ବୟସର ଅପରାହ୍ଣ - ସହଦେବ ବେହେରା

0
ବୟସର ଅପରାହ୍ଣ
ଡାକେ ଆଜି ହାତ ଠାରି
କେଉଁ ଏକ ନିର୍ଜନ ନିଛାଟିଆ
ବଣ ପାହାଡ ଘେରା
ଶାନ୍ତ ସ୍ନିଗ୍ଧ ପ୍ରକୃତିର
ହୃଦୟ କନ୍ଦରେ ll

ସାଧନାର ପରମ ପୀଠ
ଅର୍ଜିତ ସମ୍ପତ୍ତିର
ଛିନ୍ନ ମୋହମାୟା ,
ଏକ ବଳିଷ୍ଠ ତ୍ୟାଗର
ସମିଆନା ତଳେ
ଘଣ୍ଟା ଘଣ୍ଟା ବସି
ନୀରବ ଓଁକାର
ଶବ୍ଦର ଝଙ୍କୃତ ନିନାଦ
ଚତୁର୍ଦ୍ଦିଗ ପ୍ରକମ୍ପିତ ହୁଏ ll

ବେଳଥାଉଁ ଖୋଜିବାର ପଥ
ଦିନ ଥାଉଁ ନାମ ସ୍ମରିବାର ନିଶା
ହଜିବା ଆଗରୁ
ସବୁ ପାଇବାର ଇପ୍ସା
ବିଲୁପ୍ତ ହୋଇଯାଏ
କାମନାର ବିନାଶରେ...
ହଜି ଯାଏ ଆପେ ଆପେ
ସମର୍ପଣ ଯଜ୍ଞକୁଣ୍ଡେ
ମିଛ ଅହମିକା ଦମ୍ଭ
ପାଲଟିଯାଏ ପାଉଁଶ ll

ତଥାପି ଆଗକୁ ଅଛି
ପଥ ବହୁ ଦୂର..
ଅସ୍ତମିତ ରବିର
ଶେଷ ରେଣୁ ଚୁମ୍ବନ
ନାହିଁ ବିଡମ୍ବନା..
ସାନ୍ନିଧ୍ୟ କାମନା
ଜିଇଁବା ମରିବା
ଏକାକାର ହୋଇଯିବ
ହୋଇଯିବ ଲୀନ
ଏକ ବିନ୍ଦୁରେ ll

ଲୀନ ହୋଇଯିବ
ରକ୍ତ ମାଂସର କାୟା
ସୂକ୍ଷ୍ମାତୀତ ବିଶାଳ ସେ
ପୂର୍ଣ ଗର୍ଭା ଶାଶ୍ବତ ସ୍ରୋତରେ
ମୁକ୍ତି ଲଭିବ ଜୀବନ
ଜଞ୍ଜାଳ ମୟ ସଂସାର
ଦୁଃଖର ବିନାଶରେ . .
ମୋକ୍ଷ ପ୍ରାପ୍ତିରେ ...ll

ରଚନା : ସହଦେବ ବେହେରା

ଠିକଣା : ମଙ୍ଗରାଜପୁର, ହାଟଡିହି, କେନ୍ଦୁଝର ଫୋନ ନମ୍ବର : 9438200870


Post a Comment

0Comments
Post a Comment (0)