କ୍ଷୁଦ୍ରଗଳ୍ପ - ମିଛ ସମ୍ପର୍କ - ଶିବ ଚରଣ ମହାପାତ୍ର

କ୍ଷୁଦ୍ରଗଳ୍ପ - ମିଛ ସମ୍ପର୍କ - ଶିବ ଚରଣ ମହାପାତ୍ର

          ଅନ୍ଧକାରର ନିର୍ଜନତା ଭିତରେ ଯଦି କିଛି ମାନସପଟ୍ଟରେ ଜାବୁଡି ଧରି ରଖିହୁଏ ତେବେ ତା'ର ନାଁ "ଭାବନା" । ସେ ଭାବନା କିଛି କ୍ଷଣ ପାଇଁ ହେଉ ପଛକେ ହୃଦୟ ମରୁ ଇଲାକାରେ ଖୁସି ମରୁଦ୍ୟାନ ଟିଏ ସୃଷ୍ଟି କରିବାର ଖୋରାକ୍ ଯୋଗାଇବା ପାଇଁ ଯଥେଷ୍ଟ । ସେ କଳ୍ପନା ଅତୀତର ଅବିସ୍ମରଣୀୟ ସ୍ମୃତିର ନରମ ଗାଲିଚା ହୋଇପାରେ , ବିସ୍ମୃତିର ତିକ୍ତ ଅନୁଭୂତି ହୋଇପାରେ , ଅଥବା ଭବିଷ୍ୟତର ଚିତ୍ତାକର୍ଷକ ସୁନେଲି ସ୍ୱପ୍ନ-ସମ୍ଭାର ହୋଇପାରେ । ବୋଧେ ସେଇ ବିଜନ ବେଳା ହିଁ ସମ୍ପର୍କର ଗଭୀରତା ମାପିବାର ଉପଯୁକ୍ତ ସମୟ । ସେଥିପାଇଁ ତ "ସ୍ମିତା" ଜାଣିଶୁଣି ପ୍ରତି ରାତ୍ରିରେ ନିଜ ଦେହର ସମସ୍ତ ପରିଧାନକୁ ନିର୍ଦ୍ୱନ୍ଦରେ ଖୋଲିଦିଏ । ବେଡଲାଇଟ୍ ସୁଇଚ୍ ବନ୍ଦ କରି ଚୁପ୍ ଚାପ୍ ବିଛଣା ଉପରେ ତା'ର ନିର୍ଜୀବ ଶରୀରଟି ଶୋଇଦେଇ ଅତୀତକୁ ରୋମନ୍ଥନ କରି ଚାଲେ.. ।
       -"ଏଇ ଧନ.. ତୁ ଆଜି ଖାଇବୁନିତ..?? ଠିକ୍ ଅଛି  ମୁଁ ବି ଖାଇବିନି ହେଲା.. ଦେଖିବା କାହାର କେତେ ଜିଦ୍.."
ତଥାପି ଗୁମସୁମ୍ ବସିରହିଥିଲା ସ୍ମିତା..
-"ହେଉ ହେଲା ବାବା ମୋର ଭୁଲ୍ ହୋଇଯାଇଛି .. କାଲିଠାରୁ ଆଉ ଗୋଟିଏ ସେକେଣ୍ଡ ବି ବିଳମ୍ବ ହେବନି ହେଲା.. ଦେଖିଲୁ ମୁଁ କାନ ଧରି ଉଠ ବସ ହେଉଛି..
ଏକ.. ଦୁଇ.. ତିନି.. ଚାରି..
ଏବେ ସ୍ମିତା ମୁହଁର କଳାହାଣ୍ଡିଆ ବାଦଲଟା ଟିକିଏ ଅପସରି ଯାଇଥିଲା ।
-"ଥାଉ ଥାଉ ,ଏତେ ଗେହ୍ଲେଇ ହୁଅନି..  ମୁଁ ଚାହେଁନି ମୋ ହିରୋ ଏମିତି ଭାବରେ ପନିସମେଣ୍ଟ ପାଆନ୍ତୁ.. ଗଲ ଗଲ ହାତ ଗୋଡ ଧୋଇହେଇ ଆସ.. , ମୋତେ ବହୁତ ଭୋକ ହେଲାଣି ..ଶୀଘ୍ର ଖାଇବା.."
ତରତର ହୋଇ ବିଶୁ ହାତ ପାଦ ଧୋଇ ହେଇ ଖାଇବାକୁ ବସିଗଲା । ବାପା-ଝିଅ ଦୁହେଁ ଗରମ ପଖାଳ ସାଙ୍ଗରେ ଆଳୁ ଭଜାକୁ କଞ୍ଚା ଲଙ୍କା ଖଣ୍ଡେ ଲୁଣ ସହିତ ଦଳି ଅଧପେଟ ଲେଖାଏଁ ଖାଇନେଲେ । ବାକି ବଳକା ପେଟର ଭୋକ ଆଗାମୀ କାଲିର ସ୍ୱପ୍ନ ପାଇଁ ସଞ୍ଚିତ ଥିଲା । ଓମ୍ କୁ ଆଗରୁ ଖାଇବାକୁ ଦେଇ ସ୍ମିତା ଶୋଇଦେଇଥିଲା । ଖଣ୍ଡିଏ ବଖରାର ଚାଳ ଘର  , ସେଇଠି ରୋଷେଇ ପୁଣି ସେଇଠି ହିଁ ବିଶ୍ରାମ ନେବାକୁ ହୁଏ । ସଅପ ପାରିଦେଇ ଗୋଟିଏ ପାଖରେ ସେ ଶୋଇଗଲା ଅନ୍ୟ ପାଖଟି ବାପାଙ୍କ ପାଇଁ ଛାଡିଦେଲା । ବିଛଣାରେ ସାରା ଦିନର ଭାରାକ୍ରାନ୍ତ ଶରୀରଟିକୁ ଗଡେଇ ଦେଉଦେଉ ବିଶୁ ଦେଖୁଥିଲା ତା ସ୍ୱପ୍ନ ଗୁଡିକ କେମିତି ତା'ର ଭଙ୍ଗା ଚାଳ ଛପର ଦେଇ ଆକାଶକୁ ଉଡି ଯାଉଛନ୍ତି । ସତରେ କଣ ସେସବୁ ସ୍ୱପ୍ନ ତା'ପାଖକୁ ସତ ହେଇ ଫେରି ଆସିବେ..?? ପରିବାରର ଅଭାବ ଅନଟନ ଭିତରେ ସେ କେବେବି ମୃତ ସ୍ତ୍ରୀ ର ଅନୁପସ୍ଥିତି ଅନୁଭବ କରିବାର ସୁଯୋଗ ପାଇ ପାରିନି । ସ୍ମିତା ଆଉ ଓମ୍ କିପରି ଭଲ ରେ ଦି'ଅକ୍ଷର ପାଠ ପଢିପାରିବେ  , ତାପରେ ପୁଣି ସ୍ମିତାର ବିବାହ ବୟସ ହେଇଗଲାଣି.. ଗୋଟିଏ ମଣିଷ କେତେ ହେଲେ ପରିଶ୍ରମ କରିବ..?? ଏପଟେ କାମରୁ ଘରକୁ ଶୀଘ୍ର ନଫେରିଲେ ଝିଅର ଅଳି ଅଝଟ ସହିବାକୁ ପଡ଼ୁଛି.. ହାଏରେ ଜୀବନ ସତରେ ତୁ କେଡେ ନିର୍ଦ୍ଦୟ..ଆଉ କେତେ ଅସହାୟ ମୋ ଜୀବନ । ଏମିତି ଅନେକ କଥା ଭାବୁ ଭାବୁ ବିଶୁ  ଆଖିକୁ ନିଦ ମାଉସୀ ତା ପଣତ ତଳେ ବିରାମ ଦେଇ ସାରିଥିଲାଣି । କିନ୍ତୁ ସ୍ମିତାକୁ ବାପାଙ୍କ ଆଖିର ସମସ୍ତ ସ୍ୱପ୍ନ ଜଳଜଳ ହୋଇ ଦେଖାଯାଉଥିଲା ।ରାତ୍ରି ବଢି ଚାଲିଲା ...।
ସକାଳ ହେବା ପରେ ପରେ କ'ଣ ଗଣ୍ଡେ ଖାଇନେଇ ବିଶୁ ପୁଣି ନିଜ କାମକୁ ଚାଲିଗଲା । ସ୍ମିତା ଓମ୍ କୁ ସଜବାଜ କରିଦେଇ ସ୍କୁଲ ପଠେଇଦେବା ପରେ ସେ ତା'ର କଲେଜ ବାହାରି ଗଲା । ସକାଳ ଯାଇ ସଞ୍ଜ ହେଲା । ସଞ୍ଜ ଗଡି ରାତି ବଢିବାକୁ ଲାଗିଲା କିନ୍ତୁ ସ୍ମିତା ଆଉ ଘରକୁ ଫେରିନଥିଲା । ସେଦିନ କାମରୁ ଶୀଘ୍ର ଫେରିଥିବା ବିଶୁ ନିଜ ଅଲିଅଳି ଝିଅକୁ ନପାଇ ନିଜ ପୁଅ ଓମ୍ ସହିତ ସାହି ପଡିଶା ସବୁ ଖୋଜିବାକୁ ଲାଗିଲା । ହେଲେ  କହନ୍ତିନି ପଶୁ ହଜିଗଲେ ମିଳିଯିବେ ହେଲେ ମଣିଷ ହଜିଲେ ..?? ତାକୁ ପାଇବା ଖୁବ୍ ମୁସ୍କିଲ୍ । ସ୍ମିତାକୁ ଖୋଜିବା ଯାହା ଅନ୍ଧାର ରାତିରେ ବାଡି ବୁଲେଇବା ସଙ୍ଗେ ସାର ହେଲା । ନିରାଶ ହୋଇ ଘରକୁ ଫେରିବା ପରେ ଓମ୍ ଦେଖିଲା ମାଟି କାନ୍ଥର ଠଣା ଭିତରେ ଏକ ହାତଲେଖା ଚିଠି ପଡିଛି । ସେ ତାକୁ ଆଣି ମିଞ୍ଜି ମିଞ୍ଜି  ଡିବିରି ଆଲୁଅରେ ଖୋଲି ପଢିଲା ।
ବାପା ,
          ମୋତେ ତୁମେ କ୍ଷମା କରିଦେବ.. କେତେଦିନ ଆଉ ଗୋଟିଏ ହାତର ପରିଶ୍ରମରେ ଆମେ ଦୁଇ ଭାଇ ଭଉଣୀ ପଢି ପାରିବୁ । ତେଣୁ ମୁଁ ବାଧ୍ୟ ହୋଇ ନିଜେ କିଛି ରୋଜଗାର କରିବାକୁ ସହର ଚାଲି ଯାଉଛି । ଭୟ କରିବନି ବାପା.. ମୁଁ କେଉଁଠି ବି ହଜିଯିବିନି.. ଆଉ ଯଦି ମୁଁ କେବେ ହଜିଯାଏ ତେବେ ତୁମେ ଅଛ ନା ମୋ "ହିରୋ".. ତୁମେ କଣ ମୋତେ ଖୋଜି ଆଣିବନି କି..?? ଏବେ ଶୀଘ୍ର ଘରକୁ ଫେରିବ.. ଓମ୍ ର ଯତ୍ନ ଠିକ୍ ରେ ନେବ.. ନିଜ ଦେହର ଯତ୍ନ ନେବ.. ମୁଁ  ଖୁବ୍ ଶୀଘ୍ର ଭଲ ଚାକିରୀ ଖଣ୍ଡିଏ କରି ଗାଁ କୁ ଫେରିବି..
               ।ଇତି।
                          ତୁମ ସୁନା ଝିଅ "ସ୍ମିତା.."
         ଏସବୁ ଶୁଣି ସାରିବା ପରେ ବିଶୁ ଯେମିତି ପାଷାଣ ପାଲଟି ଯାଇଥିଲା । କ'ଣ କହି ନିଜକୁ ନିଜେ ସାନ୍ତ୍ବନା ଦେବ ସେ..?? ସେ ତ ତାଙ୍କ ମାନଙ୍କ ପ୍ରତି କେବେବି କିଛି ଅବହେଳା କରିନି .. ସେ କଣ କେବେ କହିଛି ଯେ ଝିଅ ମୁଁ ତୋତେ ଆଉ କିଛି ଦେଇପାରିବିନି.. ବରଂ ତାଙ୍କ ଖୁସି ପାଇଁ  ଆଉ ଦୁଇ ଘଣ୍ଟା ଅଧିକ ପରିଶ୍ରମ କରିଛି  , ଚେଷ୍ଟା କରିଛି ସବୁଦିନ ତାଙ୍କୁ ଖୁସିରେ ରଖିବା ପାଇଁ ... ତେବେ କଣ ପାଇଁ ଏସବୁ ଅଘଟଣା ଘଟିଗଲା..?? ବିଶୁ ପ୍ରଶ୍ନରେ ସେଦିନ ସେ ପ୍ରକୃତି ମଧ୍ୟ ନୀରବି ଯାଇଥିଲା । ସ୍ଥାଣୁ ପାଲଟିଯାଇଥିଲା ଚାରି କାନ୍ଥ, ମାଟି ଚଟାଣ ଆଉ ଭଙ୍ଗା ଚାଳିଆର ଛପର..
           ତାପରେ ଦୀର୍ଘ ସତର ମାସ ବିତିଗଲାଣି । ବହୁ ଚେଷ୍ଟା କରି ମଧ୍ୟ ସ୍ମିତା ଫେରି ପାରୁନି ତା ଆପଣାର ମଣିଷ ମାନଙ୍କ ପାଖକୁ । ସେ ସହରୀ ଆଲୋକର ଛାଇ ତଳେ ଯେ ଏତେ ଘଞ୍ଚ ଅନ୍ଧକାର ଗଳିଟେ ଅଛି ତାକୁ ସେସବୁ ଜଣା ନଥିଲା । ସେଦିନ ବସଷ୍ଟାଣ୍ଡରୁ କେମିତି କେଉଁ ପରିଚୟ ଦେଇ ସେ ସଫେଦ୍ କୋଟ୍ ପିନ୍ଧା ମଣିଷଟା ତାକୁ ସାହାଯ୍ୟ କରିବାର ବିଶ୍ୱାସ ଦେଲା ତା'ର ମନେନାହିଁ । ସେ ଯେତେବେଳେ ଆଖି ଖୋଲିଥିଲା ନିଜକୁ ପାଇଲା ଏକ ଭିନ୍ନ ଦୁନିଆରେ । ଖୁବ୍ ନେହୁରା ହେଇଛି ସେ ଗାଁକୁ ଫେରିଯିବାକୁ ହେଲେ ଅରଣ୍ୟ ରୋଦନ କି କେବେ କାହା କର୍ଣ୍ଣ ଗୋଚର ହୁଏ..। ଯେଉଁଠି ଯୋଗ୍ୟତା କହିଲେ ଦେହର ସୌନ୍ଦର୍ଯ୍ୟକୁ ବୁଝାଏ.. । ସମ୍ପର୍କ କହିଲେ ପଇସାର ପ୍ରତିବଦଳରେ ମିଳୁଥିବା ଦେହକୁ ବୁଝାଏ ।ସେଇଠି ସମ୍ପର୍କର ବନ୍ଧନ କେତେ ନିବିଡ ତାକୁ ହିସାବ କରୁଛି  କିଏ..?? ବାସ୍.. ସେ କେବଳ ଏତିକି ବୁଝୁଥିଲା ଅବିଶ୍ବାସ ସହରରେ ଆଜି ବିଶ୍ୱାସର ମୂଲ୍ୟ ଖୁବ୍ ମହଙ୍ଗା ..। ଏଠି ବିଶ୍ୱାସ ବଦଳରେ ଅବିଶ୍ବାସ ମିଳେ ଆଉ ଭରଷା ବଦଳରେ ଛଳନା ...। ଏଠି ଆପଣାର ଲାଗୁଥିବା ସବୁ ମଣିଷଗୁଡାକ ଗୋଟିଏ ଗୋଟିଏ ଭୋକିଲା ଶୃଗାଳ ..। ଯେଉଁମାନେ ସମ୍ପର୍କର ଦ୍ୱାହି ଦେଇ ସବୁକିଛି  ଲୁଟିନିଅନ୍ତି ,ଖୁବ୍ ସହଜ ଆଉ ଖୁବ୍ ଚତୁରତାରେ..।
                  ସ୍ମିତା ଦେହର ଅସଜଡା ପିନ୍ଧାବସ୍ତ୍ରକୁ ପୁଣି ଥରେ ସଜାଡୁ ସଜାଡୁ ସେ ବାବୁ ଜଣକ ତା ଉପରକୁ ଖଡଖଡ ଟଙ୍କା ବିଡା ଟିଏ ଫିଙ୍ଗି ଦେଇଗଲେ..। ଆଉ ଓଠରେ ବହଳ ଲାଲ୍ ରଙ୍ଗର ପ୍ରଲେପ ବୋଳୁବୋଳୁ ସ୍ମିତା ନିଜକୁ ନିଜେ କହୁଥିଲା,-" ହଁ ଏବେ ପୁଣି ମିଛ ସଂସାରେ ଆହୁରି ମିଛ ସମ୍ପର୍କ ଗଢିବାକୁ ବାକିଅଛି ..।"

ଚକ୍ରଧରପୁର, କେନ୍ଦୁଝର

0 Comments