ଓଡ଼ିଆ ସାହିତ୍ୟର ଅମ୍ଳାନ ପ୍ରତିଭା ଡକ୍ଟର ମାୟାଧର ମାନସିଂହ

0
ପଦ୍ମଶ୍ରୀ ଡକ୍ଟର ମାୟାଧର ମାନସିଂହ ଓଡିଆ ସାହିତ୍ୟ ଜଗତର ଜଣେ ଅମ୍ଳାନ ପ୍ରତିଭା । ଖୋରଧା ଜିଲ୍ଲାର ନନ୍ଦଳା ଗ୍ରାମରେ ୧୯୦୫ ମସିହା ନଭେମ୍ବର ମାସ ୧୩ ତାରିଖରେ ଜନ୍ମ ଗ୍ରହଣ କରି ୧୯୭୩ ମସିହା ଅକ୍ଟୋବର ମାସ ୧୧ ତାରିଖରେ ଇହଧାମ ପରିତ୍ୟାଗ କରିଥିଲେ । ଏହି ୬୭ ବର୍ଷର ଜୀବନ କାଳ ମଧ୍ୟରେ ତାଙ୍କ ସାରସ୍ଵତ ସୃଷ୍ଟି ଗୁଡିକ ଓଡିଆ ସାହିତ୍ୟ ଜଗତକୁ ବେଶ ଋଦ୍ଧିମନ୍ତ କରିବାରେ ସହାୟକ ହୋଇପାରିଥିଲା । ସେ ପ୍ରେମ ପ୍ରଣୟର କବି ଅଥବା ପ୍ରେମିକ କବି ଓ ଲେଖକ ଭାବେ ଓଡିଆ ସାହିତ୍ୟ ଜଗତରେ ସୁପରିଚିତ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ରେଭେନ୍ସା ମହାବିଦ୍ୟାଳୟ ସ୍ନାତକ ପାଠ୍ୟକ୍ରମ ସାରିବାପରେ, ପାଟଣା ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର (ଏମ.ଏ.) ପାସ କରିଥିଲେ । ବିଲାତର ଡରହାମ ବିଶ୍ଵବିଦ୍ୟାଳୟରେ ‘ସେକ୍ସପିୟର ଓ କାଳିଦାସ’ ଙ୍କ ସାହିତ୍ୟରେ ତୁଳନାତ୍ମକ ପ୍ରବନ୍ଧ ପ୍ରସ୍ତୁତ କରି ସେ ପି.ଏଚ.ଡି. ଉପାଧି ମଧ୍ୟ ଲାଭ କରିଥିଲେ । ସ୍ଵାଧୀନତା ପୂର୍ବବର୍ତ୍ତୀ ସମୟରେ ‘ଆରତି’ ପତ୍ରିକାର ସମ୍ପାଦନା କାର୍ଯ୍ୟରେ ସେ ସଂପୃକ୍ତ ଥିଲେ । ସ୍ଵାଧୀନତା ପରେ ସେ ‘ଶଙ୍ଖ’ ନାମକ ଏକ ମାସିକ ସାହିତ୍ୟ ପତ୍ରିକାର ସମ୍ପାଦନା ମଧ୍ୟ କରୁଥିଲେ ।

ଓଡ଼ିଶାର ପ୍ରଥମ ଡକ୍ଟରେଟ ଉପାଧିଧାରୀ, ମାୟାଧର ମାନସିଂହ କବିରୂପେ ପିରିଚିତ ହେଲେ ସୁଦ୍ଧା ତାଙ୍କର ବହୁ ପ୍ରବନ୍ଧଗୁଡିକରେ ମାନସିଂହ ଜଣେ ସଫଳ ଗଦ୍ୟ ଲେଖକ ରୂପେ ଉଭା ହୋଇଛନ୍ତି । ତାଙ୍କର ତୀକ୍ଷଣ ବ୍ୟଞ୍ଜନା, ଗଭୀର ଅନ୍ଵେଷା ଓ କାବିକ୍ୟ ଦୃଷ୍ଟିରେ ପ୍ରବନ୍ଧଗୁଡିକ ନିଜର ସ୍ଵତନ୍ତ୍ର ସ୍ଥିତି ବଜାୟ ରଖି ପାରିଛି । ପ୍ରବନ୍ଧ ପୁସ୍ତକ ମଧ୍ୟରେ “ଜୀବନ ପଥ”, “ଶିକ୍ଷା, ଶିକ୍ଷକ, ଶିକ୍ଷାୟତନ”, “ଓଡ଼ିଆ ସମାଜ ଓ ସାହିତ୍ୟ” ପ୍ରଭୃତି ଅନ୍ୟତମ । ଡକ୍ଟର ମାନସିଂହ ସାଧରଣ ଜୀବନର ସମସ୍ୟା ଠାରୁ ଆରମ୍ଭ କରି ସାହିତ୍ୟ, ସମାଜ, ସସ୍କୃତି ଇତ୍ୟାଦି ସମ୍ବନ୍ଧରେ ବହୁ ପ୍ରବନ୍ଧ ରଚନା କରିଛନ୍ତି । ଓଡିଆ ସାହିତ୍ୟର ପ୍ରାବନ୍ଧିକ ଗଣ ତାଙ୍କର ପ୍ରତ୍ୟେକ ପ୍ରବନ୍ଧରେ ସତ୍ୟାନୁସନ୍ଧାନ କରିଛନ୍ତି । ସତ୍ୟ ଯେତେ ଅପ୍ରିୟ ହେଲେ ସୁଦ୍ଧା ସେ ସବୁକୁ ପ୍ରକାଶ କିରିବାକୁ ସଙ୍କୋଚ ବୋଧକରି ନାହାନ୍ତି ଡକ୍ଟର ମାୟାଧର ମାନସିଂହ ।

ତାଙ୍କ ରଚିତ କାବ୍ୟ ଓ କବିତା ସଂକଳନ ମଧ୍ୟରେ, “ଏଇ ସହକାର ତଳେ, ଧୁପ, ସାଧବ ଝିଅ, ହେମଶସ୍ୟ, ପଲ୍ଲୀସନ୍ଧ୍ୟା, ମହାନଦୀରେ ଜ୍ୟୋତ୍ସ୍ନା ବିହାର, ରୂପଦେବତା, କୋଣାର୍କ, ଦୂରେ ରହ ଏବଂ କମଳାୟନ (କାବ୍ୟ)” ଆଦି ଅନ୍ୟତମ । ଅନ୍ୟାନ୍ୟ ଗଦ୍ୟ ସଂକଳନ ମଧ୍ୟରେ, ଭ୍ରମଣ କାହାଣୀ, ସମାଲୋଚନା ପ୍ରବନ୍ଧ ସଂକଳନ, ଓଡିଆ ସାହିତ୍ୟର ଇତିହାସ ଆଦି ଅତ୍ୟନ୍ତ ଉପାଦେୟ ରଚନାବଳୀ ଗୁଡିକ, ଯଥା – ପଶ୍ଚିମ ପଥିକ (ଭ୍ରମଣ କାହାଣୀ), କବି ଓ କବିତା (ସମାଲୋଚନା ପ୍ରବନ୍ଧ ସଂକଳନ), ସାହିତ୍ୟ ଓ ସମାଜ, ମାଟିର ମହାକବି ସାରଳା ଦାସ, ଶିକ୍ଷା-ଶିକ୍ଷକ ଓ ଶିକ୍ଷାୟତନ, ଜୀବନପଥ, ଜୀବନୀ ଓ ପ୍ରବନ୍ଧ, ଶିକ୍ଷାର କିଏ-କଣ-କାହିଁକି, ଶିକ୍ଷାବିତ୍‌ର ଗାଥା, ସରସ୍ଵତୀ ଫକୀର ମୋହନ ଆଦି ଓଡିଆ ସାହିତ୍ୟ ଜଗତକୁ ତାଙ୍କର ଅନବଦ୍ୟ ଅବଦାନ ଅଟେ । ଏହାଛଡା ସେ ଇଂରାଜୀ ସାହିତ୍ୟ ଜଗତର କବି ସେକ୍ସପିୟରଙ୍କ ରଚିତ “ଓଥେଲା” ପୁସ୍ତକର ଓଡିଆ ଅନୁବାଦ ମଧ୍ୟ କରି ଯାଇଛନ୍ତି । ଓଡିଆ ସାହିତ୍ୟ ଜଗତର ଏହି ଅମ୍ଳାନ ସାରସ୍ଵତ ବ୍ୟକ୍ତିତ୍ଵ ପଦ୍ମଶ୍ରୀ ଉପାଧିରେ ଭୂଷିତ ହୋଇଥିଲେ ।

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ