Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପ୍ରବନ୍ଧ - ବଞ୍ଚାଅ-ବଢାଅ ଏ କନ୍ୟାରତ୍ନକୁ - ନାରାୟଣ ଚନ୍ଦ୍ର ସେନାପତି


"ମୋତେ ମାରି ଦିଅନା ବାପା, ମୋତେ ମାରିରିଦିଅନା...  ମା, ମୁଁ ପରା ତୁମ ଗେହ୍ଲା ଝିଅ । ମୋର କିଛି ଲୋଡା ନାହିଁ, ମୁଁ କେବଳ ବଞ୍ଚିବାକୁ ଚାହେଁ ।"

ମାତୃଗର୍ଭରୁ କନ୍ୟାଭୃଣର ଆତୁର ଚିତ୍କାର, ଏଇ କରୁଣ ରୋଦନ ଯା'ର କର୍ଣ୍ଣପାତ ହୋଇଛି, ସେ ସ୍ତବ୍ଧ ଚକିତ ହୋଇଯାଇଛି, ତାର ହୃଦୟଟା ଭୟ, ଆଶଙ୍କାରେ ଥରି ଉଠିଛି । ହେଲେ ତାର ଦରଦୀଆତ୍ମାର ଅନ୍ତର୍ଦ୍ଧ୍ୱନି ସାଂପ୍ରତିକ ସମାଜରେ ନିଷ୍ଫଳ ପ୍ରାର୍ଥନା ପାଲଟିଛି । କାହିଁକି ? କ'ଣ ପାଇଁ ?? ଯିଏ ସ୍ରଷ୍ଟାଙ୍କ ଏକ ଅନୁପମ ସୃଷ୍ଟି, ଭବିଷ୍ୟତରେ ବଡ ହୋଇ ସୃଷ୍ଟି କରିବ ଶତ ସହସ୍ର ପ୍ରତିଭା, ତା'ର ଆର୍ତ୍ତନାଦକୁ ଏବେର ମାନବିକତା ବିହୀନ ମାନବ ନୀରବ ଦ୍ରଷ୍ଟା ଓ ବଧୀର ଶ୍ରୋତା ପରି ଅବାକ୍ ହୋଇ ଦଣ୍ଡାୟମାନ ହୋଇଛି ।

ଏସବୁକୁ ଦେଖିଲେ ମନେ ପଡେ ସେହି ପୁରାଣ, ଆଦି ଯୁଗର କେତେକ ଅମୃତବାଣୀ- କନ୍ୟାରତ୍ନ.... ମହାରତ୍ନ, କନ୍ୟାଜନ୍ମ କଲେ ଜୀବନ ସାର୍ଥକ, କନ୍ୟାଦାନ ମହାପୁଣ୍ୟ । ସେ କାଳରେ ଯାହାଘରେ କନ୍ୟାସନ୍ତାନ ଜନ୍ମ ନେଉଥିଲା, ତା ଘରେ ଲକ୍ଷ୍ମୀ ବିଜେ କଲେ ଶୁଣାଯାଉଥିଲା । ଲୋକେ କହୁଥିଲେ ଧନ୍ୟ ସେ ଯୋଗଜନ୍ମା ପିତାମାତା କନ୍ୟାରତ୍ନଟେ ଜନ୍ମ କରିଛନ୍ତି । କିଏ ତା ଜନ୍କକଲା କନ୍ୟାକୁ ବିବାହ ଦେଉଥିଲେ ଶୁଭେ, ଆଃ କନ୍ୟାଦାନ କରି ମହାପୁଣ୍ୟ ଲାଭ କଲେ । ମୁନିୠଷିମାନେ କହୁଥିଲେ ସାତଟି ବୃକ୍ଷରୋପଣ କରି ପୁଣ୍ୟ ଲଭିବା ଯାହା ଗୋଟିଏ କନ୍ୟା ଜନ୍ମ କରିବା ତାହା । ମାତ୍ର ଏସବୁ ଭୁଲିଯାଇଛି ଏବେର ବିଜ୍ଞାନ ଯୁଗର ଅଜ୍ଞାନ ମାନବ । କାହିଁକି ? କ'ଣ ପାଇଁ ??
     
ପୂର୍ବେ ମଣିଷ ସରଳ ଓ ନିରାଡାମ୍ବର ଜୀବନ ଯାପନ କରୁଥିଲା । ରାତାରାତି ବଡଲୋକ ହେବା, ଧନ ଦୌଲତ ପଛରେ ମାରାଥାନ୍ ଦୌଡି ବିଶାଳ ସମ୍ଭ୍ରାନ୍ତ ଅହଙ୍କାରର ପାହାଡ ସୃଷ୍ଟି କରିବା ଚିନ୍ତାକରୁ ନ ଥିଲା । ତେବେ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ତା ମେରୁଦଣ୍ଡ ବଙ୍କାଇଦେଲା ତ ସ୍ୱଚ୍ଛଳତାର ହୃତପିଣ୍ଡକୁ ଥରାଇଦେଲା । ଝିଅଟିଏ ଜନ୍ମକରି ବଡକରି ବିବାହ ଦେବାବେଳେ ଯାନି ଯୌତୁକ ଦେବାପାଇଁ ତା ଘରବାଡି ବିକ୍ରିକରିବା ସଙ୍ଗେସଙ୍ଗେ ଋଣପାଇଁ ପରଦୁଆରେ ହାତ ପତାଇଲା । ସର୍ବସ୍ୱାନ୍ତ ଓ କାଙ୍ଗାଳ ହୋଇଗଲା । ଝିଅଥିବା ଭାଇ ଓ ଝିଅ ନ ଥିବା ଭାଇଙ୍କ ସମାନ ସମ୍ପତ୍ତିଥିଲେ ଝିଅଥିବା ଭାଇ ଦୀନଦରିଦ୍ରରେ ପରିଣତ ହେବା ସଙ୍ଗେ ସଙ୍ଗେ ମାନସିକ ଭାରାକ୍ରାନ୍ତ ହୋଇ ଆତ୍ମସମ୍ମାନହାନୀ ଓ ଅଳ୍ପାୟୁ ହେଲା । ତତ୍ପରେ ଝିଅଟିକୁ ପାଠ ପଢେଇ ଶିକ୍ଷିତ କଲାପରେ ଉପଯୁକ୍ତ ବରପାତ୍ର ରେ ବିବାହପାଇଁ ଅର୍ଥସଂଗ୍ରହ ତା ସ୍ୱଚ୍ଛଳତା ଭିଟାମାଟିକୁ ଖୋଳି ଗର୍ତ୍ତ କରିଦେଲା । ତୁଳନା ଓ ବିକାରଗ୍ରସ୍ତ ପିତାମାତା ସମାଜରେ ବଞ୍ଚିବା ଓ ସମ୍ମାନ ବଜାୟ ପାଇଁ ଘୃଣାକଲେ କନ୍ୟାସନ୍ତାନ ଜନ୍ମ କରିବାକୁ ।
       
ଆରମ୍ଭହେଲା ଭୃଣହତ୍ୟା ପ୍ରକ୍ରିୟା । ବିଜ୍ଞାନର ଅଗ୍ରଗତିରେ ଅର୍ଥଦେଇ କଲେ ଲିଙ୍ଗ ନିରୂପଣ ଓ ଔଷଧ ତଥା ଗର୍ଭପାତ କରାଇ କନ୍ୟାଭ୍ରୁଣ ହତ୍ୟା ସାଜି ଦୁର୍ଦ୍ଧର୍ଷ ଘାତକ ଘାତିକା । ଦୈବାତ୍ କନ୍ୟାସନ୍ତାନ ଭୂମିଷ୍ଠ ହେଲେ ସେ ହେଲା ଘୃଣିତା, ଅବହେଳିତା । ପୁଅ ଝିଅଙ୍କୁ ଭଲପାଇବାର ପକ୍ଷପାତିତା । ଶିକ୍ଷା ଅଧିକାରରୁ ବଞ୍ଚିତ ଯୌତୁକ ଦେବା ଭୟରେ । ଦୋଷ ନ ଥାଇ ତାକୁ ଦଣ୍ଡ, କଠୋର ଅନୁଶାସନ । ତା ସ୍ୱାଧୀନତା, ସମାନତାର ପାଚେରୀ ଭାଙ୍ଗି ଚୁର୍ମାର ହୋଇଗଲା । ତା ଧୈର୍ଯ୍ୟ, ସହନଶୀଳତାର ହିମାଳୟରୁ ଝରିଲା ପତିତପାବନୀ ଗଙ୍ଗା । ବାଃ ବାଃ ରେ ଦୁନିଆ ।
       
ଭୁଲିଗଲା ମଣିଷ ସେ ମନିଷୀଙ୍କ ଅମୃତବାଣୀ- "ଦୁହିତା ଦୁଇକୁଳକୁ ହିତା ।" ବଡହୋଇ ବିବାହ କରି ସେ ସାଜେ କୂଳବଧୂ, ସେ ପବିତ୍ରା । ଜୀଅନ୍ତା ଶ୍ରାଦ୍ଧ ଦେଇ ନିଜ ପିତାମାତାଙ୍କୁ ସେ ଶାଶୁଘରେ ଶାଶୁ ଶ୍ୱସୁରଙ୍କ ମୃତ୍ୟୁପରେ ପିଣ୍ଡଦାନ କଲେ । ପତ୍ନୀ ବିନା ଶୁଭ, ଯାଗ ଯଜ୍ଞ ଫଳବତୀ ହୁଏନା । ଅବହେଳିତ ଝିଅକୁ ଅତ୍ୟାଚାର, ବ୍ୟଭିଚାର କରିବାକୁ ପଛାଏ ନାହିଁ ସମାଜ । ନାବାଳିକାକୁ ବଳାତ୍କାର, ଧର୍ଷଣ, ବେଶ୍ୟାବୃତ୍ତି ପାଇଁ ବିଦେଶ ଚାଲାଣ କରିବାକୁ ସେ ପଛାଏ ନାହିଁ । ଟିକିଏ ବି ଚିନ୍ତା ଲରେନା ଯେ କୁନି ଝିଅଟିଏ ହୋଇ ପରିବାରର ହସ ସଂଚାର କରେ, ଭଉଣୀଟିଏ ହୋଇ ମମତା ବାନ୍ଧେ, ସ୍ତ୍ରୀ ଟିଏ ହୋଇ ତ୍ୟାଗୀ ସେବିକା ସାଜେ, ମା'ଟିଏ ହୋଇ ବାତ୍ସଲ୍ୟମମତା ଦିଏ ଓ ବଂଶବୃଦ୍ଧି କରାଏ, ତା ପାଇଁ କେମିତି ଏ ଅବିଚାର କରିବି ?
        
ଯୁଗ ବଦଳିଗଲାଣି, ଜନସଂଖ୍ୟା ନିୟନ୍ତ୍ରଣ ସଙ୍ଗେ ସଙ୍ଗେ କନ୍ୟା ଜନ୍ମହାର ଏତେ କମିଗଲାଣି ଯେ ଘୃଣିତ କନ୍ୟା ଏବେ ହିଂସୁକ ଅମଣିଷ ମାନବ ଏବେ ବୁଝିଲାଣି ନିଜକୁ । ଦୁତି, ପି.ଟି.ଉଷା, ସାନିଆ, କଳ୍ପନା, ଲତା, ଲକ୍ଷ୍ମୀବାଈ, ସରୋଜିନୀ, ରମାଦେବୀ ଓ ଚଳଚ୍ଚିତ୍ର ନାୟିକାଙ୍କ ପାରଦର୍ଶିତା ଦେଖି କନ୍ୟାପ୍ରତି ଘୃଣା ଘନେଇ ଆସିଲାଣି । ସତେ ଯେମିତି ତାକୁ କିଏ କହୁଛି, କନ୍ୟା-ଅବଳା.. ଦୁର୍ବଳା ନୁହଁ, ସେ ସର୍ବଗୁଣସମ୍ପନ୍ନା ସବୁ କରିପାରେ । ଏବେ କେତେକ ପୁତ୍ର ତାଙ୍କର ବୃଦ୍ଧ ବୃଦ୍ଧା ପିତା ମାତାଙ୍କୁ ଅଣଦେଖା, ନିର୍ଯ୍ୟାତନା ଦେଉଥିବା ବେଳେ ଝିଅଟି ବ୍ୟାକୁଳତାରେ ସହାୟ ହୋଇପାରୁଛି । ଏବେର ସଚେତନତା ଝିଅ ପଢିଲେ ଦେଶ ଉଜ୍ଜ୍ୱଳ, ମା'ହେଲେ ପାଠୋଇ.. ଦେଶଯିବ ଆଗେଇ ତା'ର ଉତ୍ସୁକତାକୁ ତ୍ୱରାନ୍ୱିତ କରି କହୁଛି କନ୍ୟାକୁ ଭଲ ପାଇବା ପାଇଁ । ମ୍ୟାଡାମ୍ କ୍ୟୁରୀ ଓ ପ୍ରତିଭା ପାଟିଲ୍ ଙ୍କ ଦାନ କ'ଣ କମ୍ ? ସାବିତ୍ରୀ, ସୀତା, ଅନସୂୟାଙ୍କ ସ୍ମୃତି ଭାଳି ଗାନ୍ଧାରୀ, ମୀରାବାଈଙ୍କ ଗୁଣଗାନ କରିକରି ସମାଜ ଖୋଜୁଛି ଏମିତି ସଜେଇବାକୁ କନ୍ୟାରତ୍ନକୁ । ଇଣ୍ଟରନେଟ୍ ର କାମଠାରୁ କନ୍ୟାର କାମ ବହୁତ ଉଚ୍ଚରେ । ଏ ଗୁଣାବଳୀକୁ ତନ୍ନ ତନ୍ନ କରି ବୁଝିଲେ, ଆଦରିଲେ ଯେ କୌଣସି ମଣିଷର ମନ, ଅନ୍ତର ଓ ଆତ୍ମା ନିଶ୍ଚୟ କହିବ... "ବଞ୍ଚାଅ.. ବଢାଅ... ଏ କନ୍ୟାରତ୍ନକୁ"

ନାରାୟଣ ଚନ୍ଦ୍ର ସେନାପତି, ଶିକ୍ଷକ,
ସରକାରୀ  ଉ.  ପ୍ରା.  ବିଦ୍ୟାଳୟ,
ଡିମିରିଆ, କେନ୍ଦୁଝର, ପିନ୍ - ୭୫୮୦୧୯
ଦୂରଭାଷ - ୯୪୭୭୮୨୪୩୨/୭୯୭୮୭୯୯୬୬

Post a Comment

1 Comments

ଉପରୋକ୍ତ ବିଷୟଟି ଆପଣଙ୍କୁ କେମିତି ଲାଗିଲା ଦୟାକରି ନିଜର ମତାମତ ରଖନ୍ତୁ । ଆପଣଙ୍କ ଗଠନ ମୂଳକ ମତାମତ ନିଶ୍ଚୟ ବଣମଲ୍ଲୀର ମହକର ସମସ୍ତ ଲେଖକ ଲେଖିକା ମାନଙ୍କ ନିମନ୍ତେ ପ୍ରେରଣାଦାୟକ ହୋଇ ପାରିବ । ନିମ୍ନୋକ୍ତ କୋଠରୀ ମଧ୍ୟରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ ।