ପଥହରା ପଥିକ ତୁ - ରଙ୍ଗନାଥ ରଥ

0
ପଥହରା ପଥିକ ତୁ 
ଧାଉଁ କାହିଁରେ
ରହିଛି କାଳିଆ ତୋର
ବାଟ ଚାହିଁରେ ॥୦॥

ଖସିଗଲେ ଗୋଡ଼ ତୋର
ପାଇବୁନି ଥଳକୂଳ,
ଦୁର୍ଲ୍ଲଭ ମଣିଷ ଜନ୍ମ
ମିଶିଯିବ ମାଟିରେ ॥୧॥

ଥରଟିଏ ଗଲେ ହୁଡ଼ି
ଆଉଥରେ ମିଳିବନି
କାନ୍ଦିଲେ ଦହିରୁ କ୍ଷୀର
ଆଉ ପାଇବୁ କିରେ ॥୨॥

ଯିଏ ଅତି ଆପଣାର
କର ତାକୁ ତୁ ନିଜର
ହାତ ଠାରି ଡାକୁଛି ସେ
ଦେଖି ପାରୁନୁ କିରେ ॥୩॥

ଶୁଭୁନି କି କରତାଳ
ଘଣ୍ଟ କାହାଳୀ ମର୍ଦ୍ଦଳ
ହରିବୋଲ ଡାକି ବଡ଼-
ଦାଣ୍ଡେ ଗଡ଼ିବୁ କିରେ ॥୪॥

ବସିଛନ୍ତି ବଡ଼ ରଥେ
ଚକାଆଖି ଜଗନ୍ନାଥେ
ଦର୍ଶନେ ପୂରିବ ମନ
ହେବୁ ପାଗଳ କିରେ ॥୫॥

Writer's Details: ଶ୍ରୀ ରଙ୍ଗନାଥ ରଥ
ବଡ଼ଗଡ଼ ବ୍ରିଟ୍, ଭୁବନେଶ୍ୱର
Content Category:
Submission Date: Jul 15, 2019

Post a Comment

0Comments
Post a Comment (0)