ଫୁଲ ଠୁଁ କୋମଳ ସେ ଯେ 
      ସ୍ଵପ୍ନ ଠୁଁ ସୁନ୍ଦର 
ଆକାଶ ଠୁଁ ବିଶାଳ ସେ 
      ସାଗରୁ ଗଭୀର    ୲ ୲   

ଗଙ୍ଗା ସମ ପବିତ୍ରା ସେ 
    ମମତା ନିର୍ଝର 
ପର୍ବତ ସମ ସେ ଦୃଢ଼ 
    ପ୍ରତିଜ୍ଞାରେ ଚିର    ୲ ୲ 

ସହନଶୀଳତା ଗୁଣ
    ପୃଥ୍ବୀ ସମ ତାର 
ତେଜ ବୀର୍ଯ୍ୟ ସୂର୍ଯ୍ୟ ଠାରୁ 
     ଆହୁରି ପ୍ରଖର     ୲ ୲ 

ଜନନୀ  ଭଗିନୀ  ଜାୟା 
  କନ୍ୟା ରୂପ ନେଇ 
 ନିରନ୍ତର  ଜଗତର 
   ମଙ୍ଗଳ ଇଚ୍ଛଇ     ୲ ୲ 

ନାନା ରୂପେ ସଦା କରେ 
    ଧର୍ମର ପାଳନ   
ଧର୍ମ ମାର୍ଗେ ଏ ଧରାକୁ 
  କରେ ସେ ଚାଳନ    ୲ ୲ 

ଦୁଃଖକୁ ଛାତିରେ ଚାପି 
    ସୁଖ ବାଣ୍ଟି ଥାଏ 
ନିଜ ସଂସାରକୁ ସିଏ 
    ସ୍ଵର୍ଗ ମଣୁ ଥାଏ     ୲ ୲ 

ପିତା ପତି ପୁତ୍ରଙ୍କର 
  ମାର୍ଗଦର୍ଶିକା ସେ 
ସତ୍ ମାର୍ଗ  ଦେଖାଏ ସଦା 
  ଥାଇଁ ପାଶେ ପାଶେ     ୲ ୲ 

ପୁରୁଷର ଶକ୍ତି ହୋଇ 
   ପୁରୁଷାର୍ଥ ଚାହେଁ 
ଯୁଗେ ଯୁଗେ ପ୍ରେରଣାର 
   ଉତ୍ସ ହୋଇ ରହେ    ୲ ୲ 

ଦୟା କ୍ଷମା ମମତାର 
  ସେ ଅଟେ ପ୍ରତୀକ 
ପର ଆପଣାର ଭାବ 
   ତା' ପାଖେ ଅଳୀକ    ୲ ୲

ସୃଷ୍ଟିର କଲ୍ୟାଣେ ସିଏ 
      ଚିର ସହାୟିକା 
ପରିବାର ସମ୍ଭାଳେ ସେ 
     ବୋଲାଇ ସେବିକା    ୲ ୲ 

ନିଜ ସୁଖ ଶାନ୍ତିକୁ ସେ 
    ହେୟ ଜ୍ଞାନ କରେ 
ସଂସାରକୁ ସେବା ଦେଇ 
     ଆନନ୍ଦରେ ଭରେ     ୲ ୲ 

ମମତାର ପଣତ ତା' 
    ସୁରକ୍ଷା ବଳୟ 
ପ୍ରେମ ଦାନେ ସଂସାରକୁ 
     କରେ ମଧୁମୟ    ୲ ୲ 

ଏତେ ପରେ ନାହିଁ ତା'ର 
      ନିଜ ସ୍ଵାଧୀନତା 
କିଏ କେବେ ବୁଝେନା ତା'  
      ଅନ୍ତରର ବ୍ୟଥା    ୲ ୲

କେବେ କେବେ ଭାଙ୍ଗି ଯାଏ 
        ତା' ଆଶାର ନୀଡ  
      ପ୍ରତାରଣା ନିର୍ଯାତନା 
         ମିଳେ କୁଢ କୁଢ     ୲ ୲ 

   ଅହଂକାରୀ   ପୁରୁଷର 
      କାମନା ବହ୍ନିରେ 
   ସ୍ଵପ୍ନର  ସଉଧ  ତାର 
     ଜଳେ ନିମିଷରେ    ୲ ୲ 

କେବେ ଚାରି କାନ୍ଥ ମଧ୍ୟେ 
       ଯନ୍ତ୍ରଣା ଆବଦ୍ଧ 
କେବେ ରାଜ ଦାଣ୍ଡେ ହୁଏ 
         ଇଜ୍ଜତର ବଧ    ୲ ୲ 

 ନିର୍ଲିପ୍ତ  ଚିତ୍ତରେ  ସବୁ 
    କରେ ସେ ହଜମ  
 ନିନ୍ଦା ଅପନିନ୍ଦାକୁ ସେ 
   ଭାବେ ତା' କରମ    ୲ ୲ 

ଧୈର୍ଯ୍ୟ ସାହାସ ବୀରତ୍ଵେ 
     ସେ ଯେ ସର୍ବଂସହା 
ଯୁଗେ ଯୁଗେ ତେଣୁ ନାରୀ 
       ଚିର ବନ୍ଦନୀୟା     ୲ ୲

ସଂଯୁକ୍ତା ରାଉତ, ଶିକ୍ଷୟିତ୍ରୀ  
ଜୟପୁର , କୋରାପୁଟ