ବନ୍ଦ ଝର୍କା - ପ୍ରଦୀପ ବନ୍ଧ

ବନ୍ଦ ଝର୍କା - ପ୍ରଦୀପ ବନ୍ଧ


ଖୋଲା ଝର୍କାରେ ଦେଖୁଥାଏ
ଦିନରେ ସୂର୍ଯ୍ୟଙ୍କୁ
ରାତିରେ ଚନ୍ଦ୍ର ଆଉ ତାରା ଗଣଙ୍କୁ
ଦିବା ସମୟରେ ସ୍ୱପ୍ନ ଗୁଡାକ
ସହଜରେ ଆସିପାରନ୍ତିନି ବୋଲି
ଝରକା ଖୋଲି ଶୋଇଯାଏ,
ହେଲେ ରାତିରେ,,
ଝର୍କା ବନ୍ଦ କଲାପରେ
ତୁମେ ସତ କହିଲ
ସପ୍ନରେ ଆସ କେମିତି
ଝର୍କା ଫାଙ୍କରେ ନା
ଖଣ୍ଡିଆ କୁଡିଆର ଚାଳ କଣାରେ,

ଏବେ କିନ୍ତୁ ଚାଲିଯାଅ
ମୋତେ ଭାରି ଡର ଲାଗୁଛି,
ହେଇ ଦେଖିଲ ସକାଳ ହେବାକୁ
କେଇ ପ୍ରହର ବାକି ଅଛି,
ତାରା ମାନେ ଫୁଙ୍ଗୁଳା ହୋଇ
ଧୀରେ ଧୀରେ ଡିଆଁ ଡେଇଁ ହୋଇ
ଲୁଚିଗଲେଣି
ସାରା ଆକାଶକୁ ସଫା କରି,
ପହଁରି ପହଁରି ଆସିଲେଣି
ସମୟ ଚକରେ ଭାସ୍କର
ସତ କହୁଛି
ବେପାରୁଆ ଜୀବନ ନେଇ ଜୀଇଁବା
ଭାରି କଷ୍ଟ ହେବ
କେମିତି ସହିବିଯେ
ଫଟା ମାଟି ହାଣ୍ଡି ପରି ତୋତେ
ବଦନାମ ର ବୋଝକୁ ମୁଣ୍ଡେଇ
ରାଜରାସ୍ତାକୁ ଠେଲିଦେବେ,

ଟିକେ ଝର୍କା ଫାଙ୍କରେ ଚାହିଁଲ ଦେଖି
କାନ ଡେରି ଶୁଣିଲ ଟିକେ
କେମିତି ଅସହାୟ ର ଚିତ୍କାର
ଶୁଭିଲାଣି
କାଉ ବି କା କା ରାବ ଛାଡି
ସମସ୍ତଙ୍କୁ ବିଛଣାରୁ ଉଠେଇ
ଦୁଃଖ ସୁଖର ଖବର ବାଣ୍ଟି
ଚାଲିଗଲାଣି,

ଫୁଲ ବଗିଚାର ଭଅଁର ସକାଳୁ ଉଠି
ଗୁଣୁଗୁଣୁ ଗୀତ ଗାଇଲାଣି
ପ୍ରଜାପତି ଓ ମହୁ ମାଛିଙ୍କର
ଭିଡ଼ରେ
ପବନ ବି ଦଉଡୁଛି,
ତାଙ୍କୁ ସାଥିକରି କେଇ ମୁହୂର୍ତ୍ତ ପରେ
ସୁନ୍ଦର ସୁନେଲି କିରଣ ବିଛୁଡ଼ି
ହସି ହସି ବେଗି ଉପରକୁ ଉଠି
ଆସିବେ ସକଳ ଦେବତା
କୋମଳ ଖରାରେ
 ହସୁଥିବ ପୃଥିବୀ
ହସୁଥିବ ଏ ସାରା ସଂସାର,

ପ୍ରଖର ଜ୍ୱାଳା ଘେନି ବାଘ ପରି
ମାଡିଆସିବ ଖରା
ଶୋଷିନେବ ସବୁ ହସ ଖୁସି
ଲୁହ, ଲହୁ
ଦୁଃଖ,ସୁଖ ଆଉ ଶୁଖେଇ ଦେବ
କଅଁଳ ଓଠର ନରମ ଚମଡା କୁ
ଏ ସବୁ ସହି ପାରିବୁ ତ
ଏବେବି ସମୟ ଅଛି
ଚାଲିଯାଅ ବନ୍ଦ ଝର୍କାର
ପରଳ ହଟିବା ଆଗରୁ
ଏ କାନରୁ ସେ କାନ ହେବା ଆଗରୁ
ଏ ଆଖି ଖୋଲିବ ଆଗରୁ
ବିଛଣା ଟା ପୁଣି ସୁନ୍ଦର
କରି ବିଛେଇବା ଆଗରୁ
ଯେମିତି ଆସିଥିଲ
ସେମିତି ଚାଲିଯାଅ
ସେହି ବନ୍ଦ ଝର୍କା ଫାଙ୍କ ଦେଇ
ନଚେତ ଚାଳ କଣା ଦେଇ,,,,,

ପ୍ରଦୀପ ବନ୍ଧ, ଭଦ୍ରକ, ବାସୁଦେବପୁର
ରାଜଘରପୋଖରୀ, ସାନମଛୁଆଘାଇ

0 Comments