ଫଗୁଣରେ ଫଗୁ - ରାଜକିଶୋର ନାୟକ

ଫଗୁଣରେ ଫଗୁ - ରାଜକିଶୋର ନାୟକ



ବରଷକରେ ଥରେ ଆସିଛି ହୋଲି
ରଙ୍ଗର ପସରା ମେଲି ।
ସଭିଏଁ ଖେଳିବା ହୋଇଣ ଏକାଠି
ରଙ୍ଗ ଅବିରରେ ବୋଳି ।।
ଫଗୁ ବସନ୍ତର ପହିଲି ପୀରତି
ରାଧା ଗୋବିନ୍ଦଙ୍କ ପ୍ରେମ ।
ଆମ୍ର ବକୁଳରେ ଭ୍ରମନ୍ତି ଭ୍ରମର
ଆଶେ ପରାଗ ସଙ୍ଗମ ।।
ପ୍ରଭାତ କାଳରେ କୋକିଳ କଣ୍ଠରୁ
ମଧୁର ସଙ୍ଗୀତ ଗାନ ।
ତପନ ବିହାରୁ ସପତ ରଙ୍ଗର
ସୁନେଲି ମୁରୁଜ ସ୍ନାନ।।
ଫାଲ୍ଗୁନୀ ମଳୟ ବାସ ଚହଟାଇ
ମଲ୍ଲି ଅଗଣାରେ ରାସ ।
କୃଷ୍ଣଚୂଡ଼ା ଫୁଲ ମୁରୁକି ହସୁଛି
ପାଇ ବାସନ୍ତୀ ପରଷ ।।
ସକଳ କୁସୁମ ରୂପର ମହିମା
ଦେଖାନ୍ତି ଫଗୁଣ ପାଶେ ।
ପଳାଶ ଫୁଲରେ କି ବାସ ରହିଛି
ବସନ୍ତକୁ ଭାରି ବାସେ ।।
ଗାଁଦାଣ୍ଡେ ହୁଅଇ ଦୋଳନ ପରବ
ଦିଅଁଙ୍କ ବିଭାନ ଯାତ ।
ମେଲଣ ବସଇ ଜନତା ଗହଳି
ଦେଖିବାକୁ ନାଚଗୀତ ।।
ଦୂର ଦୀଗବଳୟ ଗୋଧୂଳି ନୀଳୟ
ରକ୍ତିମ ଫଗୁ ଅନିଳ।
ଅସ୍ତଗାମି ରବି ପଶ୍ଚିମ ଆକାଶ
ଲଳିତ ଛବି ଆଙ୍କିଲ ।।
ସଞ୍ଜ ନଇଁ ଆସେ ସନ୍ଧ୍ୟା ତାରା ଜାଳି
ଜହ୍ନକୁ ଇସାରା ଦେଇ ।
ଶତଦଳ ତଳେ ଲୁଚି ଅଛି ଦେଖ
ସରସୀ ଜଳରେ କଇଁ ।।
ରଜନୀ କୋଳରେ ଶିଶୁ ପିଲା ପରି
ଶୋଇ ଯାଏ ଫଗୁ ରାଣୀ ।
ସପନ ସିନ୍ଧୁକ ଖୋଲଇ, ଶୃତିକି
ନିଦ ମାଉସୀ କାହାଣୀ ।।

ରାଜକିଶୋର ନାୟକ
ବରେଇ, ବଡ଼ବିରୁଆଁ, କୋରେଇ, ଯାଜପୁର
ମୋ - ୯୦୯୦୦୦୦୮୨୪

0 Comments