ମାନବ ସେବା - ନାରାୟଣ ଚନ୍ଦ୍ର ସେନାପତି

0
ଶ୍ରଦ୍ଧାର ଝରକା ଫାଙ୍କରେ ଆନ୍ତରିକତାର ହୃଦୟୀ ଛୁଆଁ ତ ସେବା
ପ୍ରୀତିର ଫରୁଆରୁ କଢ଼ା ଅଭେଦ ଭଲପାଇବା ହିଁ ସେବା
ସେବା ପୁଣ୍ୟର ଦୀପ୍ତ ସଞ୍ଜବତୀ
ସେବା ଧର୍ମର ଅମ୍ଳାନ ଗୀତିକା
ମାନବିକତାର ଶିଖରରେ ମନଖୋଲା ହସୁଥିବା
ଏକ ସ୍ୱାଦିଷ୍ଟ ଚୁମ୍ବନ
ଅଜାଡିଦିଏ ଯେବେ ଆଦର୍ଶର ଅସରାଏ ଦରଦୀ ବର୍ଷା
ନିର୍ଜୀବ ମୁମୂର୍ଷୁ ପ୍ରାଣରେ ସୃଷ୍ଟିକରେ ନିଃଶବ୍ଦ ସ୍ପନ୍ଦନ
ଠିକ୍ ମୃତ୍ୟୁ ସଂଜୀବନୀ ପରାଏ।

ପଡୋଶୀ ଘରେ ଦରିଦ୍ର ପ୍ରପୀଡ଼ିତ ରୋଗାକ୍ରାନ୍ତ ମାନବକୁ ପ୍ରେମ କରେ ସେ
ବାସହୀନ ରାସ୍ତାକଡ଼ର ଅବହେଳିତ ଅନାଥ ମୁହଁରେ 
ଫୁଟାଏ ସେ ଟିକିଏ କଇଁଫୁଲିଆ ହସ
ଭୋକିଲା ପେଟକୁ ଆଉଁସୀ ଆଖିରୁ ଝରାଏ ସେ 
କେଇବୁନ୍ଦା କୋହଭରା ଅଶ୍ରୁ
ନିଃସ୍ୱ ବିକଳାଙ୍ଗର ପିଠି ଥାପୁଡ଼େଇ
ଦେଇଥାଏ କେତେ ଯେ ନଭଶ୍ଚୁମ୍ବୀ ଆଶ୍ୱାସନା
ବ୍ୟକ୍ତିତ୍ୱ,ମାନବିକତା,ମନୁଷ୍ୟତ୍ୱର ଅଳଙ୍କାର ପିନ୍ଧା ଆଦର୍ଶ ସମ୍ରାଟ ସେ
ଠିକ୍ ମହିମା ଧର୍ମର ତ୍ୟାଗପୁତ ସାଧୁପରି।

ତାକୁ ବ୍ରତକରି ମଦର ଟେରେସା ହୋଇଗଲେ ସ୍ଵଚ୍ଛ ଭାରତର କନ୍ୟା
ନିଜ ପୁତ୍ର ମୋହ ତ୍ୟାଗ କରି ରୋଗ ବନ୍ୟା ପ୍ରପିଡୀତଙ୍କୁ ବାଣ୍ଟି
ଗୋପ ବନିଗଲା ଉତ୍କଳମଣୀ
ସେବାକୁ ଧର୍ମ ଆଚରି 
ଗେରୁଆ ସନ୍ୟାସୀଟା ସାଜିଲା ବିଶ୍ବବିଜୟୀ
ତାକୁ ଅର୍ଘ୍ୟ କରି ଆଚାର୍ଯ୍ୟଟା ସାଜିଲା ପୂଜାରୀ ତ
ବିନୋବାବି ବୋଲାଇଲେ ପ୍ରେମ କୁବେର
ସତରେ ସେ ସିନା ନିଃସ୍ୱ କାଙ୍ଗାଳ
ତା ଉପସ୍ଥିତି ଅର୍ପଣ କରେ ମହାକର୍ଷଣ
ରୂପାନ୍ତର କରି ସାଧାରଣକୁ ଅସାଧାରଣରେ
ନତ କରେ ମଥା
ସର୍ବାଗ୍ରେ ଲେଖିଯାଏ ଅମୃତସ୍ପର୍ଶର ଅନୁପମ ଗାଥା।

Post a Comment

0Comments
Post a Comment (0)