Ad

header ads

ପ୍ରବନ୍ଧ - ଅଳ୍ପ ବିଦ୍ୟାଧାରୀ ପଣ୍ଡିତ - ନାରାୟଣ ଚନ୍ଦ୍ର ସେନାପତି

  ପଣ୍ଡିତ ପଣ୍ଡିତ ପଣ୍ଡିତ।ଏ ପଣ୍ଡିତ ଶବ୍ଦଟା ଶୁଣିଲା ବେଳେ ଲାଗେ ଯେମିତି ସର୍ବଜ୍ଞ କି ସ୍ୱୟଂ ଭଗବାନଙ୍କ ଧର୍ମଦୂତ । ଆଖି ଆଗରେ ଏକ ଶୁଦ୍ଧ ପୁତ ରୂପ ଆସିଯାଏ,ହୁଏ ତ ଧଳା ଧୋତି ପିନ୍ଧା ସଂସ୍କୃତ ପଣ୍ଡିତ କିବା ଗେରୁଆ ବସ୍ତ୍ର ପିନ୍ଧା ସାଧୁ କିମ୍ବା ମୁଣ୍ଡରେ ଚିତା ଚୈତନ ରଖିଥିବା ସାଧୁ ସନ୍ୟାସୀ।ତଥାପି ଏ ପଣ୍ଡିତ ଶବ୍ଦଟା ଏତେ ମହନୀୟ ଯେ ବେଳେବେଳେ ଶୁଭାଯାଏ,"ଓଃ ବଡ଼ ପଣ୍ଡିତ ପରି ପ୍ରବଚନ ଦେଉଛୁ"।ଏଥିରୁ ସ୍ପଷ୍ଟ ଲାଗେ ପଣ୍ଡିତ ନିଶ୍ଚୟ ଜଣେ ସୁପ୍ରବଚକ ହୋଇଥିବେ କିବା ଜଣେ ପୁରୋହିତ ହୋଇଥିବେ ନଚେତ ଜଣେ ବଡ ଗାୟକ ହୋଇଥିବେ କିମ୍ବା ଜଣେ ଅନର୍ଗଳ ବକ୍ତା ହୋଇଥିବେ।କାଳୀପୂଜା, ଦୂର୍ଗାପୂଜା କିମ୍ବା ଚଣ୍ଡିପୁଜା ବେଳେ ଯେଉଁ ଶୁଦ୍ଧପୂତ ପୁରୋହିତ ଅବା ପୂଜକ ଯେଉଁ ପୂଜା ଓ ଯଜ୍ଞ କରନ୍ତି, ତାଙ୍କୁ ଦେଖିଲେ ବି ପଣ୍ଡିତର ଛାପ ମନକୁ ମନ ଆସିଯାଏ।ପ୍ରକୃତରେ ଏ ବିଶ୍ଳେଷଣ ଓ ବର୍ଣ୍ଣନାରୁ ଅନୁମେୟ ହୁଏ ଯେ ପଣ୍ଡିତ ଜଣେ ଏଭଳି ବିଦ୍ୱାନ ଯିଏ ଶାସ୍ତ୍ରକୁ ପାଥେୟ କରି ଉପଯୁକ୍ତ ଯୁକ୍ତି ବ୍ୟାଖ୍ୟା ମାଧ୍ୟମରେ ପ୍ରତ୍ୟେକ ଜଟିଳ ପ୍ରଶ୍ନର ସରଳ,ସହଜ ଉତ୍ତର କୁଶଳୀ ଭାବେ ପ୍ରଦାନ କରନ୍ତି।ଅବଶ୍ୟ ଏହି ଉଦାହରଣ ସବୁ ପୋଥି ପୁରାଣ,ମନ୍ତ୍ର ଶ୍ଳୋକ,ବିଭିନ୍ନ ବେଦର ଶ୍ଳୋକ ନୀତି ଉପଦେଶକୁ ପାଥେୟ କରି ପ୍ରଦତ୍ତ ହୋଇଥାଏ ଯାହାକି ଆଦୃତ,ସର୍ବାଗ୍ରେ ଗ୍ରହଣୀୟ।

     ଆଶ୍ଚର୍ଯ୍ୟ ଲାଗେ ତାଙ୍କ ତତ୍ତ୍ୱ,ତଥ୍ୟ,ଉପମା,ରୁଢୀ,ପ୍ରବଚନ,ମେଳକ ପଦ,ସାଙ୍କେତିକ ଶବ୍ଦ, ଯାହାକି ସରଳ ଯନ୍ତ୍ର ପରି ଜଟିଳ ସମସ୍ୟା ଗୁଡିକର ସହଜ ସମାଧାନ କରିଦିଅନ୍ତି।ଏଭଳି ବ୍ୟକ୍ତିତ୍ୱଙ୍କୁ ଦେଖିଲେ ମୁଣ୍ଡ ଆପେ ଆପେ ନଇଁଯାଏ,କାରଣ ସେମାନଙ୍କ ଜ୍ଞାନ ବିଜ୍ଞାନ ସହ ବେଶଭୁଷା ପରିପାଟୀ, ଆଚାର ବ୍ୟବହାର,ବିଚାର ବିବେକ,ଚିନ୍ତା ଚେତନା ଅତି ଆଦରଣୀୟ ଓ ସଂସ୍କୃତି, ସଂସ୍କାର ପୂର୍ଣ୍ଣ ହୋଇଥାଏ।

     କିଏ କିଏ ବି କହନ୍ତି, ଏ ପଣ୍ଡିତ କି ଜ୍ଞାନୀ ! କି ଶିକ୍ଷା ଦୀକ୍ଷା ତାଙ୍କର ? ବିଦ୍ୟା ବୁଦ୍ଧିରେ ସେ ଅତୁଳନୀୟ।ମନ୍ତ୍ର ତନ୍ତ୍ର ପାଠ କ'ଣ ବା ଅଜଣା ଅଛପା ତାଙ୍କୁ?ତେବେ ଏସବୁ କଥା ବିଚାର କଲାବେଳେ ମନକୁ ସ୍ୱତଃ ପ୍ରଶ୍ନଟିଏ ଆସେ,ବିଦ୍ୟା କଣ ? ଜ୍ଞାନ ପୁଣି ଗୋଟାଏ କଣ ? ଏ ପାଠ କଣ ଅଲଗା ଚିଜ ? ଆଉ ପୁଣି ଶିକ୍ଷା ଗୋଟାଏ କଣ ମ ? କେହି କେହି ଅଣ ପଣ୍ଡିତ ବି କହନ୍ତି,ଆରେ ଏଇ ସାମାନ୍ୟ କଥାଟା ଜାଣିନାହୁଁ ? ବିଦ୍ୟା,ଜ୍ଞାନ,ପାଠ ଆଉ ଶିକ୍ଷା ଏସବୁ ପରା ସବୁ ସମାନ।ମନରେ ବି ପ୍ରଶ୍ନ ଉଙ୍କି ମାରେ ଯଦି ଏସବୁ ସମାନ ତେବେ ଯେକୌଣସି ଗୋଟିଏ ହୋଇଥିଲେ ବି ଚଳିଥାନ୍ତା।

    ଥରେ ଗୋଟିଏ ଛୋଟ ପିଲା ଏକଥା ଜଣେ ଯାତ୍ରା ବାଲା ପଣ୍ଡିତ,ମାନେ ରାତିରେ ମଞ୍ଚରେ ପଣ୍ଡିତ ପାର୍ଟ ଯିଏ କରୁଥିଲା ତାକୁ ପଚାରିବାରୁ ସେ ନିମିଷକ ମଧ୍ୟରେ ଉତ୍ତର ଦେଲେ,ହା ହା ହା...ଆରେ ଜଣେ ଲୋକର ଯେମିତି ବହୁତ ନାମ, ସୂର୍ଯ୍ୟଙ୍କର ଯେମିତି ବହୁତ ନାମ ସେମିତି ତାଙ୍କର ନାମ ଗୁଡାକ ଅଛି।ପିଲାଟି ଛୋଟ ହେଲେ କଣ ହେବ ତା ମନକୁ ପାଇଲା ନାହିଁ।ତା ବାପାଙ୍କୁ ବି ଯାଇ ପଚାରିଲା,ତା ବାପା କମାର ଥିଲେ ,ଯିଏକି ଲୁହାକାମରେ ଓସ୍ତାତ୍, ସେ ବି ସେୟା କହିଲେ।ଉଦାହରଣ ଦେଇ ପ୍ରାଞ୍ଜଳ ଭାବେ ବୁଝାଇ କହିଲେ,ଦେଖୁନୁ ସେଇ ସମାନ ଲୁହା କିନ୍ତୁ ଦାଆ, କଟୁରୀ, କୋଦାଳ ମନ ଇଚ୍ଛାରେ ମୁଁ ତିଆରୁଛି।ପିଲାଟି ମୁଣ୍ଡ ଟୁଙ୍ଗାରି ଦେଲା ସତ ହେଲେ ତା ମନ ଆଦୌ ଏ ବଳଦିଆ ପାଠକୁ ଗ୍ରହଣ କଲା ନାହିଁ।

     ପ୍ରକୃତରେ ପୂର୍ବ ଅଭିଜ୍ଞତାକୁ ପାଥେୟ କରି ନୂତନ ଜ୍ଞାନ ଅର୍ଜ୍ଜନ କରିବା ହିଁ ଶିକ୍ଷା।ପୁନଶ୍ଚ ଶିକ୍ଷା କହିଲେ ବିଦ୍ୟା ଓ ଶୃଙ୍ଖଳାର ସମ୍ମିଶ୍ରଣକୁ ହିଁ ବୁଝାଏ।ଅଜଣା ଜିନିଷ,ତଥ୍ୟ ବା ବିଷୟ ଜାଣିବାକୁ ଜ୍ଞାନ କୁହାଯାଏ।କିଏ କିଏ ବି କହନ୍ତି ପାଦଠାରୁ ଠୁଳ ପର୍ଯ୍ୟନ୍ତ ବିଷୟ ଜାଣିବାକୁ ହିଁ ପାଠ କହନ୍ତି।ଅନ୍ୟତ୍ର ଦେଖିବାକୁ ଗଲେ ପ୍ରାଥମିକ ଠାରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ପୁସ୍ତକଗତ ବିଷୟ ଓ ବାହ୍ୟ ଜିନିଷ ସମସ୍ତ  ଜାଣିବାକୁ ହିଁ ପାଠ କହନ୍ତି।ତେବେ ଏ ସମସ୍ତ ଜିନିଷକୁ ତୁଳନା କଲେ କି ସାମଞ୍ଜସ୍ୟ ଦେଖିଲେ ଜଣାଯାଏ ଏମାନଙ୍କ ମଧ୍ୟରେ କ୍ଷୀର ନୀରର ସମ୍ପର୍କ ଅଛି।

        ଚର୍ଚ୍ଚା ହୁଏ ପଣ୍ଡିତ କେତେ ପ୍ରକାରର,ଆଉ କ'ଣ କ'ଣ ? ବୋଧହୁଏ ଅଳ୍ପ ବିଦ୍ୟାଧାରୀ ପଣ୍ଡିତ ଆଉ ବହୁ ବିଦ୍ୟାଧାରୀ ପଣ୍ଡିତ ଏମିତି ହୋଇପାରେ।ମାତ୍ର ସେମିତି ପ୍ରକାରଭେଦ ଆଦୌ ଔପଚାରିକ ନୁହଁ।ତେବେ ବିଦ୍ୟା କଥା ଯେବେ ଆସେ ସାଧାରଣରେ ଭାବନ୍ତି କେତେ ପାଠ ପଢ଼ିଛି?ଲୋକ ବି ଭାବନ୍ତି ଯିଏ ଯେତେ ଅଧିକ ପଢ଼ିଛି ତାର ବିଦ୍ୟା ଅଧ୍ୟୟନ ଅଧିକ କି ଜ୍ଞାନ ଅଧିକ ନିଶ୍ଚୟ ହୋଇଥିବ,ସେ ଉଚ୍ଚ ଶିକ୍ଷିତ ହୋଇଥିବ।କିନ୍ତୁ ଏହା ସଂକୀର୍ଣ୍ଣ ମନର ବିସ୍ତୃତ ମତ।ତେବେ ଅଳ୍ପବିଦ୍ୟା ଧାରୀ ପଣ୍ଡିତ କାହାକୁ କହିବା?

    ଥରେ ସମ୍ରାଟ ଆକବରଙ୍କୁ ତାଙ୍କ ଅତି ପ୍ରିୟ ମନ୍ତ୍ରୀ ମାର୍ଗଦର୍ଶକ ବୀରବଲ ଅଳ୍ପ ବିଦ୍ୟାଧାରୀ ପଣ୍ଡିତ କହିବାରୁ ତାଙ୍କ ମନରେ ଦୁଃଖ ଓ ଅତିଶୟ କ୍ରୋଧ ଜାତ ହେଲା। ସେ ଜିଦ ଧରି କହିଲେ ତାହା ପ୍ରମାଣିତ କରିବା ପାଇଁ।ବୀରବଲ ବି ଠିକ ସମୟରେ ପ୍ରମାଣ ଦେବେ ବୋଲି ପ୍ରତିଜ୍ଞା ବଦ୍ଧ ହେଲେ।

     ଆକବରଙ୍କ ସାମ୍ରାଜ୍ୟରେ ଏକ ମସ୍ତବଡ଼ ପୋଖରୀ ଥିଲା ଓ ଏହାର ଜଳ ଏତେ ଥଣ୍ଡା ଥିଲା  ଯେ ସେଥିରେ  ସ୍ନାନ କରିବା ଆଦୌ ସମ୍ଭବ ନ ଥିଲା।ଥରେ ରାଜା ଏହାର ସତ୍ୟତା ପରୀକ୍ଷା ପାଇଁ ଘୋଷଣା କଲେ ଯେ ଯିଏ ରାତିସାରା ସେ ପୋଖରୀରେ ପଶି ରହିଯିବ ତାକୁ କିଛି ଜମି ଓ ସୁନା ରୂପା ଉପହାର ଦିଆଯିବ।କେହି ସାହସ କଲେନାହିଁ,କାରଣ କେହି ବି ଜାଣି ଜାଣି ମରିବାକୁ ଚାହୁଁ ନ ଥିଲେ।ଗାଁରେ ରହୁଥିଲେ ଜଣେ ଦରିଦ୍ର ବୃଦ୍ଧ ବ୍ରାହ୍ମଣ, ତାଙ୍କ ବୃଦ୍ଧା ପତ୍ନୀ ଆଉ ଚାରୋଟି ଛୁଆ।ଭିକ୍ଷା ମାଗି ପରିବାର ପ୍ରତିପୋଷଣ କରିବା ତା ପାଇଁ ଅତିଶୟ କଷ୍ଟ ଥିଲା।ଅଧା ଦିନ ଉପବାସ ରହିବା, ଭଲ ପୋଷାକ ଖଣ୍ଡେ ପିନ୍ଧିବା ଓ ଭଲ ଘରେ ରହିବା ଥିଲା ପରିବାର ପାଇଁ ଥିଲା ସ୍ବପ୍ନ।ତେଣୁ ସେ ଭାବିଲେ ବରଂ ମଲେ ମରିବି କିନ୍ତୁ ଯଦି ବଞ୍ଚିଯାଏ ତେବେ ମୋ ପରିବାର ତ ଶାନ୍ତିରେ ସବୁଦିନ ପଶି ଆନନ୍ଦରେ ବଞ୍ଚିଯିବେ।ତେଣୁ ରାତିସାରା ସେ ପୋଖରୀରେ ରହି ବଂଚିଗଲା ଓ ରାଜାଙ୍କୁ ଜମି ଓ ସୁନାରୂପା ଦାବୀ କଲା।ମାତ୍ର ଜଣେ ବୃଦ୍ଧ ଏ ଜଟିଳ କାମ ଅସମ୍ଭବ, ଏ ଆଶ୍ଚର୍ଯ୍ୟ ଜନକ ବିଷୟ ପାଇଁ ରାଜା କେମିତି ଓ କଣ କରି ରହିଲେ ପ୍ରଶ୍ନ କରିବାରୁ ଲୋକଟି କହିଲା, ସେ କେବଳ ଦୀପଦାଣ୍ଡିର ଆଲୁଆକୁ ଚାହିଁ ରାତିସାରା ପାଣିରେ ରହିଗଲା।ରାଜା କହିଲେ, ଓଃ ତୁ ତାହେଲେ ଆଳୁଅରୁ ଉତ୍ତାପ ପାଇ ରାତିସାରା ରହିଗଲୁ।ତେଣୁ ତୋତେ କିଛି ବି ମିଳିବ ନାହିଁ

  ବଡ଼ ଲୋକକୁ ଉତ୍ତର ନାହିଁ।ତେଣୁ ବିଚରା କିଛି ନ ପାଇ ଓ ରାତିସାରା ଥଣ୍ଡା ଖାଇ ଭୀଷଣ ଜ୍ଜ୍ବରରେ ପୀଡିତ ହେଲା।ଏକଥା ବୀରବଲ କୁ ବହୁତ ବାଧିଲା।ସେ ଖୋଜୁଥିଲେ ସୁଯୋଗ।ଅଳ୍ପ ବିଦ୍ୟାଧାରୀ ପଣ୍ଡିତଙ୍କୁ ପ୍ରମାଣ ଦେବା ପାଇଁ।

  ଅଳ୍ପ କିଛି ଦିନ ପରେ ପଡୋଶୀ ରାଜ୍ୟର ରାଜା ହଠାତ୍ ଯୁଦ୍ଧ ଘୋଷଣା କଲେ।ତେବେ ଆକବର ତତ୍ କ୍ଷଣାତ ଦୂତଙ୍କୁ ପଠାଇଲେ ଖୁବ୍ ଶୀଘ୍ର ବୀରବଲ ଆସିବା ପାଇଁ।ଉପାୟ ଚିନ୍ତା କରି ବୀରବଲ କହିଲେ ମୁଁ ଖାଇସାରି ଯିବି।ଦୂତ ଚାଲିଗଲା ମାତ୍ର ବୀରବଲ ଘର ପଛ ବାଡିର ଏକ ବିରାଟ ଶାଳଗଛକୁ ଚଢି ତାର ଏକ ଡାଳରେ ଏକ ଶିକାରେ ହାଣ୍ଡିଟିଏ ବସାଇ ସେଥିରେ କିଛି ପାଣି,ଚାଉଳ,ପରିବା ଦେଇ ଗଛମୂଳରେ ଠିକ୍ ତା ତଳେ ନିଆଁ ଜାଳିଲେ।ବୀରବଲର ବିଳମ୍ବ ହେବାରୁ ପୁଣି ଦୂତ ଆସି ତରବର କରିବାରୁ ସେ ଯେଉଁ ଖେଚୁଡ଼ି ରାନ୍ଧୁଛନ୍ତି ହୋଇସାରିଲା ପରେ ଖାଇ ସାରିଯିବେ ରାଜାଙ୍କୁ କହିଦେଵ କହିବାରୁ ସ୍ୱୟଂ ସମ୍ରାଟ ଆସି ଏସବୁ ଅଦ୍ଭୁତ କଥା ଦେଖି ବିସ୍ମୟ ହେଲେ।ସମ୍ରାଟ କହିଲେ ବୀରବଲ, ତୁମକୁ ମୁଁ ଅତି ବୁଦ୍ଧିଆ ପଣ୍ଡିତ ଭାବୁଥିଲି, ସତରେ ତୁମେ ହିଁ ଅଳ୍ପ ବିଦ୍ୟାଧାରୀ ପଣ୍ଡିତ ତ ନୁହଁ ତୁମେ ମହାମୁର୍ଖ।ବୀରବଲ ହସିଲେ।ସମ୍ରାଟ କହିଲେ ଆରେ ନିଆଁ ଏତେ ତଳେ,ହାଣ୍ଡି ବହୁତ ଉଚ୍ଚରେ,ତାପ ତ ପହଂଚିବ ନାହିଁ,ହେଲେ ଖେଚୁଡ଼ି ହେବ କେମିତି?ବୀରବଲ କହିଲେ,ଭିକାରୀ ବ୍ରାହ୍ମଣଟା ଯେମିତି ଦୀପ ଆଳୁଅରୁ ଉତ୍ତାପ ନେଇ ରାତିସାରା ବଞ୍ଚିଗଲା ସେମିତି।ସମ୍ରାଟ ହସି ହସି ସବୁ କଥା ବୁଝିଗଲେ ଓ କହିଲେ ବୀରବଲ ସତରେ ମୁଁ ଅଳ୍ପ ବିଦ୍ୟାଧାରୀ ପଣ୍ଡିତ ନୁହଁ,ମୁଁ ତ ନିରକ୍ଷର, ତେଣୁ ମୁଁ ପଣ୍ଡିତ ତ ଦୂରର କଥା,ମୁଁ ମହାମୁର୍ଖ।ବୀରବଲ କହିଲେ ନାଁ ଆଜ୍ଞା,ଆପଣ ନିରକ୍ଷର ହୋଇପାରନ୍ତି,ମାତ୍ର ଆପଣ ପରା ପଣ୍ଡିତଙ୍କୁ ବହୁତ ସମ୍ମାନ ଦିଅନ୍ତି,ତେଣୁ ଆପଣ ଜଣେ ପଣ୍ଡିତ।

  ସେହିପରି କାଳିଦାସ ମଧ୍ୟ ବିକ୍ରମାଦିତ୍ୟଙ୍କ ରାତ୍ରିଚର ଓ ଅସୁରାଣୀ ବୁଢ଼ୀକୁ କାନ୍ଧରେ ବସାଇ ବୁଲୁଥିବାରୁ ଅଳ୍ପ ବିଦ୍ୟାଧାରୀ ପଣ୍ଡିତ କହିଥିଲେ,ମାତ୍ର ପ୍ରତ୍ୟେକ ଜଟିଳ ପ୍ରଶ୍ନର ଉତ୍ତର ଦେଇ ଅସୁରାଣୀକୁ ମୁଗ୍ଧ କରିବାରୁ ସେ ମହାପଣ୍ଡିତ ବୋଲି ବିବେଚିତ ହୋଇଥିଲେ।

   ତେବେ ପୁଣି ମନରେ ପ୍ରଶ୍ନ ଆସେ ଏ ଅଳ୍ପ ବିଦ୍ୟାଧାରୀ ପଣ୍ଡିତ କଣ?ସତରେ ଯିଏ କମ୍ ପଢ଼ିଥାଏ ସେ ଅଳ୍ପ ବିଦ୍ୟାଧାରୀ ତାହା ହୋଇ ନ ପାରେ, ଆଉ ବହୁତ ପାଠ ପଢିଥିବା ବ୍ୟକ୍ତି ଯେ ବଡ଼ ପଣ୍ଡିତ ତାହା ନୁହଁ।ଜଣେ ବିଏ,ଏମ ଏ,ଏମ ଏସ ସି,ଏମ ଫିଲ, ପି ଏଚ ଦି କରିଥାଇ ପାରନ୍ତି କିନ୍ତୁ ତାଙ୍କର ଯଦି ବାସ୍ତବରେ ପର୍ଯ୍ୟାପ୍ତ ଜ୍ଞାନ ନାହିଁ ସେ ବି ବହୁ ବିଦ୍ୟାଧାରୀ ପଣ୍ଡିତ ନୁହଁ।ପୁନଶ୍ଚ ଯିଏ ଅଳ୍ପ ପଢି ଅଧ୍ୟବସାୟ ବଳରେ ବିବିଧ ଜ୍ଞାନର ଅଧିକାରୀ ତତ୍ ସଂଗେ ସଂଗେ ଜ୍ଞାନୀ,ପଣ୍ଡିତ ମାନଙ୍କର ଆଦର କରନ୍ତି,ଅଧିକ ଜ୍ଞାନ ବା ନିଜେ ଜାଣି ନ ଥିବା ପାଠ ଜାଣିବାକୁ ସଦା ଉତ୍ସୁକ ସେ ଅଳ୍ପ ବିଦ୍ୟାଧାରୀ ପଣ୍ଡିତ ନୁହଁନ୍ତି ବରଂ ବଡ଼ ପଣ୍ଡିତ।

  ବେଳେବେଳେ ଦେଖାଯାଇଥାଏ କପି କରି,ଧରାଧରି କରି ବଡ଼ ଡିଗ୍ରୀ ହାସଲ କରିଥିବା ବ୍ୟକ୍ତି ସ୍ୱଳ୍ପ ଜ୍ଞାନର ଅଧିକାରୀ ହୋଇ ଜଟିଳ ପ୍ରଶ୍ନର ଉତ୍ତର ଦେବାକୁ ଅସମର୍ଥ। ସେ ସମସ୍ୟା ସମାଧାନ କରି ନ ପାରି ଜ୍ଞାନ ଓ ଜ୍ଞାନୀର ଅପମାନ କରି ପ୍ରକୃତ ଜ୍ଞାନର ମର୍ଯ୍ୟାଦା ହାନି କରନ୍ତି,ସେ ହିଁ ଅଳ୍ପ ବିଦ୍ୟାଧାରୀ ପଣ୍ଡିତ।ଅପର ପକ୍ଷରେ କେତେକ ଅଳ୍ପ ପାଠ ପଢିଥିବା ବ୍ୟକ୍ତି ତାଙ୍କ ପାଠର ପରିଧି ମଧ୍ୟସ୍ଥ ପ୍ରସଙ୍ଗ ଭିତରେ ସୀମିତ ରହି ଉଚ୍ଚ ପାଠର ପରିଧି ଅନ୍ତର୍ଭୁକ୍ତ ପ୍ରସଙ୍ଗକୁ ଗ୍ରହଣ ନ କରି ଅସଂଗତ ଯୁକ୍ତି ବାଢ଼ନ୍ତି,ଉଚ୍ଚ ଶିକ୍ଷା ର ସମ୍ମାନ ମର୍ଯ୍ୟାଦା ରଖିବାକୁ କୁଣ୍ଠାବୋଧ କରନ୍ତି ସେମାନେ ହିଁ ଅଳ୍ପ ବିଦ୍ୟାଧାରୀ ପଣ୍ଡିତ।ଉଦାହରଣ-ଜଣେ ଲୋକ ପ୍ରାଥମିକ କି ଉଚ୍ଚ ପ୍ରାଥମିକ କି ଉଚ୍ଚ ବିଦ୍ୟାଳୟ ସ୍ତରର ପାଠ ପଢ଼ିଛନ୍ତି,ସେ ଜାଣିଛନ୍ତି ସୂର୍ଯ୍ୟ ସ୍ଥିର ପୃଥିବୀ ଗତି କରେ।ମାତ୍ର ଉଚ୍ଚ ଶ୍ରେଣୀରେ ବା ଉଚ୍ଚ ସ୍ତର ବିଜ୍ଞାନ ପଢିବା ବେଳେ ସେଥିରେ ଥାଏ ସୂର୍ଯ୍ୟର କ୍ଷୀଣ ଗତି ବି ଅଛି ଯାହା ସେ ପଢି ନାହାଁନ୍ତି, ସେ କିନ୍ତୁ ଯୁକ୍ତି କରନ୍ତି ଓ ଗତି ଅଛି ବୋଲି ଗ୍ରହଣ କରିବେ ନାହିଁ।ପୁନଶ୍ଚ ଇଂରାଜୀରେ ପ୍ରାଥମିକ ସ୍ତରରେ ଶିଶୁ ଜାଣିଥାଏ ଯେଉଁ word ର first letter କେବଳ a, e,I,o ଓ u ହୋଇଥିବ ତା ପୂର୍ବରୁ an ବସେ,ମାତ୍ର higher କ୍ଲାସ ରେ ପଢିବ ଏହା ବ୍ୟତୀତ ଯଦି vowel ଥାଇ consonant sound ହେଉଥିବ ତା ପୂର୍ବରୁ a ବସିବ ଯେମିତି  a university,a European ପୁନଶ୍ଚ consonant ଥାଇ ତା sound ,vowel sound ଥିଲେ an ବସେ,ଯେପରି an hour, an honourable person  ଇତ୍ୟାଦି।

   ଜଣେ କମ୍ ପାଠ ପଢିଥିବା ବ୍ୟକ୍ତି ପରିଶ୍ରମ,ଆଗ୍ରହ,ଉତ୍କଣ୍ଠା ଅନୁସାରେ ଅପର୍ଯ୍ୟାପ୍ତ ଜ୍ଞାନର ଅଧିକାରୀ ହୋଇଥାନ୍ତି। ସେ କହିଥିବା ଯୁକ୍ତିଯୁକ୍ତ କଥାକୁ ଅପ୍ରକୃତ ବା ଭେଜାଲ ପାଠ ପଢା ଉଚ୍ଚ ଶିକ୍ଷିତ ଗ୍ରହଣ କରି ନ ଥାନ୍ତି,ବରଂ ତାକୁ ଅହଂକାରରେ ମୂର୍ଖ,ଅଜ୍ଞ କିଛି ଜାଣିନାହୁଁ କହି ତିରସ୍କାର କରନ୍ତି, ସେ  ଉଚ୍ଚ ଶିକ୍ଷିତ ହେଲେ ବି ସେହେଉଛନ୍ତି ଅଳ୍ପ ବିଦ୍ୟାଧାରୀ ପଣ୍ଡିତ।

 ଏହା ବାଦ୍ କେତେକ ବ୍ୟକ୍ତି ଏକ ଜିଦିଆ,ଏକଷିଙ୍ଗିଆ,ଅଷାଣ୍ଢୁଆ ଥାଆନ୍ତି,ସେମାନେ କମ୍ ପଢ଼ିଥାନ୍ତୁ ବା ଉଚ୍ଚଶିକ୍ଷିତ ଥାଆନ୍ତୁ ଗର୍ବ ଅହଂକାରରେ ବିଷାକ୍ତ ହୋଇ କେବଳ ନିଜ କଥା ହିଁ ରହୁ,ମୁଁ ଭଞ୍ଜ,ବଳଦେବ,ରାଧାନାଥ କିମ୍ବା ଅରବିନ୍ଦ,ବିବେକାନନ୍ଦ ଭାବି ଠିକ୍ କୁ କେବେବି ଗ୍ରହଣ କରନ୍ତି ନାହିଁ,ସେମାନେ ବି ଅଳ୍ପ ବିଦ୍ୟାଧାରୀ ପଣ୍ଡିତ।

  କେତେକ ଶିକ୍ଷିତ,ଅର୍ଦ୍ଧ ଶିକ୍ଷିତ କି ଉଚ୍ଚ ଶିକ୍ଷିତ ହୁଅନ୍ତୁ କିନ୍ତୁ ନିଜକୁ ଅନ୍ତର୍ଦ୍ଦର୍ଶନ ନ କରି,ନିଜର ଭୁଲ ନ ଦେଖି,ନିଜକୁ ବିଶ୍ଳେଷଣ ନ କରି,ନିଜକୁ ନ ସୁଧାରି କେବଳ ଭଲ,ଜ୍ଞାନୀ,ବାରମ୍ବାର ସଫଳ ହେଉଥିବା ଲୋକଙ୍କ ଉପରେ ଅସହିଷ୍ଣ୍ଣୁ ହୋଇ ନିଜର ହୀନ,ନିକୃଷ୍ଟ ଓ ନୀଚ୍ଚ ମନଦ୍ୱାରା ପରଶ୍ରୀକାତରତା,ହିଂସୁକ,ପ୍ରତିହିଂସାପରାୟଣ ଭାବ ଉଦ୍ରେକ କରି ଭଲ,ଜ୍ଞାନୀ ପଣ୍ଡିତଙ୍କୁ ଭୁଲ ପ୍ରମାଣିତ କରିବାର କୂଟ ଚକ୍ରାନ୍ତ ନୀତି ପ୍ରଣୟନ କରି ସଫଳ କି ବିଫଳ ହୁଅନ୍ତି ସେମାନେ ହେଲେ ଅଳ୍ପ ବିଦ୍ୟାଧାରୀ ପଣ୍ଡିତ।

  ଆଉ କେତେକ ବ୍ୟକ୍ତି ଅଛନ୍ତି, ନିଜ ମନ ଭିତରେ ସ୍ୱାର୍ଥ ରଖି ଅନ୍ୟକୁ ଗୁରୁ ବା ଜ୍ୟେଷ୍ଠ ଆସନରେ ବସାଇ ଅନ୍ୟଠାରୁ ସାହାଯ୍ୟ ସହଯୋଗ ଲୋଡି କିଛି ଜାଣିବା ବା ଉନ୍ନତି କଲାପରେ, ଗୁରୁ ଓ ଜ୍ୟେଷ୍ଠ ମାନଙ୍କର ନିନ୍ଦା କରି ତାଙ୍କୁ କଳେ ବଳେ କୌଶଳେ ବଦନାମ କରି ନିଜେ ବଡ଼ ହେବାର ଆସଫାଳନ କରନ୍ତି ଓ ସେମାନଙ୍କ ଠାରୁ ସମ୍ମାନ ଆଶା କରନ୍ତି,ସେମାନେ ବି ଅଳ୍ପ ବିଦ୍ୟାଧାରୀ ପଣ୍ଡିତ ବା ମୂର୍ଖ ପଣ୍ଡିତ।

   ତତ୍ପରେ କେତେକ ମୁଣ୍ଡା ନୀତି ଥିବା(ମୁଣ୍ଡା ଜାତି ନୁହଁ ବରଂ ଗଛର ମୂଳ ଗଣ୍ଠି ଯାହା କାଟିବା କଷ୍ଟକର)ବ୍ୟକ୍ତି ଯେଉଁମାନେ ଅନ୍ଧବିଶ୍ୱାସ,କୁସଂସ୍କାର,ପୁରୁଣାକାଳିଆ ଜ୍ଞାନଶୂନ୍ୟ ଚଳଣୀକୁ ଅନ୍ଧ ଭାବେ ଗ୍ରହଣ କରନ୍ତି,ଅର୍ଦ୍ଧ ଶିକ୍ଷିତ ଆଞ୍ଚଳିକ ଅଣପାଠୁଆଙ୍କ ବୁଝାସୁଝାକୁ ପାଥେୟ କରି ସମାଜର ନୌକା ଚଳାଇଥାନ୍ତି,ସେମାନଙ୍କର ସାମ୍ପ୍ରତିକ ସମାଜ ସହ ପ୍ରତିଯୋଜନର କ୍ଷମତା ନ ଥାଏ କି ଆଗ୍ରହ ନ ଥାଏ,ତତ୍ ସଂଗେ ସଂଗେ ଆଧୁନିକ ବିଜ୍ଞାନ, ଜ୍ଞାନ କୌଶଳକୁ ତାଛଲ୍ୟ କରି ନିଜ କଥାକୁ ନୀତି,ନିୟମ ଓ ସମ୍ବିଧାନ ମାନନ୍ତି ସେମାନେ ବି ଅଳ୍ପ ବିଦ୍ୟାଧାରୀ ପଣ୍ଡିତ।

    କେତେକ କେବଳ ପୂର୍ବଜ ପଣ୍ଡିତ ମାନଙ୍କୁ ହିଁ ଆଦର୍ଶ,ଭଗବାନ କି ମାପଦଣ୍ଡ ଭାବି ବର୍ତ୍ତମାନର ବିଭିନ୍ନ ବିଭାଗର ଅତି ଉଚ୍ଚ ଧିଶକ୍ତିସମ୍ପନ୍ନ ବ୍ୟକ୍ତିମାନଙ୍କର ପ୍ରତିଭାକୁ ଗାଁ କନିଆଁ ସିଂଘାଣୀନାକୀ ପରି କହି ଅଟ୍ଟହାସ୍ୟ କରି ଶ୍ରେଷ୍ଠତ୍ୱ ଗ୍ରହଣ କରିବାକୁ ଘୃଣା କରନ୍ତି ସେମାନେ ବି ଅଳ୍ପ ବିଦ୍ୟାଧାରୀ ଭୂଷି ପଣ୍ଡିତ।

   ତେବେ ପଣ୍ଡିତ ଶବ୍ଦର ଅର୍ଥ,ପଣ୍ଡିତ ମହାତ୍ମାଙ୍କ ମାନ ସମ୍ମାନ,... ଥିଲା, ଅଛି ଓ ରହିବ ମଧ୍ୟ।ସେ ନିଉଟନ ହୁଅନ୍ତୁ,ଆଇନ ଷ୍ଟାଇନ୍ ହୁଅନ୍ତୁ,ପାଣିନୀ,ବ୍ୟାସ,ବିବେକାନନ୍ଦ ହୁଅନ୍ତୁ,ଭଞ୍ଜ ହୁଅନ୍ତୁ ଲତା ମନଜେସ୍କାର ହୁଅନ୍ତୁ,ସଚ୍ଚୀନ ତେନ୍ଦୁଲକର ହୁଅନ୍ତୁ,ଦୈତାରୀ ପଣ୍ଡା ହୁଅନ୍ତୁ କି ନରେନ୍ଦ୍ର ମୋଦୀ ହୁଅନ୍ତୁ ପଣ୍ଡିତର ସଂଜ୍ଞା ନିଶ୍ଚୟ ସଭିଙ୍କୁ ଦିଗଦର୍ଶନ ଦେଉ ଓ ସେମାନଙ୍କଠାରୁ ଆହୁରି ପ୍ରତିଭାବାନ ବ୍ୟକ୍ତି ଜନ୍ମ ହେବେ ବୋଲି ଗଠନମୂଳକ ମନୋଭାବ ରହିଲେ ହୁଏତ ଦିନ ଆସିବ ଏ ଅଳ୍ପବିଦ୍ୟାଧାରୀ ପଣ୍ଡିତର ଅର୍ଥ ବା ଏହାର ସଂଜ୍ଞାଟା ଜରୁରତ ହେବନାହିଁ ବୋଲି ଦୃଢ଼ ବିଶ୍ୱାସ ରହିଛି।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝଗ

Post a Comment

0 Comments