କ୍ଷୁଦ୍ରଗଳ୍ପ - ଈଶ୍ୱର ଆସୁଛନ୍ତି - ଡକ୍ଟର ଲକ୍ଷ୍ମଣ ସାହୁ

କ୍ଷୁଦ୍ରଗଳ୍ପ - ଈଶ୍ୱର ଆସୁଛନ୍ତି - ଡକ୍ଟର ଲକ୍ଷ୍ମଣ ସାହୁ

ଈଶ୍ୱର ଆସୁଛନ୍ତି
◆ ଡକ୍ଟର ଲକ୍ଷ୍ମଣ ସାହୁ
● ● ◆ ● ●


ରଂଗ ଛଡା କାନ୍ଥ..ଠାଏ ଠାଏ ଫାଟି ଯାଇ ଆଁ କରିଛି । କାନ୍ଥରେ ଓହଳିଛି ପୁରୁଣା ସ୍ମୃତି, ଯେଉଁଥିରେ ସେ ଆଉ ସେ, ଅତୀତ ମଳିନ ପଡି ଗଲାଣି । ସତୀ ନିଜକୁ ଥରେ ଦେଖିଲା ଟଙ୍ଗା ଯାଇଥିବା ଭଙ୍ଗା ଆଇନା ଭିତରେ । ସତେ ଯେମିତି ଲାଗିଲା ଆଇନା ଭିତରୁ ବାହାରି ଆସୁଛି ଗୋଟାଏ ମସ୍ତବଡ ଧଳା ଭୂତ । ସତୀ ଫୋଫାଡି ଦେଲା ଆଇନାଟିକୁ ଘରର ଗୋଟିଏ କୋଣକୁ ।

ଝଣ୍ ଆବାଜ କରି ଭାଙ୍ଗିଗଲା ଆଇନାଟି ।
ଆଇନା ତ ଭାଙ୍ଗି ଗଲା, ହେଲେ ଅସଲରେ ସତୀ କିନ୍ତୁ ନିଜ ଭାଗ୍ୟକୁ ଭାଙ୍ଗିବାକୁ ଚେଷ୍ଟା କରୁଥିଲା ।

ଏକା ଏକା ଯୁଝୁଥିଲା ନିଜ ସହ, ସମାଜ ସହ ।
କାହିଁକି କେଜାଣି ଲାଗେ ବୋଉ ତା' ନାମ ଦେଇ ଥିଲା ସତୀ, ସତୀ' ନିଜ ପ୍ରଶ୍ନ ନିକଟରେ ସେ ଅଭିଯୋଗ କରୁଥିଲା ଯେମିତି । ଆଃ ଆଃ ଆଃ ....ମୁଣ୍ଡ ବୁଲେଇ ହେଲା ।

ଆଇନାର ଝନ୍ ଝନ୍ ଶବ୍ଦ ଶୁଣି ବାହାରୁ ଦୌଡି ଆସିଲା ଅଠେଇଶି ବର୍ଷର ଯୁଆନ୍ ଜଗୁଆଳୀ ମହାବୀର । ସତୀକୁ ଦେଖି ପଚାରିଲା, ଏମିତି କଣ ଶବ୍ଦ ହେଲା ସତୀ, ତମେ ଡରିଣ ତ ?? ମହାବୀର କଥା ଶୁଣି ସତୀ ହସିଲା, ବାହାରିଗଲା ରାଧା କୃଷ୍ଣ ମନ୍ଦିର ଆଡକୁ । ଘଣ୍ଟ ଘଣ୍ଟି ଆଳତି ଶୁଭୁଥିଲା ।

ମନ୍ଦିରର ଅଳ୍ପ ଦୂରରେ ଗୋଟିଏ ଗୁମୁଟି ଦୋକାନ । ସେଇ ଦୋକାନ ଆଗରେ ସେ ଠିଆ ହେଲା । ଗରାଖ ସବୁ ଚାଲିଗଲା ପରେ ସତୀ ହାତ ଠାରି ଦୋକାନୀକୁ ଗୋଟିଏ ଫରୁଆକୁ ଦେଖାଇଲା । ଦୋକାନୀଟି ଥରେ ସତୀକୁ ଚକିତ ହେଇ ଚାହିଁଲା, ଆଉ ତା ପରେ ସେ ଫରୁଆଟିକୁ ବଢେଇ ଦେଲା । ଅଣ୍ଟାରେ ସାଇତା ଥିବା କେଇଟା ଟଙ୍କା କାଢ଼ି ଉଚିତ୍ ମୂଲ୍ୟ ଦେଇ ଫେରି ଆସିଲା ସତୀ । ତାର ଫେରନ୍ତା ରାସ୍ତାକୁ ଚାହିଁ ଦୋକାନୀଟି ଭାବୁଥିଲା, ଏ ଫରୁଆଟି ବିଧବାର କୋଉ କାମରେ ଲାଗିବ ??



ରାଧା କୃଷ୍ଣ ମନ୍ଦିର ପଛରେ ପକାଇ ସତୀ ନିଜ କୋଠରୀକୁ ଫେରି ଆସିଥିଲା । କୋଠରୀର ଭିତରୁ ପଟୁ କବାଟ କିଳି ଦେଲା । ଘରର ଗୋଟିଏ କୋଣରେ ଥିବା ପୁରୁଣା ଟ୍ରଙ୍କଟିକୁ ଖୋଲି ଖୁବ୍ ସନ୍ତର୍ପଣରେ ରଖିଲା ଫରୁଆଟିକୁ ଚଉତା ହୋଇଥିବା ଧଳା ଶାଢୀର ଠିକ୍ ମଝା ମଝିରେ ରଖି ଦେଇ ଆଶ୍ୱସ୍ତ ହେଲା ।

ସେଇ ଫରୁଆରେ କଦବା ହାତ ମାରିଲେ ସତୀର ଦେହରେ ଶିହରଣର ଉଷ୍ମତା ଖେଳିଯାଏ । ମନେ ପଡେ କେତେ କେତେ ରମଣର କଥା । ପିଲାବେଳୁ ଏ ଫରୁଆଟି ତାର ଅତ୍ୟନ୍ତ ପ୍ରିୟ ଥିଲା ।

ଦେହରେ ଧଳା ଲୁଗା ଗୁଡେଇ ହୋଇଗଲେ ଶରୀରର ଭାବନା କଣ ଧଳା ହୋଇଯାଏ ?? ଦେହରେ ତ ଏବେ ବି ନାଲି ରକ୍ତ ବୋହୁଛି, ଉଷ୍ମତାର ଲହଡି ଭାଙ୍ଗୁଛି, ମନ ଇନ୍ଦ୍ରଧନୁରେ ଲୋଟୁଛି, ନିଦୁଆ ଆଖି କେତେ କେତେ ସପନ ଦେଖୁଛି । ମାତ୍ର ପଚିଶି ବର୍ଷ ବୟସରେ ଏ ବିଧବା ପଣ କଣ ସହି ହେଉଛି ? ଦେହର ତାତି ନା ଦମନ କରି ହଉଛି ?? ତଥାପି କଡା ତାଗିଦା ଦିଆଯାଇଛି ସବୁ ନିୟମରେ ରହିବାକୁ । ମନର ଶାନ୍ତି ଲାଗି ବାପା ଛାଡି ଦେଇ ଯାଇଛନ୍ତି, ତାକୁ ଏଇ ତୀର୍ଥ କ୍ଷେତ୍ରରେ । ଦୁଇ ବର୍ଷ ହେଲାଣି କେହି ନେବାକୁ ବି ଆସୁ ନାହାଁନ୍ତି ତାକୁ । ତାର ଖୋଜ ଖବର ଟିକେ ନଉ ନାହାନ୍ତି ।

ସମାଜ ବଦଳେ, ତାକୁ ବଦଳାଇ ଦିଆଯାଏ । ହେଲେ ଏଇ ବଦଳିବା ଭିତରେ ଅନେକ ନବଦଳିବା ସଂସ୍କାର ସବୁ ବି ଖୁନ୍ଦିଖାନ୍ଦି ଜମାଟ ହୋଇ ରହିଛି । ଭୋଗିଲା ବାଲାହିଁ ଜାଣେ ବେଦନା କେଉଁଠି ।

ସତୀ ଏବେ ଗୋଟିଏ ବିଧବା ଆଶ୍ରମରେ ରହୁଛି । ଆଶ୍ରମଟି ପାଖ ବାବା ମହନ୍ତ ମହରାଜଙ୍କର । ସତୀ ବାବାଙ୍କ ନିର୍ଦ୍ଦେଶ୍ୟରେ ଚିତା ଚୈତନ୍ୟ ଲଗାଇ ଫୁଲ ତୋଳେ , ଭଜନ ଗାଏ , ମନ୍ଦିର ସଫା କରେ , ବେଳେ ବେଳେ ଭିକାରୀଙ୍କ ପରି ଧାଡିରେ ବସି ହାତ ବି ପାତେ । ତା' ପୁରିଲା ପୁରିଲା ଦେହଟାକୁ ହିଂସ୍ରୁକ ଗୁଡାକ ଚାହାନ୍ତି । ବରଷ ତମାମ ଏଠି ପରବ, ଭକ୍ତଙ୍କ ଭିଡ଼, କେତେ ବଡ଼ ବଡ଼ ମନ୍ତ୍ରୀ, ଯନ୍ତ୍ରି, ବାବୁଙ୍କ ପାଦ ପଡେ, ସେମାନଙ୍କ ଲାଗି ସ୍ୱତନ୍ତ୍ର ଆୟୋଜନ ହୁଏ ।

ୟା' ଭିତରେ ଆଖିରୁ ଲୁହ ବାହାରି ଆସି ଶୁଖି ବି ଯାଉଛି । ସେ ଲୁହ କେବେ କେବେ ଦୁଃଖର ତ କେବେ କ୍ଷୋଭର । ଅନ୍ୟର ମୃତ୍ୟୁ ଲାଗି ସେ ଆଜୀବନ କାହିଁକି ଧଳା ପାଲଟି ଯିବ ?? ନିଜ ଇଚ୍ଛା ବିରୋଧରେ ତାକୁ ଜବରଦସ୍ତ ଉଠାଇ ଆଣି ବାହା କରାଗଲା । ହେଲେ ପାଇଲା କଣ , ମଦ୍ୟପ ସ୍ୱାମୀ ଓ ଶଶୁର , ଆକ୍ସିଡେଣ୍ଟ ଚାଲି ଗଲା ପରେ ତାକୁ କୁଲକ୍ଷ୍ମୀ କହି ବାହାର କରି ଦେଲେ...। ଗରିବ ବାପାଟା ଭାଇ ଭାଉଜଙ୍କ କଥାରେ ପଡ଼ି ଆଶ୍ରମରେ ଛାଡି ଦେଇଗଲାଯେ, ଝିଅଟାର ଖବର ନଉନି ।

ବେଳେବେଳେ ମହାବୀରକୁ ଯାଇ ସତୀ ପଚାରେ, କିଛି ଚିଠି ଆସିଛି କି ମୋ ନାଁ'ରେ ?

ସତୀର ପ୍ରଶ୍ନ ଶୁଣି ମହାବୀର ଚକିତ ହୁଏ । କାରଣ ଏଠି ରହୁଥିବା କୌଣସି ବିଧବା ନାଁ'ରେ କେବେ ଚିଠି ଆସେନି କି କେହି କାହାକୁ ନେବାକୁ ଏଠାକୁ ଆସନ୍ତିନି । ସତୀକୁ ଅନାଇ କୁହେ, ସତୀ ନିଜକୁ ସମ୍ଭାଳି ନିଅ । ଏଠି କାହାରି ଚିଠି ଆସେନି କେବେ ।

ସତୀ ମନମାରି ଦୌଡି ପଳାଏ କଦମ୍ବ ମୂଳକୁ । ସେଠି ବସି ବହେ କାନ୍ଦେ । ଫେରିଲା ବେଳକୁ ତା' ଆଖି ଫୁଲି ଯାଇଥାଏ । ତା' କାନ୍ଦୁରା ଆଖି ଦେଖି ଆଶ୍ରମର ଦାୟିତ୍ୱ ନେଇଥିବା କନି ମାଉସୀ ମୁରୁକି ହସି ଦେଇ କୁହେ, ସବୁ ଦେହ ସୁହା ହୋଇ ଯିବ ତୋର ବି । ମୁଁ ପା' ପନ୍ଦର ବର୍ଷ ବୟସରୁ ବିଧବା ହୋଇଛି ??



ସବୁ ଦିନ ଭଳି ଆଶ୍ରମ ଭିତରେ ମହନ୍ତ ମହାରାଜ୍ ପ୍ରବଚନ ଦେଉଥିଲେ । ସବୁ ବିଧବା ତାଙ୍କୁ ବେଢି ବସିଥିଲେ । ତାଙ୍କ କଥାରୁ କାଳେ ଅମୃତ ଝରେ । ପ୍ରବଚନରେ ଶାନ୍ତି ମିଳେ । ସେ କୁଆଡେ ସାକ୍ଷାତ ଦେବତା ।

ମହନ୍ତ ମହାରାଜ କହୁଥିଲେ ନିଷ୍ଠାର ସହ ଭକ୍ତି କରି ଅନେକ ବିଧବା ସ୍ୱୟଂରାଧା କୃଷ୍ଣଙ୍କୁ ବି ଦେଖିଛନ୍ତି । ତାଙ୍କ ମୂରଲୀ ସୂନ ବି ଶୁଣିଛନ୍ତି । ତାଙ୍କର ସାନ୍ନିଧ୍ୟ ପାଇଛନ୍ତି । ସବୁ ଦୁଃଖ ଦୂର ହୋଇଛି । ତୃଷ୍ଣା ବି ମେଣ୍ଟିଛି । ତାଙ୍କ ଲୀଳା ଖୁବ୍ ଅପାର । ନିଜକୁ ସମର୍ପି ଦିଅ, ସକଳ ଦୁଃଖ ଦୂର ହେବ ।

ଦୁଇ ବର୍ଷ ହେଲାଣି ସତୀ ଏଇ ଏକା ପ୍ରକାର ପ୍ରବଚନ ଶୁଣି ଆସୁଛି । ହେଲେ କେବେତ ସେ ଭେଟିନି, ସେ ମୟୂର ଚୂଳିଆକୁ ? ବଂଶୀ ସ୍ୱର ବି ଶୁଣିନି । ବେଳେ ବେଳେ କନି ମାଉସୀକୁ ବି ପଚାରିଛି ...ତୁ ତ ଏଠି ପଚାଶ ବରଷ ସରିକି କଟେଇଲୁଣି, ହେଲେ ତୁ କଣ ଦେଖିଛୁ ସେ ରାଧା କୃଷ୍ଣଙ୍କୁ ?? କନି ମାଉସୀ ଚୁପ୍ ରହେ ।

ମହନ୍ତ ମହାରାଜଙ୍କ ଶୁଖିଲା ପ୍ରବଚନ କଥା ସତୀକୁ ଅଣନିଃଶ୍ୱାସୀ କରି ପକାଏ । ଭାବେ କେତେ ଦିନ ମଣିଷ ଆଉ ନିଜକୁ ନିଜେ ଧୋକା ଦେଇ ଚାଲିବ ?

ସତୀ ଧିରେ କହିଲା, ରାଧା କୃଷ୍ଣଙ୍କ କଥା ତ ଅନେକ ଶୁଣିଲୁ ମହାରାଜ, ହେଲେ ସେ ବ୍ରହ୍ମ ରାକ୍ଷସଙ୍କ ବିଷୟରେ ବି କିଛି କୁହନ୍ତୁନା ?

ବ୍ରହ୍ମ ରାକ୍ଷସ ? ସେ ପୁଣି କଣ ?? ମହନ୍ତ ମହାରାଜ ଆଶ୍ଚର୍ଯ୍ୟ ଚକିତ ହୋଇ ପଚାରିଲେ ।

ହଁ, ମହାରାଜ୍ ସେଇ ଦୁଇ ଗୋଡିଆ ବ୍ରହ୍ମ ରାକ୍ଷସ ମାନେ । ଯେଉଁମାନେ ଅନ୍ଧାରର ଓଳ ଉଣ୍ଡି ବେଳେ ବେଳେ ବିଧବା ଆଶ୍ରମକୁ ପଶନ୍ତି ? ଅନ୍ଧାରରେ ତୁମ୍ବି ତୁଫାନ୍ କରନ୍ତି ? ସକାଳ ହେଲା ବେଳକୁ ବ୍ରହ୍ମରାକ୍ଷସ ଆଉ ନଥାଏ, ହେଲେ ଆଶ୍ରମ ଆଉ ବିଧବା ମାନେ ଧ୍ୱସ୍ତ ବିଧ୍ୱସ୍ତ ହୋଇ ଯାଇ ଥାଆନ୍ତି । ଲଜ୍ଜା ହଉ ଅବା କାମନାର ଶୀଥିଳତାରେ ଚୁପ୍ ରହନ୍ତି ।

ଚୁପକର, ଏସବୁ ବାଜେ କଥା । ବିଧବାମାନଙ୍କୁ ଏଭଳି କଥା ଶୋଭାପାଏନା । ମହନ୍ତ ରାଗରେ ଗଁ ଗଁ ହେଲେ ।

କ୍ଷମା ମହାରାଜ୍, କ୍ଷମା । ମୁଁ କେବଳ ଏତିକି କହିବାକୁ ଚାହୁଁଥିଲି ଯେ, କେବଳ ରାଧାକୃଷ୍ଣ ନୁହଁନ୍ତି, କିଛି ବ୍ରହ୍ମ ରାକ୍ଷସଙ୍କ ଲାଗି ବି ବିଧବାମାନେ ବୋଧେ ଖୁବ୍ ଉପକୃତ ହୋଇଥାଆନ୍ତି । ଅନ୍ଧାରରେ ଈଶ୍ୱର ନାମଧାରୀ ଆଉ ବ୍ରହ୍ମ ରାକ୍ଷସ ଏକା ପରି ହିଁ ତ ଲାଗନ୍ତି ମହାରାଜ ...? ହେଲେ ଗୋଟିଏ କଥା ସତ ଯେ, ସ୍ୱଳ୍ପ ଚନ୍ଦ୍ରାଲୋକରେ ସେଇ ବ୍ରହ୍ମ ରାକ୍ଷସଗୁଡା ଦେଖିବାକୁ ଅନେକଟା ଆପଣଙ୍କ ପରି ।

ଏଥର ମହନ୍ତଙ୍କର ଶାନ୍ତ ଭାବଟି ଆହୁରି ଉଗ୍ରରୂପ ନେଇଥିଲା । ଚିତ୍କାର କରି କହିଲେ, ତୁମେ ଜାଣିଛ ତୁମେ କଣ କହୁଛ ବିଧବାଙ୍କ ବାବଦରେ ??

ହଁ ମହାରାଜ, ମୁଁ ତ ଖାଲି ଗୋଟିଏ ଗୁମର କଥାହିଁ କହିଛି ଯେ, କହିଲ ଜଣେ ଅରକ୍ଷିତ ବିଧବା ଆଉ ଅସହାୟ ବେଶ୍ୟା ଭିତରେ ବିଶେଷ କିଛି ତଫାତ୍ କଣ ? ରାତିର ନିରୋଳା ମୁହୂର୍ତ୍ତରେ ସେମାନଙ୍କୁ କୁଆଡେ ପଠାଇ ଦିଆଯିଏ ?? ଏହା ସତୀର ସ୍ପଷ୍ଟୋକ୍ତି ଥିଲା ।

ମହନ୍ତ ମହାରାଜଙ୍କ ମୁହଁ ଲାଲ୍ ପଡିଯାଇଥିଲା । ଉଦ୍ଧତା ବ୍ରାହ୍ମଣୀ ବୋଲି କହି ସେ ଉଠି ଚାଲିଗଲେ । ଗଲାବେଳେ କନି ମାଉସୀକୁ କହିଗଲେ, ୟାର ମୁଣ୍ଡ ଖରାପ ହୋଇ ଗଲାଣି, ସତୀକୁ ଆଶ୍ରମରୁ କାଢି ଦେବାକୁ ।

କନି ମାଉସୀ ସତୀକୁ ଦେଖି ଆଖି ଛଳଛଳ କରି ପକେଇ କହିଲା, କୁଲକ୍ଷଣୀ ..କଣ କଲୁ ତୁ ? ନିଜ ଗୋଡରେ କୁରାଢୀ ମାରିଲୁ ? ଏବେ ରହିବୁ କେଉଁଠି, ଯିବୁ କୁଆଡେ ? ସମସ୍ତଙ୍କ ପରି ପାଟି ବନ୍ଦ କରି ଟିକେ ରହି ପାରିଲୁନି ପୋଡାମୁହିଁ ?

ଟିକେ ହସି ସତୀ କହିଲା, ଜମା ବ୍ୟସ୍ତ ହଅନା ମାଉସୀ ରାଧାକୃଷ୍ଣ କଣ ମୋ କଥା ବୁଝିବେନି ???

ମହାବୀର ବାହାରେ ସବୁ କଥା ଶୁଣୁଥିଲା । ସତୀକୁ ଦେଖି ପଚାରିଲା, ଏବେ କଣ ହେବ ସତୀ ? ଏମିତି କାହିଁକି କଲ ତୁମେ ?? ମହାବୀରର ଆଖିରେ ଆଖିଏ ଲୁହ ଥିଲା ସତୀ ଲାଗି । ସେ ତଳକୁ ମୁହଁ ପୋତି ଠିଆ ହୋଇଥିଲା ।

ସତୀର ମୁହଁ ଥମ୍ ଥମ୍ ଦେଖା ଯାଉଥିଲା । ସେ ଖୁବ୍ ଭାରୀ କଣ୍ଠରେ କହିଲା, ମୋ ଲାଗି ଈଶ୍ୱର ଆସିବେ ନିଶ୍ଚୟ । ଯେମିତି ସେଦିନ ବ୍ରହ୍ମ ରାକ୍ଷସ କବଳରୁ ଈଶ୍ୱର ଆସି ରକ୍ଷା କରିଥିଲେ ।

ମହାବୀର ନିରୁତ୍ତର ରହିଲା, ସତୀ ଚାଲିଗଲା । ତାର ମନେ ହେଲା ସେଦିନ ରାତିର ଘଟଣା, ମହାରାଜଜୀ ସତୀକୁ ନିରୋଳାରେ ବ୍ରହ୍ମ ଦର୍ଶନ କରାଇବା ବାହାନାରେ ନେବାବେଳେ ସେହିଁ ସେ ରାକ୍ଷସଙ୍କ ଠାରୁ ଉଦ୍ଧାର କରିଛି, ଧରା ପଡି ଯାଇଥିଲେ ସବୁ ସରି ଯାଇଥାନ୍ତା, ସତୀକୁ ଗୋଡେ ଗୋଡେ ଜଗିଛି, କାହାକୁ କହିନି ।



ସକାଳ ହେଲେ ସତୀ ବିଦାୟ ନେବ ଆଶ୍ରମରୁ । ବାହାରେ ବର୍ଷା । କବାଟରେ ଠକ୍ ଠକ୍ ଆବାଜ୍ । ଏତେ ରାତିରେ ପୁଣି ବର୍ଷାରେ କିଏ ହୋଇପାରେ ?? ସତୀ ପଚାରିଲା, କିଏ ??

-ମୁଁ

-ମୁଁ କିଏ ?? ସତୀର ପ୍ରଶ୍ନ ..

-ମୁଁ' ତମକୁ ଏଠୁ ଉଦ୍ଧାର କରିବାକୁ ଆସିଛି ।

-କିଏ ..ଈଶ୍ୱର ? ସତୀ ଆଶ୍ଚର୍ଯ୍ୟ ହୋଇ କବାଟ ଖୋଲି ଦେଲା ...।

ସାମ୍ନାରେ ବୋଧେ ଈଶ୍ୱର । ସଂପୂର୍ଣ୍ଣ ଭିଜି ଯାଇଛନ୍ତି ବର୍ଷାରେ । ଅଚାନକ ସତୀର ହାତ ଧରି ପକେଇ କହିଲେ, ଚାଲ କେହି ଜାଣିବା ଆଗରୁ ଆମେ ପଳେଇ ଯିବା ।

ସତୀ ଥରୁଥିଲା । ବାକ୍ସ ଖୋଲି, ସବୁଠୁ ଭଲ ଶାଢୀଟା ପିନ୍ଧିଲା । ଶାଢୀ ଭିତରେ ରଖିଥିବା ଫରୁଆଟିକୁ ପୁଣି ଥରେ ଏପଟ ସେପଟ କଲା । ଏଇ ଜିନିଷ ପ୍ରତି ତାର ଖୁବ୍ ମୋହ ।

ସତେ ସେଇ ବର୍ଷାମୁଖର ଅନ୍ଧକାର ଭିତରେ ଈଶ୍ୱର ତା' ହାତରୁ ଛଡାଇ ନେଇଗଲେ ଫରୁଆଟିକୁ । ତା' ଭିତରେ ଥିବା ସବୁତକ ସିନ୍ଦୂରକୁ ବୋଳି ଦେଲେ ସତୀ କପାଳରେ ।
ବିଜୁଳି ଆଲୁଅରେ ଝଲସି ଉଠିଲା ସତୀର ଗୋରା ଦେହଟା ।
ସତୀ ସତୀରୁ ସତୀ ପାଲଟି ଗଲା ।

ସତୀ ଆଖିରୁ ଝରି ପଡିଲା ଦୁଇ ଟୋପା ଲୁହ ...ବୋଧେ ଖୁସିରେ ..।

ସମସ୍ତେ ଜାଣିବା ଆଗରୁ ଆମକୁ ହଜିଯିବାକୁ ହେବ ସତୀ, ଆମ ପାଖରେ ସମୟ ଖୁବ୍ କମ୍, ଆସ ଜଲଦି । ମହବୀର ସତୀର ହାତ ଧରି ଟାଣି ନେଉଥିଲା ।

ରାତି ପାହିଲା ଆଗରୁ ଦୁହେଁ ମିଳେଇ ଯାଇଥିଲେ । ଗୋଟିଏ ଅନ୍ଧକାର ଭିତରେ ଆଲୋକର ସନ୍ଧାନରେ । ବୋଧେ ସେତେବେଳକୁ ଈଶ୍ବର ହସୁଥିଲେ , ଖୁବ ମନ ଖୋଲା ହସ ...!!!


● ◆ ●
● ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ,
ନୂଆବଜାର, କଟକ-୪ (ଓଡ଼ିଶା)
ଦୂରଭାଷ : ୯୪୩୭୭ ୪0୨୮୦
Email : Laxmansahoo9040@gmail.com

(

ରଚନା : ଡକ୍ଟର ଲକ୍ଷ୍ମଣ ସାହୁ

ଠିକଣା : ମହାନଦୀ ବିହାର , କଟକ - ୪ ଫୋନ ନମ୍ବର :


0 Comments