ମୁହାଁ ମୁହିଁ ବିବେକ ସହ - ହାସ୍ୟମୟୀ ରାଜ୍

ମୁହାଁ ମୁହିଁ ବିବେକ ସହ - ହାସ୍ୟମୟୀ ରାଜ୍



ହୃଦୟର
ଶୁନ୍ ଶାନ୍ କୋଠରୀରେ ବୁଲୁ ବୁଲୁ
ଭେଟହେଲା ବିବେକ ସହ,
ପଚାରିଲି ବନ୍ଧୁ ଭଲ ଅଛ ?
ଅଭିମାନରେ ସେ
ମୋଡିଦେଲା ମୁହଁ,
କହିଲା,
"କାହିଁକି ପଚାରୁଛ ?
ମୋ ବୋଲକି ତମେ ମାନୁଛ,
ମନ ଯାହା କହେ,
ତାହାହିଁ ତ କରୁଛ
ମତେ କ'ଣ ମନେ ଆଉ ରଖିଛ ?"
ଆଉଁସି ଦେଲା ମୋର ମୁଣ୍ଡ
ଆଉ କହିଲା,
ରେ ବାଇଆ ଧନ
ଅବାସ୍ତବ କାମନାରେ
କାହିଁକି ଦୌଡୁଛ  ?
ମୁଁ ଜାଣେ
ତମ ପାଇଁ ଏ ତ
ଜଟିଳ ଗଣିତ
ପାରିବିନି ସମାଧାନ କରି,
ତା ଭିତରେ କାହିଁକି ପଶିଛ ?
ଏଠି ଖାଲି
ପାପୀ, ଭୋଗୀ, ମିଛୁଆଙ୍କ ପରାଭବ
ଏ ଯେ ଅନ୍ଧ ସମାଜ
କାହାକୁ କରୁଛ ବିଶ୍ବାସ  ?
ଉପରେ ସିନା ହସନ୍ତି ଏମାନେ
ଭିତରଟା ହଳାହଳ ବିଷ ।
ନିଜ ଉପରେ
ଟିକେ ହେଲା ସନ୍ଦେହ
ପଚାରିଲି ବିବେକକୁ
ବନ୍ଧୁ ହେ !
ମୁଁ କ'ଣ ସେମିତି,
ଟିକେ ମୋତେ କୁହ ?
କହିଲା ମୋ ପିଠି ଥାପୁଡ଼ାଇ
ବୋକାଟା କିରେ
ତୁ ଯଦି ହୋଇଥାନ୍ତୁ ସେମିତି
ଏ କଥା ମୁଁ ତୋତେ
କାହିଁକି କହନ୍ତି ?
ମନକୁ ପାଇଲା କଥାଟା
ଫେରେଇଲି ମୁହଁ
କହିଲି ଶୁଣିବିନି ଆଉ ମନକଥା,
ତୁମ କଥା ମୋର  ଶିରୋଧାର୍ଯ୍ଯ ।
କହିଦେଲି ସିନା
ଏହା କି ସହଜ !
ଚାପିଦେଲି ଆଖିଲୁହ
ହୃଦୟର କୋହ
ପଛରୁ ହାତଠାରି ଡାକୁଥିଲା
ମୋର ଅବାସ୍ତବ ମୋହ।
ମୋଡିଲି କାନକୁ
ଭାବିଲି,
ମୁଁ ଯାହା ଅଛି ଠିକ୍ ଅଛି
ଏଇଠି ମୋ ସ୍ଥାନ
ତାହା ହିଁ ତ ଈଶ୍ବରଙ୍କର
ମୋ ପାଇଁ ସର୍ବୋତ୍ତମ ଦାନ।।

Writer's Details: ହାସ୍ୟମୟୀ ରାଜ୍
ଓରାଳି ହାଟଡିହି, କେନ୍ଦୁଝର ।
Content Category:
Submission Date: May 23, 2019

0 Comments