*********************************
ମାଆ କୋଳ ମୋର ବୈକୁଣ୍ଠ ଆସନ,
ଇନ୍ଦ୍ରପଦ କେବେ ନୋହିବ ସମାନ।୧।
ମାଆ କୋଳ ମୋର ଶ୍ରଦ୍ଧା -ସ୍ନେହ-ପ୍ରେମ,
ଜଗତେ ଜନନୀ ଶ୍ରେଷ୍ଠ ପୁଣ୍ୟ ନାମ ।୨।
ମାଆ କୋଳ ବିନା ନାହିଁ କେହି ସାହା,
ଜଗତ କଲ୍ୟାଣୀ ମୁକ୍ତି ତୀରେ ନାଆ।୩।
ମାଆ କୋଳ ମୋର ସରଗଠୁ ବଡ଼,
ଶ୍ରେଷ୍ଠ ଶାନ୍ତି ଜଠ ପ୍ରଗତିର ଗଡ଼ ।୪।
ମାଆ କୋଳ ମୋର ଅମୂଲ୍ୟ ନଅର ,
ସେ ହୃଦୟେ ଝରେ ଅମୃତର କ୍ଷୀର।୫।
ମାଆ କୋଳୁ କହି ଶିଖିଲି ମୁଁ ଭାଷା ,
ତା'ଠାରୁ ଶିଖିଛି ନାନା ରାଗ-ରୁଷା ।୬।
ମାଆ କୋଳୁ ଗାଇ ଜାଣିଲି ମୁଁ ଗୀତ,
ସ୍ନେହ ଡୋରି ଅଟେ ତା' କାନି ପଣତ ।୭।
ମାଆ କୋଳ ମୋର ହୃଦୟ ସ୍ପନ୍ଦନ ,
ତା'ର ଆଶିଷରେ ହସେ ମୋ ଜୀବନ ।୮।
ମାଆ କୋଳ ମୋର କୋଟି ସୂର୍ଯ୍ୟ ସମ,
ହୀରା ମାଣିକ ସେ ରତ୍ନଠୁ ଉତ୍ତମ ।୯।
ମାଆ କୋଳୁ ଲେଖି ଶିଖିଲି ଅକ୍ଷର,
ପ୍ରଥମ ଗୁରୁ ମା'ଙ୍କୁ କୋଟି ଜୁହାର ।୧୦।
********************************
ଭଜରାମ ସେଠୀ ,ନିରାଳ, ଆସିକା,ଗଞ୍ଜାମ, ଓଡ଼ିଶା
ରଚନା : ଭଜରାମ ସେଠୀ
ଠିକଣା : ନିରାଳ ,ଆସିକା ,ଗଞ୍ଜାମ ଦୂରଭାଷ : 9566876504
Sent via Google Forms Email