ନହେଲେ ବର୍ଷା ହୋଇ ଭିଜା - ଅମ୍ରିତେଶ ଖଟୁଆ

ନହେଲେ ବର୍ଷା ହୋଇ ଭିଜା - ଅମ୍ରିତେଶ ଖଟୁଆ

କେତେ ଯେ ଅପେକ୍ଷାରେ ଗୋ ତୁମ ମୌନବ୍ରତୀ
କେତକୀ ସୁମନେ ମୋର ନଭପ୍ରସୂ ପଲକେ
ଝରିପଡନ୍ତି କି ବାସ୍ନାୟିତ ଆବେଗେ,
କେତେ ଚୁମ୍ବିତ ଜର୍ଜର ନଭକୁ ଟାକି ବସୁଅଛ
କେହି କେହି ଚୁମ୍ଵେ ମୋ ଅନ୍ତର ସମୀରଣ
ଝରିପଡନ୍ତି କି ମହ୍ଲାର ସିକ୍ତାକାରେ,
ତେବେ ବିଳମ୍ବିତ କର କାହିଁକି, ଆଗୋ ତୁମ୍ଭେ
ହୋଇଛ କି ଆଡମ୍ବରାଦରଣୀୟା!
ତୁମ ସନ୍ଧିକ୍ଷଣେ ପ୍ରତି କ୍ଳେଦାକ୍ତ ନୟନ ବି
ବିସ୍ତୃତ ଊଟଜ ଉପରେ ବିସ୍ତାରିଛି ଲୋତକ ନିଜର,
ସେହି ଲବଣାକ୍ତ କୋହକୁ କର୍ଦ୍ଦମାକ୍ତ ଭୂଇଁରେ
ମଥାନର କେତେ ସୂରୁଜ ପ୍ରଶସ୍ତେ
ଆକାଂକ୍ଷିତ ଆଶ୍ଳେଷେ ସ୍ପର୍ଶ କରିବ ନିସ୍ପୃହେ
ନିସ୍ତବ୍ଧତାର ଝର୍ଝରେ।

ଅଗ୍ନୁଦ୍ଭବେ ତବ! ସିକତାର ତପ୍ତ କାଞ୍ଚିତ ସ୍ମୃତିମାନଙ୍କ
ଟୋପା ଟୋପା ବାଷ୍ପୀଭୂତ ଆବେଗ ସବୁ,
ଛୋଟ ଏକ ମନେ କୋହର ଆବରଣ ଚିରି
ପ୍ରଥମେ ଇଙ୍ଗିତେ ଝରୁଛି ସିକତାର ଅକ୍ଳେଶ ଯୌବନ,
ଘନ-ନୀଳ-ମୁଦିରେ ଘୃଣାର କାଳିମା ପରତେ
ତିତିକ୍ଷାର ବିଗଳିତ ଅବର୍ତ୍ତମାନେ
ଝରୁଛି ଝରୁଛି କଥାର ସ୍ୱପ୍ନିଳ ଅନାୟାସ,
ଏବେ ଝରିପଡୁ ଆହ୍ଲାଦିନୀ, ହ୍ଲାଦିନୀ ପରେ!

ଦେଖିବୁ, ଅବର୍ତ୍ତମାନେ କେତେ ଶକ୍ତା
କେତେ ସମ୍ଭୂତାସୀନା! ସେ ଟୋପା ଟୋପା ବିନ୍ଦୁର ସତନ୍ଦ୍ର ଜୋଛନାର ଆଭାରେ,
ଏବେ ସିକତାର ବିସ୍ତୀର୍ଣ୍ଣ ପ୍ରାନ୍ତର ମରୁକ୍ଳିଷ୍ଟ ହୁଏ କ୍ଷଣଭଙ୍ଗୁରେ
ଏବେ ନଭଶ୍ଚୁଭେ ଗଗନତନୟା! ଝରିବାକୁ ମରମକୁ ଫାଙ୍କି
ସବୁ ନିସ୍ତବ୍ଧତାର ନିସ୍ପୃହ ଆଲୋଡନେ,
ବିକ୍ଷିପ୍ତ ଅନୁରଞ୍ଚନ କରେ ତନ୍ଦ୍ରାର ଅଶ୍ରୁମାନଙ୍କ ନିଃଶବ୍ଦ ନିଃଶ୍ବାସ,
ଯେବେ ସେମାନଙ୍କ ତୃଷିତ ଶୋଭନ ଝରୁଛି
ଅଦ୍ୟାବଧି, ସବୁ ପ୍ରସ୍ରବିତ ଆତ୍ମଲିଙ୍ଗେ
ସବୁ ପାର୍ଥିବ ଅନହୂତରେ ଆନନ୍ଦକୁ ଟାକି ବସିଥିବା ନୟନେ
ସବୁ ଜୀବନର ବୃଥା ସପନେ ଡେରିଛି
ଆକାଂକ୍ଷିତ ଅସୁମାରୀ ଟୋପା ଟୋପା ବିନ୍ଦୁଙ୍କ ସମ୍ମିଳନ
ଏବେ ବରଷା ହୋଇ ଝରିପଡେ ସିକ୍ତ ମାଟି ପ୍ରଶସ୍ତେ!

Writer's Details: ଅମ୍ରିତେଶ ଖଟୁଆ,
୨୩୭, ଫେଜ୍ - ୨, କାନନ ବିହାର, ପଟିଆ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର -୨୪
Content Category:
Submission Date: Aug 18, 2019

0 Comments