କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି ,ଖୋର୍ଦ୍ଧା
---------- --- ୫ . ୧୧ . ୨୦୧୯ --- ---------
ବନ୍ଧୁବୋଲି ଡାକିଥିଲା ପାଞ୍ଚାଳୀ ହେ
କୁରୁସଭାତଳେ ଥରେ
ବନ୍ଧୁତ୍ୱ ତା ରଖି ଦୁଃଶା କବଳରୁ
ଉଦ୍ଧାର କରିଲ ହେଳେ ।।
ସୁଦାମା ଦାରିଦ୍ର୍ୟ ବ୍ରାହ୍ମଣ ତୁମକୁ
ବାଲ୍ୟବନ୍ଧୁ ମାନିଥିଲା
ଖୁଦଭୁଜା ବିନିମୟରେ ବିପୁଳ
ବୈଭବ ପ୍ରାପ୍ତି ହୋଇଲା ।।
ବନ୍ଧୁବୋଲି ଦିନେ ବନ୍ଧୁ ମହାନ୍ତି ହେ
ଆତୁରେ ଛାଡିଲା ଡ଼ାକ
ସହିନପାରିଲ ନେଇ ଦେଇଥିଲ
ପରା ସୁନାଥାଳି ଭୋଗ ।।
ଦୁଃଖୀ ପ୍ରାଣଧନ ଦୀନବନ୍ଧୁ ନାମ
ତେଣୁକରି ଅଛ ବହି
ନହେବ ଉପଳ ଆହେ ଆଦିମୂଳ
ଡାକୁଅଛି ଦୂରେଥାଇ ।।
ଅଭାଗା ବୋଲି ମୁଁ ବନ୍ଧୁତ୍ୱ କୁ ପ୍ରଭୁ
ପାଦରେ ନଦେବ ଠେଲି
ସଂସାର ଅତଳ ସାଗରରୁ ବନ୍ଧୁ
କରିଦେବ ମୋତେପାରି ।।
ଆଉକହ କିଏ ଅଛି ଏ ଭୂଧରେ
ତୁମପରି ଗୋଟେ ବନ୍ଧୁ
ବଳିଆରଭୁଜ ଦୁଃଖୀ ର ସଙ୍ଗାତ
ମହାବାହୁ କୃପାସିନ୍ଧୁ ।।
ବନ୍ଧୁତ୍ୱ ବନ୍ଧନେ ବାନ୍ଧିଲି ହେ ପ୍ରଭୁ
ମହାନ ତୁମେ ମୁଁ ହୀନ
ରଖିଅଛି ଆଶା କରିଛି ଭରଷା
ରଖିବ ମୋ ବନ୍ଧୁ ପଣ ।।
ରଚନା : କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର
ଠିକଣା : ମଙ୍ଗଳାଯୋଡି, ଖୋର୍ଦ୍ଧା ଦୂରଭାଷ :
Sent via Google Forms Email