ହାଟ
ନୂଆ ହାଟୁଆ ମୁଁ
ହାଟକରି ଆସି
ହେଲି ଯେତେ ହଟହଟା,
ହାଟ କରିବାଟା
ସହଜ ନୁହେଁରେ
ମନେ ରଖିଥିବୁ ବେଟା।
ପ୍ରିୟ ପରିଜନ
ମଣିଲି ଯାହାକୁ
ଖାଇଲେ ପଣସ ମିଠା,
ହାତ ପୋଛିଦେଲେ
ମୋହରି ମୁଣ୍ଡରେ
ମୁଣ୍ଡ ଯାକ ଖାଲି ଅଠା।
ହାଟକରି ଆସି
ଗଲି ମୁହିଁ ଫସି
ପଢି଼ଲି ଅପଢା଼ ପାଠ,
ପଢି଼ଥିବା ପାଠ
ପାଶୋରି ଦେଲି ମୁଁ
ଦେଖି ଏ ବିଚିତ୍ର ନାଟ।
ଏକି ହାଟ ସତେ
ଲାଗିଛି ଗହଳି
କମ୍ପୁଛି ମେଦିନୀ ଗୋଟା,
କେତେ ଭୋଜବାଜି
ଖେଳ ଚାଲିଅଛି
କେତେ ପୁଣି ଛଇଛଟା।
କେତେ ଚିଜ ଏଠି
ବିକା କିଣାହୁଏ
କେ କରିବ ତାର ଚିଠା।
କାହାର ବା ଏଠି
ଏତେ ବେଳ ଅଛି
କାଢି଼ବ ଇଠାରୁ ଶିଠା।
ଏ ହାଟକୁ ବାଟ
ଜମାରୁ ଦୁଇଟି
ଅଧିକ ଖୋଜିବା ବୃଥା,
ହେଜ କରିଥିବୁ
ବାପ ଧନଟିମୋ
ଏ ହାଟ ଅଜବ କଥା।
ହାଟ ଚାଲିଅଛି
ଦିବସ ରଜନୀ
ଚାଲିଛି ହରେକ୍ ନାଟ,
ନାଟ ସରିଗଲେ
ବାଟ ଖୋଜାପଡେ଼
ମୁହଁ ପଡେ଼ କଳାକାଠ।
ଏହାଟକୁ ଆସି
ଭୁଲିଲି ମୋ ଘର
ଭୁଲିଲି ପରାଣପ୍ରିୟ,
ବାହୁଡା଼ ବେଳରେ
କୁଆଡେ଼ ଯିବି ମୁଁ
ପଚାରେ ସଭିଁଙ୍କୁ କୁହ?
କୈଳାସ ଚନ୍ଦ୍ର ପାଢୀ଼।କୁମାରପୁର।
ଭଦ୍ରକ।