OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

କ୍ଷୁଦ୍ରଗଳ୍ପ - ଭାଙ୍ଗିଲା ସ୍ୱପ୍ନ - ସରିତା ମହାନ୍ତି

କ୍ଷୁଦ୍ରଗଳ୍ପ - ଭାଙ୍ଗିଲା ସ୍ୱପ୍ନ - ସରିତା ମହାନ୍ତି

ସେଦିନ ଥିଲା ସୀମା ଜୀବନରସୁଖ ଦିନର ଅନ୍ତିମ ଦିନ। ସୂର୍ଯ୍ୟ ଉଦୟର ଆଭାସ ପାଇ ସୀମା ଶଯ୍ୟା ତ୍ୟାଗ କରି ସ୍ୱାମୀଙ୍କର ପାଦ ସ୍ପର୍ଶକରି ଲାଗିଯାଏ ବାସିପାଇଟିରେ। ଯେଉଁଟା ସୀମା ର ନିତ୍ୟ ଦିନର କାର୍ଯ୍ୟ। ସ୍ୱାମୀର ଆଶୀର୍ବାଦ ସ୍ତ୍ରୀ ପାଇଁ କେତେ ଜରୁରୀ ତା ପରିବାରରୁ ସୀମା ଶିଖିଥାଏ।ସେଦିନ ଯେ ସୀମା ପାଇଁ ଅମାବାସ୍ୟା ରାତ୍ରୀ ଘନେଇ ଆସୁଛି ସୀମା ସ୍ୱପ୍ନରେବି କଳ୍ପନା କରି ନଥିଲା। ପ୍ରତିଦିନପାରି ସେଦିନ ବି ସୀମା ପ୍ରାତଃ ସ୍ନାନ ସାରି ସିନ୍ଦୂର ଚନ୍ଦନ ନାଇ ପ୍ରଭୁଙ୍କ ପାଦ ପଦ୍ମରେ ଲୀନ ହୋଇଥାଏ। ପ୍ରଭୁଙ୍କ ଉପରେ ଥିଲା ତାର ଅତୁଟ ବିଶ୍ୱାସ। ସ୍ୱାମୀ ତାର ରୋଗ ଶଯ୍ୟାରେ ପଡ଼ିଥାନ୍ତି। ତଥାବି ତା ମନରେ ବିଶ୍ୱାସ ଥାଏ ଦୁଇ ଜଣ ଠାକୁର ଉପରେ। ଯେ ଯାହାଙ୍କୁ ସେ ଇହ ପର କାଳର ଦେବତା ରୂପରେ ପାଇଛି ସେ କେବେ ଧୋକା ଦେବେନି ବା ନିଃସଙ୍ଗ ଜୀବନ କଟାଇବାକୁ ସୀମାକୁ ଏକା ଛାଡି ଦେଇ ଯିବେନି। ନା ପ୍ରଭୁ ତାକୁ ଏତେ ବଡ଼ ଦଣ୍ଡ ଦେଇପାରିବେ। ହେଲେ ସୀମା କି ଜାଣିଥିଲା ସେଦିନ ସିନ୍ଦୂର ପିନ୍ଧିବାର  ତା  ପାଇଁ ଶେଷ ଦିନବୋଲି।ବୁଢ଼ା ଶଙ୍ଖାରୀ ଶଙ୍ଖା ପିନ୍ଧାଇବା ଯେପରି ଶେଷ ଦିନ ଠିକ ସେହିପରି।

ବିଧିର ବିଧାନ ବଡ଼ ବିଚିତ୍ର। ମଣିଷର ଜ୍ଞାତ ସାରରେ ବିପଦର ସଂକେତ ଆସିଥାଏ। ତାକୁ ମଣିଷ ଦେହକୁ ନିଏନି।ଯାହା ସୀମା ଜୀବନରେବି ଆସିଥିଲା।ସ୍ୱାମୀ ତାର ଥିଲେ ଉଚ୍ଚ ଶିକ୍ଷିତ।ଜ୍ଞାନର ଗନ୍ତାଘର।ରୂପରେ କନ୍ଦର୍ପବି ସରି ହେବନି। ସବୁପ୍ରକାର ସୁ ଗୁଣର ଅଧିକାରୀ ଥାଇ ଯେଉଁ ସ୍ୱାମୀର ସୀମା ହାତ ଧରିଥିଲା  ତା ପାଇଁ ଯେ ପ୍ରଭୁ ଅଳ୍ପ ଦିନର ଅତିଥି କରି ପଠେଇଛନ୍ତି ସୀମା କିପରି ବା ଜାଣିବ। ମଣିଷ ରୂପରେ ଜନ୍ମ ହୋଇଥିଲେ ମଧ୍ୟ ରୂପ ଗୁଣ ସବୁ ଦେଵତୁଲ୍ୟ ଥିଲା।ସୀମାର ଇହ ପର କାଳର ଦେବତା ତାରାକାନ୍ତ। ତାରାକାନ୍ତକୁ ବିବାହ କରି ସୀମା ସବୁକୁ ଭୁଲିଥିଲା। ଭୁଲିଥିଲା ବାପାମାଆଙ୍କର ସ୍ନେହକୁ।କାରଣ ଝିଅଟିଏ ଯେତେବେଳେ ବାପାମାଙ୍କପରି ସ୍ନେହ ଶାଶୁ ଘରେ ପାଏ ସେତେବେଳେ ଯାଇ ସେ ବାପା ମାଙ୍କ ସ୍ନେହକୁ ଭୁଲି ସଂସାର ଗଢି ତୋଳିଥାଏ। ସୀମା ଜୀବନରେ ବି ସେଇ  ସ୍ନେହ ମମତା ପାଇଥିଲା।

ଅଳ୍ପ ବୟସର ବିବାହ ବନ୍ଧନରେ ବାନ୍ଧି ହୋଇଥିଲା। ଦୁଇଟି ପିଲାର ମାଆ ମଧ୍ୟ ହୋଇସାରିଥିଲା। ସଂସାର ଜଞ୍ଜାଳ , ପରିବାରର ଦାୟିତ୍ୱ, ଟଙ୍କା ପଇସାର ହିସାବ  ଅଭାବ ଅନାଟନ  ଏସବୁର ଭୁ ଦୂରରେ ଥିଲା ସୀମା। କୌଣସି ଦାୟିତ୍ୱ ତା ଉପରେ ପଡୁ ନଥିଲା।ମେଜିକ କଲାପରି ତାରାକାନ୍ତ ସବୁ  ତୁଲାଇ ଦେଉଥିଲେ। ବହୁତ ବଡ଼ ସୁଖ ପାଇଁ ସୀମାର କେବେ ଆଶା ନ ଥାଏ। କାରଣ ଝିଅଟିଏ ଜଣେ ଉତ୍ତମ ବନ୍ଧୁପରି ଯଦି ସ୍ୱାମୀ ଟିଏ ପାଇଯାଏ ନା  ଆଉ ତା ପାଖରେ ସବୁ ତୁଚ୍ଛ ।ସବୁ ବିପଦରୁ ସେ ଅକ୍ଳେଶରେ ପାର ହୋଇପାରିଥାଏ। ସ୍ତ୍ରୀର ମେରୁଦଣ୍ଡ ସ୍ୱାମୀ।ଶକ୍ତ ହୋଇ ସେ ଛିଡା ହୋଇପାରେ।ଯାହା ପାରୁଥିଲା ସୀମା । ହେଲେ ଏତେ ସୁଖ କଣ ଜଣେ ସବୁଦିନ ପାଇ ପାରିବ। କାରଣ ସୁଖ, ଦୁଃଖ ଦୁଇଟାକୁ  ଭୋଗିବାକୁ ପଡ଼ିଥାଏ । ତେଣୁ ସୀମା ପାଖରୁ ସୁଖ ମେଲାଣି ଦେବାକୁ ବସିଥିଲା। ବାପା ଘରଠାରୁ ଆରମ୍ଭ କରି ଶାଶୁ ଘର ପର୍ଯ୍ୟନ୍ତ ସଭିଙ୍କ ମୁଖରେ ଭୂରି ଭୂରି ପ୍ରସଂଶା। କେତେ ସୁନ୍ଦର ଭାଗ୍ୟ ନେଇ ଜନ୍ମ ହୋଇଛିଲୋ ସୀମା। ସୀମା ଖାଲି ମୁରୁକି ହସିଦେଉଥାଏ। ଦୁଃଖ କଣ ସୀମାର ନ ଥିଲା, ନା ଅଭାବ କଣ ସୀମା ଜାଣି ନ ଥିଲା। ହେଲେ ତାରାକାନ୍ତ ସୀମା ଜୀବନଠୁ ଏମାନଙ୍କୁ ଦୂରେଇ ରଖିଥିଲେ।

ସଭିଙ୍କର ଯେପରି ନଜର ପଡିଲା ସୀମାର  ଦାମ୍ପତ୍ୟ ଜୀବନରେ। ଆସିଲା ଅଦିନିଆ ଝଡ଼। ଅଳ୍ପ ସମୟ ମଧ୍ୟରେ ଯେପରି ଧସେଇ ନେଇଯିବ ସୀମା ଜୀନନର ସମସ୍ତ ସୁଖକୁ ଯେପରି ସେ ପ୍ରସ୍ତୁତ ହୋଇବି ଆସିଥାଏ। ହଠାତ ତାରାକାନ୍ତ ପଡିଲେ ରୋଗ ଶଯ୍ୟାରେ ।ଡାକ୍ତରଙ୍କର ତତ୍ତ୍ୱାବଧାନତା  ସତ୍ତ୍ୱେ ରୋଗର ଉପଶମ ହେବା ପରିବର୍ତ୍ତେ ଦିନକୁ ଦିନ ତାରାକାନ୍ତ ରୋଗିଣା ହୋଇପଡିଲେ। ହେଲେ ରୂପ ତାଙ୍କ  ମଳିନ ପଡି ନଥିଲା। କେଉଁ ଉପାଦାନରେ ସୀମାକୁ  ଗଢ଼ିଥିଲେ କେଜାଣି ଟିକେବି ଭାଙ୍ଗି ପଡୁନଥିଲା। ଅନବରତ ତାରାକାନ୍ତଙ୍କର ସେବା ଘରର ଯାବତୀୟ କାର୍ଯ୍ୟ ବନ୍ଧୁବାନ୍ଧବଙ୍କର କଥା ବୁଝିବା ସବୁକୁ ନିର୍ଦ୍ୱନ୍ଦନରେ  ଥକି ନ ପଡି କରିଦେଉଥାଏ। କାରଣ ତା ମେରୁଦଣ୍ଡ ଶକ୍ତ।ତା ତାରାକାନ୍ତ ଶୋଇଥିଲେବି ତାର ଆଝିଆଗରେ।ତାଙ୍କଠାରୁ ପାଉଥାଏ ସେ ଅସୀମ ଶକ୍ତି।ତାରାକାନ୍ତଙ୍କର ଯେ ଶେଷ ଜୀବନ ପାଖେଇ ଆସିଥିଲା ସୀମା ଅନୁଭବ କଲେ ମଧ୍ୟ ତାକୁ ସେ ହରାଇ ଯେ ଦେବ ଭାବି ନଥିଲା। କୌଣସି ମଣିଷ ତାର ପ୍ରିୟ ଜିନିଷକୁ କେବେ ହରାଇବାକୁ ଚାହେଁଇ। କି ସ୍ବପ୍ନରେ ବି ଭାବି ନଥାନ୍ତି।ବରଂ ତାର ସୁରକ୍ଷା ପାଇଁ ଯତ୍ନବାନ ହୋଇଥାନ୍ତି। ଯାହା ସୀମା କରୁଥିଲା ।

ହେଲେ ନିୟତିର ନିର୍ଦେଶ। ସୀମା କଟେଇବ ନିଃସଙ୍ଗ ଜୀବନ, ତୁଲେଇବି କିଛି ଦାୟିତ୍ୱ, ଦୁଃଖ କଣ ଅନୁଭବ କରିବ, ସଂଘର୍ଷ କଣ ଜାଣିବ।ସେଥିପାଇଁ ଯମରାଜ ଆସି ଦ୍ୱାରସ୍ଥ ହେଲେଣି। ହେଲେ ସୀମା ଆନନ୍ଦ ମନରେ ବିଶ୍ୱାସ ଜନ୍ମାଇ ତା କାମ ଚାଲିଥାଏ।ଆମେ ଜାଣିଛେ ଦେବତା ଅସୁର ଯୁଦ୍ଧ ଚାଲିଥାଏ।  ଠିକ ସେହିପରି  ସୀମା ଆଉ ଧର୍ମ ସହ ଯେପରି ଯୁଦ୍ଧ ଚାଲିଥାଏ। ହାର ମାନେନି ସୀମା ତା ପାରୁ ପର୍ଯ୍ୟନ୍ତ ତା ସ୍ବପ୍ନଙ୍କୁ ହାରିବା ପାଇଁ ଦେବ ନାହିଁ ବୋଲି ଚେଷ୍ଟା ଚଳେଇଥାଏ । ହେଲେ କଥାରେ କହନ୍ତି ଦଇବ ଦଉଡି ମଣିଷ ଗାଈ ,ଜେଣିକି ଉଟାରୀ ତେଣିକି ଯାଇ। ସୀମା ବା କେମିତି ବାଦ ପଡ଼ିଥାନ୍ତା। ହେଲେ ସେ ସବୁକୁ ଭ୍ରୁକ୍ଷେପ ନ କରି ସୀମା ତାଘରୁ ପାଇଥିବା ସମସ୍ତ କଥାକୁ ତା ଜୀବନରେ ପ୍ରୟୋଗ କରୁଥାଏ।ସ୍ନାନପରେ ତୁଳସୀ ମାତାଙ୍କର ପାଦର ମାଟି ତାରାକାନ୍ତଙ୍କୁ ସେ ସବୁଦିନ ପିନ୍ଧାଇଥାଏ। କାଳେ ବିପଦ ଘୁଞ୍ଚିଯିବ। ସେଦିନବି ସୀମା ତାରାକାନ୍ତଙ୍କୁ ପିନ୍ଧାଇଛି ଜେଓଆରୀ ବିଜୟ କରିବା ପାଇଁ ବିଜୟର ଟୀ କା ତୁଳସୀ ମାତାଙ୍କ ପାଦରୁ ଆଣି।ଦେଇଛି ଚନ୍ଦନରଟିପା ।ପିଆଇଦେଇଛ କେତେ ବିଶ୍ୱାସର ସହିତ ପବିତ୍ର ଗଙ୍ଗା ଜଳ। କାଳେ ତାରାକାନ୍ତଙ୍କର ବିପଦ ହଟିଯିବ। ଯେଉଁ ଠାକୁର ତାପାଇଁ ନିର୍ଦ୍ଦେଶ ଦେଇସାରିଲେଣି ଅଳ୍ପ କ୍ଷଣ ମଧ୍ୟରେ ସୀମା ସର୍ବ ହରା ହେବ।  ସେହି ଠାକୁରଙ୍କ ସେବାରେ ସୀମା ନିଜକୁ  ହଜାଇ ଦେଇ ତାଙ୍କର ସେବା କରୁଥାଏ।ତାଙ୍କର ବସ୍ତ୍ର ବଦଳାଇବାଠାରୁ ଆରମ୍ଭ କରି ଆସ୍ଥାନ ସଫା କରିବା ପର୍ଯ୍ୟନ୍ତ। ଯେପରି ପ୍ରଭୁ ବି ପାଇବା ଆଶାରେ ସୀମାଠାରୁ ସେବା ତାଙ୍କର କାର୍ଯ୍ୟ ସବୁ କରିନେଉ ଥାଆନ୍ତି। କାରଣ ସେ ଜାଣିଥାନ୍ତି ନା ଆଉ ବାର ଦିନ ଯାଏ ସୀମା ମୋର କିଛି କାର୍ଯ୍ୟ କରିବନି।ତାପରେ ସୀମାକୁ ମୁଁ ଏମିତି ଜନ୍ମ ଦେଇଛି ସମସ୍ତ ଦୁଖ କଷ୍ଟରେ ବି ସେ ମୋତେ ଡାକିବ ।କାରଣ ସେତ ଅନ୍ତର୍ଯ୍ୟାମୀ ନା ।

ଗୋଟିଏ ପରେ ଗୋଟିଏ କାର୍ଯ୍ୟ କରିଚାଲିଥାଏ ସୀମା। ପୂଜା ଘରୁ ବାହାରି ଆସିଲା ପରେ ସୀମା ଯେମିତି ସ୍ତ୍ରୀ ପରିବର୍ତ୍ତେ ପାଲଟିଯାଇଛି ତାରାକାନ୍ତଙ୍କ ପାଇଁ ସ୍ନେହମୟୀ ମାଆ। ବିଶ୍ୱାସ କାଳେ ଯେଉଁ ହାତରେ ପ୍ରଭୁଙ୍କ ସେବାସାରିଛି କାଳେ ସେହି ହାତ ତାରାକାନ୍ତ ଙ୍କ ମୁଣ୍ଡରେ ବୁଲେଇ ଦେଲେ ହୁଏତ ବିପଦ ହଟିଯିବ। ତାରାକାନ୍ତ ଙ୍କର ଆୟୁ ଦ୍ୱିଗୁଣିତ ହେବ। ସେ ମୁଣ୍ଡ ଠାରୁ ଗୋଡ଼ ପର୍ଯ୍ୟନ୍ତ ତାରାକାନ୍ତଙ୍କର ସର୍ବାଙ୍ଗ ଶରୀରରେ ହାତ ବୁଲେଇଦେଇଛି। ହେଲେ ସୀମା ପାଇଁ ସେଦିନ ସେହି ସମୟ ତା ସ୍ୱାମୀଙ୍କଠାରୁ ଶେଷ ସ୍ପର୍ଶ  ଥିଲା।ଜାଣିଥିଲେ ହୁଏତ ସେ ସ୍ବର୍ଗୀୟ ସୁଖକୁ ସେ ଆଉ କିଛି କ୍ଷଣ ଅନୁଭବ କରିଥାନ୍ତା।କେମିତି  କ୍ଷଣିକ ସୁଖ ପାଇଁ ସେ ବସିଥାନ୍ତା ତା ପ୍ରାଣ ପ୍ରିୟ ପାଖରେ ସେତ ସବୁଦିନ ସୁଖକୁ ଆଖିଆଗରେ ରଖି କାମ କରିଚାଲୁଥାଏ।

ଏହା ଭିତରେ ଗାଡିର ହର୍ଣ୍ଣରେ ଚମକିପଡ଼ିଲା ସୀମା। ମନେ ପଡିଗଲା ସେତ ସମସ୍ତ ସୁବିଧା କରିଛି ତାରାକାନ୍ତଙ୍କୁ ଡାକ୍ତର ପାଖକୁ ନେବାପାଇଁ ।ହଠାତ ତତ୍ପର ହୋଇ ଉଠିଲା ।ତାରାକାନ୍ତଙ୍କୁ  ପୋଷାକ ପିନ୍ଧାଇ ଦେଲା। ସୀମା ଭଲ ଭାବରେ ଜାଣିଥିଲା ତାରା କାନ୍ତ ଙ୍କର ରୋଗକୁ। ତଥାପି ଭାଙ୍ଗି ପଡି ନଥିଲା। କି ଆଖିରୁ ଟୋପାଏ ଲୁହ ଝରାଉ ନ ଥିଲା। କେତେ କଷ୍ଟ ହେଉ ନ ଥିବ ଦୁଃଖ ପାଇଁ ତାକୁ ନୀଳକଣ୍ଠ ପରି ପାନ କରିବା।ଲୁହ ଟିକିଏ ଝରି ଗଲେ ହୁଏତ ଦୁଃଖ କମିଯାଅନ୍ତା।ହେଲେ ସେ ଭଲକି ଜାଣିଛି ସୀମା ଆଖିର ଲୁହ ତାରାକାନ୍ତ ସହିପାରିବନି। ତେଣୁ ସବୁ ଜାଣି  ସୁଦ୍ଧା ତାରାକାନ୍ତଙ୍କ ପାଖରେ ହସିବାର ଅଭିନୟ କରୁଥିଲା। ତାରାକାନ୍ତ ବି କେଉଁ କାମ କି। ଶେଷ ପର୍ଯ୍ୟନ୍ତ ପ୍ରଶ୍ନ ସୀମା ତୁମେ କଣ କରିବ।କାରଣ ସୀମାର ଚରିତ୍ର ସେ ଭଲ ଭାବରେ ଜାଣିଥିଲେ। ସୀମା ଦୁଇଟି ପିଲାର ମାଆ ହୋଇଥିଲେ ମଧ୍ୟ ତାର ବ୍ୟବହାର ଗୋଟିଏ  କଅଁଳ ଶିଶୁଟି ପରି। ଏମିତି ସମ୍ପର୍କ ଦୁଇ ଜଣଙ୍କର ଥିଲା। ଦୁହେଁ ଦୁହିଁଙ୍କ ପାଇଁ ଜୀବନ ଦେବାକୁ ପଛାଉ ନ ଥିଲେ।  ରୋଗ ଶଯ୍ୟାରେ ଶୋଇଥିଲେବି ତାରାକାନ୍ତଙ୍କର କଣ୍ଠରୁ ବାହାରି ଆସୁଥାଏ ଏଇ ତୁମେ ଖାଇଛ ହଁ। ତୁମେ କରିବ କଣ। କାରଣ ତାରାକାନ୍ତ ଜାଣି ସାରିଥିଲେ ସେ ତାଙ୍କର ପ୍ରାଣପ୍ରିୟ ଠାରୁ  ବହୁ ଦୂରକୁ ଯିବେ ଅଫେରା ରାଇଜକୁ। 

ସେଦିନ ସୀମା ପାଇଁ ତାରାକାନ୍ତା ମୁଖରୁ ସେହି ଅମୃତବାଣୀ ଥିଲା ଶେଷ ବାଣୀ।ଯାହା ସୀମାକୁ ଅଜଣା ଥିଲା।। ସୀମା ବାହାରର ଖାଦ୍ୟ ଖାଏ ନାହିଁ ତାକୁ ଝୁରେଇବା ପାଇଁ ସେ  ମନେପକେଇ କହିଲେ ଖାଇ ନିଅ ସୀମା। ଗଲେତ ବାହାରର ଖାଦ୍ୟ ତୁମେ ଖାଇବ ନାହିଁ।  ସୀମା ଜୀବନର ସ୍ପନ୍ଦନ ତାରାକାନ୍ତ ଜାଣିଥିଲେ ମୋତେ ବିଦାୟ ଦେବା ଆଗରୁ ସୀମା ପେଟରେ ଅନ୍ନ ଟିକିଏ ପଡୁ। ସୀମାବି ଆଖିର ଲୁହକୁ ଲୁଚାଇ ତାରାକାନ୍ତଙ୍କର କଥାକୁ ମାନି ଛୋଟ ପିଲା ପରି ଖାଇବା ପାଇଁ ଚାଲିଯାଇଥିଲା କାରଣ ଡାକ୍ତରପାଖକୁ ଯିବାକୁ ପଡିବ।ଅନ୍ତରର କୁହକୁ ଚାପି ସୀମା ଖାଇ ବସେ । ହଠାତ ଚାରିଆଡେ ଯେମିତି ନୀରବରେ ବାତାବରଣ ଛାଇ ଯାଇଥିଲା।ଚାରିଆଡେ ନିଃସ୍ତବ୍ଧ।ଦୀପଟିଏ ଲିଭିବାପୁର୍ବରୁ ଯେପରି ହୋ କି ନା ଜାଳି ଉଠିଥାଏ ।ତାପରେ ଅନ୍ଧାର ହିଁ ଅନ୍ଧାର। ଏତେ ସୁନ୍ଦର ଏତେ ସ୍ପଷ୍ଟ କଥା କହୁଥିବା ତାରାକାନ୍ତ ହଠାତ ମଉନ ହୋଇ ଯାଇଥିଲେ।ଝଡ଼ ଉଠିବାର ସଂକେତ ଆସିଯାଇଥିଲା।ଖାଇବା ଆରମ୍ଭ କରିଛି କି ନାହିଁ ସୀମା ହଠାତ କାକା କାକା ଡାକଟି ପଡିଲା ସୀମାର କାନରେ।ବାସ।ସେତିକି ଯଥେଷ୍ଟ ଥିଲା ସୀମା ପାଇଁ କାରଣ ସୀମାର ସ୍ପନ୍ଦନ ତାରାକାନ୍ତ।ଅଜଣା ଭୟରେ  ଗୋଟିଏ ନିଃଶ୍ଵାସରେ ଦଉଡି ଯାଇଥିଲା ତାରାକାନ୍ତ ପାଖକୁ କାହାକୁ କିଛି ନ ପଚାରି ନ ଦେଖି ଲୋଟି ଯାଇଥିଲା ତାରା କାନ୍ତଙ୍କର ବକ୍ଷ ଦେଶରେ। କୋଳେଇ ଆଣିଥିଲା ନିଜ ଉପରକୁ।ତାଙ୍କ  ବାହୁ ବନ୍ଧନରେ ନିଜକୁ ହଜେଇ ଦେବାକୁ ସବୁଦିନପାଇଁ। ହେଲେ କଣ ହେବ। ସେତେବେଳକୁ ସବୁ ସରି ଯାଇଥାଏ। ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ତାରାକାନ୍ତ। ବୁଝିବାକୁ ବି ବାକି ନ ଥିଲା ସୀମାର।କଅଁଳ ପିଲାଙ୍କ ପରି ଚିତ୍କାର କରି କାନ୍ଦି ଉଠିଥିଲା ସୀମା। ସରିଲା ସୀମା ଜୀବନର କାହାଣୀ। ନାଟକର ପଡିଲା ଯବନିକା। ଶେଷ ଥର ପାଇଁ କୋଳେଇ ନେଇ ପ୍ରଶ୍ନ କରିଥିଲା କାହିଁ ଭାଙ୍ଗିଲ ସୀମାର ସ୍ୱପ୍ନ।

ସରିତା ମହାନ୍ତି, ଶିକ୍ଷୟିତ୍ରୀ
ବାସୁଦେବପୁର, ବାଳିଆପାଳ, ବାଲେଶ୍ୱର

0 Comments