ପ୍ରବନ୍ଧ - ସଙ୍କଟରେ ଧରିତ୍ରୀ - ରବିନ୍ ଖଣ୍ଡାୟତରାୟ

ପ୍ରବନ୍ଧ - ସଙ୍କଟରେ ଧରିତ୍ରୀ - ରବିନ୍ ଖଣ୍ଡାୟତରାୟ


ଗୋଟିଏ ଗୋଟିଏ ମୁହୂର୍ତ୍ତର ସମାହାରକୁ ନେଇ ସମୟର ଏକକ ଆଉ ଅନେକ ସମୟର ସମଷ୍ଟି ହେଲା ଜୀବନ । ସଦା ପ୍ରବହମାନ ସେହି ସମୟସ୍ରୋତରେ ଭାସୁଥିବା ଜୀବନ ନାବରେ ଘଟଣାଦୁର୍ଘଟଣାମାନ ଅହରହ ଘଟିଚାଲିଛି । ତଥାପି ସକାଳରୁ ସଂଜ ଆଉ ସଂଜରୁ ସକାଳ ମଣିଷର ଗତି ସୀମିତ ନାହିଁ । ସେ ଖୋଜିଚାଲିଛି କିଛି ନୂଆ ଆହୁରି କିଛି ନୂଆ, ୟା’ଭିତରେ କେବେ ବାଟବଣା ହୋଇଛି, କେତେ ଭୁଲ୍କରିଛି; ଯାହାର ସାକ୍ଷୀ ମଧ୍ୟ ସେଇ ସମୟ । ଆଜିକାଲି କିନ୍ତୁ କିଛିଟା ସଙ୍କଟମୟ ସ୍ଥିତିରେ ସଂସାର ଗତିକରୁଥିବା ଆଉ ତା’ଭିତରେ ଜୀବନ ଘାଣ୍ଟି ହେଉଥିବାର ନଜରକୁ ଆସିଛି । ସେଥିପାଇଁ ବ୍ୟସ୍ତ ହୋଇପଡ଼ିଛନ୍ତି ଚିନ୍ତାଶୀଳ ଜନନାୟକମାନେ । ଏମିତି କିଛି ସମସ୍ୟା ମଧ୍ୟରୁ ପ୍ରମୁଖଟି ହେଉଛି- ଜଳବାୟୁ ପରିବର୍ତ୍ତନ ଏବଂ ତଦ୍ଜନିତ ସୃଷ୍ଟି ହୋଇଥିବା ସମସ୍ୟା । ପୃଥିବୀ ମଣିଷର ନୁହେଁ ବରଂ ମଣିଷ ପୃଥିବୀର ବୋଲି କୁହାଯାଏ । ତଥାପି ସବୁବେଳେ ମଣିଷ ପୃଥିବୀକୁ ଶୋଷଣ, କଷଣ ଦେଇଚାଲିଛି । ଯାହାର ପ୍ରଭାବ ସାରା ମାନବସମାଜ ଉପରେ ପଡ଼ୁଛି । ଏବେ ଦେଖିଲେ ଦିଲ୍ଲୀ ଅବସ୍ଥା ଅସମ୍ଭାଳ ହେଲାଣି, ଆଗକୁ ପଲ୍ଲୀ ଅବସ୍ଥା ବି ସେମିତି ହୋଇଯିବ । ଦିଲ୍ଲୀ ବାୟୁମଣ୍ଡଳରେ ବିଷାକ୍ତ ଧୂଳିକଣା ଆଚ୍ଛାଦନରେ ଜୀବନଯାତ୍ରା ସତେଯେମିତି ଠପ୍ ହୋଇଯାଇଛି । ମୁହଁରେ ମୁଖା ଲଗେଇ ଘରେ ବନ୍ଦିଭାବରେ କେତେ ସମୟ ରହିପାରିବା ? ପିଲାମାନଙ୍କୁ କେତେଦିନ ସ୍କୁଲ୍ ନପଠାଇ ଘରେ ରଖିବା ? ଏହା ତ ସମସ୍ୟାର ସମାଧନ ନୁହେଁ ବରଂ ନୂଆ ସମସ୍ୟା ସୃଷ୍ଟିହେବାର ବାଟ । ତେଣୁ ସଙ୍କଟମୟ ସ୍ଥିତିରୁ ଧରିତ୍ରୀ ମାତାକୁ ମୁକୁଳାଇବାକୁ ହେଲେ- ସଂଯମ, ଶୃଙ୍ଖଳା, ସାମାଜିକ ତଥା ପ୍ରାକୃତିକ ସନ୍ତୁଳନତା ପ୍ରତି ଗୁରୁତ୍ୱାରୋପ କରିବାର ଯଥେଷ୍ଟ ଆବଶ୍ୟକତା ରହିଛି ।
ପୃଥିବୀ ସର୍ବଦା ସନ୍ତୁଳନ ପ୍ରିୟ, ଯାହାର ବିରୁଦ୍ଧାଚରଣରେ ଭବିଷ୍ୟତରେ ଜୈବ ବିବିଧତାର ସଂରକ୍ଷଣ ପ୍ରତି ବିପଦ ସୃଷ୍ଟି ହେବ । ବିକାଶ ଏକ ଚିରସ୍ଥାୟୀ ପ୍ରକ୍ରିୟା, କିନ୍ତୁ ବିନାଶର ମୁଳଦୂଆରେ ବିକାଶର ଘର ତୋଳିବାରେ କିଛି ମାନେ ନଥାଏ । ଯେଉଁ ମଣିଷର ସୁଖ ଶାନ୍ତିପାଇଁ ଏତେ ଆୟୋଜନ ସେ ଯଦି ନଥିବ ତେବେ କିଏ ରହିବାକୁ ଏତେ ବ୍ୟବସ୍ଥା? ଅଶୀ ଦଶକରେ ଯେତେବେଳେ ଆରାମଦାୟକ ଜୀବନ ଶୈଳିପାଇଁ ଶୀତତାପ ନିୟନ୍ତ୍ରୀତ ଯନ୍ତ୍ର ପରି ଅନେକ ଗୁଡ଼ିଏ ଯନ୍ତ୍ରର ବ୍ୟବହାର କରାଗଲା, ସବୁଜ ବିପ୍ଳବର ପ୍ରବର୍ତ୍ତନ କରାଯାଇ ଆଖିଦୃଶିଆ ଭାବେ ଖାଦ୍ୟ ଉତ୍ପାଦନ ବୃଦ୍ଧି କରାଗଲା! ସେ ଦ୍ରୁତ ବିକାଶ ଧାରାର ପ୍ରତିବଦଳରେ ଜଳବାୟୁ ପରିବର୍ତ୍ତନ, ମୃତ୍ତିକାର ଗୁଣ ନଷ୍ଟ, ଜଳ ସ୍ତର ହ୍ରାସ ପରି ଆଜି ଆମ ପାଇଁ ଅନେକ ସମସ୍ୟା ସୃଷ୍ଟି ହେଲାଣି । କାଲି ଭାବ ଆଦାନ ପ୍ରଦାନର ମାଧ୍ୟମ ଥିବା ମୋବାଇଲ୍ ଫୋନ୍ ଆଜି ସ୍ମାର୍ଟ ଫୋନ୍ ହୋଇ ଆମ ପରିବେଶକୁ ବିଷାକ୍ତ କରିବା ସହିତ ଆଖିରୁ ନିଦ ହଜେଇ ଦେଇ ରୋଗିଣା କରି ସାରିଲାଣି । ସ୍ମାର୍ଟ ଫୋନ୍ରେ ବ୍ୟବହାର ହେଉଥିବା ଲିଥିୟମ-ଆୟନ ବ୍ୟାଟେରିରୁ ଡର୍ଜନରୁ ଅଧିକ ବିଷାକ୍ତ ଗ୍ୟାସ୍ ବାହାରୁଛି । ଯେଉଁଥିରେ କାର୍ବନ ମନୋକସ୍।ଇଡ଼ ମଧ୍ୟ ରହିଛି । ଏହା ପ୍ରଭାବରେ ପରିବେଷ ପ୍ରଦୂଷିତ ହେବା ସହିତ ଲୋକମାନଙ୍କର ଆଖି, ଚର୍ମ ଏବଂ ନାସିକା ଆଦିରେ ଜ୍ୱଳନ ସୃଷ୍ଟି କରୁଛି । ଆହୁରି ତା’ପାଇଁ ହେଉ କି ଅନ୍ୟ କାହା ପାଇଁ ହେଉ କମ୍ ଶୋଇବା କାରଣରୁ ଆମ ଶରୀରରେ ଚର୍ବି ଅଧିକ ଓ ପ୍ରୋଟିନ୍ କମ୍ ଜମାହେଉଛି । କ୍ୟାଲୋରୀରେ ଅସନ୍ତୁଳତା ପାଇଁ ମେଦ ବୃଦ୍ଧି ଘଟୁଛି ଆଉ କମ୍ ଶୋଇବା କାରଣରୁ ଦେହ ଯନ୍ତ୍ର ଅଧିକାଂଶ ରୋଗର ବାହକ ସାଜିଛି ବୋଲି କିଙ୍ଗସ୍ କଲେଜ ଲଣ୍ଡନ ଓ ଆମଷ୍ଟରଡମର ବ୍ରିଜେ ୟୁନିଭର୍ସିଟି ପ୍ରଫେସର ଗେର୍ଡ଼ା ପଟ୍ କହିଛନ୍ତି । 
ପ୍ରଦୂଷଣର ବିଷବଳୟ ଭିତରୁ ବିଶ୍ୱକୁ ମୁକ୍ତ କରିବାକୁ ହେଲେ ସମସ୍ତଙ୍କର ସହଯୋଗ ନିହାତି ଆବଶ୍ୟକ । ଆଜିର ଆହ୍ୱାନ ହେଉଛି ପ୍ରାକୃତିକ ପ୍ରଦୂଷଣରୁ ସମାଜକୁ ମୁକ୍ତ କରିବା ସହିତ ନିଜକୁ ମାନସିକ ପ୍ରଦୂଷଣରୁ ମଧ୍ୟ ମୁକ୍ତ ରଖିବାକୁ  ପଡ଼ିବ । ଅନ୍ୟଥା ନିଜ ଘରଦ୍ୱାର ସଫାକରି ଆମେ ଅନ୍ୟ ଘରକୁ ତାହା ଫୋପାଡ଼ୁଥିବା ଯାଏ ଅଳିଆ କେବେ ବି ଦେଶରୁ ଉଠିବନି । ପ୍ରକୃତି ଆମକୁ ନିଃସ୍ୱାର୍ଥପର ଭାବରେ ସେବା ଯୋଗାଇ ଦେଇ ଆସୁଛି ହେଲେ ଆମେ ବ୍ୟକ୍ତିଗତ ସ୍ୱାର୍ଥପୁରଣ ପାଇଁ ମାଟି, ପାଣି, ପବନକୁ ସଦୁପଯୋଗ ନ କରି ବରଂ ସେସବୁକୁ ଦୁରୂପଯୋଗ କରୁଛୁ । ଫଳରେ କେବଳ ଓଡ଼ିଶା କି ଦିଲ୍ଲୀ ନୁହେଁ ବରଂ ସମଗ୍ର ବିଶ୍ୱର ମାନବ ସମାଜକୁ ଏକ ଭୟଙ୍କର ସମୟକୁ ସାମ୍ନା କରିବାକୁ ପଡ଼ିବ । ଏହା ସମସ୍ତଙ୍କ ପାଇଁ ଏକ ସତର୍କ ସୂଚନା! ଏମିତି ସମ୍ବେଦନଶୀଳ ପ୍ରସଙ୍ଗକୁ ଅଣଦେଖା ନ କରି ବରଂ ଏଥିରୁ ମୁକ୍ତି ପାଇବାର ବାଟ ଧରିବା ଆବଶ୍ୟକ । କେହି ନ ଭାବନ୍ତୁ ଯେ ଏହା ମୋର ବ୍ୟକ୍ତିଗତ ସମସ୍ୟା ନୁହେଁ, ଏହା ସାମୁହିକ ସମସ୍ୟା । ତେଣୁ ମୁଁ ଏକା ଚେଷ୍ଟାକରି କିଛି ଲାଭ ନାହିଁ । ହେଲେ ଏକା ଚାହିଁଲେ ଅନେକ କିଛି କରିପାରିବା । ଆଉ ପାଞ୍ଚଜଣଙ୍କୁ ଏଥିପ୍ରତି ସଚେତନ ମଧ୍ୟ କରିପାରିବା । ନିଜେ ଗଛ ଲଗାଇପାରିବା । ପାଖ ପରିବେଶକୁ ସଫାସୁତୁରା ରଖିପାରିବା । ବାହାରେ ମଳତ୍ୟାଗ କରିବା ନାହିଁ କି ନଦୀ ଓ ସମୁଦ୍ର ଭଳି ପ୍ରାକୃତିକ ଜଳ ଉତ୍ସକୁ ବିଷାକ୍ତ କରିବା ନାହିଁ । ଧୁମ୍ରବିହୀନ ଜାଳେଣିର ବ୍ୟବହାର କରିବା ଆଉ ଅତ୍ୟଧିକ ଧୂଆଁ ନିର୍ଗତ ହେଉଥିବା ପୁରୁଣା ଯାନର ବ୍ୟବହାର କେବେ କରିବା ନାହିଁ । 

ଯେବେ ଜଣଜଣଙ୍କ ଭିତରେ ଏ ସଚେତନତା ସୃଷ୍ଟି ହୋଇପାରିବ, ତେବେ ଏହା ଗଣ ଆନ୍ଦୋଳନରେ ପରିଣତ ହେବାକୁ ହୁଏତ ବେଶି ସମୟ ଲାଗିବ ନାହିଁ । ତେବେ ଆଗରୁ ଏମିତି ଯେ ସଚେତନତା ନ ହୋଇଛି ତାହା ନୁହେଁ ବରଂ ଯାହା ହୋଇଛି ତାକୁ ବହୁଗୁଣିତ କରିବାକୁ ସମସ୍ତେ ସଂକଳ୍ପ ନେବା ଉଚିତ୍ । ତେବେ ଆସନ୍ତୁ ସଂକଟ ଅଧିକ ଭୟଙ୍କର ରୂପ ଧାରଣ କରିବା ଆଗରୁ ତାକୁ ସମାଧାନ କରି ଭବିଷ୍ୟତ ବଂଶଧରମାନଙ୍କ ପାଇଁ ସୁନ୍ଦର ପୃଥିବୀଟିଏ ଛାଡ଼ିଯିବା ଯାହା ଆମ ବାପା ଅଜା ଆମପାଇଁ ଛାଡ଼ି ଯାଇଛନ୍ତି । ଅନ୍ୟଥା ଆମେ ମଲା ପରେବି ପିଲାଛୁଆ ଆମକୁ ପିଣ୍ଟ ଦେବା ବଦଳରେ ଅଭିସମ୍ପାତ ବର୍ଷଣ କରି ଚାଲିଥିବେ । 

କିସ ମାନିତ ବିଶ୍ଵବିଦ୍ୟାଳୟ, ବୁବନେଶ୍ଵର
ଦୂରଭାଷ -୯୭୭୬୬୯୨୨୦୭

0 Comments