ନାମ ତାଙ୍କ ଗୋପବନ୍ଧୁ - ଶିବ ପ୍ରସାଦ ସାହୁ

0
ସାକ୍ଷୀଗୋପାଳର ସୁଆଣ୍ଡୋ ଗ୍ରାମ ସେ
ଭାର୍ଗବୀ ନଦୀର କୂଳେ
ଜନ୍ମିଲା ଶିଶୁଟେ ଦଇତାରୀ ଦାସ
ସ୍ବର୍ଣ୍ଣମୟୀଙ୍କର କୋଳେ ।।
ଅକ୍ଟୋବର ମାସ ନଅ ତାରିଖ ଯେ
ଅଟେ ତାଙ୍କ ଜନ୍ମ ଦିନ
ବଡ଼ହୋଇ ସେହି ଶିଶୁଟିତ ଏହି
ରାଇଜେ ରଖିଲେ ନାମ ।।
ବରଷା ଝଡ଼ରେ ବିପଦ ବେଳରେ
ଦୁଃଖୀରଙ୍କି ସେବା ପାଇଁ
ନିଜ ଘର କାମ ପଛରେ ପକାଇ
ଆଗକୁ ଆସନ୍ତି ଧାଇଁ ।।
ସ୍ବତନ୍ତ୍ର ଓଡ଼ିଶା ଗଠନ ପାଇଁ ସେ
ହୋଇଥିଲେ ଆଗଭର
ସ୍ବାଧୀନତା ରଣେ ଝାସ ଦେଇ କେତେ
ସହିଥିଲେ ଅତ୍ୟାଚାର ।।
ସମାଜ ଖବର କାଗଜ ଟି ପରା
ଅଟଇ ତାଙ୍କର କୃତି
ସତ୍ଯବାଦୀ ବନ ବିଦ୍ୟାଳୟ ଦେଖି
ମନେ ପଡ଼େ ତାଙ୍କ ସ୍ମୃତି ।।
ସେବା ତ୍ୟାଗର ସେ ପ୍ରତୀକ ଅଟନ୍ତି
ଦରଦୀ ଜନଙ୍କ ବନ୍ଧୁ
ଓଡ଼ିଶା ରାଇଜ ମଉଡ଼ମଣି ସେ
ନାମ ତାଙ୍କ ଗୋପବନ୍ଧୁ ।।

ରଚନା : ଶିବ ପ୍ରସାଦ ସାହୁ

ଠିକଣା : ଗୋପିନାଥପୁର ସାହି,ଚାନ୍ଦପୁର,ନୟାଗଡ଼,୭୫୨୦୨୪ ଫୋନ ନମ୍ବର : ୯୬୯୨୩୭୪୬୫୯


Post a Comment

0Comments
Post a Comment (0)