
ଆଜି କାହିଁ ତୁମେ ଚାଲି ଗଲ ପ୍ରିୟା
ପାଉନି ଖୋଜି ତୁମକୁ
କେମିତି ବଞ୍ଚିବି ଏ ଜୀବନ ଧରି
ଫେରିଆସ ମୋପାଖକୁ। ।୧।
ତୁମ ହାତ ଧରି ବୈତରଣୀ ନଦୀ
ଲଙ୍ଘିବା ଥିଲା ମନରେ
ଅଧାବାଟୁ ଧକ୍କା ଦେଇଗଲ ଚାଲି
ଭାଳୁଛି ଖାଲି ହୃଦରେ ।୨।
ଭଲ ପାଇବାର ଅସରନ୍ତି ଆଶା
ଦେଇଥିଲୁ ମନେ ଭରି
ତୋ ବିହୁନେ ଆଜି କେମିତି ବଞ୍ଚୁଛି
ପାରିବୁନି ଧୈର୍ଯ୍ୟଧରି ।୩।
ହୁଅନି ନିର୍ଦୟ ଆଜି ତୁମେ ପ୍ରିୟା
ଦିଅନି ଆଉ ଯନ୍ତ୍ରଣା
କାହାକଥା ଶୁଣି ହୁଅ ନାହିଁ କେବେ
ଜାଣିଶୁଣି ବାଟବଣା ।୪।
ସତ ମୁଁ କହୁଛି ହେ ପ୍ରିୟା ତୁମକୁ
କରି ନାହିଁ କେବେ ଭୁଲ୍
ପୂର୍ଣ୍ଣ କରିବାକୁ ଶେଷ ଇଚ୍ଛା ମୋର
କର ନାହିଁ ଆଉ ରୋଲ୍ ।୫।
ସ୍ବପ୍ନ ମୋର ଆଜି ରହିଗଲା ଅଧା
କେବଳ ତୁମରି ପାଇଁ
ଫେରି ଆସ ଯଦି କେବେ ମୋ ପାଖକୁ
ନଦେବି ଦୂରେଇ ମୁହିଁ ।୬।
ଦୁନିଆ ଦାଣ୍ଡରେ ଲୋକହସା କରି
କେଉଁ ଯଶ ଅରଜିଲ
ଜାଣିଲି ମୁଁ ଆଜି ତୁମେ ଗଲ ହଜି
ମନ ହୁଏ କଲବଲ। ।୭।
ଅନ୍ଧଭଳି ଭଲ ପାଉଥିବା ଜଣେ
ନିର୍ମଳ ଭାବ ମଣିଷ
ପାଇଥିଲି ଭଲ ଗଲ ଦୂର ଦେଶ
ଭରିଦେଇ ମନେ ବିଷ ।୮।
ଅବୁଝା ହୁଅନି ତୁମେ ପ୍ରିୟା ମୋର
ବୁଝାଇ ଦିଅ ମନକୁ
ଧୈର୍ଯ୍ୟର ସହିତ ଅପେକ୍ଷା କରିଛି
ଫେରିବ ବୋଲି ପାଖକୁ। ।୯।
ଶବ ଭାସି ଯାଏ ଗଙ୍ଗା ନଦୀ ଜଳେ
ତଥାପି ପାଣି ପଵିତ୍ର
ସତ ମୁଁ କହୁଛି ଫେରିଆସ ପ୍ରିୟା
ନୁହଁଇ ମୁଁ ଅପବିତ୍ର। ।୧୦।
ତୁମ ଅନୁପସ୍ଥି ଭାରି ବାଧୁଅଛି
ହୃଦୟ ହେଉଛି ହାଣି
କେତେ ଦୁଃଖରେ ମୋ ଦିନ ବିତୁଅଛି
ପାରିବନି ତୁମେ ଜାଣି ।୧୧।
ସୁନାଘର ଆଉ କର ନାହିଁ ଚୂନା
ବାହୁଡି ଆସ ଘରକୁ
ପୂରଣ ହୋଇବ ମନସ୍କାମ ମୋର
ନୟନେ ଦେଖି ତୁମକୁ ।୧୨।
ଇତିହାସ କଥା ମନେଅଛି ପ୍ରିୟା
ଭାଙ୍ଗି ଯାଇଅଛି ଗଡ଼
ଗର୍ବ ଅହଂକାର ପାଇଁ ସର୍ବନାଶ
କେତେକେତେ ରାଜାଗଡ଼ ।୧୩।
କରନାହିଁ ଗର୍ବ ଅହଂକାର ପ୍ରିୟା
ଅକାଳେ ହୋଇବ ଧ୍ବଂସ
ହୃଦୟର ଦ୍ବାର ଖୋଲା ମୁଁ ରଖିଛି
ଯଥାଶୀଘ୍ର ଫେରି ଆସ ।୧୪।
ତଥାପି କଲ୍ଯାଣ କରୁଛି ତୁମକୁ
ନ ଆସୁ ଜୀବନେ ଝଡ଼
ଶୟନେ ସପନେ ଅବା ଜାଗରଣେ
ତୁମେ ଆଜି ମନେପଡ଼ ।।୧୫।।
ସମ୍ପାଦକ-ମୋ ଅନୁଷ୍ଠାନ, ଆଳଦା, ଖଇରା,ବାଲେଶ୍ବର, ମୋ-୯୮୫୩୧୪୨୫୧୦