
ଯେନ୍ ମାଟି ମୋର୍ ନଲୁଆ ପଡ଼ିଛେ
ହେଟାତ ମୋର୍ ଗାଁ
କେଡେ ଅଏନ୍ ମାଏଟ୍, ପାଏନ୍,ପବନ୍
ସନ୍ଧିବାହାଲ୍ ତାର୍ ନାଁ ।।
ମୋର୍ ଗାଁ ମଝି ମାଏଶିରି ଗୁଡ଼ି
ଭକ୍ତର୍ ଦୁଃଖ୍ ହରେ
ବୁଢ଼ାରଜା ଆମର୍ ପୂଜା ପାଉଛନ୍
ବେରିପାଲି ରୋଡ଼୍ ତରେ ।।
ସପ୍ତାକେ ଥରେ ଗୁରୁବାର୍ ଦିନେ
ଗାଁ ନ ବସ୍ସି ହାଟ୍
ବଡ଼୍ କଟାର ପାଏନ୍ ଝଳି ମାରୁଛେ
କେଡ଼େ ସଫା ବାଟ୍ ଘାଟ୍ ।।
ଚାଏର୍ ଟା ୱାର୍ଡର୍ ଗାଁ ଟା ଆମର୍
ଗାଁ ନ ଅଛେ ପଞ୍ଚେତ୍
ବାରମାସି ମିଳେ କଞ୍ଚା ତୁନ୍ ଶାଗ୍
ଶାଗୁଆ ସୁନ୍ଦର୍ ସବୁ କ୍ଷେତ୍ ।।
ଗାଁର୍ ବୁଢ଼ା ଡଙ୍ଗର୍ ଶାଗୁଆ ସୁନ୍ଦର୍
କୁରେଫୁଲ୍ ଯାଏ କହଁରି
ଜୋର୍ ବୁହିଯାଏ ଖଲ୍ଖଲାନୁ
ଉହୁଲେନ୍ ଖେଳୁ ପହଁରି ।।
ପହପହନୁ ପର୍ଭାତୀ ପାର୍ଟି
ଗାଇ ମହାମନ୍ତର୍
ଗାଁନ କରସନ୍ ନଗର୍ କୀର୍ତ୍ତନ୍
ପାପ୍ ତାପ୍ କେତେ ମାତର୍ ।।
ରଥଯାତ୍ରା, ନୂଆଖାଇ ଆର୍
ଭାଏ ଜୀଇଁତା ବଡ଼୍ଉଷା
କାର୍ତ୍ତିକ୍ ମାସେ ପଂଚ୍କ ବୁଡ଼ା
ମଗ୍ସିର ମାସେ ମାନ୍ ବସା ।।
ଫି ବଛର୍ ହେସି ନାମ୍ ଯଜ୍ଞ
ଗହଗହ ମହମହ ଗାଁ ସାରା
ହିଂସା ଅହଙ୍କାର୍ କିଛି ନେଇଁନ
ଭର୍ପୁର୍ ଅଛେ ଭାଇଚାରା ।।
ଶ୍ୟାମସୁନ୍ଦର କୁମ୍ଭାର
ସନ୍ଧିବାହାଲ, ଗାଇସିଲେଟ, ବରଗଡ଼, ଓଡିଶା