କ୍ଷୁଦ୍ରଗଳ୍ପ - ଗୁରୁକୃପା - ନାରାୟଣ ଚନ୍ଦ୍ର ସେନାପତି

କ୍ଷୁଦ୍ରଗଳ୍ପ - ଗୁରୁକୃପା - ନାରାୟଣ ଚନ୍ଦ୍ର ସେନାପତି

  ସେଦିନ ନଖରା ଗାଁର ନଖିଆ ସାହୁ ରାସ୍ତାରେ ଚାଲି ଚାଲି ଯାଉଥିଲା।ମନରେ ତାର ଗର୍ବର ପାହାଡ଼।କେମିତି ହେବନି ଯେ, ସେ ପରା ବହୁତ ପାଠ ପଢ଼ିଛି।ଅବଶ୍ୟ ତାଙ୍କ ଗାଁଟି ମୁରୁଖ ଗାଁ,ତେଣୁ ସେ କାହାରିକୁ ଖାତିର କରେ ନାହିଁ।କେହି କେହି ବି କହନ୍ତି, ହଁ ଅନ୍ଧଙ୍କ ଭିତରେ କଣା ସର୍ଦ୍ଦାର।କେହି ଯଦି ତାକୁ ଟିକେ ନମସ୍କାର ନଖିଆ ସାର୍ କହିଦିଏ,ଅପାଳକ ରାଇଜରେ ବିଜୁଳି ଲକ୍ଷେ ଟଙ୍କା ପରି ଗାମ୍ଭୀର୍ଯ୍ୟ ଭିତରୁ ଫାଳେ କୃତ୍ରିମ ହସ ବାହାରିପଡ଼େ।ହଠାତ୍ ନଖିଆର ଆଖି ପଡିଲା ଜଣେ ସାଧୁଙ୍କ ଉପରେ।ବେଖାତିର କରି ଚାଲିଗଲା ବୀର ଦର୍ପରେ।ସାଧୁ ଜଣଙ୍କ ଧୀର ଗଳାରେ କହିଲେ ଆରେ ବାପା,ତୁମ ନାଁ କ'ଣ? ତୁମେ କଣ କରୁଛ? ମୁଁ ଡାକ୍ଟର ନଖିଆ ସାହୁ।ମୁଁ ଡ଼ାଇରେକ୍ଟର ଅଫିସର ଉପନିର୍ଦ୍ଦେଶକ।ଯାହେଉ, ପାଠ ଜାଣିଥାଉ କି କପି କୁପା କରିଥାଉ ସେ ଏ ଉପାଧି ପାଇଛି ବୋଲି ଲୋକଙ୍କୁ ମାଟି ଗୋଡି ବୋଲି ଭାବେ,ଇନ୍ଦ୍ର ଚନ୍ଦ୍ର ମାନେ ନାହିଁ।ସାଧୁ କହିଲେ, ଓ ତୁମେ ଜଣେ ଡାକ୍ତର।ରୋଗୀଙ୍କର ଦେଖା ଶୁଣା ଭଲ କରୁଥିବ।ନଖିଆ କହିଲା,ଏ ନା ନା ସେ ରୋଗୀ ଫୋଗୀ ମୁଁ ଦେଖେନା।ମୁଁ ଅଲଗା ଡାକ୍ତର।ମୁଁ ଦର୍ଶନ ଶାସ୍ତ୍ରରେ ପରା ଏ ଉପାଧି ପାଇଛି।ଆପଣଙ୍କର ଜ୍ଞାନ କାହିଁ ଏସବୁ ଜାଣିବାକୁ।ଓକେ, ଆପଣ ରାସ୍ତାରେ ଯାଆନ୍ତୁ ମୋ ମୂଲ୍ୟବାନ ସମୟ ମୁଁ ନଷ୍ଟ କରିବାକୁ ଚାହେଁନା।ସାଧୁ ଜଣଙ୍କ ମନେ ମନେ ଭାବିଲେ ଏଟା କୁ ଆର ଡାକ୍ତର ଭାବୁଥିଲି ଏଟା ଗୋଟେ ମସ୍ତବଡ ରୋଗୀ।ତତ୍ପରେ ଏଟା ମୁଣ୍ଡରେ ହଳଦୀ ଗୁଣ୍ଡା ବି ପଡ଼ିନାହିଁ,କାରଣ ଶିକ୍ଷା ଜୀବନରେ କେବେ ସରେନା।ଏ  ସମୁଦ୍ରରୁ ଶଙ୍କେ ପାଇ ଇନ୍ଦ୍ରଚନ୍ଦ୍ର ଆଦୌ ମାନୁନାହିଁ।ୟାକୁ ଦେବା ପାନେ।ଏସବୁ କହି ସାଧୁ କହିଲେ ଆରେ ବାପା, ପ୍ରକୃତରେ ତୁମେ ବହୁତ ପଢିଛ।କହିଲ ଦେଖି ଭଦ୍ରତାର ସଂଜ୍ଞା କଣ?ଆତ୍ମଜ୍ଞାନ କାହାକୁ କହନ୍ତି? ସାହୁର ଅକଲ ଗୁଦୁମ।ଭାବିଲା ଏତେ ବହି ପଢ଼ିଛି,ଦିନ ରାତି ଏଠୁ ସେଠୁ ସଂଗ୍ରହ କରିଛି,ଉପନିର୍ଦ୍ଦେଶକ ହୋଇ ବହୁତ ପାଠ ଚାଷ କରିଛି ହେଲେ ଏ ଜ୍ଞାନ କୁଆଡେ କେଉଁଠି ଅଛି,କାହିଁ ମୋ ଧାରଣା ନାହିଁ କି ମୁଁ ଅମଳ କରିନି।ସାଧୁ ଭାବିଲେ ଏଟା ଡାକ୍ତର ନୀଳବର୍ଣ୍ଣୀ ଶୃଗାଳ ବୋଧେ।ସେ କହିଲେ ବାପା ତୁମେ ଉପାଧି ପାଇଛ ସତ, ହେଲେ ଆତ୍ମଜ୍ଞାନ ତୁମ ପାଖରେ ନାହିଁ,ଆଉ ସମ୍ଭ୍ରମତା ଠାରୁ ତୁମେ ବହୁତ ଦୂରରେ।ଗୁରୁକୃପା ତୁମ ଉପରେ ନାହିଁ ତେଣୁ ଏସବୁଥିରେ ତୁମେ ଅନଭିଜ୍ଞ।ମନ ଦୁଃଖରେ ଘରକୁ ଫେରିଲେ ନଖିଆ ସାର୍।

 ସାଧୁଜଣଙ୍କ ଆଗଉ ଆଗଉ ଦେଖିଲେ ଗୋଟେ ବାହାଦୁରିଆ,ସ୍ବୟଂ ବିବେକାନନ୍ଦ ପରି ହାତ ଛାଟି କ'ଣ ସବୁ କେତେଜଣଙ୍କୁ ବୁଝାଉଛି। ଲୋକମାନେ ଜଡ଼ା ଲୋ ହୁଁ ଜାଡ଼ିଲୋ ହୁଁ କହି ଅଭିବାଦନ ଜଣାଇ ଯାଉଛନ୍ତି।ତାଙ୍କୁ ଦେଖି ସେ ଲୋକଟି କହିଲା ହୋ ବାବା,କଣ ଖବର?କଣ ମଠ ଫଠ ଖୋଜୁଛନା କଣ?ସାଧୁ ଭାବିଲେ ଏଟା ପରମ ମୂର୍ଖ, ଚାଣ୍ଡାଳଟା ବୋଧହୁଏ।ସାଧାରଣ ଶିଷ୍ଟାଚାର ବି ଶିଖିନାହିଁ। ପଚାରିଲେ ବାପା ତୁମ ନାଁ କଣ? ତୁମେ କ'ଣ ପଢିଛ?କ'ଣ କର? ମୋ ନାଁ ଶଙ୍କରା ସାହୁ,ପୃଥିବୀର ସବୁ ପାଠ ମୁଁ ସାରିଦେଇଛି।ମୁଁ ଜଣେ ସମାଜସେବୀ।ମୁଁ କୋଉ ନେତା, ମନ୍ତ୍ରୀ,ଜ୍ଞାନୀ ପଣ୍ଡିତଙ୍କୁ ଖାତିର କରେନା।ସମସ୍ତେ ମୋ ନାଆଁ ଶୁଣିଲେ ଡରନ୍ତି,ଶଙ୍କରା ଉତ୍ତର ଦେଲା।ସାଧୁ ଭାବିଲେ ବାସ୍ତବରେ ଏଟା ପଟିମରା ଶଙ୍କରା।ରାଣ୍ଡି ପୁଅ ଅନନ୍ତା,ଲଙ୍ଗଳା କଟୁରୀ। ଏଟାର ଜନ୍ମବୃତ୍ତାନ୍ତ ବୋଧେ ଠିକ୍ ନାହିଁ।ଏ ତ ରାବଣଠୁ ବି ବଳିଗଲା।ଶିକ୍ଷାର ପହିଲି ପାହାଚକୁ ଏ ଛୁଇଁ ନାହିଁ।ୟାକୁ ପାନେ ଦେବା ଦରକାର?ତତକ୍ଷଣାତ କହିଲେ, ବାପା.. ସତରେ ତୁମେ ବହୁତ ଜ୍ଞାନୀ,ମାନୀ,ଶକ୍ତିଶାଳୀ,ହେଲେ କହିଲ ଦେଖି ପାଠର ସଂଜ୍ଞା କଣ?ଏ ଦୁନିଆଁରେ ଶକ୍ତିଶାଳୀ କାହାକୁ କୁହାଯାଏ?ଜୋକ ମୁହଁରେ ଲୁଣ ଦେଲା ଭଳି ଶଙ୍କରାର ପ୍ରତିଭା କୁଆଡେ ଚାଲିଗଲା।ସାଧୁ କହିଲେ ତୁମେ ଶ ରେ ଅଛ,ସ ପର୍ଯ୍ୟନ୍ତ ପହଞ୍ଚି ନାହଁ। ସ ର ସତ୍,ସଂଭ୍ରମ,ସମ୍ମାନବୋଧ ତୁମକୁ ଛୁଇଁ ନାହିଁ।ଗୁରୁକୃପା କର।ସବୁ ଠିକ୍ ହୋଇଯିବ।

  ସାଧୁ ଆଗେଇ ଚାଲିଲେ ଜଙ୍ଗଲ ଭିତରକୁ।ଦେଖିଲେ ଜଣେ ଲୋକ କେତେକ ଲୋକଙ୍କୁ ମେଳେଇ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଛନ୍ତି ଜଣେ ଶିକ୍ଷକଙ୍କୁ।ଶିକ୍ଷକଙ୍କର ଦୋଷ ହେଲା ତାଙ୍କ ପିଲା କାହିଁକି ଅନ୍ୟଙ୍କୁ ଅସମ୍ମାନ କରୁଛି,ଦୁଷ୍ଟାମି କରୁଛି ଆଉ ଭଲ ପଢୁନାହିଁ।ସାଧୁ ଶିକ୍ଷକଙ୍କୁ ଅସମ୍ମାନ କରନାହିଁ କହିବାରୁ ସେ କହିଲେ ଆପଣ କିଏ ଏ ବିଷୟରେ ମୁଣ୍ଡ ଖେଳେଇବାକୁ।ସାଧୁ କହିଲେ ବାପା ତୁମ ନାମ କଣ?ତୁମେ କଣ କର?ତୁମେ କେତେ ପଢିଛ?ଲୋକଟି କହିଲା ମୋ ନାଁ ଜଳକା ସାହୁ।ଭିନ୍ନ ଭିନ୍ନ ଭାଷାରେ ମୋର ପାଣ୍ଡିତ୍ୱ ଅଛି।ମୁଁ ଓଡ଼ିଆ ଭାଷା, ଓଡିଶା ମାଟିର ଟେକ ରଖିବାକୁ ବ୍ରତ କରିଛି।ସାଧୁ କହିଲେ ବାପା,ତୁମ ପରି ପଣ୍ଡିତ ପାଇ ମୁଁ ଗର୍ବିତ।କହିଲ ଦେଖି ଗୁରୁଶିଷ୍ୟ ପରମ୍ପରାର ବୈଶିଷ୍ଟ୍ୟ କଣ?ଭାଷା ସାହିତ୍ୟର ପରମ ଲକ୍ଷ୍ୟ କଣ?ଓଡ଼ିଶାର ସଂସ୍କୃତି କ'ଣ ଚାହେଁ।ନିଆଁରେ ଶ୍ରାବଣୀ ଧାରା ପଡିଲା ପରି ଜଳକାର ଜଳକ ପାଟି ବନ୍ଦ ହୋଇଗଲା।ସାଧୁ କହିଲେ,ତୁମେ ତ ଗୁରୁଙ୍କୁ ସମ୍ମାନ ଦେଇ ଜାଣିନ, ତୁମ ପୁଅ କ'ଣ  ଅନ୍ୟକୁ ସମ୍ମାନ ଦେବ?ଭାଷାର ମଧୁର ବ୍ୟବହାର ଓ ଉପକାରୀତା ସମ୍ବନ୍ଧରେ ତୁମେ ସମ୍ପୂର୍ଣ୍ଣ ଅଜ୍ଞ, ତୁମେ ଓଡ଼ିଆ ଭାଷା ଓ ଓଡ଼ିଆ ମାଟିର ଟେକ କଣ ରଖିବ ?ଗୁରୁକୃପା କର।ସବୁ ସମ୍ଭବ ହୋଇପାରିବ।

   ତତ୍ପରେ ଅପରାହ୍ଣ ସମୟରେ ସାଧୁ ପହଁଚିଲେ ଗୋଟିଏ ବିସ୍ତୀର୍ଣ୍ଣ ପ୍ରାନ୍ତର ଉପରେ।ଦେଖିଲେ ଅଳସୁଆ ଲୋକଟିଏ ଅଳସେଇ ଅଳସେଇ ଆସୁଛି।ବାପାଙ୍କୁ ଦେଖି ବିଲେଇ ବାଟ କାଟିଲା ପରି ଆଡେଇ ଚାଲିଯାଉଛି।ସାଧୁ କହିଲେ ବାପା, ଇଆଡ଼େ ଆସ। ଭଗବାନ ତୁମର ମଙ୍ଗଳ କରିବେ।ତୁମ ନାଁ କଣ?ତୁମେ କଣ କରୁଛ?ତୁମେ  କେତେ ପାଠ ପଢିଛ? ଲୋକଟି କହିଲା ମୋ ନାଁ ଯାଦବ ସାହୁ।ଆଜ୍ଞା ପୃଥିବୀରେ ବାବାମାନଙ୍କୁ ମୁଁ ମାନେ ନାହିଁ।ଏଗୁଡା ଭଣ୍ଡ।ଭଗବାନ ବୋଲି କିଛି ନାହିଁ,ଥିଲେ ମୁଁ ସବୁ କାମରେ ଅସଫଳ ପୁଣି ଲୋକେ କୁହନ୍ତି ମଙ୍ଗଳମୟ ନା ଛେନାଗୁଡ଼।ମୁଁ ଏଇମିତି ଟୁକୁରା ମୁକୁରା ବେପାର କାମ କରେ,ଆଉ ଲୋକଙ୍କ ସେବା କରେ।ସାଧୁ ଭାବିଲେ ଏଟା ନିର୍ବୁଧିଆଟା।ନିଜ ଉପରେ ଭରସା ବି ନାହିଁ।ଏପଟେ ନାସ୍ତିକ ବି।ଏହାକୁ ଦେବା ଗୋଟେ ନୀତିଶିକ୍ଷା।କହିଲେ ବାପା ତୁମେ ଏକ ଅକର୍ମା,ଆତ୍ମପ୍ରତ୍ୟୟ ତୁମର ନାହିଁ।ଯାହାର ନିଜ ଉପରେ ଭରସା ନାହିଁ ସେ ଭଗବାନ କି ବାବାଙ୍କୁ ଜାଣିବ କିପରି?କହିଲ ଦେଖି, କଣ ଥିଲେ ଜଣେ ସଦା କର୍ମଠ ହୋଇ ଜୟ ଲାଭ କରିବ?ବାତ୍ୟାରେ କଦଳୀବୃକ୍ଷ ନଇଁଲା ପରି ନଇଁ ଥାଏ ସାଧବ।ସାଧୁ କହିଲେ ଗଠନମୂଳକ ଚିନ୍ତାଧାରା ବ୍ୟକ୍ତି ସର୍ବଦା ଆସ୍ତିକ, ସେ ହୁଏ ଦିଗବିଜୟୀ।ତୁମ ଉପରେ ଗୁରୁକୃପା ନାହିଁ,ଅର୍ଜନ କର ସବୁ ପାଇଯିବ।

  ସେଦିନ ସନ୍ଧ୍ୟା ସମୟରେ ଘରକୁ ଫେରିଲେ ନଖିଆ,ଶଙ୍କରା,ଜଳକା ଓ ସାଧବ।ଏମାନେ ପ୍ରକୃତରେ ଚାରିଭାଇ।ଏମାନଙ୍କ ପରିବାର ଏକ ନିକୃଷ୍ଟ ପରିବାର।ବଞ୍ଚିଥିବାବେଳେ ଏମାନଙ୍କ ପିତାମାତା ବି ଥିଲେ ଅସଭ୍ୟ।କଥାରେ ପରା ଅଛି ଆମ୍ବଡା ଗଛରୁ କଣ ଆମ୍ବ ଫଳେ ନା ଝାଡ଼ାଫେରା ପଡ଼ିଆରୁ ଧୂପଧୂଆଁ ବିସରିତ ହୁଏ ।ଚାରିଜଣ ଚିନ୍ତା କଲେ ଗୁରୁଙ୍କ ପାଖକୁ ଯିବାପାଇଁ।ଗୁରୁକୃପା ଟା ନିହାତି ଦରକାର।ଛାର ବାବାଜୀଟେ ଅପଦସ୍ତ କରିଦେଲା, ସେମାନଙ୍କ ପରି ଚାରି ମହାରଥିଙ୍କୁ।

  ଶେଷରେ ବ୍ୟାସଦେବଙ୍କ ପାଖକୁ ଯାଇ ସବୁ ବର୍ଣ୍ଣନା କଲେ ଓ ପୂର୍ବ ଭଳି ନିଜର ପରିଚୟ ପ୍ରଦାନ କଲେ।ବ୍ୟାସଦେବ ଭାବିଲେ ଏଗୁଡା ମୂର୍ଖ ନୁହଁ କି ପଣ୍ଡିତ ନୁହଁ କେବଳ ମୁଖପଣ୍ଡିତ ଯାହାକୁ ବୁଝାଇବା କଷ୍ଟ,ଯେଉଁ ଭୁଲ ଶିଖିଛନ୍ତି ତାକୁ ହିଁ ଠିକ୍ ବୋଲି କହୁଛନ୍ତି।ସେ କହିଲେ ବାପା ତୁମକୁ ଭୁଲ ଭୁଲିବାକୁ ପାଞ୍ଚ ବର୍ଷ ଓ ଠିକ୍ ଶିଖିବାକୁ ଆଉ ପାଞ୍ଚ ବର୍ଷ ଲାଗିବ।ତୁମକୁ ଗୁରୁ ଚାଣ୍ଡାଳ ଦୋଷ ଲାଗିଛି।ଚାରି ଭାଇ ବ୍ୟାସଦେବଙ୍କ ଗୋଡ଼ ଧରି ପ୍ରତିକାର ପାଇଁ ଅନୁରୋଧ କଲେ।

  ବ୍ୟାସ ବୁଝାଇଲେ,ପିତା ମାତା ଅଜ୍ଞାନ ଶିଶୁକୁ ଜନ୍ମ ଦେଇଥାନ୍ତି,କିନ୍ତୁ ଜ୍ଞାନୀ ପଣ୍ଡିତ ଭାବେ ଜନ୍ମନ୍ତି ବା ଗଢ଼ନ୍ତି ଗୁରୁ।ସେ ବନ୍ଧୁ ସେ ସଖା।ଅମାନ୍ଧକାରରେ ଦୀପଟିଏ ଜାଳି ଜ୍ଞାନ ଆଲୋକ ଦିଅନ୍ତି ସେ। ପରକୁ ନିଜର ବୋଲି ଭାବି ଶ୍ରଦ୍ଧାରେ କୋଳେଇ ନିଅନ୍ତି ସେ।ଶିଷ୍ୟର ଆଖିରୁ ଲୁହ ବୋହିଲେ ଗୁରୁଙ୍କ ଆଖିରୁ ବହେ ଲହୁ।ଶିଷ୍ୟଟା ଝୁଣ୍ଟି ପଡିଲେ ଗୁରୁଙ୍କ ହୃତ୍ ପିଣ୍ଡ ଫାଟିଯାଏ।

  ଗୁରୁ ଶିଖାନ୍ତି ଆଚରଣ,ସଂଭ୍ରମ,ଭଦ୍ରତା।ଗଢ଼ନ୍ତି ଚରିତ୍ର।ଗୁରୁଙ୍କ ଆଶୀର୍ବାଦ ପଡିଲେ ଗର୍ବ,ଅହଂକାର ସବୁ ମିଳେଇଯାଏ।ଯାହା ପାଖରେ ଗର୍ବ ଅହଂକାର ବସା ବାନ୍ଧିଥାଏ ସେ ମହାମୁର୍ଖ।ଯେ ଜ୍ୟେଷ୍ଠ,ଗୁରୁ,ସନ୍ଥ,ଅତିଥିଙ୍କୁ ଅସମ୍ମାନ କରନ୍ତି ସେ ଅମଣିଷ।ଯିଏ ନିଜକୁ ସର୍ବଶ୍ରେଷ୍ଠ ଜ୍ଞାନୀ ପଣ୍ଡିତ ଭାବେ ସେ ନର୍ଦ୍ଦମାର କୀଟ ସହ ସମାନ।ନିଜର ଭୁଲ ଅନ୍ତର୍ଦ୍ଦର୍ଶନ କରିବା ହିଁ ଆତ୍ମଜ୍ଞାନ,ଭୁଲ ବୁଝି ଜାଣି ତାକୁ ସଶ୍ରଦ୍ଧ ଠିକ୍ କରିବା ହିଁ ସଂସ୍କାର।ଅନ୍ୟକୁ ସମ୍ମାନ ଦେବା ହିଁ ମହତ ଲୋକର କାମ।ଅସଲ ବିଦ୍ୱାନ ସମ୍ମୁଖରେ ଲଢ଼େ,କୃତ୍ରିମ ପଣ୍ଡିତ କୁତ୍ସାରଟନା କରି ଈର୍ଷା ଓ ହିଂସାରେ ଜଳିଯାଏ।ଉଚ୍ଚମନା ସର୍ବତ୍ର ସମ୍ମାନିତ ହୁଏ କିନ୍ତୁ ହୀନ ନିକୃଷ୍ଟ ଘୃଣାର ଉପହାର ଲାଭ କରେ।ଜନ୍ମ କୁଳ ଜଣା ନ ଥିବା ବ୍ୟକ୍ତି ସଦା ସନ୍ଦେହର ଧୁଆରେ ଶ୍ୱାସରୁଦ୍ଧ ହୋଇ ମାନସିକ ରୋଗାକ୍ରାନ୍ତ ହୋଇଯାଏ।ପ୍ରତିଭାବାନ ବ୍ୟକ୍ତି ପଛରେ ଉପାଧି ଗୋଡାଏ, ଉପାଧି ଧରି ରାଜମୁକୁଟ ପିନ୍ଧି ମସ୍ତିଷ୍କରେ ଶୁଷ୍କ ପଳାସ ଗନ୍ଧ ଥିଲେ ସମ୍ମାନ ପାଖ ପଶେ ନାହିଁ।ଆତ୍ମପ୍ରତ୍ୟୟ ହିଁ ମଣିଷର ଶ୍ରେଷ୍ଠ ବଳ।ଯିଏ ଗଠନମୂଳକ ଚିନ୍ତାଧାରୀ ସେ ସର୍ବଦା ଶକ୍ତିଶାଳୀ।ସୁଶୀଳ,ଶାନ୍ତ,ସ୍ବଚ୍ଛ, ନିଷ୍କପଟ,ନିର୍ଲୋଭ, ନିଃସ୍ୱାର୍ଥପର ବ୍ୟକ୍ତି ସର୍ବଦା କାଳଜୟୀ।ଗୁରୁ,ବ୍ରାହ୍ମଣ,ଅତିଥି,ପିତାମାତା ଏସବୁ ସାକ୍ଷାତ ଦେବତା।କାହାକୁ ଇଜ୍ଜତ ଦେବା ମାନବିକତାର ପ୍ରତୀକ।ସତ୍ୟ,ଶାନ୍ତି,ଦୟା ଓ କ୍ଷମାର ଭୂଷଣକୁ ପିନ୍ଧି ସଦା ଦେଶର ହିତରେ ବ୍ରତୀ ହେବା ପ୍ରକୃତ ସନ୍ତାନର କର୍ତ୍ତବ୍ୟ।ହୃଦୟର ଭାଷା ପରିଚୟ ଦିଏ ଅନ୍ତଃଶୁଦ୍ଧତା ଓ ଓଠର ମଧୁର ଭାଷା ଜଣାଏ ତୁମ ସଂସ୍କାର।ତୁମ ଆଚରଣ,ଭଦ୍ରାମି,ସଂଭ୍ରମତା,ସମ୍ମାନ ବୋଧ ଜଣାଏ ତୁମ ସଂସ୍କୃତି ଓ ଶୃଙ୍ଖଳା।ଗୁରୁଙ୍କ ପାଦ ପଦ୍ମରେ ଧ୍ୟାନ ରଖି ଓ ଭଗବାନଙ୍କ ପାଖରେ ବିଶ୍ୱାସ-ଭରସା ରଖି ଯେ କାମ କରେ ସେ ବିଶ୍ବବିଜୟୀ ହୁଏ।ମନେ ରଖ---ଗୁରୁକୃପା ହିଁ ଶ୍ରେଷ୍ଠ ସମ୍ପଦ।

  ଚାରିଭାଇଙ୍କ ଆଖିରୁ ଝରିପଡ଼ିଲା ଧାର ଧାର ଲୁହ।ନିଜର ଅଜ୍ଞତାକୁ ବୁଝିପାରି ଗୁରୁକୃପା ବଳରେ ଆଗାମୀ ଜୀବନକୁ ଅତିବାହିତ କରିବାକୁ ସେ ସଂକଳ୍ପ କଲେ।ବ୍ୟାସଦେବଙ୍କୁ ପ୍ରଣିପାତ କରି ଓ ଆଶୀର୍ବାଦ ନେଇ ପ୍ରତ୍ୟାବର୍ତ୍ତନ କଲେ ସ୍ବଗୃହକୁ।

*ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର*

1 Comments

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।