ବେଳାଭୂମି - ଶିବ ଚରଣ ମହାପାତ୍ର

0
ବେଳାଭୂମି ତୁମେ କଳା ମୁକସାକ୍ଷୀ
ଅର୍ଦ୍ଧଦଗ୍ଧ ମୂଖଶାଳା
ନିର୍ଜନ ହୃଦୟେ ତୁମ ପଦ ଚିହ୍ନ
କରେ ନିତି ଖେଳାଲୀଳା..

ଘୁଙ୍ଗୁର ଶବଦେ ଦିବାନିଶି ଭାଙ୍ଗି
ଝାଉଁ ବଣ ନୀରବତା
ଦରଦ ଯନ୍ତ୍ରଣା ଭାଙ୍ଗିଲା କୂଳକୁ
କହୁଥାଏ କେତେ କଥା..

ତୁମେ ଦେଖ ଯହିଁ ଅପସରୀ ନାରୀ
ବେଳାଭୂମି ପଟ୍ଟଚିତ୍ର
ଲୁହ ଲହୁ ମିଶା ମମତା କାହାଣୀ
ଆଙ୍କେ ତହିଁ ମୋର ନେତ୍ର..

କୋଳେଇ ନେଇଛି ବାଲ୍ୟ କାରିଗର
ବୀରଭୂମି ଔଡ ସୁତ
ଜାତି କୂଳ ପାଇଁ ସଲିଳ କବଚ
ଆଙ୍କିଛି ମାଆ ପଣତ..

ବାରଶ ବଢେଇ ଅମର ଆତମା
ମାଗେ ଯେବେ ପ୍ରିୟ ପୁତ୍ର
ତୁହାଇ ତୁହାଇ କାନ୍ଦେ ବେଳାଭୂମି
କୁରୁଳେ ତମସା ରାତ୍ର..

ଗୁମୁରି ଗୁମୁରି କେତେ ଯେ ଜଳିଛି
କେ' ଦେଖିଛି ତା'ର କୋହ
ସାରା ସାଗରଟା ଆଖି ଲୁହ ପିଇ
ଝାରୁଛି ଲବଣ ମୋହ..

ମହଣ ମହଣ ତପ୍ତ ବାଲିରାଶି
ଲେଖେ ନୂଆ ଅଭିସନ୍ଧି
ବାଲୁକା ଛାତିରେ ଲହରୀ ଆୟୁଷ
ପାରେକିବା ତାକୁ ବାନ୍ଧି..

ଦର୍ଶନେ ଦର୍ଶକ ପାଗଳ ପ୍ରେମିକ
ରୂପ ରଙ୍ଗ ଯଉବନେ
ଘନ ଜଳରାଶି ଉଛୁଳା ଲହରୀ
ନିଆଁ ଜାଳେ ପ୍ରତି ମନେ..

ଫେରାଇ ଦିଅ ହେ' ନୀଳ ଢେଉମାଳ
ବେଳାଭୂମି ଚିର ଖୁସି
ସେନେହମୟୀ ମା' ମମତା ପରଷେ
ହସୁଥାଉ ବାରମାସି..

ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର

Post a Comment

0Comments
Post a Comment (0)