଉଦୟ ॥

ଦେଖିଲା ଏ ନେତ୍ର ଶୋଭା ଦିବାରାତ୍ର
ସଂସାରର ଲୀଳାଖେଳା
ନିୟତିର ସ୍ରୋତେ ଭାସିଲି ଜଗତେ
ଢେଉ ଗଣୁଥିଲା ଭେଳା ॥ 

ଜୀବନେ ଅଶେଷ ବିରଚି ବିଳାସ
ପଥଭ୍ରଷ୍ଟ ହେଲା ଲକ୍ଷ
ଭୁଲିଲି ପ୍ରତିଜ୍ଞା ଆଦିଦେବ ଆଜ୍ଞା
ଆଉ କି ଲଭିବି ମୋକ୍ଷ ॥ 

ଆପଣାର ପଣେ ଆଖପାଖ ଜନେ
ଭାବୁଥିଲି ମୋର ବଳ
ଚଖାଇ ପୀୟୂଷ ପେଉଥିଲେ ବିଷ
ଅନ୍ତରରେ ଥିଲା ଛଳ ॥ 

ଜାଣି ମୁଁ ଅଜଣା ହେଲି ବାଟବଣା
ଭଲ ନଚିନ୍ତିଲା ମନ
ନିଃସ୍ୱାର୍ଥ ପାବନ ସମାଜ କଲ୍ୟାଣ
ନଥିଲା ତହିଁରେ ଧ୍ୟାନ ॥ 

ଅପକର୍ମେ ଲିପ୍ତ ସମୟ ପର୍ଯ୍ୟାପ୍ତ
ବିଳାଶରେ ଗଲା ସରି
ପରମନ୍ଦ ପାଞ୍ଚି ପାପ ଧନ ସଞ୍ଚି
ମଣୁଥିଲି ଦଣ୍ଡଧାରୀ ॥ 

କେତେଯେ ଗରିଷ୍ଠ ମୋ ଠାରୁ ବରିଷ୍ଠ
କେତେ ମହା ମହିପାଳ
ହେଲେଣି ପାଉଁଶ ଦେଖିଯିବା ଆସ
ମଶାଣୀର ବୁକୁ ତଳ,
କି ପାଇଁ ମିଛ ଗାରୀମା
ସକଳ ଗରବ ଦିନେ ହେବ ଖର୍ବ
ସବୁଥିରେ ଥାଏ ସୀମା ॥

ବସନ୍ତ କୁମାର ପଣ୍ଡା, ବଇଞ୍ଚା, ଇରମ, ଭଦ୍ରକ

ଦୂରଭାଷ - ୮୯୭୯୪୪୭୦୩୬

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ