ଦେଖେଇବା ଆମେ କାମରେ - ହାସ୍ୟମୟୀ ରାଜ୍

0

ଜୀବନ ଚାହେଁନା ଜଳିବାକୁ କେବେ 
ଯାତନା ର ଜତୁଗୃହରେ
ସିକ୍ତ ହେବାକୁ ଚାହେଁ ଅବିରତ
ସ୍ନେହ ପ୍ରେମ ବାରିଧାରାରେ
ଟପ୍ ଟାପ୍ ହୋଇ ଘର୍ମବିନ୍ଦୁ ପଡେ
କର୍ମର ଆହ୍ବାନରେ
କର୍ମ ବିନା କାହିଁ ଧର୍ମ ଜୀବନେ
ମାନଦଣ୍ଡ ସାଜେ ଜିଇଁବାରେ।
ଆନ ପାଇଁ ଯିଏ ଢାଳିଛି ଜୀବନ
ଶକ୍ତି ଭରିଛି ବାହୁରେ
ପ୍ରେମମୟ ନିଶ୍ଚେ ଭରିବେ ତା ଥାଳ
କିଛି ନ ଥାଇ ବି ଶୂନ୍ୟତାରେ ।
ଝଡ ତ ଆସିବ ଝଞ୍ଜା ବି ବହିବ
ଜଞ୍ଜାଳମୟ ଦୁନିଆରେ
ଭାଙ୍ଗିପଡିବାନି ନଇଁଯିବା ଟିକେ
ବାଟହୁଡି ଚାଲିଯିବାରେ ।
ସ୍ଥିର ଚିତ୍ତ ହୋଇ କ୍ରୋଧକୁ ନିୟନ୍ତ୍ରି
ଲକ୍ଷ୍ୟକୁ ରଖି ଆଗରେ
ହସି ହସେଇବା ହାତହାତେ ଛନ୍ଦି
ଥକିବନି କେବେ ପାଦରେ ।
ସୁଦୀର୍ଘ ଜୀବନ ମୂଲ୍ୟହୀନ ସିନା
ଯଦି କର୍ମ ନାହିଁ ଜୀବନରେ
ପାରୁଚତ କେବେ ଆଶାବାଡ଼ିଟିଏ
ଗୁଞ୍ଜିଦିଅ କାହା ହାତରେ ।
ସେଇ ଆଶାବାଡ଼ି ସାହା ହେବ ଦିନେ
ପଡିଗଲେ କେବେ ପଥଧାରେ
କିଏ ଏଠି ପର ସବୁତ ନିଜର
କଥାରେ ନୁହେଁ ତ
ଦେଖାଇବା ଆମେ ‌କାମରେ ।
               
Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି, ହାଟଡିହି, କେନ୍ଦୁଝର ।
Content Category:
Submission Date: Aug 06, 2019

Post a Comment

0Comments
Post a Comment (0)