ଉପନ୍ୟାସ - ସାଉଁଟା ଆଷାଢ - ପ୍ରଥମ ଭାଗ - ପ୍ରମୋଦ କୁମାର ପଣ୍ଡା

ଉପନ୍ୟାସ - ସାଉଁଟା ଆଷାଢ - ପ୍ରଥମ ଭାଗ - ପ୍ରମୋଦ କୁମାର ପଣ୍ଡା

ଆଦ୍ୟ ଆଷାଢର ପ୍ରଥମ ସପ୍ତାହ ଏବଂ ସନ୍ଧ୍ୟା ଆଗତପ୍ରାୟ | ବେଶ୍ ଗୋଟାଏ ଟାଣ ଅସରା ହୋଇ ଛାଡି ଯାଇଥାଏ | ସନ୍ଧ୍ୟା ପୂର୍ବରୁ ଅନ୍ଧାରଟା ମାଡିଆସିଲା ଲଗାମ୍ ହୀନ ଘୋଡା ଭଳି | ମଫସଲର ଅନ୍ଧାରଟା ଗଛ ଲତା ସନ୍ଧିରୁ ଘୋଟିଆସିଲା କ୍ଷୀପ୍ର ବେଗରେ ଯେ ଚାହୁଁ ଚାହୁଁ ତା'ର କଳା କଟ କଟ କାନିରେ ପୁରା ଗାଁ ଟା ଘୋଡେଇ ହୋଇଗଲା | ଅନ୍ଧାରଟା ଆହୁରି କିଟିକିଟିଆ ହୋଇଯାଇଛି କରେଣ୍ଟ୍ ଚାଲିଯାଇ ଥିବାରୁ |ତଥାପି ବର୍ଷାଟା ପୁରା ଛାଡି ନଥିଲା | ରହି ରହି ବରଷାର ସରୁ ସରୁ ଛିଟା ପୂବେଇ ପବନର କ୍ଷୀଣ ଧକ୍କାରେ ପଶ୍ଚିମ ମୁହାଁ ହୋଇ ଲୋଟି ପଡୁଥାଏ ତଳେ | ଅଳ୍ପ ଅଳ୍ପ ଝପ୍ ଝପ୍ ବର୍ଷା ଜନିତ ଶବ୍ଦ ସହିତ ପବନ ଆଘାତରେ ଗଛରେ ପତ୍ର କୁ ପତ୍ର ବାଜି ସୃଷ୍ଟି ହେଉଥିବା ଖଡ ଖଡ ଶବ୍ଦର ଫେଣ୍ଟା ଫେଣ୍ଟି ଶବ୍ଦ ମନରେ କିପରି ଏକ ଭୌତିକ ଧାରଣା ସୃଷ୍ଟି କରୁଥାଏ | ବର୍ଷା ଭିଜା ଏଇ ଅନ୍ଧାରିଆ ସନ୍ଧ୍ୟାଟା ଗାଁ ବଜାରକୁ ପୁରା ଜନଶୂନ୍ୟ କରିଦେଇ ଥିଲା | ବର୍ଷା ଧୁଆ କଳା ମଚ ମଚ ନିର୍ଜନ ପିଚୁ ରାସ୍ତାର ଦୁଇ ପାର୍ଶ୍ୱର ବଗଚରାରେ ଏବେବି ବର୍ଷା ପାଣିର ସୂଅ ଛୁଟୁଥିଲା | କେବେ କେବେ ବିଜୁଳିର ଝଲକରେ ଆଖି ସାମନାଟା ଆଲୋକିତ ହୋଇଯାଉଥିଲା କ୍ଷଣିକ ପାଇଁ | ମେଘ ମେଦୁରିତ ଆକାଶ ବକ୍ଷକୁ ବିଦିର୍ଣକରି ଘଡଘଡିର କାନ ଅତଡା ଶବ୍ଦ ଆଗଭଳି ନଥିଲେବି ବିଜୁଳି ସାଥୀରେ ମିଶିକରି ନିଜକୁ ଜାହିର କରୁଥିଲା ବେଳେ ବେଳେ | କୋହଲା ପବନଟା ଦେହରେ ପିଟିହୋଇ ଲୋମ ମୂଳ ସବୁକୁ ଠିଆକରେଇ ଦେଉଥିଲା | ଗରମ ଚା କପେ ବରାଦକଲି ସନିଆକୁ | ଏଇ ନିର୍ଜନ ବର୍ଷାଭିଜା ସନ୍ଧ୍ୟାର ଅନ୍ଧାର ଭିତରେ ଚା ର ଆନନ୍ଦ ଯେ ନିଆରା, ଏଥିରେ କାହାର ବା ସନ୍ଦେହ ଅଛି ?

ସନିଆର ଆଜବେଷ୍ଟସ୍ ଗଡା ଛୋଟିଆ ଚା ଦୋକାନରେ ମୁଁ ଥିଲି ଏକମାତ୍ର ଗ୍ରାହାକ | ଚା କେଟଲିରୁ ବାମ୍ଫଉଠା ଚା ଗ୍ଲାସ୍ କୁ ଢାଳି ମୋ ହାତକୁ ବଢେଇ ଦେଉ ଦେଉ ସନିଆ ପଚାରିଲା, " ବାବୁ ! ତମେ ଏତେ ଚିତ୍ର କରୁଚ, ସବୁ ବିକା ହେଇଯାଉଚି ନା ରହିଯାଉଚି ବଳକା ? ନା ....ନିଶ୍ଚୟ ବିକା ହେଇଯାଉଥିବ , କେଡେ ସୁନ୍ଦରିଆ ଛବି ଗୁଡାକ | ତମର ସେ ଯୋଉ ଦେବଦାସୀ ନାଚ କରୁଥିବା ଚିତ୍ର, ଆହା ହା....ପୁରା ଜୀବନ୍ତ ତ ! ମୁଁ ପରା ଦେଖିକି ପୁରା ଆଚମ୍ବିତ ହେଇଗଲି |" ମୁଁ ସନିଆ କଥାରେ ଗୋଟେ ଉପର ଠାଉରିଆ ହଁ ମାରି ଚା ଗ୍ଲାସ୍ ଟା ଓଠରେ ଲଗାଇବାକୁ ଯାଉଛି କି ହଠାତ୍ ସନିଆ ଦୋକାନ ଭିତରକୁ ଝଡ ବେଗରେ ପଶିଆସିଲା ଏକ ଯୁବତୀ | ଚା ଗ୍ଲାସ୍ ଟା ଓଠକୁ ସ୍ପର୍ଶକରିବା ପୂର୍ବରୁ ଅଟକିଗଲା | ଯୁବତୀ ଯୋଗୁ ନୁହେଁ, ଯୁବତୀଟିର ଏଭଳି ବର୍ଷଣ ମୁଖର ସନ୍ଧ୍ୟାରେ ଅପ୍ରତ୍ୟାଶିତ ପ୍ରବେଶ ଯୋଗୁ | ଖୁବ୍ ତରତର ହୋଇ ଦୋକାନ ଭିତରକୁ ପଶିଯାଇ ଏକ କୋଣରେ ଜାକିଜୁକି ହୋଇ ନିଜର କଳା ଓଢଣୀରେ ସର୍ବାଙ୍ଗ ଆଚ୍ଛାଦନକରି ଅନ୍ଧାର ଭିତରେ ନିଜକୁ ସମ୍ପୂୁର୍ଣରୂପେ ମିଶାଇଦେଲା ଯୁବତୀ ଟି|  ମୁଁ ଅନୁମାନକଲି ଯେ ଯୁବତୀଟି କାହାକୁ ଭୟକରି ଏମିତି ନିଜକୁ ଲୁଚାଇବାକୁ ଚେଷ୍ଟାକରୁଛି | ଦୋକାନ ଭିତରେ ଦିକି ଦିକି ହୋଇ ମଇଳା କାଚ ତଳେ  ଜଳୁଥିବା ଲଣ୍ଠନର ମଳିଚିଆ ହଳଦିଆ ଆଲୁଅ ଦୋକାନ ଭିତରର ଅନ୍ଧାରକୁ ଦୂର କରିବାରେ ନିଜର ଅକ୍ଷମତା ପ୍ରକାଶ କରୁଥିଲା କେବଳ ନିଜ ସ୍ୱରୂପ ପ୍ରଦର୍ଶନ ବ୍ୟତୀତ |

ପୂର୍ବର ଯୁବତୀଟି ଯେ ଆସନ୍ନ ବିପଦରୁ ରକ୍ଷା ପାଇବାକୁ ସନିଆର ଏଇ ଅନ୍ଧାରିଆ ଚା ଦୋକାନରେ ଏ ବର୍ଷଣ ମୁଖର ସନ୍ଧ୍ୟାରେ ଆଶ୍ରୟ ନେଇଛି ଏ ଅନୁମାନ ମୋର କିଛି କ୍ଷଣ ମଧ୍ୟରେ ସତ୍ୟରେ ପରିଣତ ହେଲା | କିଛି କ୍ଷଣ ମଧ୍ୟରେ ଏକ କଳା ରଙ୍ଗର ବୁଲେଟ୍ ମୋଟର ସାଇକେଲ୍ ବ୍ରେକ୍ କସିଲା ସନିଆର  ଚା ଦୋକାନ ସମ୍ମୁଖରରେ | ସେଥିରୁ ଓହ୍ଲାଇଲେ ଦୁଇଜଣ କଳା ରେନ୍ କୋଟ୍ ପରିହିତ ଭୀମକାୟ ବ୍ୟକ୍ତି | ସେ ଦୁଇ ଜଣଙ୍କ ମଧ୍ୟରୁ ଫ୍ରେଞ୍ଚ୍ କଟ୍ ଦାଢି ରଖିଥିବା ତିରିଶ ପଇଁତିରିଶ ବର୍ଷର ଯୁବକ ଜଣକ ମୋତେ ପଚାରିଲା, " ଆମ ଭଉଣୀକୁ ଦେଖିଛନ୍ତି କି ? ଏଇ ଟିକକ ଆଗରୁ ପରିଶ୍ରା କରିବା ବାହାନାରେ ଗାଡିରୁ ଓହ୍ଲାଇ ପଳେଇ ଆସିଛି ଏଇଆଡେ | ପ୍ରକୃତରେ ତା ' ର ମୁଣ୍ଡ ଦୋଷ ଅଛି ତ |" ସେ ଏକଥା କହି  ପ୍ରଶ୍ନିଳ ଦୃଷ୍ଟିରେ ମୋ ମୁହଁକୁ ଚାହିଁଲା | ଲଣ୍ଠନର ମଳିନ ଆଲୁଅରେ ସୁଦ୍ଧା  ତା ମୁହଁରେ ଥିବା ହିଂସ୍ରତାର ଛାପ ପରିସ୍ଫଟ ହୋଇ ମୋ ମନରେ କେମିତି ଏକ ସନ୍ଦେହର କୁହେଳି ସୃଷ୍ଟିକଲା | ଆସ୍ତିସୂଚକ ରୂପରେ ହଲିବାକୁ ଆରମ୍ଭ କରିଥିବା ମୋ ମୁଣ୍ଡଟା ନାସ୍ତିସୂଚକ ଭାବରେ ଦୁଇ ଥର ଏପାଖ ସେପାଖ ହୋଇ ହଲିଯିବା ସହିତ ମୋ ତୁଣ୍ଡରୁ ଗୋଟିଏ ଛୋଟିଆ ଶବ୍ଦ ନିର୍ଗତ ହେଲା.... " ନା"......| ଦୁହେଁ ନିଜ ନିଜ ଭିତରେ କଣ ଗୋଟାଏ ଦୃଷ୍ଟି ବିନିମୟ କରିବା ପରେ ଗାଡି ଷ୍ଟାର୍ଟ କରି ଯୁଆଡୁ ଆସିଥିଲେ ସିଆଡେ ଚାଲିଗଲେ |

ସନିଆ ଲଣ୍ଠନଟାକୁ ଟିକେ ତେଜିଦେଲା ଘର ଭିତରକୁ ନେଇ | କାଚଟା ଉପରେ ତା ମଇଳା ଗାମୁଛାଟା ବୁଲେଇ ଆଣିବାରୁ ଦୋକାନ ଘର ଭିତରଟା ସାମାନ୍ୟ ଆଲୋକିତ ହୋଇଗଲା | ଲଣ୍ଠନର ସେଇ ହଳଦିଆ ମଳିଚିଆ ଆଲୁଅରେ ମୁଁ ଦେଖିଲି ଯେ ମୁହଁରୁ ତା ଓଢଣୀଟି ହଟାଇ ଦେଇ ଯୁବତୀଟି ମୁହଁଟିକୁ ମୂକ୍ତ କରିଦେଇଛି | କଳା ଓଢଣୀ ଭିତରୁ ତା'ର ଗୋରା ଦକ୍ ଦକ୍ ଗୋଲ୍ ମୁହଁଟା କଳା ବାଦଲ ଘେରା  ପୂର୍ଣମୀର ଜହ୍ନ ଭଳି ଦେଖାଯାଉଛି | ଯୁବତୀଟି ଯେ ଅନିନ୍ଦ୍ୟ ସୁନ୍ଦରୀ , ସେଥିରେ ମୋର ଆଉ କୈାଣସି ସନ୍ଦେହ ରହିଲା ନାହିଁ | ସନିଆ ଦୋକାନର କୋଣରେ ଥିବା ଠାକୁରଙ୍କ ଫଟୋ ତଳେ ଧୂପକାଠିଟା ଗେଞ୍ଜିଦେଇ କହଲା , ବାବୁ ! ସେ ଚା ଟା ଥଣ୍ଡା ହେଇଯିବଣି , "ତାକୁ ଫୋପାଡିଦିଅ | ମୁଁ ଆଉ ଟିକେ ଚା ଗରମ କରି ଦେଉଚି |" ସନିଆ ଏହାକହି ଚୁଲି ଉପରେ ବସିଥିବା କେଟିଲିରୁ ଅନ୍ୟ ଗୋଟିଏ ଗ୍ଳାସ୍ କୁ ଚା ଢାଳିଲା | ଅତି ସନ୍ତର୍ପଣରେ ବସିରହିଥିବା ଯୁବତୀଟିକୁ ମୁଁ ଚାହିଁଲି | ଜଡବତ୍ ବସିରହିଥିବା ଯୁବତୀଟି ଏଥରକ ଧୀରେ ଧୀରେ ଉଠି ଠିଆହେଲା | ତାପରେ ଆସି ମୋ ପାଦ ଦୁଇଟାକୁ ଜାବୁଡିଧରି କଇଁ କଇଁ ହୋଇ କାନ୍ଦିବାରେ ଲାଗିଲା | ଠୋପା ଠୋପା ହୋଇ ତତଲା ଲୁହ ବର୍ଷାରେ ଥଣ୍ଡା ପଡିଯାଇଥିବା ମୋ ପାଦ ଉପରେ ପଡି କେମିତି ଏକ ଭିନ୍ନ ଅନୁଭବ ଆଣିଦେଉଥିଲା |ହଠାତ୍ ତା'ର ଏ ଅପ୍ରତ୍ୟାସିତ ବ୍ୟବହାରରେ ମୁଁ କିଂ କର୍ତ୍ତବ୍ୟମୂଢ ହୋଇଗଲି | ସନିଆ ଦୁଇ ଗ୍ଲାସ୍ ଚା ଧରି ଆସିବାରୁ ସେ ଉଠିପଡି ମୁଁ ବସିଥିବା ବେଞ୍ଚ୍ ର ଶେଷ ମୁଣ୍ଡରେ ବସିଲା | ମୁଁ ଲକ୍ଷ୍ୟକଲି ସେ ଥରୁଥିଲା , ତାହା ଭୟରେ ନା ବର୍ଷାରେ ଭିଜିଯାଇ ଥିବାରୁ , ତାହା ବୁଝିପାରୁନଥିଲି | ସନିଆ ଚା ଗ୍ଲାସ୍ ଦୁଇଟି   ଆମ ଦିଜଣଙ୍କୁ ଧରାଇଦେଲା | ସାମାନ୍ୟ ଇତସ୍ତତ ହୋଇ ଯୁବତୀଟି  ଚା ତକ ଅଳ୍ପ ସମୟ ଭିତରେ ନିଃଶେଷ କରିଦେଇ ଉଠିଗଲା ସେଠୁ | ମୋର ସେତେବେଳକୁ ଚା ଅଧା ସରିନି |ସେ ବୋଧେ କ୍ଷୁଧାର୍ତ୍ତ ଥିଲା କେବେଠୁ | ଲଣ୍ଠନ ଆଲୁଅରେ ମୁଁ ଲକ୍ଷ୍ୟକଲି , ଯୁବତୀଟିର ବୟସ କୋଡିଏ ଭିତରେ ହେବ | ଆକାଶି ରଙ୍ଗର ସାଧାରଣ ଚୁ଼ଡିଦାର ପଞ୍ଜାବୀ ଓ କଳା ଓଢଣୀରେ  ସେ କୌଣସି ରାଜକୁମାରୀ ଠାରୁ ଊଣା ନଥିଲା ରୂପରେ | ଗୋରା ରଙ୍ଗର ଶରୀର ତା'ର ବର୍ଷାରେ ଭିଜିଯାଇଥିବା ପୋଷାକ ଦେହରୁ ଯେମିତି ଆତ୍ମପ୍ରକାଶ କରିବାକୁ ଚେଷ୍ଟା କରୁଥିଲା | ମୁଁ ସଙ୍କୋଚରେ ମୁହଁ ବୁଲେଇନେଲି |
        
ତଥାପି ମଧ୍ୟ କରେଣ୍ଟ୍ ଆସିନଥିଲା | ସନିଆ କହିଲା, "କୋଉଠି ବୋଧେ ଏ ବର୍ଷା ପବନରେ ତାର ଛିଣ୍ଡିଯାଇଥିବ | ଏ ଶଳା କଣ ରାତିରେ ଯିବେ ? ଆଜି ରାତିରେ ଆଉ ଲାଇନ୍ ଆଇଲା ଭଳି ଲାଗୁନି |"  ମୁଁ ଲକ୍ଷ୍ୟ କଲି ଯୁବତୀଟି ନିକଟରେ  ପାଗଳାମିର କୋୖଣସି ଲକ୍ଷଣ ଦେଖାଯାଉ ନାହିଁ । ମୋର ମନେହେଲା,  ସେ କୋୖଣସି ଷଡ଼ଯନ୍ତ୍ରର ଶିକାର ହେବାକୁ ଯାଉଥିଲା, ରକ୍ଷା ପାଇଯାଇଥିଵାରୁ କୃତଜ୍ଞତା ଜଣାଇବାକୁ ମୋ ପାଦ ଛୁଇଁ କାନ୍ଦି ପକେଇଲା ଅତ୍ୟନ୍ତ ଭାଵପ୍ରବଣତାରେ ।  ଦେଖିଲି ସେ ଗୋଟିଏ କୋଣରେ ଠିଆହୋଇଛି  କୋଣାର୍କର କୋୖଣସି ଏକ  ଦେଵଦାସୀ ପରି ଆନତ ଵଦନରେ ସଙ୍କୋଚରେ ଜଡ଼ସଡ଼ ହୋଇ । କିଛି ଗୋଟେ ପଚାରିବି ଵୋଲି ଭାବୁଥାଏ ମାତ୍ର ଯୁଵସୁଲଭ ସଙ୍କୋଚ ହେତୁ ପଚାରି ପାରୁନଥାଏ । ମୋ ମନକଥା ଵୁଝିଲା  ଭଳିଆ ସନିଆ ଯୁବତୀଟିକୁ ଲକ୍ଷ୍ୟକରି କହିଲା,  " ବୁଝିଲ ମା ! ତମେ କିଛି ନକହିଲେ ଆମେ କଣ ଜାଣିବୁ ?  ଏ ଵରଷା ରାତି, ପୁଣି ତମେ ଯୁଵତୀ ଝିଅ ତା ସାଙ୍ଗକୁ ବିଦେଶ ଯାଗା । କୁଆଡୁ ଆଇଲ, କଣ କଥା , କିଛି ନଜାଣିଲେ ଆମେ କଣ କରିପାରିବୁ ? ଭଲଥାଏ ମନ୍ଦଥାଏ ।" ଯୁଵତୀଟି ସନିଆର ଏ ରୋକ୍ ଠୋକ୍ କଥା ଶୁଣି ଏଥରକ ସିଧାଭାବରେ ଆମ ଆଡ଼କୁ ଚାହିଁଲା , ଥଙ୍ଗ ଥଙ୍ଗ ହୋଇ କୋହ ମିଶା ସ୍ୱରରେ କହିଲା," ଆମ ଘର ନଈ ସେପଟେ , ମଫସଲରେ । ଏମାନେ ମୋତେ ଧରି ନେଇଯାଉଥିଲେ ବିକ୍ରୀ କରିବାକୁ । ମୁଁ............"ଆଉ କିଛି କହିପାରିଲାନି ସେ । ତା'ର କଣ୍ଠ ରୁଦ୍ଧ ହୋଇଗଲା | ଭୟ ଓ ସଙ୍କୋଚରେ କଣ୍ଠ ତା'ର ଥରୁଥିଲା ।ମାତ୍ର ତା'ର କଣ୍ଠ ଏତେ ମଧୁର ଥିଲା ଯେ ମୋତେ ଲାଗିଲା, ସନିଆର ସେ ଦୋକାନ ଘରେ ଯେପରି ଜଳତରଙ୍ଗ ବାଜିଉଠିଲା । ମୋତେ ଵିଶ୍ଵାସ ହେଉନଥିଲା । ଏତେ ମଧୁର କଣ୍ଠ ! ମୁଁ ସ୍ତଵ୍ଧ , କାନରେ ଯେମିତି କିଏ ଅମୃତ ଢାଳିଦେଲା ।
        
ଏତେବେଳକେ ମୁଁ  ମୁହଁ ଖୋଲିଲି, " ଦେଖ ! ତୁମେ ଅସୁବିଧାରେ ପଡ଼ିଛ , ପୁଣି ବରଷା ରାତି । ଝୀଅପିଲା,ଏକଲା କୁଆଡ଼େ ଯିବ ?" ସେ ନିରୁତ୍ତର ଥିଲା । କଣ ବା ଉତ୍ତର ଦେଵ । ମୁଁ ଵି ନିର୍ବୋଧ । ଏ ପ୍ରଶ୍ନ ଏଠି ନିରର୍ଥକ । ଯୁବତୀ ଆଡୁ ମୁହଁଫେରାଇ ମୁଁ ଏଥରକ ସନିଆ ଆଡ଼େ ଚାହିଁଲି । ସନିଆ ବୋଧେ ମୋ ମନକଥା ଵୁଝିଗଲା । ସେ ନିଜର ଅସହାୟତା ପ୍ରକାଶକରି କହିଲା, " ବାବୁ ! ମୋ କଥା ତ ଜାଣୁଥିଵ । ଏ ବରଷା କାଳକୁ ମୋର ବଖରେ ଘର । ସେଥିରେ ପୁଣି ଗର୍ଭିଣୀ ମାଇପୀଟା । ତା ଉପରେ ପୁଣି ଯୋଡ଼ା ଯୋଡ଼ା ପିଲା । ମୁଁ ପାରିବିନି ଵାଵୁ ।" ମନେ ମନେ ଚିନ୍ତାକଲି , ମୋତେ ହିଁ କିଛି କରିବାକୁ ପଡ଼ିବ ।  ଏପର୍ଯ୍ୟନ୍ତ ବି କରେଣ୍ଟ ଆସିନଥିଲା । ଅଵଶ୍ୟ ଵର୍ଷାଟା ଛାଡ଼ି ଯାଇଥିଲା । ଅନ୍ଧାର ତାର ପୁରା କଳେବର ଵିସ୍ତାରକରି ଵ୍ୟାପିଯାଇଥିଲା । ମୁଁ ଉଠି ଠିଆହେଲି । ଯୁଵତୀ ଜଣକୁ ପଛରେ ଆସିବାକୁ ଈଶାରାକରି ଘରକୁ ଵାହାରିଲି । ସେ କୋୖଣସି ବିରୋଧ ନକରି ଚୁପ୍ ଚାପ୍ ମୋ ପଛରେ ଆସୁଥାଏ । ପରିସ୍ଥିତିରେ ପଡ଼ି ଜଣେ ଯୁଵତୀକୁ ଯେ ଜଣେ ଅଜଣା ଅଶୁଣା ଲୋକ ସାଥିରେ ପୁଣି ଏ ଘନ ଅନ୍ଧାର ରାତିରେ ଅଜଣା ଯାଗାରେ  ବିଶ୍ୱାସ କରିବାକୁ ପଡ଼ିବ ଏକଥା ମୋତେ ମାନିବାକୁ ପଡ଼ିଲା । ଘରକୁ ସିନା ଯାଉଥିଲି ମାତ୍ର ସେଠି ଯେ କି ପରିସ୍ଥିତି ଉପୁଜିବ କିଏ ଜାଣେ । ମନେ ମନେ ଖାଲି ଈଶ୍ବରଙ୍କୁ ଡ଼ାକୁଥାଏ । ପୁଣି ଭାଵୁଥାଏ, " ଯାହାହେଲେ ହେବ, ମୁଁ ତ କିଛି ଭୁଲ କରୁନି । ଗୋଟେ ଅସହାୟା ନାରୀକୁ କେମିତି ଏ ରାତିରେ ଛାଡ଼ି ଦେଇଥାନ୍ତି ଏକୁଟିଆ ? କଣ ମାନଵିକତାର ଶେଷ ଘଟିଲାଣି ପୃଥିବୀରୁ ? " ଏପରି ଦ୍ୱନ୍ଦ ଭିତରେ କେତେବେଳେ ଯେ ଘର ଦୁଆର ମୁହଁରେ ପହଞ୍ଚିଗଲିଣି ଜାଣିପାରିଲିନି ।

ପ୍ରମୋଦ କୁମାର ପଣ୍ଡା, ବାଘମାରୀ, ଖୋର୍ଦ୍ଧା


0 Comments