
• କେତେ ଗୋଳ ଲାଗିଛି ରେ ଭାଇ , ଏଇ ମାଟି ଚାଖଣ୍ଡକ ପାଇଁ
• ମାଟି ସମାନ ଏ ନଶ୍ଵର ଶରୀର , ଦିନେ ଯିବ ମାଟି ହୋଇ
• ରାଗ, ଅଭିମାନ, ଗରିମା,ବଡିମା
• ତୁଚ୍ଛ ଏ ମିଛ ବଡେଇ , କେତେ ଗୋଳ ଲାଗିଛି ରେ ଭାଇ…।।
•
• ବୀର ଭୋଗ୍ୟା ସିନା ଏହି ବସୁନ୍ଧରା , ବୀର ପରା ଅଟେ ସେହି
• ପରାକ୍ରମଶାଳୀ ପ୍ରଜାବତ୍ସଳ ଯେ , ଭେଦଭାବ ନଦେଖଇ
• କୁଟିଳ,କୁଚକ୍ରୀ ଜନ ରାଜପଣେ
• କିଛି ଅଧିକାର ନାହିଁ , କେତେ ଗୋଳ ଲାଗିଛି ରେ ଭାଇ…।।
•
• କେତେ କେତେ ବୀର,ରାକ୍ଷସ, କିନ୍ନର , ଧରାରେ ଜନମ ନେଇ
• ଶୂଚ୍ୟାଗ୍ରେ ମେଦିନୀ ନ ଦେବା ଆଳରେ , କିଏ ସେହି ଶୂନ୍ୟ ଦେହି
• ଦୁଷ୍ଟ ଦଳି ସନ୍ଥ ସହିତ ଏ ସୃଷ୍ଟି
• ରହିଛି ଅକ୍ଷୁର୍ଣ୍ଣ ହୋଇ , କେତେ ଗୋଳ ଲାଗିଛି ରେ ଭାଇ…।।
•
• କେତେ ଜଲ୍ହାଦ ମାଟିକୁ ବିଦାରି , ଶୋଷଣ କରିଲେ ମହୀ
• କେ ପ୍ରଜାବତ୍ସଳ ଉପଭୋଗ ଛଳେ , ଇତିହାସ ଗଲେ ହୋଇ
• କାହାକୁ ସହିଛି କାହାକୁ ଦହିଛି
• ଏଇ, ମା, ମାଟି ଜନ୍ମଭୂଇଁ , କେତେ ଗୋଳ ଲାଗିଛି ରେ ଭାଇ…।।
•
• ସବୁ ଜାଣିଶୁଣି ମଣିଷ କି ଅନ୍ଧ , ନୀଚ କୃତ୍ତ ଆଚରଇ
• କହରେ ପିଶାଚ ବସୁନ୍ଧରା ତଳେ କାହିଁ ତୋର ଠାବ କାହିଁ
• ପ୍ରଫୁଲ୍ଲ ଚିନ୍ତନ ଛାଡ ହୀନକର୍ମ
• ଶାନ୍ତି ର ବାର୍ତା ଦେଇ , କେତେ ଗୋଳ ଲାଗିଛି ରେ ଭାଇ…।।
ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା