Information

ବଣଭୋଜି - ନାରାୟଣ ଚନ୍ଦ୍ର ସେନାପତି


ହେ ବଣ
ତୁମେ ଯେବେ ଆସ ଶୀତୁଆ ଦିନରେ
ଭୋଜି କରିବାକୁ କର ଆମନ୍ତ୍ରଣ,
ପ୍ରତ୍ୟକ୍ଷରେ କରୁ ଭୋଜି
ପରୋକ୍ଷରେ କରୁ କେତେ ଯେ ଶିକ୍ଷଣ ॥
ହେ ସବୁଜବର୍ଣ୍ଣା ବନ
ଦେଖି ତୁମ ଶୋଭା ଆଭା
ମନଭରି କରୁ ଉପଭୋଗ
ସତରେ ହେ ମହାମିତ୍ର
ତୁମ ରୂପ ରଙ୍ଗ ପ୍ରତିକ୍ଷଣେ କରି ଆକର୍ଷିତ
ଅନ୍ତରେ ଭରେ ପୁଲକ
ମନ କହେ ..ଆତ୍ମା କହେ...
ତୁମେ ବିବିଧ ବିଚିତ୍ର
ତୁମେ ପୁଣ୍ୟାତ୍ମା ପବିତ୍ର ॥
ହେ ଜଙ୍ଗଲ
ତୁମେ ଥିଲ ଆଦିମ ମାନବର ସରଗପୁର
ଦେଇ ମୌଳିକ ଆବଶ୍ୟକତା
ରଚିଥିଲ ସ୍ରଷ୍ଟାଙ୍କ ସୁରମ୍ୟ ସଭ୍ୟତା
ତୁମେ ବି ଥିଲ ମୁନି ଋଷିଙ୍କ ଆଶ୍ରମସ୍ଥଳୀ
ରଚିଥିଲ ଅଭିନବ ପାଠଶାଳା
ଗଢିଥିଲ ଗୌରବ ପାର୍ଥ,ଏକଲବ୍ୟ,ଭରତ
ଶେଷେ ବି କଲ ବେଦ ଝଙ୍କାର ଓଁକାର
ବାସ୍ତବିକ ତୁମେ ଅନନ୍ୟ
ଶିକ୍ଷା,ସଭ୍ୟତା ଓ ସଂସ୍କୃତିର ବିସ୍ମୟ ମୁଖଶାଳା॥
ହେ ଅରଣ୍ୟ...
ତୁମେ ହିଂସ୍ରଜନ୍ତୁଙ୍କ କୁଞ୍ଜବନ
ପ୍ରାଣୀ ଉଦ୍ଭିଦଙ୍କ ସନ୍ତୁଳନକାରୀ
ଦେଇ ଆଶ୍ରୟ
ରଚ ପରମ୍ପରା...ରଖ ଐତିହ୍ୟ
ତୁମେ କର ଜଳ,ଅମ୍ଳଜାନର ଅପୂର୍ବ ସୃଷ୍ଟି
ମା' ମାଟିର କର ସଂରକ୍ଷଣ...ଯତନ..ସମ୍ମାନ
ତୁମେ ମାତୃଭୂମିର ପ୍ରାକୃତିକ ବିଭବ
ରାଜାଙ୍କ ପାରିଧି ଫୁର୍ତ୍ତି ଅବଧି
ସନ୍ନ୍ୟାସ ଜୀବନର ନ୍ୟାୟବନ୍ତ ଆବାହକ॥
ହେ ପ୍ରାକୃତିକ କର୍ମଶାଳା
ତୁମେ ବି ଚିକିତ୍ସକ
ବୁଦ୍ଧି-ଜ୍ଞାନ-ମେଧାର ଉତପ୍ରେରକ
ମନ-ବିବେକ-ଆତ୍ମାର ନିର୍ମଳ ପର୍ଯ୍ୟବେକ୍ଷକ
ପ୍ରତିବର୍ଷ କରି ଆବାହନ
ଦିଅ ଦିବ୍ୟ ଭୋଜନ
କର ଏକତା,ସମ୍ପର୍କ,ସଦ୍ଭାବର ସଙ୍କଳନ
ତୁମେ ଗଢ ସାରସ୍ୱତ ସାଧକ
ନୀତି ନିଷ୍ଠ ବୈଜ୍ଞାନିକ
ରଖ ସ୍ମୃତି ରଚ ବଣଭୋଜିର ଅନୁପମ କୀର୍ତ୍ତି
ବାରମ୍ବାର କରୁ ତୁମକୁ ସ୍ମରଣ
କେବେ ଆସିବ ପୁଣି ଏଦିନ
ଚାତକ ପ୍ରାୟ ଚାହିଁଛୁ
ପାଇବାକୁ ତୁମ ବଣଭୋଜିର ପ୍ରେମ ନିମନ୍ତ୍ରଣ॥

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

Post a Comment