
ଅଦିନ ବରଷା ଵରଷିବ ବୋଲି
ଭାବି ନଥିଲି ମନରେ
କେତେ ଯତନରେ ବାନ୍ଧିଥିଲି ବସା
ଭାଙ୍ଗିଦେଲା କ୍ଷଣିକରେ ।୧।
ବିଜୁଳି ଆଲୋକେ ଘଡଘଡି ଶବ୍ଦେ
ପ୍ରକମ୍ପିତ ହେଉଥିଲା
ରଙ୍ଗ ତା ଧୂସର ସୁମଧୁର ସ୍ବର
ଅବେଳରେ ବରଷିଲା ।୨।
ଛାଡିଗଲା ବର୍ଷା ଦେଇଗଲା ଦୁଃଖ
ରହିଲା ମନରେ ମୋର
ଦୁଃଖ ଦରିଆରେ ଭାସୁଅଛି ଏବେ
କେମିତି କରିବି ଘର ।୩।
ଯେତେ ବୁଝାଇଲେ ବୁଝିଲା ନାହିଁ ତ
ଅମାନିଆ ମନ ତାର
କେଉଁଠି ରହିଲା ଦୋଷଯେ ମୋହର
କରିଲା ମୋତେ ସେ ପର ।୪।
ଲୋକହସା ଆଜି କରିଲୁ ଜଗତେ
ପାଉନାହିଁ ଥଳକୂଳ
ଭାଗ୍ଯମୋର ଛୋଟ ଦେଲୁ ବହୁ କଷ୍ଟ
ମୋ ସଙ୍ଗେ ଖେଳିଲୁ ଖେଳ ।୫।
ତୋପରି ମଣିଷ ଆଜିଏ ସମାଜେ
ଅଛନ୍ତିରେ କେତେ ଜଣ
ସ୍ବାର୍ଥପର ହୋଇ ଗୋଇଠା ମାରନ୍ତି
ମୁହଁକୁ କରିଣ ଟାଣ ।୬।
ଅସମୟରେ ଆସି କରଥାନ୍ତି ଵସା
ଦେବାକୁ ଦିବ୍ୟ ଆଲୋକ
ବୁଝି ନପାରନ୍ତି ସାର ମର୍ମ ସିଏ
ଚକ୍ଷୁରେ ଭରି ଲୋତକ ।୭।
ଭସାବାଦଲ ସେ ଭାସିଗଲା ଆଜି
ଦେଇଗଲା କେତେ କଷ୍ଟ
ଯେତେ ଚେଷ୍ଟାକଲେ ପାଉନାହିଁ ଭେଟ
ଭାବୁଛି ମୁଁ କାଳେ ଦୁଷ୍ଟ ।୮।
କରି ନାହିଁ ଭୁଲ୍ ଲେଖିଛି କଲମେ
ନିଜ ଅନୁଭୂତି କଥା
ନିଜ ପରିବାରେ ପଡିଶାର ଘରେ
ରହିଛି ଅନେକ ବ୍ଯଥା ।୯।
ସୁନା ଚିହ୍ନେସିନା ସୁନାରି ବଣିଆ
ବନ୍ଧୁ ତ ଚିହ୍ନେ କୁଣିଆ
ଚିହ୍ନିଲାନି ବନ୍ଧୁ ହେଲା ଅମାନିଆ
ଜାଣିଲା ସାରା ଦୁନିଆଁ ।୧୦।
ମାନ ଅଭିମାନ ଭରିଛି ସଂସାରେ
କେହିତ ନୁହେଁ କାହାର
ନିଜସ୍ବାର୍ଥ ପାଇଁ ଅଭିମାନେ ଲୋକ
କରନ୍ତି ରଣ ହୁଙ୍କାର ।୧୧।
କବିର କଲମ କବିତାର ମର୍ମ
ହୋଇବ ଚିର ସୁନ୍ଦର
କରୁଛି ଶପଥ ଆଜି ଏହି ମଞ୍ଚେ
ହେବିନି କାହା ନିଜର ।। ୧୨ ।।